Unknown

 

 

 

 

 

 

 

 

 

 

 

ଲେନିନ୍ ଗାଁ’ର ଗରିବଙ୍କ ପ୍ରତି

ଅନୁବାଦ

ଗୁରୁଚରଣ ପଟ୍ଟନାୟକ

 

ସହରର ଶ୍ରମିକମାନଙ୍କ ସଂଗ୍ରାମ

 

ବୋଧହୁଏ ବହୁ କୃଷକ ସହରରେ ଶ୍ରମିକ ଅଶାନ୍ତି କଥା ଶୁଣି ସାରିଥିବେ । ସେମାନଙ୍କ ଭିତରୁ କେତେକ ରାଜଧାନୀମାନଙ୍କରେ ରହିଛନ୍ତି, କଳାକାରଖାନାମାନଙ୍କରେ କାମ କରିଛନ୍ତି, ଆଉ ପୁଲିସବାଲାଏ ଯାହାକୁ ଦଙ୍ଗା ବୋଲି କହନ୍ତି, ତାକୁ ମଧ୍ୟ ସେମାନେ ଦେଖିଛନ୍ତି । ଅନ୍ୟ କେତେକ କୃଷକ ଏପରି ଶ୍ରମିକମାନଙ୍କୁ ବି ଜାଣନ୍ତି, ଯେଉଁମାନେ ସେ ଅଶାନ୍ତିରେ ଜଡ଼ିତ, ଆଉ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିଜ ନିଜ ଗ୍ରାମକୁ ନିର୍ବାସିତ ହୋଇଛନ୍ତି । ଆଉ ଅନେକ ପୁଣି ଶ୍ରମିକମାନଙ୍କ ଦ୍ୱାରା ପ୍ରଚାରିତ ଲିଫ୍‍ଲେଟ ପ୍ରଚାରପତ୍ର କିମ୍ବା ଶ୍ରମିକ ଆନ୍ଦୋଳନ ସମ୍ପର୍କରେ ପୁସ୍ତିକାମାନ ଦେଖିଥିବେ । ଆହୁରି ଅଗରେ ଯେଉଁ ଲୋକେ ସହରକୁ ଯାଆନ୍ତି ତାଙ୍କଠାରୁ ସେଠାରେ କଣ ଘଟୁଛି, ତାର କାହାଣୀ କେବଳ ଶୁଣିଥିବେ ।

 

ଆଗେ କେବଳ ଛାତ୍ରମାନେ ବିକ୍ଷୋଭ କରୁଥିଲେ । ଏବେ ବଡ଼ ବଡ଼ ସହରମାନଙ୍କରେ ହଜାର ହଜାର ଲକ୍ଷ ଲକ୍ଷ ଶ୍ରମିକ ଜାଗି ଉଠିଛନ୍ତି । ଅଧିକାଂଶ କ୍ଷେତ୍ରରେ ସେମାନେ ତାଙ୍କର ନିଯୁକ୍ତିକାରୀ କାରଖାନାର ମାଲିକଙ୍କ ବିରୁଦ୍ଧରେ, ପୁଞ୍ଜିପତିଙ୍କ ବିରୁଦ୍ଧରେ ଲଢ଼ିଥାନ୍ତି । ଶ୍ରମିକମାନେ ଧର୍ମଘଟ ଘୋଷଣା କରନ୍ତି । ଗୋଟିଏ କାରଖାନାରେ ସମସ୍ତ ଶ୍ରମିକ ଏକ ସାଙ୍ଗରେ କାମ ବନ୍ଦ କରିଦିଅନ୍ତି ଏବଂ ଅଧିକ ମଜୁରୀ ଦାବୀ କରନ୍ତି । ଦାବୀ କରନ୍ତି ଯେ ସେମାନଙ୍କୁ ୧୦। ୧୧ ଘଣ୍ଟା କାଳ ଖଟାଯିବ ନାହିଁ । ସେମାନେ ୮ ଘଣ୍ଟା ମାତ୍ର କାମ କରିବେ । ଶ୍ରମିକ ମାନଙ୍କ ଜୀବନଯାତ୍ରାକୁ ସହଜତର କରିବା ଭଳି ଅନ୍ୟାନ୍ୟ ବିଷୟ ମଧ୍ୟ ସେମାନେ ଦାବୀ କରନ୍ତି । ସେମାନେ ଚାହାନ୍ତି କାରଖାନା କାମର ପରିବେଶ ଉନ୍ନତତର କରାଯାଉ ଏବଂ ମେସିନ ଯନ୍ତ୍ରପାତିର ଏପରି ବିଶେଷ ବ୍ୟବସ୍ଥା ସବୁ ଖଞ୍ଜାଯାଉ, ଯେପରିକି ଶ୍ରମିକଙ୍କର ହାତ ଗୋଡ଼ କଟି ନ ଯିବ । ସେମାନେ ଚାହାନ୍ତି ତାଙ୍କର ପିଲାଏ ସ୍କୁଲକୁ ଯାଆନ୍ତୁ ଆଉ ରୋଗଗ୍ରସ୍ଥ ଲୋକେ ଡାକ୍ତରଖାନା ରେ ଉପଯୁକ୍ତ ଚିକିତ୍ସା ପାଆନ୍ତୁ । ଶ୍ରମିକମାନଙ୍କ ବାସ ଘର ଯେପରି କୁକୁର ଗୁହାଳ ପରି ହୋଇଛି, ତା ପରିବର୍ତ୍ତେ ମଣିଷର ବାସଯୋଗ୍ୟ ଭଳି ହେଉ ।

 

ଶ୍ରମିକମାନଙ୍କ ସଂଗ୍ରାମରେ ପୁଲିସ ହସ୍ତକ୍ଷେପ କରେ । ପୁଲିସ ଶ୍ରମିକଙ୍କୁ ଧରେ, ଜେଲଖାନାରେ ନିକ୍ଷେପ କରେ, ବିନା ବିଚାରରେ ତାଙ୍କ ଗ୍ରାମକୁ ବା ଏପରିକି ସାଇବେରିଆ ଅଞ୍ଚଳକୁ ନିର୍ବାସିତ କରିଦିଏ । ସରକାର ଶ୍ରମିକଙ୍କ ଧର୍ମଘଟ ଓ ସଭାସମିତିକୁ ବେଆଇନ କରିଦେଇଛି । କିନ୍ତୁ ଶ୍ରମିକମାନେ ପୁଲସ ବିରୁଦ୍ଧରେ, ସରକାର ବିରୁଦ୍ଧରେ ତାଙ୍କର ଲଢ଼େଇ ଚଲାନ୍ତି । ଶ୍ରମିକମାନେ କହନ୍ତି : ଆମେ, ଲକ୍ଷ ଲକ୍ଷ ମେହନତ୍‍କାରୀମାନେ ଏତେ ଖଟିଲୁଣି ଯେ ଆମର ଅଣ୍ଟା ଭାଙ୍ଗି ଗଲାଣି । ଧନୀଙ୍କ ପାଇଁ କାମ କରି କରି ନିଜେ ବହୁକାଳରୁ ନିଃସ୍ୱ ସର୍ବସ୍ୱାନ୍ତ ହୋଇ ରହିଛୁ । ଆମକୁ ଲୁଣ୍ଠନ କରିବାଲାଗି ଆମେ ସେମାନଙ୍କୁ ବହୁତ ବେଶି ସମୟ ଦେଲୁଣି । ଆମେ ୟୁନିଅନରେ ଏକାଠି ହେବାକୁ ଚାହୁଁ, ଏକ ବିରାଟ ଶ୍ରମିକ ୟୁନିଅନରେ (ଏକ ଶ୍ରମିକ ପାର୍ଟିରେ) ସମସ୍ତ ଶ୍ରମିକଙ୍କୁ ଏକଯୁଟ କରିବାକୁ ଚାହୁଁ, ଏବଂ ଏକ ଉନ୍ନତ ଜୀବନ ଲାଗି ମିଳିତ ଭାବେ ଉଦ୍ୟମ କରିବାକୁ ଇଚ୍ଛାକରୁ । ଆମେ ଚାହୁଁ, ହାସଲ କରିବୁ ଏକ ନୂତନ ଆଉ ଉନ୍ନତ ଧରଣର ସାମାଜିକ ବ୍ୟବସ୍ଥା :–ଏଇ ନୂତନ ଉନ୍ନତ ଧରଣର ସାମାଜିକ ବ୍ୟବସ୍ଥାରେ ଧନୀ ରହିବେ ନାହିଁ କି ଦରିଦ୍ର ରହିବେ ନାହିଁ । ସମସ୍ତଙ୍କୁ କାମ କରିବାକୁ ହେବ । ସର୍ବସାଧାରଣ ଶ୍ରମର ଫଳକୁ କେବଳ ମୁଷ୍ଟିମେୟ ଧନୀଲୋକେ ଭୋଗ କରିବେ ନାହିଁ, ସମସ୍ତ ଶ୍ରମଜୀବୀ ଲୋକେ ନିଶ୍ଚୟ ଉପଭୋଗ କରିବେ, ମେସିନ କଳକବ୍‍ଜା ଓ ଅନ୍ୟାନ୍ୟ ବିକାଶ ହେବ, ତାହା, ସମସ୍ତଙ୍କ କାମ ଲାଘବ କରିବାରେ ନିୟୋଜିତ ହେବ, ଲକ୍ଷ ଲକ୍ଷ କୋଟି କୋଟି ଲୋକଙ୍କର ଝାଳରେ ତାହା ମୁଷ୍ଟିମେୟଙ୍କୁ ଅଧିକ ଧନୀ କରିବା ଦିଗରେ ଲାଗିବ ନାହିଁ । ଏଇ ନୂତନ ଉନ୍ନତ ସମାଜକୁ କହନ୍ତି ସମାଜବାଦୀ ସମାଜ । ଏଇ ସମାନ ବିଷୟରେ ଶିକ୍ଷାକୁ କହନ୍ତି ସମାଜବାଦ । ଶ୍ରମିକ ଇଉନିଅନସବୁ ଯିଏ ଏଇ ଉନ୍ନତ ସମାଜ ପ୍ରତିଷ୍ଠା ଲାଗି ଲଢ଼ନ୍ତି ତାଙ୍କୁ ସୋସିଆଲ ଡିମୋକ୍ରାଟିକ୍ ପାର୍ଟି କୁହାଯାଏ । ସେଇସବୁ ଦଳ ପ୍ରାୟ ସବୁ ଦେଶରେ (ରୁଷ ଓ ତୁର୍କୀକୁ ଛାଡ଼ିଦେଲେ) ପ୍ରକାଶ୍ୟରେ ରହିଛନ୍ତି ଏବଂ ଆମର ଶ୍ରମିକମାନେ, ଶିକ୍ଷିତ ଲୋକଙ୍କ ମଧ୍ୟରୁ ସୋସିଆଲିଷ୍ଟମାନଙ୍କ ସହ ମିଶି ସେଇପରି ଏକ ପାର୍ଟି ମଧ୍ୟ ଗଠନ କରିଛନ୍ତି- ତାହା ହେଲା ରସିଆନ୍ ସୋସିଆଲ ଡିମୋକ୍ରାଟିକ୍ ଲେବର ପାର୍ଟି ।

 

ସେ ପାର୍ଟିକୁ ସରକାର ଦମନ କରେ, ତଥାପି ସମସ୍ତ ନିଷେଧ ଆଜ୍ଞା ସତ୍ୱେ ତାହା ଗୋପନରେ କାମ କରିଯାଏ । ତାହା ସମ୍ବାଦପତ୍ର ଓ ପୁସ୍ତକମାନ ପ୍ରକାଶ କରେ ଏବଂ ଗୁପ୍ତ ଇଉନିଅନସବୁ ସଂଗଠିତ କରେ । ଶ୍ରମିକମାନେ କେବଳ ଗୋପନ ଆଲୋଚନା କରନ୍ତି ନାହିଁ, ବହୁ ସଂଖ୍ୟାରେ ଆପଣ ଝଣ୍ଡା ଧରି ସେମାନେ ରାସ୍ତାକୁ ବାହାରି ପଡ଼ନ୍ତି । ସେଥିରେ ଲେଖାଥାଏ "ଆଠଘଣ୍ଟା ଶ୍ରମ ଦିବସ ଜିନ୍ଦାବାଦ, ସ୍ୱାଧୀନତା ଜିନ୍ଦାବାଦ, ସମାଜବାଦ ଜିନ୍ଦାବାଦ ।" ଏଥିଲାଗି ସରକାର ଅତି ବର୍ବର ଭାବେ ଶ୍ରମିକ ଦଳନ କାର୍ଯ୍ୟ ଚଳାଏ । ଶ୍ରମିକଙ୍କୁ ଗୁଳି କରିବାଲାଗି ଏହା ସୈନ୍ୟ ସୁଦ୍ଧା ମୁତୟନ କରେ । ରୁଷର ସୈନ୍ୟମାନେ ରୁଷର ଶ୍ରମିକମାନଙ୍କୁ ୟାରୋସ୍ଲାଭାଲା, ସେଣ୍ଟ ପିଟର୍ସବର୍ଗ, ରିଗା, ଡନକଳର ରୋସ୍ତୋଭା ଏବଂ କ୍ଳାଟୋଉଷ୍ଟ ସହରରେ ହତ୍ୟା କରିଛନ୍ତି ।

 

କିନ୍ତୁ ଶ୍ରମିକମାନେ ଆତ୍ମସମର୍ପଣ କରିନାହାନ୍ତି । ଏମାନେ କ୍ରମାଗତ ଲଢ଼େଇ କରିଛନ୍ତି-। ସେମାନେ କହନ୍ତି ଦମନ ବା ବନ୍ଦୀଶାଳା ନିର୍ବାସନ ଅଥବା ସଶ୍ରମ କାରାଦଣ୍ଡ, ଏପରିକି ମୃତ୍ୟୁ ସୁଦ୍ଧା ଆମକୁ ଭୟବିତ କରି ପାରିବ ନାହିଁ । ଆମର ଉଦ୍ଦେଶ୍ୟ ମହତ୍ ।

Image

 

ବହି ସମ୍ବନ୍ଧରେ

 

ଲୋକେ କାହିଁକି ଦରିଦ୍ର, ସେଥିରୁ ସେ ମୁକ୍ତି ପାଇବ କିପରି ତାର ଉତ୍ତର ହେଉଛି–''ଗାଁର ଗରିବଙ୍କ ପ୍ରତି'' –ଲେନିନଙ୍କର ଏଇ ପୁସ୍ତକଟି । ପଢ଼ିଲେ ମନେହେବ ସତେ ଯେପରି ତାହା ଆମ ଓଡ଼ିଶାର, ଗାଁ ଗଣ୍ଡାର ଗରିବଙ୍କ ଉଦ୍ଦେଶ୍ୟରେ ଲିଖିତ । କେବଳ ରୁଷୀୟ ଆବରଣକୁ ବାଦ ଦେଲେ, ତାର ସାରମର୍ମ ଏକ ପରମ ସତ୍ୟ ଭାବେ ପ୍ରତ୍ୟେକ ଦେଶ ପ୍ରତି ପ୍ରଯୁଜ୍ୟ । ଏଥିରେ ଲେନିନ ଆଲୋଚନା କରିଛନ୍ତି, ଗରିବମାନଙ୍କର ଦରିଦ୍ରତାର ପ୍ରକୃତ କାରଣ, ତାଙ୍କର ଆଶୁ ଓ ମୌଳିକ ସମସ୍ୟା, ଅର୍ଥନୈତିକ ଦାବୀ ଓ ରାଜନୈତିକ ଲକ୍ଷ ଏବଂ ଶେଷରେ ସେମାନଙ୍କର ମୁକ୍ତି ହାସଲର ଉପାୟ । ଏହାକୁ ଲେନିନ ଲେଖିଥିଲେ ଆଜକୁ ୬୬ ବର୍ଷ ତଳେ, ୧୯୦୩; ରୁଷରେ ଏକ ବ୍ୟାପକ କୃଷକ ଅଶାନ୍ତି ଓ ଆନ୍ଦୋଳନର ଠିକ୍ ପରେ ପରେ, ତାଙ୍କୁ ଏକ ସଠିକ ମାର୍ଗରେ ପରିଚାଳିତ କରିବା ଉଦ୍ଦେଶ୍ୟରେ ।

 

ସେତେବେଳେ ରୁଷରେ ସମ୍ରାଟ-ଜାରଙ୍କ ଅତ୍ୟନ୍ତ ସ୍ୱେଚ୍ଛାଚାରୀ ଶାସନ; ଗାଁରେ କୃଷକମାନେ ସାମନ୍ତମାନଙ୍କ ଦ୍ୱାରା ଅତି ଉତ୍କଟଭାବେ ଲୁଣ୍ଠିତ ଓ ଉତ୍‍ପୀଡ଼ିତ, ସହରରେ ଶ୍ରମିକମାନଙ୍କ ଉପରେ ପୁଞ୍ଜିପତିଙ୍କର ଅବାଧ ଶୋଷଣ; କାହାରି ମୁଖ ଖୋଲିବାର ଅଧିକାର ନାହିଁ, ସମସ୍ତେ ନାଗରୀକ ଅଧିକାରରୁ ବଞ୍ଚିତ । ଏତେବେଳେ ଲେନିନ ଗାଁର ଗରିବମାନଙ୍କର ଶୋଷଣ ଉତ୍‍ପୀଡ଼ନର ପ୍ରତ୍ୟେକଟି କାରଣକୁ ଆଲୋଚନା କରିଛନ୍ତି, ତାର କର୍ତ୍ତାମାନଙ୍କର ମୁଖାଖୋଲି ଦେଇଛନ୍ତି, ଆଉ ଦର୍ଶାଇ ଦେଇଛନ୍ତି ମୁକ୍ତିଲାଗି କିପରି କେତେବେଳେ କାହା ସହିତ ମିତ୍ରତା ସ୍ଥାପନକରି, କେଉଁ ଆଭିମୁଖ୍ୟ ନେଇ କେମିତି ସେମାନଙ୍କ ବିରୁଦ୍ଧରେ ଲଢ଼ିବାକୁ ହେବ ।

 

ଗ୍ରାମାଞ୍ଚଳରେ ସାମନ୍ତ ଓ ଜମିଦାରଙ୍କୁ ଛାଡ଼ିଦେଲେ, କିପରି ଗରିବ, ମଧ୍ୟବିତ୍ତ, ଧନୀ ଆଦି ବିଭିନ୍ନ ଶ୍ରେଣୀର କୃଷକ ଅଛନ୍ତି, ସେମାନଙ୍କର ପାର୍ଥକ୍ୟ ଓ ଚରିତ୍ର କଣ ଏବଂ କିପରି ଶ୍ରେଣୀସଂଗ୍ରାମ ଚାଲିଛି, ତାଙ୍କୁ ଲେନିନ ଅତି ପ୍ରାଞ୍ଜଳଭାବେ ଆଲୋଚନା କରିଛନ୍ତି । ସେ ଦରିଦ୍ରତା ଦୂର କରିବାଲାଗି ବିପ୍ଲବର ଦୁଇଟି ପର୍ଯ୍ୟୟ ବିଷୟ ଅତି ସ୍ପଷ୍ଟଭାବେ ଉଲ୍ଲେଖ କରିଛନ୍ତି । ଗୋଟିଏ ହେଲା, ଜାର ଶାସନ ଓ ସାମନ୍ତମାନଙ୍କୁ ହଟାଇବା, ଅର୍ଥାତ୍, ସାମନ୍ତବାଦକୁ ଲୋପ କରିବାପାଇଁ (ବୁର୍ଜୁଆ) ଗଣତାନ୍ତ୍ରିକ ବିପ୍ଳବ, ଅନ୍ୟଟି ହେଲା ପୁଞ୍ଜିବାଦକୁ ଲୋପ କରିବା ପାଇଁ ସମାଜବାଦୀ ବିପ୍ଳବ । ଏଇ ଦୁଇ ବିପ୍ଳବ କାଳରେ, କିପରି ଶ୍ରେଣୀ ସମାବେଶ ଘଟିବ, ଅର୍ଥାତ୍‍ କେଉଁ କେଉଁ ଶ୍ରେଣୀ ଏକାଠି, ହୋଇ, କେଉଁ ଶ୍ରେଣୀ ବିରୁଦ୍ଧରେ ଲଢ଼ିବେ, କିପରି ବୁର୍ଜୁଆ ଗଣତାନ୍ତ୍ରିକ ବିପ୍ଳବ, ସମାଜବାଦୀ ବିପ୍ଳବକୁ ଗତିକରିବ ଏବଂ ତାର ନେତୃତ୍ୱ କିଏ ନେବ ଇତ୍ୟାଦି ବିଷୟ ଆଲୋଚିତ ହୋଇଛି ଏଇ ପୁସ୍ତକରେ।

 

ଲେନିନ୍ ଗୋଟିଏ ବିଷୟ ପ୍ରତି ସଦାସର୍ବଦା ଜୋର ଦେଇଛନ୍ତି, ତା' ହେଲା ଗାଁର ଦରିଦ୍ର କୃଷକମାନଙ୍କୁ ସହର ଶ୍ରମିକମାନଙ୍କ ସହିତ ସୁଦୃଢ଼ ମିତ୍ରତା ସ୍ଥାପନ କରିବାକୁ ହେବ ସେଇ ଶ୍ରମିକମାନେ ହିଁ ତାଙ୍କର ଏକମାତ୍ର ବନ୍ଧ, ତାଙ୍କୁ ସେମାନଙ୍କ ନେତୃତ୍ୱରେ ଲଢ଼ିବାକୁ ହେବ । ଗାଁର ଧନୀମାନଙ୍କର ସେ ପ୍ରତାରଣାକୁ ବୁଝିବା ଏବଂ ସେମାନଙ୍କ ପକ୍ଷ ପରିତ୍ୟାଗକରି ସହରର ଶ୍ରମିକଙ୍କ ସହିତ ଯୋଗଦେବା । ସମାଜବାଦୀ ବିପ୍ଳବ ଦିଗରେ ଅଗ୍ରସର ହେବା, କାରଣ ସମାଜବାଦୀ ପ୍ରତିଷ୍ଠା ଦ୍ଵାରାହିଁ କେବଳ, ତାର ମୁକ୍ତି ସମ୍ଭବ ।

 

ସମାଜବାଦ କଣ, ତାର ବାଖ୍ୟା ମଧ୍ୟ ଲେନିନ୍ ଏଥିରେ ଦେଇଛନ୍ତି ଓ କହିଛନ୍ତି, ତାହା କେବଳ ସୋସାଲ-ଡିମୋକ୍ରାଟିକ୍ ପାର୍ଟିର ନେତୃତ୍ୱରେ ହିଁ ହାସଲ ହୋଇପାରେ । ଏଇଠି, ଗୋଟିଏ କଥା ସ୍ମରଣ ରଖିବାକୁ ହେବ । ଏବେ ବି ବହୁ ଦେଶରେ ସୋସାଲ-ଡିମୋକ୍ରାଟିକ୍ ପାର୍ଟି ଅଛନ୍ତି ଏବଂ ଆମ ଦେଶରେ ଯେତେ ସୋସାଲିଷ୍ଟ ପାର୍ଟି ଅଛନ୍ତି । ସେମାନେ ସେଇସବୁ ସୋସାଲ-ଡିମୋକ୍ରାଟିକ୍ ପାର୍ଟିର ଗୋଟାଏ ଗୋଟାଏ ସଂସ୍କରଣ ମାତ୍ର । କିନ୍ତୁ, ଏସବୁ ଏଠାରେ ଲେନିନ୍‍ଙ୍କ ଲିଖିତ ସୋସାଲ-ଡିମୋକ୍ରାଟିକ୍ ପାର୍ଟି ନୁହେଁ, ସେତେବେଳେ କମ୍ୟୁନିଷ୍ଟ ପାର୍ଟି ନ ଥିଲା, କେବଳ ଏଇ ସୋସାଲ-ଡିମୋକ୍ରାଟିକ୍ ପାର୍ଟି ଥିଲା, ଯେତେବେଳେ ସୋସାଲ-ଡିମୋକ୍ରାଟିକ୍ ପାର୍ଟିର ଗୋଟାଏ ଅଂଶ ମାର୍କସବାଦୀ ପରିତ୍ୟାଗ କରି, ସୁଧାରବାଦ ଗ୍ରହଣ କଲା, ଅର୍ଥାତ୍‍ ପୁଞ୍ଜିପତିଙ୍କ ପକ୍ଷପାତି ହୋଇ ସଂସ୍କାରବାଦୀ ସୁବିଧାବାଦୀ ନୀତି ନେଲେ ସେତେବେଳେ ଲେନିନ ତା ବିରୁଦ୍ଧରେ ବଲସେଭିକ ବା କମ୍ୟୁନିଷ୍ଟ ପାର୍ଟି ଗଠନ କଲେ । ଏ ପୁସ୍ତକ କମ୍ୟୁନିଷ୍ଟ ପାର୍ଟି ଗଠନ ପୂର୍ବରୁ ଲିଖିତ ହୋଇଥିବାରୁ, ଲେନିନ୍ ସୋସାଲ-ଡିମୋକ୍ରାଟିକ୍ ପାର୍ଟି କଥା କହିଛନ୍ତି । ଆଉ ମାର୍କସବାଦ ପ୍ରତି ଅନୁରକ୍ତ କମ୍ୟୁନିଷ୍ଟ ଅଂଶ ଲେନିନ୍‍ଙ୍କ ନେତୃତ୍ୱରେ ସେଥିରୁ ଅଲଗା ହୋଇଯିବା ପରେ, ତାହା ଯେ କିପରି ସୁବିଧାବାଦୀ ବୁର୍ଜୁଆ ପକ୍ଷପାତି ଦଳରେ ପରିଣତ ହୋଇଛି, ତାହା ଆଜି ଇତିହାସ ଦ୍ୱାରା ପ୍ରମାଣିତ, ତେଣୁ ଏଠାରେ ଲେନିନ ଲିଖିତ ସୋସାଲ-ଡିମୋକ୍ରାଟିକ୍ ପାର୍ଟିକୁ ବର୍ତ୍ତିତ ନର କମ୍ୟୁନିଷ୍ଟ ପାର୍ଟି ଅର୍ଥରେ ବୁଝିବାକୁ ହେବ ।

 

ଲେନିନଙ୍କର ଏଇ ପୁସ୍ତିକାଟି ଏକ ଜନପ୍ରିୟ ମାର୍କସବାଦୀ ସାହିତ୍ୟର ଏକ ବିଶିଷ୍ଟ ନିଦର୍ଶନ; ସେ ଅତି ସ୍ପଷ୍ଟ ଓ ସରଳ, ଅଥଚ ଖୁବ ତୀକ୍ଷଣ ଓ ବଳିଷ୍ଠ ଭାବେ ସମସ୍ତ ବିଷୟ ପ୍ରକାଶ କରିଛନ୍ତି । ସେତେବେଳେ ଏ ପୁସ୍ତିକାଟି ଗୋପନରେ ବେଆଇନ ଭାବେ ପ୍ରକାଶିତ ହୋଇଥିଲା ଓ ହଜାର ହଜାର ସଂଖ୍ୟାରେ ତାହା ରୁଷର ଚାରିଆଡ଼େ ଖେଳି ଯାଇଥିଲା ।

 

ତାହା ସେ ସମୟର ରୁଷର ଗରିବ କୃଷକଙ୍କ ଲାଗି ଲିଖିତ ହୋଇଥିଲେ ସୁଦ୍ଧା, ବର୍ତ୍ତମାନ ଆମ ଗାଁ ଗହଳରେ ଚାଷୀ ମୂଲିଆ, ଯେଉଁସବୁ ସମସ୍ୟାର ସମ୍ମୁଖୀନ, ସେ ସବୁର ଉତ୍ତର ଓ ତାର ସମାଧାନରେ ମୌଳିକ ପନ୍ଥା ରହିଛି ଏଇ ପୁସ୍ତକରେ । ଲେନିନଙ୍କର ଉକ୍ତ ପ୍ରଦର୍ଶିତ ପଥ ଯେ ନିର୍ଭୁଲ, ଗରିବମାନଙ୍କର ମୁକ୍ତି ଓ ସ୍ୱାଧୀନତାର ଏକମାତ୍ର ପଥ, ତାହା ଆଜି ବହୁ ଦେଶରେ ଇତିହାସ ପ୍ରମାଣ କରି ସାରିଛି । ରୁଷ ଓ ଅନ୍ୟ କେତେକ ଦେଶରେ ଯେଉଁଠି ଶୋଷଣ ଅତ୍ୟାଚାର ବିଲୋପ ଘଟିଛି, ସମାଜବାଦର ପ୍ରତିଷ୍ଠା ହୋଇଛି, ସେଠାରେ ଆଜି ଦାରିଦ୍ର୍ୟ ବୋଲି କିଛିନାହିଁ, କି ଗରିବ ବୋଲି କେହି ନାହାନ୍ତି । ଏହା ଆଜି ସର୍ବବାଦୀ ସ୍ୱୀକୃତ ।

 

ଅତଏବ, ଯେଉଁ ନୀତି ଓ ଆୟୁଧ ଦ୍ୱାରା ତାହା ସମ୍ପନ୍ନ ହୋଇଛି ତାହା ଆମ ଓଡ଼ିଶା ପକ୍ଷରେ ଏକାନ୍ତ ପ୍ରୟୋଜନ, ଯେ ହେତୁ ଆମର ଅଧିକାଂଶ ଲୋକେ ଗରିବ ଓ ଗାଁ ଗଣ୍ଡାର ଅଧିବାସୀ; ସେଥିଲାଗି ସବୁ ଲୋକେ, ବିଶେଷକରି ଗାଁର ଦରିଦ୍ର ଜନସାଧାରଣ, ସହରର ଶ୍ରମିକ, ପ୍ରତ୍ୟେକ ସମାଜବାଦୀ ଓ ପ୍ରତ୍ୟେକ ସାଧାରଣ କର୍ମୀ ଯେଉଁମାନେ ପ୍ରକୃତରେ ଦାରିଦ୍ର୍ୟର ବିଲୋପ ଚାହାଁନ୍ତି, ସେଥିଲାଗି ଲଢ଼ନ୍ତି, ସେମାନଙ୍କ ପକ୍ଷରେ ଏହାର ଅଧ୍ୟୟନ, ଆଲୋଚନା ଓ ପ୍ରୟୋଗ ଏକ ଅପରିହାର୍ଯ୍ୟ ଆବଶ୍ୟକତା ।

 

ଗୁରୁଚରଣ ପଟ୍ଟନାୟକ

୧୫ । ୧୧ ୬୯

Image

 

ସୂଚୀପତ୍ର

 

୧.

ସହରର ଶ୍ରମିକମାନଙ୍କ ସଂଗ୍ରାମ

୨.

ସୋସାଲ-ଡିମୋକ୍ରାଟମାନେ କଣ ଚାହାନ୍ତି ?

୩.

ଧନସମ୍ପଦ ଓ ଦାରିଦ୍ର୍ୟ, ଗାଁ'ଗହଳରେ ସମ୍ପତ୍ତିର ମାଲିକ ଆଉ ଶ୍ରମିକ

୪.

ମଧ୍ୟବିତ୍ତ କୃଷକ କେଉଁ ପକ୍ଷକୁ ଯିବ ? ସେ ସମ୍ପତ୍ତିର ମାଲିକ ଓ ଧନୀକଙ୍କ ପକ୍ଷ ନେବ ନା ଶ୍ରମିକ ଓ ଗରିବମାନଙ୍କ ପକ୍ଷ ନେବ ?

୫.

ସବୁ ଲୋକଙ୍କ ପାଇଁ ଓ ଶ୍ରମିକଙ୍କ ପାଇଁ କି ଉନ୍ନତି ହାସଲ କରିବାଲାଗି ସୋସାଲ-ଡିମୋକ୍ରାଟମାନେ ଲଢ଼ନ୍ତି ।

୬.

ସମସ୍ତ କୃଷକଙ୍କ ପାଇଁ କି କି ଉନ୍ନତି ହାସଲ ଲାଗି ସୋସାଲ-ଡିମୋକ୍ରାଟମାନେ ଲଢ଼ନ୍ତି

୭.

ଗ୍ରାମାଞ୍ଚଳରେ ଶ୍ରେଣୀ ସଂଗ୍ରାମ

୮.

ୟାରୟା ପତ୍ରିକାର ସହଯୋଗରେ ସମ୍ବାଦପତ୍ର ଇସ୍କ୍ରାଦ୍ୱାରା ପ୍ରସ୍ତାବିତ ରୁଷର ସୋସାଲ-ଡିମୋକ୍ରାଟିକ୍ ଲେବର ପାର୍ଟିର କାର୍ଯ୍ୟକ୍ରମ ।

୯.

ନୋଟ

Image

 

ସହରର ଶ୍ରମିକମାନଙ୍କ ସଂଗ୍ରାମ

 

ବୋଧହୁଏ ବହୁ କୃଷକ ସହରରେ ଶ୍ରମିକ ଅଶାନ୍ତି କଥା ଶୁଣି ସାରିଥିବେ । ସେମାନଙ୍କ ଭିତରୁ କେତେକ ରାଜଧାନୀମାନଙ୍କରେ ରହିଛନ୍ତି, କଳକାରଖାନାମାନଙ୍କରେ କାମ କରିଛନ୍ତି, ଆଉ ପୁଲିସ ବାଲାଏ ଯାହାକୁ ଦଙ୍ଗା ବୋଲି କହନ୍ତି, ତାକୁ ମଧ୍ୟ ସେମାନେ ଦେଖିଛନ୍ତି । ଅନ୍ୟ କେତେକ କୃଷକ ଏପରି ଶ୍ରମିକମାନଙ୍କୁ ବି ଜାଣନ୍ତି, ଯେଉଁମାନେ ସେ ଅଶାନ୍ତିରେ ଜଡ଼ିତ, ଆଉ କର୍ତ୍ତୃପକ୍ଷଙ୍କ ଦ୍ୱାରା ନିଜ ନିଜ ଗ୍ରାମକୁ ନିର୍ବାସିତ ହୋଇଛନ୍ତି । ଆଉ ଅନେକ ପୁଣି ଶ୍ରମିକମାନଙ୍କ ଦ୍ୱାରା ପ୍ରଚାରିତ ଲିଫ୍‍ଲେଟ ପ୍ରଚାରପତ୍ର କିମ୍ବା ଆନ୍ଦୋଳନ ସମ୍ପର୍କରେ ପୁସ୍ତିକାମାନ ଦେଖିଥିବେ । ଆହୁରି ଅନେକ ଯେଉଁ ଲୋକେ ସହରକୁ ଯାଆନ୍ତି ତାଙ୍କଠାରୁ ସେଠାରେ କଣ ଘଟୁଛି, ତାର କାହାଣୀ କେବଳ ଶୁଣିଥିବେ ।

 

ଆଗେ କେବଳ ଛାତ୍ରମାନେ ବିକ୍ଷୋଭ କରୁଥିଲେ । ଏବେ ବଡ଼ ବଡ଼ ସହରମାନଙ୍କରେ ହଜାର ହଜାର ଲକ୍ଷ ଲକ୍ଷ ଶ୍ରମିକ ଜାଗି ଉଠିଛନ୍ତି । ଅଧିକାଂଶ କ୍ଷେତ୍ରରେ ସେମାନେ ତାଙ୍କର ନିଯୁକ୍ତିକାରୀ କାରଖାନାରେ ମାଲିକଙ୍କ ବିରୁଦ୍ଧରେ, ପୁଞ୍ଜିପତିଙ୍କ ବିରୁଦ୍ଧରେ ଲଢ଼ିଥାନ୍ତି । ଶ୍ରମିକମାନେ ଧର୍ମଘଟ ଘୋଷଣା କରନ୍ତି । ଗୋଟିଏ କାରଖାନାର ସମସ୍ତ ଶ୍ରମିକ ଏକ ସାଙ୍ଗରେ କାମ ବନ୍ଦ କରିଦିଅନ୍ତି ଏବଂ ଅଧିକ ମଜୁରୀ ଦାବୀ କରନ୍ତି । ଦାବୀ କରନ୍ତି ଯେ ସେମାନଙ୍କୁ ୧୦। ୧୧ ଘଣ୍ଟା କାଳ ଖଟାଯିବ ନାହିଁ । ସେମାନେ ୮ ଘଣ୍ଟା ମାତ୍ର କାମ କରିବେ । ଶ୍ରମିକମାନଙ୍କ ଜୀବନଯାତ୍ରାକୁ ସହଜତର କରିବା ଭଳି ଅନ୍ୟାନ୍ୟ ବିଷୟ ମଧ୍ୟ ସେମାନେ ଦାବୀ କରନ୍ତି । ସେମାନେ ଚାହାନ୍ତି କାରଖାନା କାମର ପରିବେଶ ଉନ୍ନତତର କରାଯାଉ ଏବଂ ମେସିନ ଯନ୍ତ୍ରପାତିରେ ଏପରି ବିଶେଷ ବ୍ୟବସ୍ଥା ସବୁ ଖଞ୍ଜାଯାଉ, ଯେପରିକି ଶ୍ରମିକଙ୍କର ହାତଗୋଡ଼ କଟି ନ ଯିବ । ସେମାନେ ଚାହାନ୍ତି ତାଙ୍କର ପିଲା ସ୍କୁଲକୁ ଯାଆନ୍ତୁ ଆଉ ରୋଗଗ୍ରସ୍ଥ ଲୋକେ ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା ପାଆନ୍ତୁ । ଶ୍ରମିକମାନଙ୍କର ବାସ ଘର ଯେପରି କୁକୁର ଗୁହାଳ ପରି ହୋଇଛି, ତା'ପରିବର୍ତ୍ତେ ମଣିଷର ବାସଯୋଗ୍ୟ ଭଳି ହେଉ ।

 

ଶ୍ରମିକମାନଙ୍କ ସଂଗ୍ରାମରେ ପୁଲିସ ହସ୍ତକ୍ଷେପ କରେ । ପୁଲିସ ଶ୍ରମିକଙ୍କୁ ଧରେ, ଜେଲଖାନାରେ ନିକ୍ଷେପ କରେ, ବିନା ବିଚାରରେ ତାଙ୍କ ଗ୍ରାମକୁ ବା ଏପରିକି ସାଇବେରିଆ ଅଞ୍ଚଳକୁ ନିର୍ବାସିତ କରିଦିଏ । ସରକାର ଶ୍ରମିକଙ୍କ ଧର୍ମଘଟ ଓ ସଭାସମିତିକୁ ବେଆଇନ କରିଦେଇଛି । କିନ୍ତୁ ଶ୍ରମିକମାନେ ପୁଲସ ବିରୁଦ୍ଧରେ, ସରକାର ବିରୁଦ୍ଧରେ ତାଙ୍କର ଲଢ଼େଇ ଚଲାନ୍ତି । ଶ୍ରମିକମାନେ କହନ୍ତି : ଆମେ, ଲକ୍ଷ ଲକ୍ଷ ମେହନତକାରୀମାନେ ଏତେ ଖଟିଲୁଣି ଯେ ଆମର ଅଣ୍ଟା ଭାଙ୍ଗିଗଲାଣି । ଧନୀଙ୍କ ପାଇଁ କାମ କରି କରି ନିଜେ ବହୁକାଳରୁ ନିଃସ୍ୱ ସର୍ବସ୍ଵାନ୍ତ ହୋଇ ରହିଛୁ । ଆମକୁ ଲୁଣ୍ଠନ କରିବାଲାଗି ଆମେ ସେମାନଙ୍କୁ ବହୁତ ବେଶି ସମୟ ଦେଲୁଣି । ଆମେ ୟୁନିଅନରେ (ଏକ ଶ୍ରମିକ ପାର୍ଟିରେ) ସମସ୍ତ ଶ୍ରମିକଙ୍କୁ ଏକଯୁଟ କରିବାକୁ ଚାହୁଁ ଏବଂ ଏକ ଉନ୍ନତ ଜୀବନ ଲାଗି ମିଳିତ ଭାବେ ଉଦ୍ୟମ କରିବାକୁ ଇଚ୍ଛାକରୁ । ଆମେ ଚାହୁଁ, ହାସଲ କରିବୁ ଏକ ନୂତନ ଆଉ ଉନ୍ନତ ଧରଣର ସାମାଜିକ ବ୍ୟବସ୍ଥା :–ଏଇ ନୂତନ ଉନ୍ନତ ଧରଣର ସାମାଜିକ ବ୍ୟବସ୍ଥାରେ ଧନୀ ରହିବେ ନାହିଁ କି ଦରିଦ୍ର ରହିବେ ନାହିଁ । ସମସ୍ତଙ୍କୁ କାମ କରିବାକୁ ହେବ । ସର୍ବସାଧାରଣ ଶ୍ରମର ଫଳକୁ କେବଳ ମୁଷ୍ଟିମେୟ ଧନୀଲୋକେ ଭୋଗ କରିବେ ନାହିଁ, ସମସ୍ତ ଶ୍ରମଜୀବୀ ଲୋକେ ନିଶ୍ଚୟ ଉପଭୋଗ କରିବେ, ମେସିନ କଳକବ୍‍ଜା ଓ ଅନ୍ୟାନ୍ୟ ଯେପରି ବିକାଶ ହେବ, ତାହା, ସମସ୍ତଙ୍କ କାମ ଲାଘବ କରିବାରେ ନିୟୋଜିତ ହେବ, ଲକ୍ଷ ଲକ୍ଷ କୋଟି କୋଟି ଲୋକଙ୍କର ଝାଳରେ ତାହା ମୁଷ୍ଟିମେୟଙ୍କୁ ଅଧିକ ଧନୀ କରିବା ଦିଗରେ ଲାଗିବ ନାହିଁ । ଏଇ ନୂତନ ଉନ୍ନତ ସମାଜକୁ କହନ୍ତି ସମାଜବାଦୀ ସମାଜ । ଏଇ ସମାଜ ବିଷୟରେ ଶିକ୍ଷାକୁ କହନ୍ତି ସମାଜବାଦ । ଶ୍ରମିକ ଇଉନିଅନସବୁ ଯିଏ ଏଇ ଉନ୍ନତ ସମାଜ ପ୍ରତିଷ୍ଠା ଲାଗି ଲଢ଼ନ୍ତି ତାଙ୍କୁ ସୋସିଆଲ-ଡିମୋକ୍ରାଟିକ୍ ପାର୍ଟି କୁହାଯାଏ । ସେଇସବୁ ଦଳ ପ୍ରାୟ ସବୁ ଦେଶରେ (ରୁଷ ଓ ତୁର୍କୀକୁ ଛାଡ଼ିଦେଲେ) ପ୍ରକାଶ୍ୟରେ ରହିଛନ୍ତି ଏବଂ ଆମର ଶ୍ରମିକମାନେ, ଶିକ୍ଷିତ ଲୋକଙ୍କ ମଧ୍ୟରୁ ସୋସିଆଲିଷ୍ଟମାନଙ୍କ ସହ ମିଶି ସେଇପରି ଏକ ପାର୍ଟି ମଧ୍ୟ ଗଠନ କରିଛନ୍ତି-ତାହା ହେଲା ରସିଆନ୍ ସୋସିଆଲ-ଡିମୋକ୍ରାଟିକ୍ ଲେବରପାର୍ଟି ।

 

ସେ ପାର୍ଟିକୁ ସରକାର ଦମନ କରେ, ତଥାପି ସମସ୍ତ ନିଷେଧ ଆଜ୍ଞା ସତ୍ୱେ ତାହା ଗୋପନରେ କାମ କରିଯାଏ । ତାହା ସମ୍ବାଦପତ୍ର ଓ ପୁସ୍ତକମାନ ପ୍ରକାଶ କରେ ଏବଂ ଗୁପ୍ତ ଇଉନିଅନସବୁ ସଂଗଠିତ କରେ । ଶ୍ରମିକମାନେ କେବଳ ଗୋପନ ଆଲୋଚନା କରନ୍ତି ନାହିଁ, ବହୁ ସଂଖ୍ୟାରେ ଆପଣା ଝଣ୍ଡା ଧରି ସେମାନେ ରାସ୍ତାକୁ ବାହାରି ପଡ଼ନ୍ତି । ସେଥିରେ ଲେଖାଥାଏ "ଆଠଘଣ୍ଟା ଶ୍ରମ ଦିବସ ଜିନ୍ଦାବାଦ, ସ୍ୱାଧୀନତା ଜିନ୍ଦାବାଦ, ସମାଜବାଦ ଜିନ୍ଦାବାଦ ।" ଏଥିଲାଗି ସରକାର ଅତି ବର୍ବର ଭାବେ ଶ୍ରମିକ ଦଳନ କାର୍ଯ୍ୟ ଚଳାଏ । ଶ୍ରମିକଙ୍କୁ ଗୁଳି କରିବାଲାଗି ଏହା ସୈନ୍ୟ ସୁଦ୍ଧା ମୁତୟନ କରେ । ରୁଷର ସୈନ୍ୟମାନେ ରୁଷର ଶ୍ରମିକମାନଙ୍କୁ ୟାରୋସ୍ଲାଭଲା, ସେଣ୍ଟ ପିଟର୍ସବର୍ଗ, ରିଗା, ଡନକଳର ରୋସ୍ତୋଭ ଏବଂ ଜ୍ଲାଟୋଉଷ୍ଟସହରରେ ହତ୍ୟା କରିଛନ୍ତି।

 

କିନ୍ତୁ ଶ୍ରମିକମାନେ ଆତ୍ମସମର୍ପଣ କରିନାହାନ୍ତି । ଏମାନେ କ୍ରମାଗତ ଲଢ଼େଇ କରିଛନ୍ତି-। ସେମାନେ କହନ୍ତି, ଦମନ ବା ବନ୍ଦୀଶାଳା, ନିର୍ବାସନ ଅଥବା ସଶ୍ରମ କାରାଦଣ୍ଡ, ଏପରିକି ମୃତ୍ୟୁ ସୁଦ୍ଧା ଆମକୁ ଭୟଭୀତ କରିପାରିବ ନାହିଁ । ଆମର ଉଦ୍ଦେଶ୍ୟ ମହତ୍ । ଯେଉଁମାନେ କାମ କରନ୍ତି, ସେ ସମସ୍ତଙ୍କର ସୁଖ ଓ ସ୍ୱାଧୀନତା ପାଇଁ ଆମେ ଲଢ଼ୁଛୁ । ଆମେ ଲକ୍ଷ ଲକ୍ଷ କୋଟି କୋଟି ଲୋକଙ୍କୁ ହିଂସା, ଅତ୍ୟାଚାର ଓ ଦାରିଦ୍ର୍ୟରୁ ମୁକ୍ତ କରିବା ଲାଗି ଲଢ଼ୁଛୁ । ଶ୍ରମିକମାନେ ଅଧିକ ଅଧିକ ଶ୍ରେଣୀ ସଚେତନ ହେଉଛନ୍ତି । ସବୁ ଦେଶରେ ସୋସାଲ-ଡିମୋକ୍ରାଟଙ୍କ ସଂଖ୍ୟା ଚଞ୍ଚଳ ବଢ଼ିବାରେ ଲାଗିଛି । ସମସ୍ତ ଦମନ ସତ୍ୱେ ଆମର ଜୟ ସୁନିଶ୍ଚିତ ।

 

ଗାଁ' ମଫସଲର ଦରିଦ୍ର ଲୋକଙ୍କର ଭଲ କରି ବୁଝିବା ଉଚିତ, ଏଇ ସୋସାଲ-ଡିମୋକ୍ରାଟମାନେ କିଏ, ସେମାନେ କଣ ଚାହାନ୍ତି, ଆଉ ଲୋକମାନଙ୍କର ସୁଖ ସ୍ୱଚ୍ଛନ୍ଦ ଲାଭ ଲାଗି ଗାଁ'ଗଣ୍ଡାରେ ସୋସାଆଲ-ଡିମୋକ୍ରାଟଙ୍କୁ ସାହାଯ୍ୟ ଦେବା ଦିଗରେ କ'ଣ କରିବା ଉଚିତ ।

Image

 

ସୋସାଲ-ଡିମୋକ୍ରାଟମାନେ କ'ଣ ଚାହାନ୍ତି ?

 

ରାଜନୈତିକ ସ୍ୱାଧୀନତା ହାସଲ କରିବାଲାଗି ରୁଷର ସୋସାଲ-ଡେମୋକ୍ରାଟମାନେ ସର୍ବପ୍ରଥମେ ଓ ସବୁଠାରୁ ଆଗୁଆ ହୋଇ ଲାଗିପଡ଼ିଛନ୍ତି । ଏକ ନୂତନ ଓ ଉନ୍ନତ ସାମାଜିକ ବ୍ୟବସ୍ଥା ପାଇଁ ଚାଲିଥିବା ସଂଗ୍ରାମରେ ରୁଷର ସମସ୍ତ ଶ୍ରମିକଙ୍କୁ ପ୍ରକାଶ୍ୟରେ ଓ ବ୍ୟାପକଭାବେ ଏକଯୁଟ କରିବାଲାଗି ସେମାନେ ରାଜନୈତିକ ସ୍ୱାଧୀନତା ଚାହାନ୍ତି ।

 

ରାଜନୈତିକ ସ୍ୱାଧୀନତା କ'ଣ ?

 

ଏହା ବୁଝିବାପାଇଁ କୃଷକମାନେ ତାଙ୍କର ସ୍ୱାଧୀନତାର ବର୍ତ୍ତମାନ ଅବସ୍ଥାକୁ ଭୂଦାସ ଅବସ୍ଥାରେ ଜମିଦାରଙ୍କ ବିନା ଅନୁମତିରେ କୃଷକମାନେ ବିବାହ କରିପାରୁ ନ ଥିଲେ । ଆଜି କୃଷକମାନେ ସ୍ଵାଧୀନଭାବେ ବିଭା, ହୋଇପାରନ୍ତି, କା'ର ଅନୁମତି ଲୋଡ଼ା ନାହିଁ । ଭୂଦାସ ଅବସ୍ଥାରେ ଜମିଦାରର ଗୁମାସ୍ତା ଦିନ ଧାର୍ଯ୍ୟ କରିଦେଉଥିଲା, କେଉଁ ଦିନ ଜମିଦାର ଲାଗି କାମ କରିବାକୁ ହେବ । ଆଜି କେଉଁ ମାଲିକ ପାଖରେ କେଉଁ ଦିନ ଏବଂ କି ମୂଲ୍ୟରେ କାମ କରିବା ତାହା ନିଷ୍ପତ୍ତି କରିବାରେ ସେ ସ୍ୱାଧୀନ । ଭୂଦାସ ଅବସ୍ଥାରେ ଜମିଦାରର ବିନା ଅନୁମତିରେ କୃଷକ ତା'ର ଗାଁ' ଛାଡ଼ିଯାଇପାରୁ ନ ଥିଲା । ଆଜି କୃଷକ ନିଜେ ଯୁଆଡ଼େ ଚାହିଁବ ତେଣେ ଯାଇପାରେ–ଯଦି ମିର୍‍ (ଗ୍ରାମ ଗୋଷ୍ଟୀ) ତାକୁ ଯିବାପାଇଁ ଅନୁମତି ଦିଏ, ଯଦି ତା'ର ଟିକସ ପାଉଣା ବାକି ନ ଥାଏ, ଯଦି ସେ ପାସ୍‍ପୋର୍ଟ ବା ଅନୁମତିପତ୍ର ପାଇବାରେ, ଯଦି କର୍ତ୍ତୃପକ୍ଷ ବା ପୁଲିସ ତାର ବାସ ପରିବର୍ତ୍ତନକୁ ମନା ନ କରନ୍ତି । ତେଣୁ କୃଷକ ନିଜ ଇଛା ଅନୁସାରେ ଯୁଆଡ଼େ ଚାହିଁବ ତେଣେ ଯିବା ଦିଗରେ ଆଜି ମଧ୍ୟ ସ୍ୱାଧୀନ ନୁହେଁ । ଆପଣାର ଗମନାଗମନର ପୂର୍ଣ୍ଣ ସ୍ୱାଧୀନତା ତା'ର ନାହିଁ; ଏବେ ବି କୃଷକ ଏକ ଅର୍ଦ୍ଧ ଭୂଦାସ । ରୁଷର କୃଷକ କାହିଁକି ଏବେ ଅର୍ଦ୍ଧ ଭୂଦାସ ହୋଇ ରହିଛି ଓ ତା'ର ଅବସ୍ଥାର ପରିବର୍ତ୍ତନ ଲାଗି ସେ କ'ଣ କରିବା ଉଚିତ, ତାହା ଆମେ ପରେ ବିଷଦଭାବେ ବୁଝାଇବା ।

 

ଭୂଦାସ ଅବସ୍ଥାରେ ଜମିଦାରର ବିନା ଅନୁମତିରେ କୃଷକର ସମ୍ପତ୍ତି କରିବାର ଅଧିକାର ନ ଥିଲା, ସେ ଜମିବାଡ଼ି କିଣିପାରୁ ନ ଥିଲା । ଆଜି କୃଷକ ଯେକୌଣସି ପ୍ରକାର ସମ୍ପତ୍ତି ଅର୍ଜନ କରିବା ଦିଗରେ ସ୍ୱାଧୀନ । (କି ଆଜି ସୁଦ୍ଧା ସେ ତା'ର ମିର୍‍ ଗ୍ରାମ୍ୟ ଗୋଷ୍ଟୀ) ଛାଡ଼ି ଚାଲିଯିବାରେ ସମ୍ପୂର୍ଣ୍ଣ ସ୍ୱାଧୀନ ନୁହେଁ, ସେ ତା'ର ଖୁସି ଅନୁସାରେ ତା'ର ଜମିବାଡ଼ି ହସ୍ତାନ୍ତର କରିବାର ପୂର୍ଣ୍ଣ ସ୍ୱାଧୀନତା ତା'ର ନାହିଁ) ଭୂଦାସ ଅବସ୍ଥାରେ ଜମିଦାରର ହୁକୁମରେ କୃଷକକୁ ବେତମାଡ଼ ହୋଇ ନ ପାରେ, ଯଦି ଓ ଶାରୀରିକ ଦଣ୍ଡ ଭୋଗିବାକୁ ସେ ଆଇନତଃ ବାଧ୍ୟ ।

 

ଏଇ ସ୍ୱାଧୀନତାକୁ କହନ୍ତି ସିଭିଲ ବା ନାଗରିକ ସ୍ୱାଧୀନତା- ପରିବାର ବ୍ୟାପାରରେ, ବ୍ୟକ୍ତିଗତ ବ୍ୟାପରରେ ଏବଂ ସମ୍ପତ୍ତିବାଡ଼ି ସମ୍ପର୍କୀୟ ବ୍ୟାପାରରେ ସ୍ୱାଧୀନତା । କୃଷକ ଓ ଶ୍ରମିକ ସେମାନଙ୍କ ପରିବାର ଓ ବ୍ୟକ୍ତିଗତ ଜୀବନକୁ ସଂଗଠିତ କରିବାରେ ସ୍ୱାଧୀନ, (ଯଦିଓ ସଂପୂର୍ଣ୍ଣ ନୁହନ୍ତି) ସେମାନଙ୍କର ଶ୍ରମ ଓ ସମ୍ପତ୍ତିକୁ ହସ୍ତାନ୍ତର କରିବାପାଇଁ ସ୍ୱାଧୀନ ।

 

କିନ୍ତୁ ରୁଷର ଶ୍ରମିକ କିମ୍ବା ଜନସାଧାରଣ କେହିହେଲେ ସମଗ୍ରଭାବେ ଏବେ ମଧ୍ୟ ସର୍ବସାଧାରଣ ବିଷୟଗୁଡ଼ିକ ସଂଗଠିତ କରିବା ଦିଗରେ ସ୍ୱାଧୀନ ନୁହନ୍ତି । କୃଷକମାନେ ଯେପରି ଜମିଦାରର ଭୂଦାସ ଥିଲେ, ସମଗ୍ରଭାବେ ଲୋକେ ହେଉଛନ୍ତି ସେମିତି ସରକାରୀ ଅଫିସରଙ୍କର ଭୂଦାସ । ରୁଷର ଲୋକଙ୍କର ତାଙ୍କର ଅଫିସରମାନଙ୍କୁ ବାଛିବାର ଅଧିକାର ନାହିଁ, କି ସମଗ୍ର ଦେଶ ଲାଗି ଆଇନ ପ୍ରଣୟନ ପାଇଁ ତାଙ୍କର ପ୍ରତିନିଧି ନିର୍ବାଚନ କରିବାର ଅଧିକାର ନାହିଁ । ରାଷ୍ଟ୍ର ବ୍ୟାପାର ନେଇ ଆଲୋଚନା କରିବାପାଇଁ, ଏପରିକି ସଭାସମିତି ସଂଗଠନ କରିବାର ଅଧିକାର ସୁଦ୍ଧା ରୁଷ ଲୋକଙ୍କର ନାହିଁ । କୃଷକର ମତ ନ ନେଇ ଜମିଦାରମାନେ ଯେପରି ତାଙ୍କ ଗୁମାସ୍ତା ଅଫିସରଙ୍କୁ ନିଯୁକ୍ତି କରୁଥିଲେ, ଠିକ୍‍ ସେଇପରି ଅଫିସରଙ୍କ କର୍ତ୍ତୃତ୍ୱ ଆମ ଉପରେ ଲଦି ଦିଆଯାଇଛି । ସେହି ଅଫିସରଙ୍କ ବିନା ଅନୁମତିରେ ଆମେ ବହି ଓ ଖବରକାଗଜ ସୁଦ୍ଧା ଛାପିପାରିବୁ ନାହିଁ, ସମଗ୍ରଭାବେ ରାଷ୍ଟ୍ର ସଂକ୍ରାନ୍ତ ବ୍ୟାପାରରେ ଜନସାଧାରଣଙ୍କ ପକ୍ଷରୁ କଥା କହିପାରିବୁ ନାହିଁ ।

 

କୃଷକମାନେ ଠିକ୍‍ ଯେପରି ଜମିଦାରର ଭୂଦାସ ହୋଇଥିଲେ, ଏବେ ରୁଷଲୋକେ ଠିକ୍‍ ସେଇପରି ଅଫିସରମାନଙ୍କର ଭୂଦାସ ହୋଇ ରହିଛନ୍ତି । ଭୂଦାସ ଅବସ୍ଥାରେ କୃଷକଙ୍କର ସିଭିଲ ବା ନାଗରିକ ସ୍ୱାଧୀନତା ନ ଥିଲା ପରି ରୁଷଲୋକଙ୍କର ଏବେ ରାଜନୈତିକ ସ୍ୱାଧୀନତା ନାହିଁ । ରାଜନୈତିକ ସ୍ୱାଧୀନତାର ଅର୍ଥ ହେଲା ପବ୍ଲିକ ବା ସାଧାରଣ ବ୍ୟାପାରକୁ, ରାଷ୍ଟ୍ରୀୟ ବ୍ୟାପାରକୁ ସଂଗଠିତ କରିବାଲାଗି ଜନସାଧାରଣଙ୍କର ସ୍ୱାଧୀନତା । ରାଜନୈତିକ ସ୍ୱାଧୀନତାର ଅର୍ଥ, ରାଷ୍ଟ୍ରୀୟ ଡ଼ୁମା (ପାର୍ଲିଆମେଣ୍ଟ) କୁ ଲୋକ ପ୍ରତିନିଧି ନିର୍ବାଚନ କରିବା ନିମନ୍ତେ ସେମାନଙ୍କର ଅଧିକାର । ଲୋକଙ୍କ ଦ୍ୱାରା ନିର୍ବାଚିତ ଏକ ରାଷ୍ଟ୍ରୀୟ ଡ଼ୁମା (ପାର୍ଲିଆମେଣ୍ଟ) ଦ୍ଵାରାହିଁ କେବଳ ସମସ୍ତ ଆଇନ ଆଲୋଚିତ ଓ ଗୃହୀତ ହେବ, ସମସ୍ତ କର ଟିକସ ବସିପାରିବ । ରାଜନୈତିକ ସ୍ୱାଧୀନତାର ଅର୍ଥ ହେଲା, ଲୋକେ ବିନା ଅନୁମତିରେ ତାଙ୍କ ଖୁସି ଅନୁସାରେ ଯେକୌଣସି ବହି ଓ ସମ୍ବାଦପତ୍ର ପ୍ରକାଶ କରିପାରିବେ, ରାଷ୍ଟ୍ରର ସମସ୍ତ ବ୍ୟାପାର ନେଇ ଆଲୋଚନା ଲାଗି ସବୁପ୍ରକାର ସଭାସମିତି ସଂଗଠିତ କରିପାରିବେ, ଏବଂ ଲୋକେ ତାଙ୍କର ସମସ୍ତ ଅଫିସରଙ୍କୁ ନିଜେ ନିଜେ ବାଛିବାର ଅଧିକାର ପାଇବେ ।

 

ଇଉରୋପର ଅନ୍ୟ ସବୁ ଲୋକେ, ବହୁଦିନ ହେଲା ନିଜେ ନିଜେ ଏଇ ରାଜନୈତିକ ସ୍ୱାଧୀନତା ଲାଭ କରନ୍ତି । କେବଳ ତୁର୍କୀ ଦେଶ ଓ ରୁଷରେ ଲୋକମାନେ ସୁଲତାନ ସରକାର ଓ ଜାରର ସ୍ୱେଚ୍ଛାଚାରୀ ସରକାରର ଏବେ ବି ରାଜନୈତିକ ଦାସ ହୋଇ ପଡ଼ିଛନ୍ତି । ଜାରର ସ୍ୱୈରତନ୍ତ୍ର ଶାସନର ଅର୍ଥ ହେଲା, ଜାରର ଅସୀମ ଅଖଣ୍ଡ କ୍ଷମତା, ରାଷ୍ଟ୍ରର ବିକାଶରେ କିମ୍ବା ରାଷ୍ଟ୍ରର ଶାସନରେ ଲୋକଙ୍କର କୌଣସି ଭୂମିକା ନାହିଁ । କେବଳ ଜାର ତା'ର ବ୍ୟକ୍ତିଗତ ଅସୀମ, ଅଖଣ୍ଡ, ନିରକୁଂଶ କର୍ତ୍ତୃତ୍ୱ ବଳରେ ସମସ୍ତ ଆଇନକାନୁନ ତିଆରି କରେ ଏବଂ ସବୁ ଅଫିସରଙ୍କୁ ନିଯୁକ୍ତି କରେ । ଅବଶ୍ୟ, ଜାର ରୁଷର ସମସ୍ତ ଆଇନକାନୁନ, ସବୁ ଅଫିସରଙ୍କୁ ଜାଣିପାରେ ନାହିଁ । ଦେଶରେ ଯେତେ ଯାହା ଘଟୁଛି ତା' ସବୁ ଜାର ଜାଣିପାରେ ନାହିଁ । ସବୁଠାରୁ ଧନୀ ଓ ସବୁଠାରୁ ଉଚ୍ଚ କୂଳରେ ଗତ ମୁଷ୍ଟିମେୟ ଅଫିସରଙ୍କ ଇଚ୍ଛାକୁ ଜାର କେବଳ ଅନୁମୋଦନ କରେ । ସେ ଯେତେ ଚାହୁଁ ପଛେ, ରୁଷ ଭଳି ଏକ ବିରାଟ ଦେଶକୁ ଜଣେ ଶାସନ କରି ନ ପାରେ । ଜଣେ, ସ୍ୱେଚ୍ଛାଚାରୀ ଶାସକ, ଜଣେ ବ୍ୟକ୍ତିର ଶାସନ କଥା କେବଳ କହିପାରେ-ସିଏ କର ନୁହେ, ଯିଏ କି ରୁଷକୁ ଶାସନ କରେ, ରୁଷକୁ ଶାସନ କରନ୍ତି ମୁଷ୍ଟିମେୟ ଅତି ଧନୀ, ଅତି ଉଚ୍ଚ କୁଳ ଜାତ ଅଫିସରୁ ଦଳ । ଏଇ ମୁଷ୍ଟିମେୟ ଲୋକେ ତାଙ୍କ ଖୁସି ଅନୁସାରେ ଜାରଙ୍କୁ ଯାହା କହନ୍ତି, ଜାର କେବଳ ସେତିକି ଜାଣେ । ଏଇ ମୁଷ୍ଟିମେୟ ଉଚ୍ଚ ଶ୍ରେଣୀର ସଂଭ୍ରାନ୍ତମାନଙ୍କ ମତ ବିରୁଦ୍ଧରେ ଯିବାକୁ ଜାର ସଂପୂର୍ଣ୍ଣ ଶକ୍ତିହୀନ । ଜାର ନିଜେ ଜଣେ ଜମିଦାର ସଂଭ୍ରାନ୍ତ ବଂଶ ଜଣେ । ତା'ର ପିଲାଦିନୁ ସେ କେବଳ ସେହି ଉଚ୍ଚ କୁଳଜାତ ସଂଭ୍ରାନ୍ତ ଲୋକଙ୍କ ଭିତରେ ବଢ଼ି ଆସିଛି । ସେଇମାନେ ତାଙ୍କୁ ସନରୁ ବଡ଼ କରିଛନ୍ତି, ଶିକ୍ଷା ଦେଇଛନ୍ତି । ସେଇ ସଂଭ୍ରାନ୍ତ ଭଦ୍ରବ୍ୟକ୍ତିଗଣ, ସେଇ ଧନୀ ଜମିଦାର ବୃଦ୍ଧ ଏବଂ ଜାରଙ୍କ ଦରବାରକୁ ଅସୁଥୁବା ଅତି ବଡ଼ ବଡ଼ ଧନୀ ବଣିକ-ମାନେ ମୋଟ ଉପରେ ରୁଷର ଲୋକମାନଙ୍କ ବିଷୟରେ ଯାହା ଜାଣନ୍ତି ସେ କେବଳ ସେତିକି ଜାଣେ ।

 

ତମେ ଦେଖିବ, ପ୍ରତ୍ୟେକ ଭୋଲୋଷ୍ଟ ପ୍ରଶାସନ ଅଫିସରେ ସେଇ ଏକା ଗୋଟିଏ ଛବି କାନ୍ଥରେ ଝୁଲୁଛି । ସେ ଚିତ୍ରରେ ଜାର (ବର୍ତ୍ତମାନ ଜାରର ପିତା, ଆଲୋକଜାଣ୍ଡର ୩ୟ) ତାଙ୍କ ରାଜ୍ୟାଭିଷେକ ବେଳେ ଆସିଥିବା ଭୋଲୋଷ୍ଟର ମୁଖ୍ୟମାନଙ୍କୁ କହୁଛନ୍ତି;

 

"ତମର କୁଳୀନ ସେନାଧୀପମାନଙ୍କୁ ମାନି ଚଳ" । ଆଉ ବର୍ତ୍ତମାନର ଜାର ନିକୋଲାସ ଦ୍ଵିତୀୟ, ସେଇ କଥାର ପୁନରାବୃତ୍ତି କରନ୍ତି । ଅତଏବ ଜାରଗଣ ନିଜେ ନିଜେ ସ୍ୱୀକାର କରନ୍ତି ଯେ ସେମାନେ କେବଳ କୁଳୀନମାନଙ୍କ ସାହାଯ୍ୟରେ, ସଂଭ୍ରାନ୍ତ-ସାଆନ୍ତମାନଙ୍କ ଜରିଆରେ ଦେଶ ଶାସନ କରିପାରନ୍ତି । କୁଳୀନମାନଙ୍କୁ ମାନି ଚଳିବାଲାଗି କୃଷକମାନଙ୍କୁ ଜାରଙ୍କର ଏଇ ଉପଦେଶ ଆମକୁ ଭଲ କରି ମନେ ରଖିବାକୁ ହେବ । ଜାର ସରକାର "ସର୍ବୋତକୃଷ୍ଣ ପ୍ରକାର ସରକାର", ଏକଥା ଯେଉଁମାନେ କହିବାକୁ ଚେଷ୍ଟା କରନ୍ତି, ସେମାନେ କିମିତି ମିଥ୍ୟା କହିଥାନ୍ତି, ଆମେ ତା' ଭଲ କରି ବୁଝିବା ଉଚିତ । ସେ ଲୋକେ କହନ୍ତି, ଅନ୍ୟ ଦେଶମାନଙ୍କରେ ସରକାର ନିର୍ବାଚିତ କିନ୍ତୁ ଧନୀଲୋକେ, ଯିଏ କି ନିର୍ବାଚିତ ହୁଅନ୍ତି, ସେମାନେ ଅନ୍ୟାୟଭାବେ ଦେଶ ଶାସନ କରନ୍ତି, ଆଉ ଦାରିଦ୍ର୍ୟ ପ୍ରତି ଅତ୍ୟାଚାର କରନ୍ତି । ରୁଷରେ ସରକାର ନିର୍ବାଚିତ ନୁହେ, ଏକ ସ୍ୱେଚ୍ଛାଚାରୀ ଜାର ସମସ୍ତ ଦେଶକୁ ଶାସନ କରେ । ଧନୀ ଦରିଦ୍ର ସମସ୍ତଙ୍କ ଉପରେ ଜାର । ସେମାନେ କହନ୍ତି, ଜାର ଦରିଦ୍ର ଓ ଧନୀ ପ୍ରତ୍ୟେକଙ୍କ ପ୍ରତି ସମାନ ନ୍ୟାୟବନ୍ତ ।

 

ଏଭଳି କଥା ବିଶୁଦ୍ଧ ଶଠତା । ଆମ ସରକାର କିପରି ନ୍ୟାୟବିଚାରକରେ ତାହା ରୁଷର କିଏ ଲୋକ ନ ଜାଣେ ? ଆମ ଦେଶରେ ଜଣେ ସାଧାରଣ ମେହନତକାରୀ ଲୋକ ବା କ୍ଷେତମୂଲିଆ ଷ୍ଟେଟ କାଉନସିଲର ସଭ୍ୟ ହୋଇପାରିବ କି ନାହିଁ, ତା' ପ୍ରତ୍ୟେକ ଜାଣନ୍ତି । କିନ୍ତୁ ଇଉରୋପର ଅନ୍ୟ ସବୁ ଦେଶରେ କଳକାରଖାନା ଶ୍ରମିକ ଓ କୃଷିମୂଲିଆ ରାଷ୍ଟ୍ର ଡ୍ରାମା (ପାର୍ଲିଆମେଣ୍ଟ) କୁ ନିର୍ବାଚିତ ହେଉଛନ୍ତି । ସେମାନେ ଶ୍ରମିକମାନଙ୍କର ଶୋଚନୀୟ ଅବସ୍ଥା ବିଷୟସବୁ ଲୋକଙ୍କୁ ଅବାଧରେ କହିପାରନ୍ତି, ଏବଂ ଭଲ ଅବସ୍ଥା ଆଣିବା ଦିଗରେ ଶ୍ରମିକଙ୍କୁ ଏକଜୁଟ ହେବା ଓ ଲଢ଼େଇ କରିବାପାଇଁ ଆହ୍ୱାନ ଦିଅନ୍ତି । ଲୋକ ପ୍ରତିନିଧି ମାନଙ୍କର ଭାଷଣକୁ ବନ୍ଦ କରିବାକୁ କେହି ସାହସ କରେ ନାହିଁ, କୌଣସି ପୁଲିସ ଅଫିସର ତାଙ୍କ ଦେହରେ ଆଙ୍ଗୁଳି ସ୍ପର୍ଶ କରେ ନାହିଁ ।

 

କିନ୍ତୁ ରୁଷରେ ନିର୍ବାଚିତ ସରକାର ନାହିଁ । ସେ କେବଳ ଧନୀ ଓ ଉଚ୍ଚ କୁଳର ସଂଭ୍ରାନ୍ତଙ୍କ ଦ୍ଵାରାହିଁ ଶାସିତ ହୁଅ ନାହିଁ, ତାଙ୍କଠାରୁ ଆହୁରି ନିକୃଷ୍ଟ ଲୋକଙ୍କ ଦ୍ୱାରା ଶାସିତ ହୁଏ । ରୁଷ ଶାସିତ ହେଉଛି ଜାରଙ୍କ ଦରବାରରେ ଥିବା ଅତି କୂଟ ଚକ୍ରାନ୍ତକାରୀ ଶକୁନିଙ୍କ ଦ୍ୱାରା, ଅତି କୁଚକ୍ରୀ, କଣାକୁହା, ଯେଉଁମାନେକି ଜାର ଆଗରେ ମିଥ୍ୟା କୁତ୍ସା ରଟନା କରନ୍ତି ତାଙ୍କରିଦ୍ୱାରା, ତାର ସେଇ ତୋଷାମଦକାରୀ ଖୁସାମତିଆ ଘୃଣ୍ୟ ଲୋକମାନଙ୍କ ଦ୍ୱାରା । ସେମାନେ ଶାସନ କରନ୍ତି ଗୋପନରେ । ଲୋକେ ଜାଣନ୍ତି ନାହିଁ-ଏବଂ ଜାଣି ବି ପାରିବେ ନାହିଁ କି କି ନୂଆ ଆଇନ ତିଆର ହେଉଛି, କିପ୍ରକାର ଯୁଦ୍ଧର ଷଡ଼ଯନ୍ତ୍ର ଚାଲିଛ, କି କି ନୂଆ ନୂଆ ଟିକସ ବସୁଛି, କେଉଁ କାମ ଲାଗି କେଉଁ କେଉଁ ଅଫିସର ପୁରସ୍କୃତ ହେଉଛନ୍ତି ଓ କିଏ ବା ଡିସ୍‍ମିସ ହେଉଛି । ରୁଷ ଭଳି କୌଣସି ଦେଶରେ ଏପରି ଅଫିସରଙ୍କ ଭିଡ଼ ନାହିଁ । ଏକ ଅନ୍ଧାର ଅରଣ୍ୟ ଭଳି ମୂକ ଜନସାଧାରଣଙ୍କ ଉପରେ ଏଇ ଅଫିସରମାନେ ଠିଆ ହୋଇଛନ୍ତି-ଜଣେ ସାଧାରଣ ମେହନତକାରୀ ଲୋକ ଏଇ ଅରଣ୍ୟ ଭିତରେ କେବେହେଲେ ତା'ର ବାଟ ପାଇବ ନାହଁ, କେବେହେଲେ ନ୍ୟାୟ ପାଇବ ନାହିଁ । ଅଫିସରମାନଙ୍କ ଲାଞ୍ଚ, ଦୁର୍ନୀତି, ଲୁଣ୍ଠନ କିମ୍ବା ହିଂସାତ୍ମକ କାନ୍ଦ ବିରୁଦ୍ଧରେ କୌଣସି ଗୋଟିଏ ହେଲେ ଆପତ୍ତି କେବେହେଲେ ପଦାକୁ ଆସିନାହିଁ । ପ୍ରତ୍ୟେକଟି ଆପତ୍ତି ଅଫିସରଙ୍କ ଲାଲ-ଫିତା ଭିତରେ ଚାପି ହୋଇ ମରିହଜି ଯାଇଛି । ଏକାକୀ ଜଣେ ବ୍ୟକ୍ତିର କଣ୍ଠସ୍ୱର କେବେହେଲେ ଲୋକଙ୍କ ପାଖରେ ପହଂଚି ପାରିନାହିଁ, ତା' ସେଇ ଘନ ଅନ୍ଧକାର ଅରଣ୍ୟ ଭିତରେ ହଜି ଯାଇଛି, ପୁଲିସର ନିଷ୍ଠୁର ଅତ୍ୟାଚାର ଗୃହରେ ତା'ର କଣ୍ଠରୁଦ୍ଧ ହୋଇଛି । ଏଇ ଅଫିସର ବାହିନୀ, ଯେଉଁମାନେ କି ଲୋକଙ୍କ ଦ୍ୱାରା କେବେ ନିର୍ବାଚିତ ନୁହନ୍ତି, ଯେଉଁମାନେ ଲୋକଙ୍କ ପାଖରେ ଦାୟୀ ନୁହଁନ୍ତି, ସେମାନେ ଗୋଟା ବେଶ୍ ଶକ୍ତ ବୁଢ଼ିଆଣି ଜାଲ ବୁଣିଛନ୍ତି । ଆବାଳ-ବୃଦ୍ଧ-ବନିତା ସମସ୍ତେ ତା'ଭିତରେ ମାଛିଭଳି ଛଟପଟ ହୁଅନ୍ତି ।

 

ଜାର ସ୍ୱେଚ୍ଛାଚାରୀ ଶାସନ ଅଫିସରଙ୍କ ସ୍ୱେଚ୍ଛାଚାର । ଜାରର ସ୍ୱେଚ୍ଛାଚାରର ଅର୍ଥ ଅଫିସରଙ୍କ ଉପରେ, ବିଶେଷକରି ପୁଲିସ ଉପରେ ଲୋକଙ୍କର ସାମନ୍ତବାଦୀ ନିର୍ଭରଶୀଳତା । ଜାର ସ୍ଵେଚ୍ଛାଚାର, ସୌରତନ୍ତ୍ର ହେଉଛି ପୁଲିସର ସ୍ଵେଚ୍ଛାଚାର ବା ସୌରତନ୍ତ୍ର ।

 

ସେଇ ହେତୁ ଶ୍ରମିକମାନେ ଝଣ୍ଡା ଧରି ରାସ୍ତାକୁ ବାହାରି ପଡ଼ନ୍ତି । ସେ ପତାକାରେ ଲେଖାଥାଏ, "ସ୍ୱୈରତନ୍ତ୍ର ଶାସନ ଲୋପ ହେଉ, "ରାଜନୈତିକ ସ୍ୱାଧୀନତା ଜିନ୍ଦାବାଦ ।" ଠିକ ସେଇ କାରଣରୁ ଗ୍ରାମର କୋଟି କୋଟି ଦରିଦ୍ର ଲୋକେ ସହରର ଶ୍ରମୀକଙ୍କର ସେହି ରଣଧ୍ଵନିକୁ ସମର୍ଥନ ଦେବା ଓ ତାକୁ ଗ୍ରହଣ କରିବା ଉଚିତ । ଶ୍ରମିକମାନଙ୍କ ପରି କ୍ଷେତମୂଲିଆ ଓ ଗରିବ କୃଷକମାନେ ଦମନ ଦ୍ୱାରା ଶଙ୍କିତ ନ ହୋଇ, ଶତ୍ରୁର ଧମକ ଓ ହିଂସାତ୍ମକ କାଣ୍ଡ ବିରୁଦ୍ଧର ନିର୍ଭିକ ଭାବେ ସାହସର ସହିତ ଏବଂ ପ୍ରଥମ ବିପର୍ଯ୍ୟୟ ସମ୍ମୁଖରେ ଅଟଳ ଅବିଚଳିତ ରହି ସମଗ୍ର ରୁଷର ସ୍ୱାଧୀନତା ଲାଗି ଏକ ଚୂଡ଼ାନ୍ତ ସଂଗ୍ରାମରେ ଅଗ୍ରସର ହେବା ଉଚିତ । ସେମାନଙ୍କର ପ୍ରଥମ ଦାବୀ ହେବ :ଲୋକ ପ୍ରତିନିଧିମାନଙ୍କର ସମ୍ମିଳନୀ ଆହ୍ୱାନ କର । ସାରା ରୁଷର ଲୋକେ ଚାରିଆଡ଼େ ନିଜେ ନିଜେ ତାଙ୍କର ପ୍ରତିନିଧି ବାଛନ୍ତୁ । ସେହି ପ୍ରତିନିଧିଗଣ ଏକ ସର୍ବୋଚ୍ଚ ବିଧାନସଭା ଗଠନ କରନ୍ତୁ, ଯାହାକି ରୁଷରେ ନିର୍ବାଚିତ ସରକାର ପ୍ରତିଷ୍ଠା କରିବ, ଅଫିସର ଓ ପୁଲିସ ଉପରୁ ଲୋକଙ୍କର ସାମନ୍ତବାଦୀ ନିର୍ଭରତାକୁ ଧ୍ୱଂସ କରିବ, ଆଉ ଲୋକଙ୍କ ଲାଗି ଅବାଧରେ ସଭାସମିତି କରିବାର, ଅବାଧରେ କଥା କହିବାର ଏବଂ ସ୍ଵାଧୀନଭାବେ ସମ୍ବାଦପତ୍ର ପ୍ରକାଶନ କରିବାର ସୁନିଶ୍ଚିତତା ଦେବ ।

 

ସୋସାଲ-ଡିମୋକ୍ରାଟମାନେ ସର୍ବପ୍ରଥମେ ସର୍ବାଗ୍ରେ ଏଇ କଥାହିଁ ଚାହାନ୍ତି । ତାହାହିଁ ହେଉଛି ତାଙ୍କର ପ୍ରଥମ ଦାବୀର ଅର୍ଥ, ରାଜନୈତିକ ସ୍ୱାଧୀନତା ଦାବୀର ଅର୍ଥ ।

 

ଆମେ ଜାଣୁ ଯେ ରାନୈତିକ ସ୍ୱାଧୀନତା, ଷ୍ଟେଟ ଡୁମା ବା ପାର୍ଲିଆମେଣ୍ଟକୁ ସ୍ୱାଧୀନ ନିର୍ବାଚନ, ସଭାସମିତିର ସ୍ୱାଧୀନତା, ସମ୍ବାଦପତ୍ରର ସ୍ୱାଧୀନତା, ମେହନତକାରୀ ଲୋକମାନଙ୍କୁ ସଙ୍ଗେ ସଙ୍ଗେ ହଠାତ୍ ଦାରିଦ୍ର୍ୟ ଓ ଦମନରୁ ମୁକ୍ତ କରିବ ନାହିଁ । ସହର ଓ ମଫସଲର ଗରିବ ଲୋକଙ୍କୁ ଧନୀମାନଙ୍କ ପାଇଁ କାମ କରିବାର ବୋଝରୁ ସଙ୍ଗେ ସଙ୍ଗେ ମୁକ୍ତି କରିବାର କୌଣସି ଉପାୟ ନାହିଁ । ମେହନତକାରୀ ଲୋକେ ତାଙ୍କ ନିଜ ଛଡ଼ା ଆଉ କାହା ଉପରେ ତାଙ୍କ ଆଶା ଭରସା ସ୍ଥାପନ କରିବେ, ଏମିତି କେହି ନାହିଁ । ଯଦି ସେମାନେ ନିଜକୁ ଦାରିଦ୍ର୍ୟରୁ ମୁକ୍ତ କରି ନ ପାରନ୍ତି, ଅନ୍ୟ କେହି ସେମାନଙ୍କୁ ମୁକ୍ତ କରିବ ନାହିଁ । ନିଜକୁ ମୁକ୍ତ କରିବାକୁ ହେଲେ ସମଗ୍ର ଦେଶର, ସାରା ରୁଶର ଶ୍ରମିକମାନଙ୍କୁ ଏକ ଇଉନିଅନରେ, ଏକ ପାର୍ଟି ଭିତରେ ଏକତାବଦ୍ଧ ହେବାକୁ ହେବ । କିନ୍ତୁ ଯଦି ସ୍ୱେଚ୍ଛାଚାରୀ ପୁଲିସ ସରକାର ତାଙ୍କର ସଭାସମିତିକୁ ବାଧା ଦିଏ, ଶ୍ରମିକମାନଙ୍କ ସମ୍ବାଦପତ୍ରର ପ୍ରକାଶନ ଓ (ଆସେମ୍ଲି ଲାଗି) ଶ୍ରମିକ ପ୍ରତିନିଧିଙ୍କ ନିର୍ବାଚନକୁ ନିଷେଧ କରେ, ତେବେ ଲକ୍ଷ ଲକ୍ଷ ଶ୍ରମିକ ଏକଯୁଟ ହୋଇପାରିବେ ନାହିଁ । ଏକଯୁଟ ହେବାକୁ ହେଲେ ସେମାନଙ୍କ ପକ୍ଷରେ ପ୍ରତ୍ୟେକ ପ୍ରକାର ଇଉନିଅନ ଗଠନର ଅଧିକାର ରହିବା ଉଚିତ, ଏକାଠି ହେବାଲାଗି ତାଙ୍କର ସ୍ୱାଧୀନତା ରହିବା ଦରକାର । ସେମାନଙ୍କର ରାଜନୈତିକ ସ୍ୱାଧୀନତା ନିଶ୍ଚୟ ଆବଶ୍ୟକ ।

 

ରାଜନୈତିକ ସ୍ୱାଧୀନତା ମେହେନତକାରୀ ଲୋକଙ୍କୁ ହଠାତ୍ ଦାରିଦ୍ର୍ୟରୁ ମୁକ୍ତ କରିବ ନାହିଁ, କିନ୍ତୁ ତାହା ଦାରିଦ୍ର୍ୟ ବିରୁଦ୍ଧରେ ଲଢ଼ିବାଲାଗି ସେମାନଙ୍କ ହାତରେ ଏକ ହତିଆର ଦେବ । ଶ୍ରମିକମାନଙ୍କ ଏକତା ବିନା ଦାରିଦ୍ର୍ୟ ବିରୁଦ୍ଧରେ ଲଢ଼ିବାର ଅନ୍ୟ କୌଣସି ଉପାୟ ନାହିଁ, କି ଥାଇ ନ ପାରେ । ମାତ୍ର ରାଜନୈତିକ ସ୍ୱାଧୀନତା ନ ଥିଲେ ଲକ୍ଷ ଲକ୍ଷ ଲୋକ ଏକଯୁଟ ହୋଇପାରିବ ନାହିଁ ।

 

ସବୁ ଇଉରୋପୀୟ ଦେଶରେ ଯେଉଁ ଲୋକେ ରାଜନୈତିକ ସ୍ୱାଧୀନତା ଲାଭ କରିଛନ୍ତି, ସେଠି ଶ୍ରମିକମାନେ ବହୁଦିନ ହେଲା ଏକଯୁଟ ହେବାକୁ ଆରମ୍ଭ କଲେଣି । ସାରା ଇଉରୋପରେ ଶ୍ରମିକମାନେ, ଯାହାଙ୍କର କୌଣସି ଜମି ନାହିଁ, ବଢ଼େଇଶାଳ, କାମରଶାଳ ଭଳି କୌଣସି ଶିଳ୍ପଶାଳ ନାହିଁ, ଯେଉଁମାନେ ମଜୁରୀ ପାଇ ଜୀବନ ସାରା ଅନ୍ୟ ଲୋକଙ୍କ ଲାଗି କାମ କରନ୍ତି, ତାଙ୍କୁ କୁହାଯାଏ ସର୍ବହରା । ପଚାଶ ବର୍ଷରୁ ଅଧିକ କାଳ ପୂର୍ବେ ମେହନତକାରୀମାନେ ଏକଯୁଟ ହେବାର ଆହ୍ୱାନ ଦିଆଯାଇଥିଲା ।" ସବୁ ଦେଶର ସର୍ବହରା ଏକଯୁଟ ହୁଅ,"-ଗତ ପଚାଶ ବର୍ଷ ଧରି ସମଗ୍ର ପୃଥିବୀରେ ଏଇ ଶବ୍ଦ ଧ୍ଵନିତ ପ୍ରତିଧ୍ଵନିତ ହେଉଛି । ଲକ୍ଷ ଲକ୍ଷ, କୋଟି କୋଟି ଶ୍ରମିକମାନଙ୍କ ସଭାରେ ତାହାର ପୁନରାବୃତ୍ତି ହେଉଛି, ପ୍ରତ୍ୟେକ ଭାଷାରେ ଲକ୍ଷ ଲକ୍ଷ ସଂଖ୍ୟାରେ ପ୍ରକାଶିତ ସୋସାଲ ଡିମୋକ୍ରାଟମାନଙ୍କ ପୁସ୍ତିକା ଓ ସମ୍ବାଦପତ୍ରମାନଙ୍କରେ ପଢ଼ା ହେଉଛି ।

 

ଲକ୍ଷ ଲକ୍ଷ ଶ୍ରମିକଙ୍କୁ ଏକ ଇଉନିଅନ, ଏକ ପାର୍ଟି ଭିତରେ ଏକତାବଦ୍ଧ କରିବା, ଅବଶ୍ୟ, ଅତି କଷ୍ଟକର କାମ । ସେଥିଲାଗି ସମୟ, ସାହସ, ଅଟଳ ଅଧ୍ୟବସାୟ ଓ କ୍ରମାଗତ ଦୃଢ଼ ପ୍ରଚେଷ୍ଟା ଆବଶ୍ୟକ । ଶ୍ରମିକମାନେ ଦାରିଦ୍ର୍ୟ ଭାରରେ ପେଷି ହୋଇଯାଇଛନ୍ତି, ପୁଞ୍ଜିପତି, ଜମିଦାରଙ୍କ ଲାଗି ଅସୁମାରୀ ଖଟ ଫଳରେ ସେମାନେ ସଂଜ୍ଞାହୀନ ହୋଇପଡ଼ିଛନ୍ତି । ଅନେକ ସମୟରେ ସେମାନଙ୍କୁ ଏକଥା ଭାବିବାକୁ ବି ସମୟ ନାହିଁ ଯେ କାହିଁକି ସେମାନେ ଚିରକାଙ୍ଗାଳ ଅଥବା ସେଥିରୁ ମୁକ୍ତି ପାଇବାର ଉପାୟ କ'ଣ ? ଶ୍ରମିକମାନେ ଯେପରି ଏକଯୁଟ ଣ ହେବେ-ତାକୁଇ ଆଖିରେ ରଖି ସବୁ କାମ ହୁଏ । ରୁଷ ଭଳି ଯେଉଁଠି ରାଜନୈତିକ ସ୍ୱାଧୀନତା ନାହିଁ, ସେଠାରେ ସିଧାସଳଖ ବର୍ବର ହିଂସାତ୍ମକ ଆକ୍ରମଣ ଦ୍ୱାରା, କିମ୍ବା ଅନ୍ୟତ୍ର ଯେଉଁଠି ଶ୍ରମିକମାନେ ସମାଜବାଦର ନୀତି ପ୍ରଚାର କରନ୍ତି, ସେମାନଙ୍କୁ ନିଯୁକ୍ତି ଦେବାକୁ ନାସ୍ତି କରି, ଅଥବା ଶେଷରେ ପ୍ରତାରଣା, ପ୍ରବଞ୍ଚନା ଓ ଦୁର୍ନୀତି ଜରିଆରେ ଏ ଭେଦସୃଷ୍ଟିର ଉଦ୍ୟମ ହୋଇଥାଏ । କିନ୍ତୁ କୌଣସି ଦମନ, କୌଣସି ହିଂସାତ୍ମକ ଆକ୍ରମଣ, ଦାରିଦ୍ର୍ୟ ଅତ୍ୟାଚାରରୁ ସମସ୍ତ ଶ୍ରମିକଶ୍ରେଣୀକୁ ମୁକ୍ତ କରିବାର ମହାନ ଆଦର୍ଶର ସଂଗ୍ରାମର ପଥରୁ ସର୍ବହରା ଶ୍ରମିକଙ୍କୁ ବିଚ୍ୟୁତ କରି ନ ପାରେ । ସୋସାଲ ଡିମୋକ୍ରାଟିକ୍ ଶ୍ରମିକମାନଙ୍କ ସଂଖ୍ୟା ବରାବର ବଢ଼ିବାରେ ଲାଗିଛି । ଆମର ପଡ଼ୋଶୀ ଦେଶ ଜର୍ମାନୀକୁ ଦେଖ । ସେଠାରେ ସେମାନଙ୍କର ନିର୍ବାଚିତ ସରକାର ରହିଛି । ଆଗେ ଜର୍ମାନୀରେ ମଧ୍ୟ ଅସୀମ ଅଖଣ୍ଡ କ୍ଷମତାଶାଳୀ ସ୍ୱୈରଚାରୀ ରାଜତନ୍ତ୍ର ସରକାର ଥିଲା । କିନ୍ତୁ ବହୁଦିନ ତଳେ, ପଚାଶ ବର୍ଷରୁ ଅଧିକ କାଳ ହେବ ଜର୍ମାନୀ ଲୋକେ ବଳପୂର୍ବକ ସ୍ୱୈରଚାରୀ ଶାସନକୁ ଧ୍ୱଂସ କରିଦେଲେ, ରାଜନୈତିକ ସ୍ୱାଧୀନତା ହାସଲ କଲେ । ରୁଷ ଭଳି ଜର୍ମାନୀରେ ମୁଷ୍ଟିମେୟ ଅଫିସରଙ୍କ ଦ୍ୱାରା ଆଇନ ତିଆରି ହୁଏ ନାହିଁ, ତା' ହୁଏ ଲୋକ ପ୍ରତିନିଧିମାନଙ୍କ ଆସେମ୍ବ୍ଲି (ବା ବିଧାନ ସଭା) ଦ୍ୱାରା, ଏକ ପାର୍ଲିଆମେଣ୍ଟ ଦ୍ୱାରା, ଯାହାକୁ ଜର୍ମାନୀମାନେ କହନ୍ତି ରାଇଖ୍‍ଷ୍ଟାଗ୍ । ସେଇ ବିଧାନସଭାକୁ ପ୍ରତିନିଧି ବାଛିବାରେ ସବୁ ସାବାଳକ ପୁରୁଷ ଲୋକେ ଭାଗ ନିଅନ୍ତି । ଏହା ଦ୍ୱାରା ସୋସାଲ ଡିମୋକ୍ରାଟଙ୍କ ପକ୍ଷରେ କେତେ ଭୋଟ ପଡ଼ିଲା, ତା' ଗଣିବା ସମ୍ଭବ ହୁଏ । ୧୮୮୭ ସାଲରେ ସମସ୍ତ ଭୋଟର ଏକ ଦଶମାଂଶ ଭୋଟ ସୋସାଲ ଡିମୋକ୍ରାଟଙ୍କ ପକ୍ଷରେ ପଡ଼ିଥିଲା । ୧୮୯୮ ସାଲରେ (ରାଇଖ୍‍ଷ୍ଟାଗ୍ ପାଇଁ ଗତ ନିର୍ବାଚନ ସମୟରେ) ସୋସାଲ ଡିମୋକ୍ରାଟଙ୍କ ଭୋଟ ପ୍ରାୟ ତିନିଗୁଣ ବୃଦ୍ଧି ପାଇଲା । ଏଥର ଏକ ଚତୁର୍ଥାଂଶରୁ ଅଧିକ ଭୋଟ ସୋସାଲ ଡିମୋକ୍ରାଟଙ୍କ ପକ୍ଷରେ ପଡ଼ିଲା । କୋଡିଏ ଲକ୍ଷରୁ ଉର୍ଦ୍ଧ୍ୱ ସାବାଳକ ପୁରୁଷ ଲୋକେ ସୋସାଲ ଡିମୋକ୍ରାଟିକ୍‍ ପାର୍ଲିଆମେଣ୍ଟାରୀ ପ୍ରାର୍ଥୀଙ୍କୁ ଭୋଟ ଦେଲେ । ଜର୍ମାନୀର କ୍ଷେତମୂଲିଆଙ୍କ ଭିତରେ ସମାଜବାଦ ଏପର୍ଯ୍ୟନ୍ତ ବ୍ୟାପକ ହୋଇନାହିଁ । କିନ୍ତୁ ତାହା ସେମାନଙ୍କ ମଧ୍ୟରେ କ୍ଷିପ୍ର ବେଗରେ ପ୍ରସାର ଲଭୁଛି । ଯେତେବେଳେ କ୍ଷେତମୂଲିଆ ଜନସାଧାରଣ, ଦିନ ମଜୁରିଆ, ଗରିବ କୃଷକମାନେ ସହରରେ ଥିବା ସେମାନଙ୍କ ଭାଇମାନଙ୍କ ସହିତ ଏକଯୁଟ ହେବେ, ସେତେବେଳେ ଜର୍ମାନୀ ଶ୍ରମିକମାନେ ବିଜୟ ଲାଭ କରିବେ, ଆଉ ଏପରି ଏକ ଅବସ୍ଥା ପ୍ରତିଷ୍ଠା କରିବେ, ଯେଉଁଥିରେ ଖଟିଖିଆ ଲୋକଙ୍କ ପାଇଁ ଦମନ କି ଦାରିଦ୍ର୍ୟ ରହିବ ନାହିଁ ।

 

କେଉଁ ଉପାୟରେ ସୋସାଲ ଡିମୋକ୍ରାଟିକ୍ ଶ୍ରମିକମାନେ ଦାରିଦ୍ର୍ୟରୁ ଲୋକମାନଙ୍କୁ ମୁକ୍ତ କରିବାକୁ ଚାହାନ୍ତି ?

 

ଏହା ଜାଣିବାପାଇଁ, ବର୍ତ୍ତମାନର ସାମାଜିକ ବ୍ୟବସ୍ଥାରେ ବିଶାଳ ଜନସାଧାରଙ୍କର ଦାରିଦ୍ର୍ୟର କାରଣ ଜଣେ ପରିସ୍କାର ଭାବେ ବୁଝିବା ଉଚିତ । ଧନ ବିଭବଶାଳୀ ନଗରମାନ ବୃଦ୍ଧି ପାଉଛି, ଚମତ୍କାର ଦୋକାନ ବଜାର ବାସଗୃହ ନିର୍ମିତ ହେଉଛି, ରେଳଲାଇନ ପଡ଼ିଛି, ଶିଳ୍ପ ଓ କୃଷି କ୍ଷେତ୍ରରେ ସମସ୍ତ ପ୍ରକାର ମେସିନ କଳକବ୍‍ଜା ଓ ଉନ୍ନତି ବିଧାନ ପ୍ରୟୋଗ ହେଉଛି । କିନ୍ତୁ ଲକ୍ଷ ଲକ୍ଷ ଲୋକ ଦାରିଦ୍ର୍ୟରେ ସଢ଼ୁଛନ୍ତି, ତାଙ୍କର ପରିବାରଙ୍କୁ ଅତି ସର୍ବନିମ୍ନ ଜୀବନଧାରଣ ସାମଗ୍ରୀ ଯୋଗାଇବା ଲାଗି ସାରା ଜୀବନ ଖଟିବାରେ ଲାଗିଛନ୍ତି । ଏତିକି ନୁହେଁ, ଅଧିକ ଅଧିକ ଲୋକେ ବେକାର ହେଉଛନ୍ତି, ସହର ଓ ମଫସଲରେ, ଉଭୟଠିଁ, ଅଧିକ ଲୋକ ଆଦୌ କୌଣସି କାମ ପାଉନାହାନ୍ତି । ଗାଁ ମାନଙ୍କରେ ସେମାନେ ଉପାସ ରହୁଛନ୍ତି, ସହରରେ ସେମାନେ 'ଯାଯାବର' ଓ 'ଅପାଂକ୍ତେୟଙ୍କ' ସଂଖ୍ୟା ବୃଦ୍ଧି କରନ୍ତି, ପଶୁମାନଙ୍କ ପରି ସହରର ଉପକଣ୍ଠରେ ଗାତମାନଙ୍କରେ କିମ୍ବା ମସ୍କୋର ଖିଟ୍ରୋଭ ମାର୍କେଟ ଭଳି ଜଘନ୍ୟ ବସ୍ତିମାନଙ୍କରେ ଆଶ୍ରୟ ନିଅନ୍ତି ।

 

ଏହା କାହିଁକି ? ବିଳାସ ଓ ସମ୍ପଦ ବୃଦ୍ଧି ପାଉଛି । ତେବେ ଲକ୍ଷ ଲକ୍ଷ ଲୋକେ, ଯେଉଁମାନେ ନିଜର ଶ୍ରମ ଦ୍ୱାରା ଏଇସବୁ ସମ୍ପଦ ସୃଷ୍ଟି କରୁଛନ୍ତି, ସେମାନେ ଅଭାବ ଦାରିଦ୍ର୍ୟରେ ସଢ଼ନ୍ତି । କୃଷକମାନେ ଭୋକ ଅନାହାରରେ ମରୁଛନ୍ତି, ଶ୍ରମିକମାନେ କାମବିନା ଘୂରି ବୁଲୁଛନ୍ତି; ଅଥଚ ବଣିକବେପାରୀଗଣ ରୁଷରୁ ଲକ୍ଷ ଲକ୍ଷ ଟନ ଖାଦ୍ୟଶସ୍ୟ ବିଦେଶକୁ ରପ୍ତାନି କରୁଛନ୍ତି । କଳକାରଖାନା ସବୁ ବନ୍ଦ ହୋଇଯାଉଛି, କାରଣ ଜିନିଷପତ୍ର ବିକ୍ରୀ ହୋଇପାରୁନାହିଁ, ସେସବୁ ଲାଗି ବଜାର ନାହିଁ !

 

ଏସବୁର ପ୍ରଥମ କାରଣ ହେଲା ଏହି ଯେ ଅଧିକାଂଶ ଜମି, କଳକାରଖାନା, ମେସିନ ଯନ୍ତ୍ରପାତି, ଅଟ୍ଟାଳିକା, ଜାହାଜ ଇତ୍ୟାଦି ଖୁବ ଅଳ୍ପ ସଂଖ୍ୟକ ଧନିଲୋକଙ୍କ ହାତରେ ଠୁଳ । କୋଟି କୋଟି ଲୋକ ଏଇସବୁ ଜମିରେ, ଫାକ୍ଟ୍ରି ମାନଙ୍କରେ କାମ କରନ୍ତି, କିନ୍ତୁ ସେ ସମସ୍ତର ମାଲିକ ମାତ୍ର କେତେ ହଜାର ଧନୀଲୋକେ-ଜମିଦାର, ବଣିକ, କାରଖାନାର ଅଧିକାରୀ । ଲୋକେ ସେଇସବୁ ଧନୀଲୋକଙ୍କ ଲାଗି ଭଡ଼ାରେ ମଜୁରୀ ଲାଗି, ସାମାନ୍ୟ ରୁଟି ଟୁକୁରା ପାଇଁ କାମ କରିଥାନ୍ତି । ଶ୍ରମିକମାନେ ଜୀବନଧାରଣ ଲାଗି ଅତି ସର୍ବନିମ୍ନ ଯେତିକି ଆବଶ୍ୟକ, ତା'ପରେ ଆଉ ଯେତେ ଯାହା ଉତ୍ପନ୍ନ ହୁଏ, ତାହା ସେ ଧନୀ ମାଲିକଙ୍କ ପାଖକୁ ଯାଏ । ତା'ହେଉଛି ତାଙ୍କର ମୁନାଫା, ତାଙ୍କର "ଆୟ" । ମେସିନର ବ୍ୟବହାର ଓ ଉତ୍ପାଦନ ପଦ୍ଧତିର ଉନ୍ନତ ଫଳରେ ଯେଉଁସବୁ ଉପକାର ମିଳେ ତାହା ଜମିଦାର ପୁଞ୍ଜିପତିଙ୍କ ପାଖକୁ ଯାଏ । ସେମାନେ ଅସୁମାରି ଧନସମ୍ପଦ ପୁଞ୍ଜିଭୂତ କରନ୍ତି, ତେଣେ ଶ୍ରମିକ କେବଳ ସାମାନ୍ୟ ଖଣ୍ଡେ ରୁଟି ଟୁକୁରା ମାତ୍ର ପାଇଥାଏ । କାମ କରିବାଲାଗି ଶ୍ରମିକଙ୍କୁ ଏକାଠି କରାଯାଏ । ବଡ଼ ଜମିଦାରୀ ଫାର୍ମ ଓ ବଡ଼ ବଡ଼ ଫାକଟ୍ରିମାନଙ୍କରେ ଶହ ଶହ, ଏପରିକି ହଜାର ହଜାର ସଂଖ୍ୟାରେ ଶ୍ରମିକମାନେ କାମ କରନ୍ତି । ଯେତେବେଳେ ଏଇଭାବରେ ଶ୍ରମିକମାନେ ଏକତ୍ରିତ ହୁଅନ୍ତି ଏବଂ ବିଭିନ୍ନ ପ୍ରକାରରେ ମେସିନସବୁ କାମରେ ଲାଗନ୍ତି, ସେତେବେଳେ ଶ୍ରମ ଅଧିକ ଉତ୍ପାଦନଶୀଳ ହୋଇଉଠେ । ଶ୍ରମିକମାନେ ଏକା ଏକା ବିନା ମେସିନ କଳକବ୍‍ଜା ସାହାଯ୍ୟରେ ଯାହା ଉତ୍ପନ୍ନ କରନ୍ତି, ଏବେ ଜଣେ ଶ୍ରମିକ ତା'ଠାରୁ ଖୁବ ଅଧିକ ଉତ୍ପନ୍ନ କରେ । କିନ୍ତୁ ଅଧିକ ଉତ୍ପାଦନଶୀଳ ଶ୍ରମର ଏଇ ସୁବିଧା ସବୁ ଖଟିଖିଆ ଲୋକଙ୍କ ପାଖକୁ ଯାଏ ନାହିଁ, ତା' ଯାଏ ଅଳ୍ପସଂଖ୍ୟକ ବଡ଼ ଜମିଦାର, ପୁଞ୍ଜିପତି ଓ ଫାକଟ୍ରି ମାଲିକଙ୍କ ପାଖକୁ ।

 

ଅନେକ ସମୟରେ କେତେକ କହିବାର ଶୁଣାଯାଏ ଯେ ଜମିଦାର, ବଣିକବ୍ୟବସାୟୀମାନେ ଗରିବ ଲୋକମାନଙ୍କୁ " କାମ ଯୋଗାଉଛନ୍ତି", ଗରିବଙ୍କ ଲାଗି "ଆୟର ପନ୍ଥା" ଖୋଲିଛନ୍ତି । ଉଦାହରଣସ୍ୱରୂପ କୁହାଯାଏ, ଏଇ ପଡ଼ୋଶୀ ଜମିଦାର ବା ପଡ଼ୋଶୀ ଫାକଟ୍ରି ସ୍ଥାନୀୟ କୃଷକମାନଙ୍କୁ 'ପୋଷୁଛନ୍ତି', କିନ୍ତୁ ପ୍ରକୃତ ପକ୍ଷରେ ଶ୍ରମିକମାନେ ହିଁ ଆପଣା ଶ୍ରମ ଦ୍ୱାରା ନିଜକୁ ପୋଷିଛନ୍ତି, ପୁଣି ଯେଉଁମାନେ କାମ ନ କରନ୍ତି ତାଙ୍କୁ ମଧ୍ୟ ପୋଷୁଛନ୍ତି । ଜମିବାରର ଜମିରେ, ଏକ ଫାକଟ୍ରିରେ କିମ୍ବା ରେଳବାଇର କାମ କରିବାର ଅନୁମତି ପାଇ ଶ୍ରମିକ ଯାହା ଉତ୍ପାଦନ କରେ, ତାକୁ ସବୁ ବିନାମୂଲ୍ୟରେ ମାଲିକକୁ ଦାନ କରେ । ନିଜେ ତା'ର ଜୀବନଧାରଣ ଲାଗି କେବଳ ସର୍ବନିମ୍ନ ଯେତିକି ଜିନିଷ ଦରକାର, ସେତିକି ପାଏ । ଅତଏବ ପ୍ରକୃତରେ ଜମିଦାର ଓ ବଣିକବ୍ୟବସାୟୀମାନେ ଶ୍ରମିକଙ୍କୁ ଚଳନ୍ତି ନାହିଁ, ଶ୍ରମିକମାନେ ବିନା ମୂଲ୍ୟରେ ସେମାନଙ୍କର ଶ୍ରମ ଫଳରେ ଅଧିକାଂଶ ଭାଗ ଅର୍ପଣ କରି ନିଜର ଶ୍ରମ ଦ୍ୱାରା ପ୍ରତ୍ୟେକଙ୍କୁ ପୋଷନ୍ତି ।

 

ଆହୁରି, ସବୁ ଆଧୁନିକ ଦେଶରେ ଲୋକଙ୍କର ଦାରିଦ୍ର୍ୟର କାରଣ ହେଲା ଯେ ଶ୍ରମିକମାନେ ବିକ୍ରୟ ଲାଗି, ବଜାର ପାଇଁ ସମସ୍ତ ପ୍ରକାର ଜିନିଷ ଉତ୍ପାଦନ କରନ୍ତି । ଫାକଟ୍ରି ମାଲିକ, କାରିଗର, ଜମିଦାର ଏବଂ ସ୍ୱଚ୍ଛଳ କୃଷକ ଜିନିଷପତ୍ର ଉତ୍ପାଦନ କରନ୍ତି, ପଶୁପାଳନ କରନ୍ତି, ଚାଷ କରନ୍ତି ଓ ଫସଲ ଫଳାନ୍ତି ବିକ୍ରୟ ପାଇଁ ଅର୍ଥଲାଭ ନିମନ୍ତେ । ଅର୍ଥହିଁ ସବୁଠାରେ ଶାସକ ଶକ୍ତି । ମଣିଷର ଶ୍ରମ ଦ୍ୱାରା ଯାହା କିଛି ଉତ୍ପନ୍ନ ହୁଏ ତାହା ମୁଦ୍ରାର ବିନିମୟରେ ଦିଆଯାଏ-। ଅର୍ଥ ବା ଟଙ୍କା ଦେଇ ତମେ ଯେକୌଣସି ଜିନିଷ କିଣି ନେଇପାର । ଟଙ୍କାରେ, ଏପରିକି ତମେ ମଣିଷମାନଙ୍କ କି କିଣି ନେଇପାର, ଅର୍ଥାତ୍ ଯେଉଁ ଲୋକଙ୍କର କିଛି ନାହିଁ, ତାକୁ ଯାହାର ଟଙ୍କା ଅଛି ତା' ଲାଗି କାମ କରିବାକୁ ବାଧ୍ୟ କରିପାର । ପୂର୍ବେ ଜମି ଥିଲା ଶାସକ ଶକ୍ତି । ଏହା ଥିଲା ଭୂଦାସ ଅମଳର ବ୍ୟବସ୍ଥା । ଜମି ଯାହା ହାତରେ ଥିଲା, ସେ ଥିଲା କ୍ଷମତା ଓ କର୍ତ୍ତୃତ୍ୱର ଅଧିକାରୀ-। ତେବେ ଆଜି ମୁଦ୍ରା, ପୁଞ୍ଜି ଶାସକ ଶକ୍ତି ହୋଇଉଠିଛି । ଟଙ୍କା ବା ଅର୍ଥ ବଳରେ ତମେ ଯେତେ ଇଚ୍ଛା ସେତେ ଜମି କିଣିପାର । ଟଙ୍କା ବା ଅର୍ଥ ବିନା, ଏପରିକି ତମର ଯଦି ଜମି ଥାଏ, ତେବେ ବି ତମେ ବେଶି କିଛି କରିପାରିବ ନାହିଁ । ଟିକସ ଦେବା କଥା ଛାଡ଼, ହଳ ଲଙ୍ଗଳ, ଘୋଡ଼ା, ବଳଦ ଚାଷ ଉପକରଣ କିଣିବାପାଇଁ, ଲୁଗାପଟା ଓ ସହରର ଅନ୍ୟ ତିଆରି ଜିନିଷପତ୍ର କିଣିବାଲାଗି ତମର ଅର୍ଥ ଥିବା ଦରକାର । ଏଇ ଅର୍ଥ ପାଇଁ ପ୍ରାୟ ସବୁ ଜମିଦାର ବ୍ୟାଙ୍କ ପାଖରେ ତାଙ୍କର ଜମି ବନ୍ଧା ଦେଇଛନ୍ତି । ଏଇ ଅର୍ଥ ବା ଟଙ୍କା ଲାଗି ଦୁନିଆସାରା ଧନୀଲୋକ ଓ ବ୍ୟାଙ୍କ ମାଲିକଙ୍କଠାରୁ ସରକାର ଋଣ ଆଣୁଛି ଏବଂ ସେଇ ଋଣ ଉପରେ ପ୍ରତି ବର୍ଷ କୋଟି କୋଟି ରୁବଲ (ଟଙ୍କା) ସୁଧ ଗଣୁଛି ।

 

ଆଜି ସେଇ ଟଙ୍କା ବା ଅର୍ଥ ପାଇ ପ୍ରତ୍ୟେକ ଲୋକ ପ୍ରତ୍ୟେକ ଲୋକ ବିରୁଦ୍ଧରେ ଭୟାନକ ସଂଗ୍ରାମ କରୁଛି । ପ୍ରତ୍ୟେକ ଚାହାନ୍ତି କେମିତି ଶସ୍ତାରେ କିଣିବେ ଓ ମହର୍ଗରେ ବିକିବେ । ପ୍ରତ୍ୟେକ ଚାହାନ୍ତି ପ୍ରତିଦ୍ୱନ୍ଦୀତାରେ ଅନ୍ୟକୁ ବଳିଯିବେ, ଅଧିକ ପରିମାଣରେ ଜିନିଷ ବିକ୍ରୀକରିବେ, ଅନ୍ୟଠାରୁ କମ ଦରରେ ବିକିଦେବେ, ଅନ୍ୟଠାରୁ ଲାଭଜନକ ବଜାର ବା ଚୁକ୍ତି କଣ୍ଟ୍ରାକ୍‍ଟ ସବୁ ଲୁଚାଇ ରଖିବେ । ଅର୍ଥ ଲାଗି ଏଇ ସାଧାରଣ ଦଉଡ଼ାଦଉଡି ଠେଲାଠେଲି ଭିତରେ ଛୋଟ ଛୋଟ ଲୋକେ, ଛୋଟ କାରିଗର ବା ଛୋଟ କୃଷକଙ୍କ ଦଶା ସବୁଠାରୁ ଶୋଚନୀୟ ହୁଏ, ସେମାନେ ବଡ଼ ବଣିକ ବ୍ୟବସାୟୀ ବା ଧନୀ କୃଷକ ଦ୍ୱାରା ସବୁବେଳେ ପ୍ରତିଦ୍ୱନ୍ଦିତାରେ ଫେଲ ମାରନ୍ତି । ଏଇ ଛୋଟ ଛୋଟ ଲୋକଙ୍କର କୌଣସି ଗଚ୍ଛିତ ଜମା ନ ଥାଏ । ଦାରୁଣ ଦୂରାବସ୍ଥା ମଧ୍ୟରେ କୌଣସିପ୍ରକାରେ ଚଳୁଥାନ୍ତି । ପ୍ରଥମ ଅସୁବିଧାରେ, ପ୍ରଥମ ଦୁର୍ଘଟଣା ଦୁର୍ବିପାକରେ ସେ ତା'ର ଜିନିଷପତ୍ର ବନ୍ଧା ପକାଇବାକୁ ବା ତା'ର ଗୋରୁଗାଈଙ୍କୁ ଅତି ସାମାନ୍ୟ ଦାମରେ ବିକିବାକୁ ବାଧ୍ୟ ହୁଏ । ଥରେ ସେ ଧନୀ ଚାଷୀ (କୁଲାଖ) ବା ମହାଜନଙ୍କ କବଳରେ ପଡ଼ିଲେ ଅତି କ୍ଵଚିତ ତାଙ୍କ ଜାଲରୁ ମୁକୁଳିପାରେ । ଅଧିକାଂଶ ସ୍ଥଳରେ ସେ ଏକଦମ ସର୍ବସ୍ୱାନ୍ତ ହୋଇଯାଏ । ପ୍ରତି ବର୍ଷ ହଜାର ହଜାର ଛୋଟ କୃଷକ ଓ କାରିଗରମାନେ ତାଙ୍କ କୁଡ଼ିଆ ଘରେ ତାଲା ଦେଇ, ତାଙ୍କର ଘରବାଡ଼ି ଗୋଷ୍ଠୀକୁ ସମର୍ପି ଦିଅନ୍ତି ଏବଂ ନିଜେ ଦିନ ମଜୁରିଆ, କ୍ଷେତ ମୂଲିଆ, ଅକୁଶଳି ଶ୍ରମିକ, ସର୍ବହରାରେ ପରିଣତ ହୁଅନ୍ତି । ଏଇ ଅର୍ଥ ଲାଗି ସଂଗ୍ରାମରେ ଧନୀ ଅଧିକ ଧନୀ ହୁଏ । ସେମାନେ ବ୍ୟାଙ୍କରେ ଲକ୍ଷ ଲକ୍ଷ, କୋଟି କୋଟି ଟଙ୍କା ବା ରୁବଲ ଜମାନ୍ତି । ସେମାନେ କେବଳ ତାଙ୍କର ଅର୍ଥ ଦ୍ୱାରା ଲାଭ କରନ୍ତି ନାହିଁ, ବ୍ୟାଙ୍କରେ ଜମା ଥିବା ଅନ୍ୟର ଟଙ୍କାରୁ ମଧ୍ୟ ଲାଭ ଉଠାନ୍ତି । ଅଳ୍ପ ପଇସାବାଲା ଲୋକେ, ଯେଉଁମାନେ ବ୍ୟାଙ୍କରେ ବା ସେଭିଙ୍ଗସ୍‍ ବ୍ୟାଙ୍କରେ ସାମାନ୍ୟ କେତେ ଶହ ମାତ୍ର ଟଙ୍କା ବା ରୁବଲ ପ୍ରତି ମାତ୍ର ୩। ୪ ପଇସା ବା କୋପେକ୍‍ ହାରରେ ସୁଧ ପାଇଥାନ୍ତି । କିନ୍ତୁ ଧନୀଲୋକ ଏଇ କ୍ଷେତ୍ରରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରନ୍ତି ଆଉ ସେଇ ଲକ୍ଷ ଲକ୍ଷ ଟଙ୍କାକୁ ଲଗାଇ, ତାକୁ ଆହୁରି ଆହୁରି ଖେଳାଇ ବୃଦ୍ଧି କରୁଥାନ୍ତି ଏବଂ ପ୍ରତି ରୁବଲ ବା ଟଙ୍କାରେ ୧୦ ବା ୨୦ କୋପେକ୍‍ ବା ପଇସା ଲାଭ ଉଠାନ୍ତି ।

 

ସେଇ କାରଣରୁ ସୋସାଲ-ଡିମୋକ୍ରାଟିକ୍ ଶ୍ରମିକମାନେ କହନ୍ତି ଯେ ଲୋକଙ୍କର ଦାରିଦ୍ର୍ୟର ଅବସାନ କରିବାର ଏକମାତ୍ର ରାସ୍ତା ହେଲା-ସାରା ଦେଶରେ ଉପରୁ ତଳଯାଏ ଅବସ୍ଥିତ ଏଇ ସାମାଜିକ ବ୍ୟବସ୍ଥାକୁ ପରିବର୍ତ୍ତନ କରିବାକୁ ହେବ, ସମାଜବାଦୀ ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ପଡ଼ିବ । ଅନ୍ୟ କଥାରେ କହିଲେ, ବଡ଼ ବଡ଼ ଜମିଦାରଙ୍କଠାରୁ ଜମି ଛଡ଼ାଇ ଆଣିବାକୁ ହେବ, କଳାକାରଖାନାସବୁ ଫାକଟ୍ରୀ ମାଲିକଙ୍କଠାରୁ ଛଡ଼ାଇ ଆଣିବାକୁ ହେବ, ବ୍ୟାଙ୍କ ମାଲିକଙ୍କଠାରୁ ଅର୍ଥପୁଞ୍ଜି ନେଇ ଆସିବାକୁ ପଡ଼ିବ, ସେମାନଙ୍କର ବ୍ୟକ୍ତିଗତ ସଂପତ୍ତି ଲୋପ କରିବାକୁ ହେବ ଏବଂ ସାରା ଦେଶର ସମସ୍ତ ମେହନତକାରୀ ଲୋକଙ୍କ ହାତରେ ତାହା ସମର୍ପି ଦେବାକୁ ହେବ । ଯେତେବେଳେ ଏହା ହୋଇଯିବ, ସେତେବେଳେ ଶ୍ରମିକମାନଙ୍କ ଶ୍ରମ ଆଉ ଅନ୍ୟର ଶ୍ରମ ଉପରେ ବଞ୍ଚୁଥିବା ଧନୀଙ୍କ ଦ୍ୱାରା ବ୍ୟବହୃତ ହେବ ନାହିଁ, ଶ୍ରମିକମାନେ ନିଜେ ନିଜେ ବା ସେମାନଙ୍କଦ୍ୱାରା ନିର୍ବାଚିତ ପ୍ରତିନିଧିମାନେ ତାକୁ ବ୍ୟବହାରରେ ଲଗାଇବେ । ସର୍ବସାଧାରଣ ଶ୍ରମର ଫଳ ଏବଂ ମେସିନ୍ ଓ କଳକବ୍‍ଜାର ଉନ୍ନତି ଫଳରେ ଯେତେସବୁ ସୁବିଧାସୁଯୋଗ ମିଳିବ, ତାହା ମେହନତକାରୀ ଲୋକ ପାଖକୁ, ସମସ୍ତ ଶ୍ରମିକଙ୍କ ପାଖକୁ ଯିବ । ସେତେବେଳେ ଧନସମ୍ପଦ ଆହୁରି ଅଧିକ ବେଗରେ ବୃଦ୍ଧି ପାଇବ, କାରଣ ନିଜ ପାଇଁ କାମ କଲାବେଳେ ଶ୍ରମିକମାନେ ପୁଞ୍ଜିପତିଙ୍କ ପାଇଁ କାମ କରୁଥିବା ତୁଳନାରେ ଅଧିକ ଭଲଭାବେ କାମ କରିବେ । ଶ୍ରମ ଦିବସର ସମୟ କମିଯିବ, ଶ୍ରମିକଙ୍କ ଜୀବନଧାରଣର ମାନ ବୃଦ୍ଧି ପାଇବ, ତାଙ୍କ ଜୀବନର ସମସ୍ତ ଅବସ୍ଥା ସଂପୂର୍ଣ୍ଣ ବଦଳିଯିବ ।

 

କିନ୍ତୁ ସାରା ଦେଶରେ ପ୍ରଚଳିତ ସାମାଜିକ ବ୍ୟବସ୍ଥାକୁ ପରିବର୍ତ୍ତନ କରିଦେବା ଏକ ସହଜସାଧ୍ୟ ବ୍ୟାପାର ନୁହେଁ । ସେଥିଲାଗି ବିରାଟ ଉଦ୍ୟମ ଆବଶ୍ୟକ, ଏକ ଦୀର୍ଘ ଜୋରଦାର ସଂଗ୍ରାମ ଦରକାର । ସବୁ ଧନୀ ଲୋକେ, ସଂପତ୍ତିର ମାଲିକ ଆଉ ସବୁ ବୁର୍ଜୁଆ ତାଙ୍କର ସମସ୍ତ ଶକ୍ତି ପ୍ରୟୋଗ କରିବେ ଧନସଂପଦକୁ ରକ୍ଷା କରିବାକୁ । ସବୁ ଅଫିସର ଓ ସୈନ୍ୟବାହିନୀ ଜାଗିଉଠିବେ ସେଇ ଧନୀକଶ୍ରେଣୀକୁ ରକ୍ଷା କରିବାପାଇଁ, କାରଣ ଖୋଦ ସରକାରଟା ସେଇ ଧନୀକଶ୍ରେଣୀ ହାତରେ । ଯେଉଁସବୁ ଲୋକେ ଅନ୍ୟର ଶ୍ରମ ଉପରେ ବଞ୍ଚନ୍ତି, ସେମାନଙ୍କ ବିରୁଦ୍ଧରେ ଲଢ଼େଇରେ ଶ୍ରମିକମାନେ ଏକ ହୋଇ ଠିଆହେବା ଉଚିତ ।

 

ଶ୍ରମିକମାନେ ନିଜେ ନିଜେ ଏକଯୁଟ ହେବା ଉଚିତ, ଆଉ ସବୁ ସମ୍ପତ୍ତିହୀନ ଲୋକଙ୍କୁ ଏକ ଗୋଟାଏ-ଶ୍ରମିକଶ୍ରେଣୀ ଭିତରେ, ଗୋଟାଏ ସର୍ବହରା ଶ୍ରେଣୀରେ ଏକଯୁଟ ହେବାରେ ସାହାଯ୍ୟ କରିବା ଦରକାର । ଏ ସଂଗ୍ରାମ, ଶ୍ରମିକଶ୍ରେଣୀ ଲାଗି ସହଜସାଧ୍ୟ ନୁହେଁ । କିନ୍ତୁ ଶେଷରେ, ଏଥିରେ ଶ୍ରମିକମାନଙ୍କର ବିଜୟ ସୁନିଶ୍ଚିତ, କାରଣ ବୁର୍ଜୁଆ, ଯେଉଁମାନେ ଅନ୍ୟମାନଙ୍କ ଶ୍ରମ ଉପରେ ବଞ୍ଚନ୍ତି, ଲୋକମାନଙ୍କ ଭିତରେ ସେମାନଙ୍କର ସଂଖ୍ୟା ଅତି ସାମାନ୍ୟ, ଅଥଚ ଶ୍ରମିକମାନେ ବିପୁଳ ସଂଖ୍ୟାଧିକ, । ସଂପତ୍ତି-ମାଲିକଙ୍କ ବିରୁଦ୍ଧରେ ଶ୍ରମିକ-ଏହାର ତାତ୍ପର୍ଯ୍ୟ ହେଲା, କେତେକ ହଜାର ଲୋକଙ୍କ ବିରୁଦ୍ଧରେ କୋଟି କୋଟି ଜନସାଧାରଣ ।

 

ରୁଷର ଶ୍ରମିକମାନେ ଏଇ ବିରାଟ ସଂଗ୍ରାମ ଲାଗି ଗୋଟିଏ ପାର୍ଟି-ଶ୍ରମିକମାନଙ୍କ ସୋସାଲ-ଡିମୋକ୍ରାଟ୍ରିକ ପାର୍ଟିରେ ଏକଯୁଟ ହେବାରେ ଲାଗିଛନ୍ତି । ଅସୁବିଧା ହେଉଛି ଗୋପନଭାବେ, ପୁଲିସଠାରୁ ଲୁଚିଛପି ଏକଯୁଟ ହେବାରେ ଲାଗିଛନ୍ତି । ଅସୁବିଧା ହେଉଛି ଗୋପନଭାବେ, ପୁଲିସଠାରୁ ଲୁଚିଛପି ଏକଯୁଟ ହେବା, ତଥାପି ସଂଗଠନ ବୃଦ୍ଧି ପାଉଛି ଓ ବଳିଷ୍ଠ ହୋଇଉଠୁଛି । ଯେତେବେଳେ ରୁଷର ଲୋକେ ରାଜନୈତିକ ସ୍ୱାଧୀନତା ହାସଲ କରିବେ, ଶ୍ରମିକଶ୍ରେଣୀକୁ ଏକଯୁଟ କରିବାର କାର୍ଯ୍ୟ, ସମାଜବାଦର ଆଦର୍ଶ ଆହୁରି ଅଧିକ ଦ୍ରୁତ ବେଗରେ ଅଗ୍ରସର ହେବା । ଜର୍ମାନୀ ଶ୍ରମିକ ମଧ୍ୟରେ ଏହା ଯେତେ ଶୀଘ୍ର ଅଗ୍ରସର ହେଉଛି, ତା'ଠାରୁ ଅଧିକ ବେଗରେ ଅଗ୍ରସର ହେବ ।

 

*

ବୁର୍ଜୁଆ ଅର୍ଥ ସମ୍ପତ୍ତିର ମାଲିକ । ସମ୍ପତ୍ତି-ମାଲିକଗଣଙ୍କୁ ସାମୁହିକଭାବେ ବୁର୍ଜୁଆଜି କହନ୍ତି-। ଏକ ବଡ଼ ବୁର୍ଜୁଆ ହେଲା ବିଶାଳ ସମ୍ପତ୍ତିର ମାଲିକ । ପେଟି-ବୁର୍ଜୁଆ ହେଉଛି ଅଳ୍ପ ସମ୍ପତ୍ତିର ମାଲିକ । ବୁର୍ଜୁଆ ଓ ସର୍ବହରା ଶବ୍ଦର ଅର୍ଥ ହେଲା, ସଂପତ୍ତିର ମାଲିକ ଓ ଶ୍ରମିକ, ଧନୀ ଆଉ ଗରିବ ବା କେଉଁମାନେ ଅନ୍ୟର ଶ୍ରମ ଉପରେ ବଞ୍ଚନ୍ତି ଏବଂ ଯେଉଁମାନେ ମଜୁରୀ ଲାଗି ଅନ୍ୟମାନଙ୍କ ପାଇଁ ଖଟନ୍ତି ।

Image

 

Unknown

ଧନସମ୍ପଦ ଓ ଦାରିଦ୍ର୍ୟ, ଗାଁ ଗହଳରେ ସମ୍ପତ୍ତିର ମାଲିକ ଆଉ ଶ୍ରମିକ

 

ଆମେ ଜାଣୁ, ସୋସାଲ-ଡିମୋକ୍ରାଟମାନେ କଣ ଚାହାନ୍ତି । ସେମାନେ ଚାହାନ୍ତି, ଲୋକମାନଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବାଲାଗି ସମଗ୍ର ଧନୀକ ଶ୍ରେଣୀ ବିରୁଦ୍ଧରେ ଲଢ଼ିବେ । ଗାଁ' ଗହଳରେ ଦାରିଦ୍ର୍ୟ, ସହର ତୁଳନାରେ କାମ ନୁହେଁ, ବୋଧହୁଏ, ବରଂ ଅଧିକ ହେବ । ଭୟଙ୍କର ଦାରିଦ୍ର୍ୟ ଗାଁ, ଗଣ୍ଡାରେ ରହିଛି । ଏଠାରେ ଆମେ ସେ ବିଷୟରେ କହିବାକୁ ଯାଉନାହୁଁ । ପ୍ରତ୍ୟେକ କୃଷକ ଆଉ ପ୍ରତ୍ୟେକ ଶ୍ରମିକ, ଯିଏ ଗ୍ରାମାଞ୍ଚଳକୁ ଯାଇଛି ସେ ଗାଁ' ଗହଳର ଅଭାବ, ଅନାହାର, ଶୀତତୁଷାର ଓ ଧ୍ଵଂସାବସ୍ଥା ସହିତ ବେଶ ପରିଚିତ ।

 

କିନ୍ତୁ କୃଷକ ଜାଣେ ନାହିଁ ତା'ର ଦୁଃଖ, ଦୈନ୍ୟ, ଅନାହାର ଓ ଧ୍ୱଂସର କାରଣ, କିମ୍ବା କିପରି ସେ ଅଭାବରୁ ମୁକ୍ତି ପାଇବ । ଏହା ଜାଣିବାପାଇଁ ଆମେ ପ୍ରଥମେ ଦେଖିବା, ସହର ଓ ମଫସଲ ଉଭୟ ସ୍ଥଳରେ ଏଇସବୁ ଅଭାବ ଦାରିଦ୍ର୍ୟ ସୃଷ୍ଟି କରୁଛି କିଏ । ଆମେ ଏ ସମ୍ପର୍କରେ ସଂକ୍ଷେପରେ ଆଲୋଚନା କରିସାରିଛୁ, ଦେଖିଛୁ ଗରିବ କୃଷକ ଓ ଗାଁ'ର ଶ୍ରମିକମାନଙ୍କୁ ସହରର ଶ୍ରମିକମାନଙ୍କ ସହିତ ଏକଯୁଟ ହେବାକୁ ପଡ଼ିବ । କିନ୍ତୁ ତାହା ଯଥେଷ୍ଟ ନୁହେଁ । ଆମକୁ ଦେଖିବାକୁ ହେବ, ଗ୍ରାମାଞ୍ଚଳରେ କେଉଁ ପ୍ରକାରର ଲୋକେ ଧନୀ, ସମ୍ପତ୍ତିମାଲିକଙ୍କୁ ଅନୁସରଣ କରିବେ, ଆଉ କେଉଁ ପ୍ରକାରର ଲୋକେ ଶ୍ରମିକ ଓ ସୋସାଲ-ଡିମୋକ୍ରାଟଙ୍କ ପଛରେ ଠିଆ ହେବେ । ଆମେ ଦେଖିବା, ଗାଁ'ଗଣ୍ଡାରେ ଏମିତି କୃଷକ କେତେ ବେଶି ଅଛନ୍ତି, ଯେଉଁମାନେ କି ପୁଞ୍ଜି ଅର୍ଜ୍ଜନ କରିବା ଓ ଅନ୍ୟର ଶ୍ରମ ଉପରେ ବଞ୍ଚିବାରେ ଜମିଦାରଙ୍କଠାରୁ କୌଣସି ଅଂଶରେ କାମ ନୁହନ୍ତି । ଆମେ ଯଦି ଏଇ ବିଷୟଟିର ଏକଦମ୍ ଗଭୀର ତଳକୁ ନ ଯାଉ, ତେବେ ଦାରିଦ୍ର୍ୟ ସମ୍ବନ୍ଧରେ ଯେତେ କଥା କହିଲେ ବି କିଛି ଲାଭ ନାହିଁ । ଗାଁ'ର ଗରିବ ଲୋକେ ଜାଣିପାରିବେ ନାହିଁ, ଗ୍ରାମାଞ୍ଚଳର କେଉଁମାନେ ନିଜ ନିଜ ଭିତରେ ଓ ସହର ଶ୍ରମିକମାନଙ୍କ ସହିତ ଏକଯୁଟ ହେବେ, ବା ତାଙ୍କୁ ଏକ ପ୍ରକୃତ ଏକତା ବା ୟୁନିଅନ କରିବା ଦିଗରେ କ'ଣ କରିବାକୁ ହେବ, ଏବଂ କୃଷକମାନଙ୍କୁ ଟଙ୍କା ନିଜ ସଂପ୍ରଦାୟ ଧନୀ କୃଷକଙ୍କ, ଆଉ ମଧ୍ୟ ଜମିଦାରଙ୍କ ଠକାମି ପ୍ରତାରଣାରୁ କିପରି ରକ୍ଷା କରାଯାଇପାରିବ ।

 

ଏହାର ମୂଳକୁ ଯିବାକୁ ହେଲେ, ଆମକୁ ଏବେ ଦେଖିବାକୁ ପଡ଼ିବ ଗ୍ରାମାଞ୍ଚଳରେ ଜମିଦାରମାନେ କେତେଜୁର ଶକ୍ତିଶାଳୀ, ଧନୀ ଚାଁସୀମାନେ କେତେଜୁର ଶକ୍ତିଶାଳି ।

 

ଆମେ ଜମିଦାରଙ୍କଠାରୁ ଆରମ୍ଭ କରିବା । ସେମାନେ କେତେ ଜମିର ମାଲିକ, ସେଇଥିରୁ ତାଙ୍କର ବଳ କଳିହେବ । ଇଉରୋପୀୟ ରୁଷରେ କୃଷକ ଦିଆହୋଇଥିବା ଜମି ଓ ବ୍ୟକ୍ତିଗତ ମାଲିକାନାରେ ଜମିକୁ ମିଶାଇ ସର୍ବମୋଟ ଜମିର ପରିମାଣ ୨୪୦, ୦୦୦, ୦୦୦ ଡେସିଟିନ୍ * ବୋଲି ହିସାବ ଧରାଯାଇଛି । (ସରକାରୀ ଜମିକୁ ଛାଡ଼ି, ସେ ବିଷୟରେ ଆମେ ପରେ କହିବା) ଏଇ ସର୍ବମୋଟ ୨୪୦, ୦୦୦, ୦୦୦ ଡେସିଟିନ୍ ଜମି ମଧ୍ୟରୁ ୧୩୧, ୦୦୦, ୦୦୦ ଡେସିଟିନ୍ ପ୍ରଦତ୍ତ ଜମି (ଆଲଟମେଣ୍ଟ) କୃଷକମାନଙ୍କ ପାଖରେ, କହିବାକୁ ଗଲେ, ଏକ କୋଟିରୁ ଉର୍ଦ୍ଧ୍ୱ ପରିବାରଙ୍କ ପାଖରେ ରହିଛି । ଅଥଚ ୧୦୯, ୦୦୦, ୦୦୦ ଡେସିଟିନ୍ ଜମି ବ୍ୟକ୍ତିଗତ ମାଲିକଙ୍କ ଅଧୀନରେ ରହିଛି, ଅର୍ଥାତ, ୫୦ ଲକ୍ଷରୁ କମ ପରିବାର ପାଖରେ ରହିଛି । ଅତଏବ ଆମେ ଯଦି ଗୋଟାଏ ହାରାହାରି ହିସାବ କାଢ଼ୁ, ତେବେ ପ୍ରତ୍ୟେକ କୃଷକ ପରିବାର ପାଖରେ ୧୩ ଡେସିଟିନ୍ ଜମି ରହିଛି, ଆଉ ବ୍ୟକ୍ତିଗତ ମାଲିକମାନେ ପ୍ରତ୍ୟେକ ୨୧୮ ଡେସିଟିନ୍ ଜମି ରଖିଛନ୍ତି ! କିନ୍ତୁ ଜମିର ବଣ୍ଟନ ଆହୁରି ଅଧିକ ଅସମାନ ବୋଲି ବର୍ତ୍ତମାନ ଆମେ ଜାଣି ପରିବା ।

 

*

ଜମିର ପରିମାଣ ନେଇ ଏଇ ଓ ସମସ୍ତ ପରବର୍ତ୍ତୀ ତଥ୍ୟ ସବୁ ଖୁବ ପୁରୁଣା । ତାହା ୧୮୭୭-୧୮୭୮ ସାଲ ଅବସ୍ଥାର ସୂଚନା ଦିଅ । କିନ୍ତୁ ଆମ ପାଖରେ ଆଉ କିଛି ଅଧିକ ଆଧୁନିକ ତଥ୍ୟ ନାହିଁ । ଅନ୍ଧକାରରେ ବାସକରି ରୁଷ ସରକାର କେବଳ ତିଷ୍ଠିପାରେ । ସେଇ କାରଣରୁ ଆମର ସାରା ଦେଶର ଲୋକମାନଙ୍କ ଜୀବନ ସମ୍ପର୍କରେ ସଂପୂର୍ଣ୍ଣ ଓ ସତ୍ୟ ବିବରଣୀ କ୍ଵଚିତ ସଂଗୃହିତ ହୋଇଥାଏ ।

 

ବ୍ୟକ୍ତିଗତ ମାଲିକମାନେ ଯେଉଁ ୧୦୯, ୦୦୦, ୦୦୦ ଡେସିଟିନ୍ ଜମି ରଖିଛନ୍ତି, ସେଥିରୁ ୭୦ ଲକ୍ଷ ଡେସିଟନର ଜମି ହେଉଛି ରାଜା ପରିବାରର ଜମି, ଅର୍ଥାତ ରାଜପରିବାରର ଲୋକଙ୍କର ବ୍ୟକ୍ତିଗତ ସମ୍ପତ୍ତି । ଜାର ଓ ତା'ର ପରିବାର ହେଉଛନ୍ତି ରୁଷରେ ପ୍ରଥମ ଓ ସର୍ବବୃହତ ଜମିଦାର ! ଗୋଟିଏ ପରିବାର ୫୦ ଲକ୍ଷ କୃଷକ ପରିବାରଙ୍କ ଅପେକ୍ଷା ଅଧିକ ଜମି ରଖିଛନ୍ତି । ଆହୁରି ଗୀର୍ଜା ମଠସବୁ ପ୍ରାୟ ୬୦ ଲକ୍ଷ ଡେସିଟିନ୍ ଜମିର ମାଲିକ । ଆମର ଧର୍ମଯାଜକମାନେ କୃଷକଙ୍କୁ ନିବୃତ୍ତି ଓ ମିତବ୍ୟୟିତା ସଂପର୍କରେ ଶିକ୍ଷା ଦିଅନ୍ତି, କିନ୍ତୁ ସେମାନେ ସତମିଛ ସକଳ ଉପାୟ ପ୍ରୟୋଗ କରି ବିପୁଳ ଜମି ପୁଞ୍ଜିଭୂତ କରିଛନ୍ତି ।

 

ପୁଣି ସହର ଓ ନଗରମାନଙ୍କ ପାଖରେ ୨୦ ଲକ୍ଷ ଡେସିଟିନ୍ ଜମି ରହିଛି । ପ୍ରାୟ ସେଇ ସମାନ ପରିମାଣରେ ଜମି ବିଭିନ୍ନ ବାଣିଜ୍ୟ, ଶିଳ୍ପ ପ୍ରତିଷ୍ଠାନ, କମ୍ପାନୀ କରୋପରେସନ ସବୁ ରଖିଛନ୍ତି । ୯୨୦ ଲକ୍ଷ ଡେସିଟିନ୍ ଜମି (ନିର୍ଦ୍ଧିଷ୍ଟ ହିସାବ ହେଲା ୯୧, ୬୦୫, ୮୪୫, କିନ୍ତୁ ସରଳଭାବେ ପ୍ରକାଶ କରିବାପାଇଁ ତାକୁ ଗୋଲାକାର କରାଯାଇଛି) ରହିଛି ୫୦ ଲକ୍ଷରୁ କାମ (୪୮୧, ୩୫୮) ବ୍ୟକ୍ତିଗତ ଜମି-ମାଲିକ ପରିବାରଙ୍କ ପାଖରେ । ଏଇ ପରିବାରଙ୍କ ଭିତରୁ ଅଧେ ହେଉଛନ୍ତି ଛୋଟ ଛୋଟ ଜମି ମାଲିକ । ଏମାନଙ୍କର, ପ୍ରତ୍ୟେକଙ୍କର ଜମି ୧୦ ଡେସିଟିନ୍ ଠାରୁ କମ୍‍ । ଆଉ ଏମାନେ ସମସ୍ତେ ମିଶିଲେ ସର୍ବମୋଟ ୧୦ ଲକ୍ଷ ଡେସିଟିନ୍ ଜମି ଏମାନଙ୍କ ପାଖେ ରହୁଛି । ଅନ୍ୟ ଦିଗରେ ୧୬ ହଜାର ପରିବାର, ପ୍ରତ୍ୟେକ ଏକ ହଜାରରୁ ଉର୍ଦ୍ଧ୍ୱ ଡେସିଟିନ୍ ଜମିର ମାଲିକ, ଆଉ ସର୍ବମୋଟ ୬୫୦ ଲକ୍ଷ ଡେସିଟିନ୍ ଜମିର ମାଲିକ ସେମାନେ । ଏ ହିସାବରୁ ଜଣାଯାଏ ଯେ ଏକ ହଜାରରୁ ସାମାନ୍ୟ ଊଣା ପରିବାରସବୁ (୯୨୪) ପ୍ରତ୍ୟେକେ ୧୦ ହଜାରରୁ ଉର୍ଦ୍ଧ ଡେସିଟିନ୍ ଜମିର ମାଲିକ, ଆଉ ସମସ୍ତେ ମିଶି ୨୭୦ ଲକ୍ଷ ଡେସିଟିନ୍ ଜମି ଦଖଲ କରନ୍ତି । କି ବିପୁଳ ବିରାଟ ପରିମାଣରେ ଜମି ବଡ଼ ଜମିଦାରଙ୍କ ହାତରେ ଠୁଳ ହୋଇଛି ! ୨୦ ଲକ୍ଷ କୃଷକ ପରିବାରଙ୍କର ଯେତେ ଜମି ଅଛି, କେବଳ ଏକ ହଜାର ପରିବାର ସେତିକି ଜମିର ମାଲିକ ।

 

ଫଳରେ ଲକ୍ଷ ଲକ୍ଷ, କୋଟି କୋଟି ଲୋକ ଦୁଃଖ, ଦୈନ୍ୟ, ଅନାହାରରେ ବାସ କରିବାକୁ ବାଧ୍ୟ ଏବଂ ଯେତେ ଦିନଯାଏ ଏଇ କେତେକ ହଜାର ମୁଷ୍ଟିମେୟ ଧନୀ ପରିବାର ବିପୁଳ ଜମିର ମାଲିକ ହୋଇ ରହିଛନ୍ତି, ସେତେଦିନଯାଏ ସେଇ କୋଟି କୋଟି ଲୋକେ ଦୁଃଖ, ଦୈନ୍ୟ, ଅନାହାର ଭିତରେହିଁ ବାସ କରୁଥିବେ । ଏହା ମଧ୍ୟ ପରିଷ୍କାର ଯେ, ରାଷ୍ଟ୍ର କର୍ତ୍ତୃପକ୍ଷ, ସରକାର (ଏପରିକି ଜାର ସରକାର) ସଦାସର୍ବଦା ଏଇ ବଡ଼ ଜମିମାଲିକଙ୍କ ଇସାରାରେ ନାଚୁଥିବ । ଏହା ମଧ୍ୟ ପରିଷ୍କାର ଯେ, ଗ୍ରାମାଞ୍ଚଳର ଦରିଦ୍ର ଲୋକେ ଯେତେଦିନ ପର୍ଯ୍ୟନ୍ତ ଏକଯୁଟ ନ ହୋଇଛନ୍ତି, ଜମିଦାର ଶ୍ରେଣୀ ବିରୁଦ୍ଧରେ ଦୃଢ଼ ଓ କଠୋର ସଂଗ୍ରାମ ଚଳାଇବା ଲାଗି ଗୋଟିଏ ଶ୍ରେଣୀରେ ସମବେତ ନ ହୋଇଛନ୍ତି, ସେତେଦିନ ପର୍ଯ୍ୟନ୍ତ ସେମାନେ କାହାଠାରୁ ବା କୌଣସି ସ୍ଥାନରୁ କୌଣସି ସାହାଯ୍ୟ ଆଶା କରି ନ ପାରନ୍ତି ।

 

ଏଇଠି, ଆମେ ଦେଖିବା ଯେ ଆମ ଦେଶରେ (ଅନେକ ଶିକ୍ଷିତ ଲୋକଙ୍କ ସମେତ) ବହୁ ଲୋକଙ୍କର ଜମିଦାର ଶ୍ରେଣୀର ଶକ୍ତି ବା ବଳ ସଂପର୍କରେ ପୂରାପୂରି ଗୋଟାଏ ଭୁଲ ଧାରଣା ରହିଛି । ସେମାନେ କହନ୍ତି ଯେ "ରାଷ୍ଟ୍ର" ହାତରେ ଆହୁରି ଅଧିକ ଜମି ଅଛି । କୃଷକମାନଙ୍କର ଏଇ କୁପରାମର୍ଶଦାତାଗଣ କହନ୍ତି : "ରୁଷ ଅଞ୍ଚଳର (ଅର୍ଥାତ ଜମିର) ଗୋଟାଏ ବିରାଟ ଭାଗ ଆଗରୁ ରାଷ୍ଟ୍ର କର୍ତ୍ତୃତ୍ଵରେ ରହିଛି ।" (ଏଇ ବିଷୟଟି 'ରିଭଲ୍ୟୁସନାୟା ରସିଆ' ସମ୍ବାଦପତ୍ରର ନଂ୮, ପୃଷ୍ଠା ୮ ରୁ ଗୃହୀତ) ସେ ଲୋକମାନଙ୍କର ଉକ୍ତ ଭ୍ରମଧାରଣ ନିମ୍ନ ଭବନରୁ ଜାତ । ସେମାନେ ଶୁଣିଛନ୍ତି ଯେ, ରୁଷର ୟୁରୋପୀୟ ଅଞ୍ଚଳରେ ୧୫୦, ୦୦୦, ୦୦୦ ଡେସିଟିନ୍ ଜମି ରାଷ୍ଟ୍ର ହାତରେ ଅଛି-। ଏହା ଠିକ କଥା । କିନ୍ତୁ ସେମାନେ ଭୁଲିଯାଆନ୍ତି ଯେ ଏଇ ୧୫୦, ୦୦୦, ୦୦୦, ଡେସିଟିନ୍‍ ହେଉଛି ଆରଖାଏଙ୍ଗେଲସ୍କ, ଭେଲଗଦା, ଓଲନେଟ୍‍ସ ଭ୍ୟାଟ୍‍କା ଓ ପେର୍ମଗୁବେରନାର ସୁଦୂର ଉତ୍ତରାଞ୍ଚଳରେ ଥିବା ପ୍ରାୟ ପୁରାପୁରି ଜଙ୍ଗଲ ଓ ପରଂ ପୋକ ଜମି । ଅତଏବ, ରାଷ୍ଟ୍ର ହାତରେ କେବଳ ସେଇସବୁ ଜମି ରହିଛି, ଯାହା କି ବର୍ତ୍ତମାନ ପର୍ଯ୍ୟନ୍ତ ଆବାଦ ଲାଗି ଯୋଗ୍ୟ ନୁହଁ-। ରାଷ୍ଟ୍ର ହାତରେ ଥିବା ଆବାଦଯୋଗ୍ୟ ଜମିର ପରିମାଣ ହେଲା ୪୦ ଲକ୍ଷ ଡେସିଟିନରୁ ଊଣା-। ରାଷ୍ଟ୍ରର ଏଇସବୁ ଜମି (ଦୃଷ୍ଟାନ୍ତ ସ୍ୱରୂପ, ଯାହାକି ବିଷେଷକରି ସାମରା ଗୁବେରିନାରେ ବ୍ୟାପକଭାବେ ରହିଛି) ଅତି କମ ଦରରେ, କହିବାକୁ ଗଲେ ବିନା ପଇସାରେ ଧନୀ ଲୋକଙ୍କୁ ପଟ୍ଟା ଦିଆଯାଇଛି । ଧନୀଲୋକେ ଏଇସବୁ ହଜାର ହଜାର, ଲକ୍ଷ ଲକ୍ଷ ଡେସିଟିନ୍ ଜମି ପଟ୍ଟା ନେଇ, ତାକୁ ଅତ୍ୟଧିକ ଖଜଣାରେ କୃଷକମାନଙ୍କୁ ପୁଣି ଲଗାଇ ଦେଇଛନ୍ତି ।

 

ତେଣୁ ଯେଉଁ ଲୋକେ କହନ୍ତି ରାଷ୍ଟ୍ର ହାତରେ ବହୁ ଜମି ରହିଛି, ସେମାନେ କୃଷକମାନଙ୍କର କୁ ପରାମର୍ଶଦାତା । ପ୍ରକୃତ ଘଟଣା ହେଲା, ବୃହତ ବ୍ୟକ୍ତିଗତ ଜମିମାଲିକମାନେ (ଖୋଦ ଜାରା ସମେତ) ବହୁତ ଗୁଡ଼ାଏ ଭଲ ଭଲ ଜମିର ମାଲିକ, ଖୋଦ ରାଷ୍ଟ୍ରଟା ଏଇସବୁ ବଡ଼ ଜମିମାଲିକଙ୍କ ହାତରେ । ଯେପର୍ଯ୍ୟନ୍ତ ଗ୍ରାମାଞ୍ଚଳ ଦରିଦ୍ର ଲୋକେ ଏକଯୁଟ ହୋଇନାହାନ୍ତି ଓ ଏକତାବଦ୍ଧ ହେବା ଦ୍ୱାରା ଏକ ଦୃଢ଼ ବଳିଷ୍ଠ ଶକ୍ତି ହୋଇନାହାନ୍ତି ସେପର୍ଯ୍ୟନ୍ତ "ରାଷ୍ଟ୍ର" ସଦାସର୍ବଦା ଜମିଦାର ଶ୍ରେଣୀର ବିଶ୍ଵସ୍ଥ ସେବକ ହୋଇ ରହିଥିବା । ଆଉ ଗୋଟିଏ କଥା ଭୁଲିଯିବା ଉଚିତ ନୁହେଁ । ପୂର୍ବରୁ ପ୍ରାୟ ସମସ୍ତ ଜମିଦାର, ସାମନ୍ତ ହୋଇ ରହିଥିଲେ । ସଂଭ୍ରାନ୍ତ ଶ୍ରେଣୀର ଲୋକେ ଏବେ ବିରାଟ ପରିମାଣ ଜମିର ମାଲିକ, (୧୮୭୭-୧୮୭୮) ରେ ୧୧୫, ୦୦୦ ସଂଭ୍ରାନ୍ତ ଲୋକେ ୭୩, ୦୦୦, ୦୦୦ ଡେସିଟିନ୍ ଜମି ରଖିଥିଲେ) କିନ୍ତୁ ଆଜି ଅର୍ଥ, ଟଙ୍କା, ପୁଞ୍ଜି ଶାସକ ଶକ୍ତି ହେଲାଣି । ବଣିକ ବ୍ୟବସାୟୀ ଓ ଅବସ୍ଥାପନ୍ନ କୃଷକମାନେ ବହୁ ପରିମାଣର ଜମି କିଣିଛନ୍ତି । ହିସାବରୁ ଜଣାଯାଏ ଯେ (୧୮୬୩ରୁ ୧୮୯୨) ତିରିଶ ବର୍ଷ ମଧ୍ୟରେ ସଂଭ୍ରାନ୍ତ ଲୋକେ ୬୦ କୋଟି ରୁବଲ ମୂଲ୍ୟରୁ ଉର୍ଦ୍ଧ୍ୱ ଜମି ହରାଇଛନ୍ତି (ଅର୍ଥାତ୍ ଯାହା କିଣିଛନ୍ତି ତା' ଅପେକ୍ଷା ଅଧିକା ବିକିଛନ୍ତି) ବଣିକ ବ୍ୟବସାୟୀ ଓ ସମ୍ମାନିତ ନାଗରିକମାନେ ୨୫ କୋଟି ରୁବଲ ମୂଲ୍ୟର ଜମି କିଣିଛନ୍ତି । କୃଷକ, କସାକ୍ ଓ "ଅନ୍ୟ ଗ୍ରାମବାସୀମାନେ" (ଆମ ସରକାର ଯେଉଁ ସାଧାରଣ ଲୋକଙ୍କୁ "ଖାନଦାନ" ଓ "ପରିଚ୍ଛନ୍ନ ଲୋକଙ୍କ" ଠାରୁ ପୃଥକ କରିବାଲାଗି ଏଇ ଆଖ୍ୟା ଦେଇଥାଏ) ୩୦ କୋଟି ରୁବଲ ମୂଲ୍ୟ ଯାଏ ଜମି କିଣିଛନ୍ତି । ଅତଏବ, ହାରାହାରି ପ୍ରତ୍ୟେକ ବର୍ଷ ସାରା ରୁଷର କୃଷକମାନେ ବ୍ୟକ୍ତିଗତ ସମ୍ପତ୍ତି ଭାବରେ ଏକ କୋଟି ରୁବଲ ମୂଲ୍ୟର ଜମି ହାସଲ କରୁଛନ୍ତି ।

 

ତେଣୁ ବିଭିନ୍ନ ପ୍ରକାରର କୃଷକ ଅଛନ୍ତି; କେତେକ ଦୁଃଖ, ଦୈନ୍ୟ, ଅନାହାରରେ ବାସ କରନ୍ତି, ଅନ୍ୟମାନେ ଧନୀ ହୋଇଉଠନ୍ତି । ଏହା ଫଳରେ ଧନୀ କୃଷକ, ଯେଉଁମାନେ କି ଜମିଦାରଙ୍କ ଆଡ଼କୁ ଢଳିବେ ଆଦମ ଯେଉଁମାନେ ଶ୍ରମିକଙ୍କ ବିରୁଦ୍ଧରେ ଧନୀଙ୍କର ପକ୍ଷ ନେବେ, ତାଙ୍କ ସଂଖ୍ୟା ବଢ଼ୁଛି । ଗାଁର ଦରିଦ୍ର ଲୋକ, ଯେଉଁମାନେ କି ସହରର ଶ୍ରମିକଙ୍କ ସହିତ ଏକଯୁଟ ହେବାକୁ ଚାହାନ୍ତି ସେମାନେ ଏ ବିଷୟଟିକୁ ଭଲଭାବେ ଚିନ୍ତା କରିବା ଉଚିତ ଏବଂ ଦେଖିବାକୁ ହେବ ଏପ୍ରକାର ଧନୀ କୃଷକ ବେଶି ଅଛନ୍ତି କି ନାହିଁ, ସେମାନେ କେତେଦୂର ଶକ୍ତିଶାଳୀ ଏବଂ ସେଇ ଶକ୍ତି ବିରୁଦ୍ଧରେ ଲଢ଼ିବାପାଇଁ ଆମକୁ କେଉଁ ପ୍ରକାରର ଏକତା ଦରକାର । ଆମେ ଏବେ କୃଷକଙ୍କ କୁପରମର୍ଶଦାତାମାନଙ୍କ କଥା କହିଲୁ । ସେଇସବୁ କୁପରାମର୍ଶଦାତା କହନ୍ତି ଯେ କୃଷକମାନଙ୍କର ସେପରି ଏକ ଏକତା ଆଗରୁ ରହିଛି । ଉକ୍ତ ଏକତା ହେଲା ମିର୍ ବା ଗ୍ରାମ୍ୟଗୋଷ୍ଠୀ । ସେମାନେ କହନ୍ତି ମିର୍ ଗୋଟାଏ ବିରାଟ ଶକ୍ତି । ମିର୍ ମାଧ୍ୟମରେ କୃଷକମାନଙ୍କର ଏ ସଙ୍ଗଠନ (ଅର୍ଥାତ୍ ସଂଘ, ଏକତା) ଅତି ବିଶାଳ (ଅର୍ଥାତ୍ ବିପୁଳ, ଅସୀମ) ।

 

ତାହା ଭୁଲ । ତାହା ଏକ ପରିରାଇଜର କାହାଣୀ । ପରିରାଇଜର ଏ କାହାଣୀ ଦୟାଳୁ-ହୃଦୟ ବ୍ୟକ୍ତିମାନେ ଗଢ଼ିଛନ୍ତି, ହେଲେହେଁ ତାହା କାଳ୍ପନିକ । ଯଦି ଆମେ ଏଇ ମନଗଢ଼ା କାହାଣୀକୁ ଶୁଣୁ, ତେବେ ଆମର ଲକ୍ଷ୍ୟ, ଗ୍ରାମର ଗରିବ ଲୋକଙ୍କୁ ସହରର ଶ୍ରମିକଙ୍କ ସହିତ ଏକଯୁଟ କରିବାର ଲକ୍ଷ୍ୟକୁ କେବଳ ପଣ୍ଡ କରିବା । ଗାଁ'ର ପ୍ରତ୍ୟେକ ବାସିନ୍ଦା ଚାରିଆଡ଼କୁ ଭଲଭାବେ ଅନାଉ, ଦେଖୁ, ଯେଉଁମାନେ ଅନ୍ୟ ଲୋକଙ୍କ ପରିଶ୍ରମ ଉପରେ ବଞ୍ଚନ୍ତି, ସେଇସବୁ ଧନୀଙ୍କ ବିରୁଦ୍ଦରେ ଲଢ଼ିବାଲାଗି କଣ ମିର୍ ର ଏକତା, କଣ କୃଷକଗୋଷ୍ଠୀ ଗରିବ କୃଷକମାନଙ୍କର କୌଣସି ଗୋଟାଏ ଇଉନିଅନ ? ନା, ଏହା ତା'ନୁହେଁ, ହୋଇପାରେ ନା । ପ୍ରତ୍ୟେକ ଗାଁ'ରେ, ପ୍ରତ୍ୟେକ ଗ୍ରାମ୍ୟଗୋଷ୍ଠୀ ଭିତରେ ଅନେକ ମୁଲିଆ ମଜୁରିଆ, ଅନେକ ନିଃସ୍ୱ, ସର୍ବସ୍ୱାନ୍ତ କୃଷକ ଅଛନ୍ତି, ଆଉ ମଧ୍ୟ ଧନୀ କୃଷକ ଅଛନ୍ତି, ଯେଉଁମାନେ କି ମୂଲିଆ ଲାଗନ୍ତି ଓ "ଯାବତ୍ ଚନ୍ଦ୍ରାର୍କେ" ଜମି କିଣନ୍ତି । ଏଇସବୁ ଧନୀ କୃଷକ ମଧ୍ୟ ଗ୍ରାମ୍ୟଗୋଷ୍ଠୀର ସଭ୍ୟ, ଆଉ ଏଇମାନେ ହେଉଛନ୍ତି ଗ୍ରାମ୍ୟଗୋଷ୍ଠୀର କର୍ତ୍ତା, କାରଣ ସେମାନେ ହେଉଛନ୍ତି ଗୋଟାଏ ଶକ୍ତି । କିନ୍ତୁ ଆମେ କ'ଣ ଏପରି ଏକ ଇଉନିଅନ ଚାହୁଁ, ଯେଉଁଠିକି ଧନୀ ରହିବେ, ଯାହା ଉପରେକି ଧନୀ କର୍ତ୍ତାଗିରି କରିବେ ? ଅବଶ୍ୟ, ତା' ନୁହେଁ । ଧନୀଙ୍କ ବିରୋଧରେ ଲଢ଼ିବାଲାଗି ଆମର ଇଉନିଅନ (ବା ଏକତା) ଦରକାର । ଅତଏବ, ଏ ମିର୍ ର ଏକତା (ବା ଇଉନିଅନ) ଆମ ପାଇଁ ନିରର୍ଥକ ।

 

ଆମେ ଦରକାର କରୁ ଏକ ସ୍ୱେଚ୍ଛାମୂଳକ ଇଉନିଅନ, ସହରର ଶ୍ରମିକଙ୍କ ସହିତ ଏକଯୁଟ ହେବାକୁ ହେବ, ଏହା ଯେଉଁ ଲୋକେ ହୃଦୟଙ୍ଗମ କରିଛନ୍ତି କେବଳ ସେହି ଲୋକଙ୍କର ଇଉନିଅନ । ଗ୍ରାମ୍ୟଗୋଷ୍ଟୀ ଏକ ସ୍ୱେଚ୍ଛାମୂଳକ ଇଉନିଅନ ନୁହେଁ, ତାହା ରାଷ୍ଟ୍ର ଦ୍ୱାରା ବାଧ୍ୟତାମୂଳକ ଭାବେ ଲଦି ଦିଆହୋଇଛି । ଯେଉଁ ଲୋକେ ଧନୀଙ୍କ ପାଇଁ କାମ କରନ୍ତି ଆଉ ଧନୀଙ୍କ ବିରୁଦ୍ଧରେ ଲଢ଼ିବାଲାଗି ଏକଯୁଟ ହେବାକୁ ଚାହାନ୍ତି, ସେପରି ଲୋକଙ୍କୁ ନେଇ ଗ୍ରାମ୍ୟଗୋଷ୍ଠୀ ଗଠିତ ହୋଇନାହିଁ । ଗ୍ରାମ୍ୟଗୋଷ୍ଠୀ ସବୁ ପ୍ରକାରର ଲୋକଙ୍କୁ ନେଇ ଗଠିତ, ତାର କାରଣ ନୁହେଁ ଯେ ସେମାନେ ସେଥିରେ ରହିବାକୁ ଚାହାନ୍ତି । କାରଣ ହେଲା ତାଙ୍କର ବାପାମା ସେଇ ଏକ ଜମିରେ ବସବାସ କରି ରହିଥିଲେ, ସେଇ ଏକ ଜମିଦାରର କାମ କରୁଥିଲେ, କାରଣ କର୍ତ୍ତୃପକ୍ଷ ସେମାନଙ୍କୁ ଉକ୍ତ ଗୋଷ୍ଠୀର ସଭ୍ୟ ଭାବେ ରେଜିଷ୍ଟ୍ରି କରିଛନ୍ତି । ଗରିବ କୃଷକମାନଙ୍କର ଗ୍ରାମ୍ୟଗୋଷ୍ଠୀ ଛାଡ଼ି ଚାଲିଯିବା ଦିଗରେ ସ୍ୱାଧୀନତା ନାହିଁ, ଯେଉଁ ଲୋକଙ୍କୁ ପୁଲିସ ଅନ୍ୟ ଏକ ଭୋଲଷ୍ଟରେ ରେଜିଷ୍ଟ୍ରି କରିଛି, ଅଥଚ ଆମର ଇଉନିଅନ ଲାଗି ଆମର ନିର୍ଦ୍ଦିଷ୍ଟ ଗ୍ରାମରେ ଯେଉଁ ଲୋକଙ୍କୁ ଆମେ ଚାହୁଁ ସେପରି ଲୋକଙ୍କୁ ସେମାନେ ଗୋଷ୍ଠୀରେ ନେବା ଦିଗରେ ସ୍ୱାଧୀନ ନୁହନ୍ତି । ଆମେ ସେପରି ଇଉନିଅନ ଚାହୁଁ ନାହିଁ । ଆମେ ଏକ ଭିନ୍ନ ପ୍ରକାର ଇଉନିଅନ ଚାହୁଁ, କେବଳ ମଜୁରିଆ ମୂଲିଆ ଓ ଗରିବ କୃଷକଙ୍କୁ ନେଇ ଗଠିତ ସ୍ଵେଛାମୂଳକ ଇଉନିଅନ ଆମେ ଚାହୁଁ, ଯେଉଁମାନେ ଅନ୍ୟର ଶ୍ରମ ଉପରେ ବଞ୍ଚନ୍ତି ସେମାନଙ୍କ ବିରୁଦ୍ଧରେ ଲଢ଼ିବାକୁ ।

 

ମିର୍ ଯେତେବେଳେ ଏକ ଶକ୍ତି ହୋଇ ରହିଥିଲା, ସେ କାଳ ବହୁ ଦିନୁ ଗଲାଣି, ଆଉ କେବେହେଲେ ଫେରିବ ନାହିଁ । ମିର୍ ଏକ ଶକ୍ତି ହୋଇଥିଲା, ଯେତେବେଳ କୌଣସି ଧନୀ କୃଷକ ନଥିଲା, ସମସ୍ତେ ସମାନ ଭାବରେ ସାମନ୍ତବାଦୀ ଜମିଦାରଙ୍କ ଦ୍ଵାରା ଦଳିତ ହୋଇ ରହିଥିଲେ । କିନ୍ତୁ ବର୍ତ୍ତମାନ ପ୍ରଧାନ ଶକ୍ତି ହୋଇଛି ଅର୍ଥ, ସେଇ ଏକ ଗୋଷ୍ଠୀର ସଭ୍ୟମାନେ ଅର୍ଥ ପାଇଁ ଆପଣା ଆପଣା ମଧ୍ୟରେ ବନ୍ୟ-ପଶୁ ଭଳି ଲଢ଼ୁଛନ୍ତି । ଧନୀ କୃଷକମାନେ ବେଳେବେଳେ ତାଙ୍କର ସଙ୍ଗୀ କୃଷକମାନଙ୍କୁ ଜମିଦାରଙ୍କ ଅପେକ୍ଷା ଅଧିକ ଜଘନ୍ୟ ଲୁଣ୍ଠନ, ଅତ୍ୟାଚାର କରନ୍ତି । ବର୍ତ୍ତମାନ ଆମେ ଯା' ଚାହୁଁ, ତା' ମିର୍ ର ଏକତା ନୁହେଁ, ମୁଦ୍ରା ବା ଧନର ବଳ ବିରୁଦ୍ଧରେ, ପୁଞ୍ଜିର ଶାସନ ବିରୁଦ୍ଧରେ ବିଭିନ୍ନ ଗୋଷ୍ଠୀର ସମସ୍ତ ଗ୍ରାମ୍ୟ ମୂଲିଆ ମଜୁରିଆଙ୍କର ଓ ସମସ୍ତ ଗରିବ କୃଷକଙ୍କର ଇଉନିଅନ (ବା ଏକତା); ଜମିଦାର ଓ ଧନୀ କୃଷକ ଉଭୟଙ୍କ ବିରୁଦ୍ଧରେ ଲଢ଼ିବାଲାଗି ସହରର ଶ୍ରମିକମାନଙ୍କ ସହିତ ସମସ୍ତ ଗ୍ରାମ୍ୟ ଦରିଦ୍ରମାନଙ୍କର ଇଉନିଅନ (ବା ଏକତା) ।

 

ଆମେ ଦେଖିଛେ ଜମିଦାରଗଣ କେତେଦୂର ଶକ୍ତିଶାଳୀ । ଏବେ ଆମେ ଦେଖିବା କେତେ ବେଶୀ ଧନୀ ଚାଷୀ ଅଛନ୍ତି ଓ ସେମାନେ କେତେଦୂର ଶକ୍ତିଶାଳୀ ।

 

ଆମେ ଜମିଦାରଙ୍କ ବଳକୁ ତାଙ୍କ ଜମିଦାରୀର ଆକାର ଆୟତନ ଓ ତାଙ୍କ ପାଖରେ ଥିବା ଜମିର ପରିମାଣରୁ ମାପିଥାଉ । ଜମିଦାରମାନେ ଅବାଧରେ ଜମି ହସ୍ତାନ୍ତର କରିପାରନ୍ତି, ସେମାନେ ଅବାଧରେ ଜମି କିଣନ୍ତି ଓ ବିକନ୍ତି । ସେଇ କାରଣରୁ, ସେମାନଙ୍କ ହାତରେ ଥିବା ଜମିର ପରିମାଣରୁ ତାଙ୍କର ବଳ ଅତି ସଠିକଭାବେ ବିଚାର କରିବା ସମ୍ଭବ । କିନ୍ତୁ କୃଷକମାନଙ୍କ ପକ୍ଷରେ ସ୍ଵାଧୀନଭାବେ ଜମି ହସ୍ତାନ୍ତର କରିବାର ଅଧିକାର ଏବେ ବି ନାହିଁ । ସେମାନେ ଏବେ ବି ଅର୍ଦ୍ଧ ଭୂଦାସ, ସେମାନଙ୍କ ଗ୍ରାମ୍ୟଗୋଷ୍ଠୀ ସହିତ ବନ୍ଧା । ତେଣୁ ଧନୀ କୃଷକର ବଳ ସେମାନଙ୍କୁ ସରକାର ଦେଇଥିବା ଜମିରୁ କଳି ହେବନାହିଁ । ଧନୀ କୃଷକମାନେ ତାଙ୍କୁ ସରକାର ଦ୍ୱାରା ଦିଆଯାଇଥିବା ଜମି ଦ୍ୱାରା ଧନୀ ହୋଇଉଠନ୍ତି ନାହିଁ, ସେମାନେ ବହୁ ପରିମାଣରେ ଜମି କିଣନ୍ତି "ଯାବତ୍ ଚନ୍ଦ୍ରାର୍କେ" (ଅର୍ଥାତ୍ ତାଙ୍କର ବ୍ୟକ୍ତିଗତ ସମ୍ପତ୍ତି ଭାବରେ) ଏବଂ "ବହୁ ବର୍ଷ ଲାଗି (ଅର୍ଥାତ୍ ପଟ୍ଟାରେ) କିଣନ୍ତି । ସେମାନେ ଜମିଦାରଙ୍କଠାରୁ, ତାଙ୍କର ସଙ୍ଗୀ କୃଷକଠାରୁ, ଯେଉଁ କୃଷକମାନେ ଛାଡ଼ିଦିଅନ୍ତି ଏବଂ ଯେଉଁମାନେ ଅଭାବର ତାଡ଼ନାରେ ବାଧ୍ୟହୋଇ ତାଙ୍କର ଚାଷବନ୍ଦୀ ଛାଡ଼ନ୍ତି, ତାଙ୍କଠାରୁ ଜମି କିଣିଥାନ୍ତି । ଅତଏବ ଧନୀ, ମଧ୍ୟବିତ୍ତ ଓ ଗରିବ କୃଷକକୁ ତାଙ୍କ ପାଖରେ ଥିବା ଘୋଡ଼ାର ସଂଖ୍ୟା ଅନୁସାରେ ସେମାନଙ୍କୁ ଭାଗ ଭାଗ କରିବା ଅଧିକ ଠିକ ହେବ । ଜଣେ କୃଷକ ଯା'ର ଅଧିକ ଘୋଡ଼ା ଅଛି, ସେ ପ୍ରାୟ ସର୍ବଦା ଏକ ଧନୀ କୃଷକ ହୋଇ ରହିବ । ତା'ପାଖରେ ଯଦି ଚାଷକରୁଥିବା ପଶୁ ବହୁସଂଖ୍ୟାରେ ଥାଆନ୍ତି, ତେବେ ଜଣାଯିବ ଯେ ସେ ବହୁ ଜମି ଚାଷ କରେ, ତା'ର ଗୋଷ୍ଠୀଜମି ଛଡ଼ା ଆଉ ଅଧିକା ଜମି ତା'ର ଅଛି, ପୁଣି ସେ ଅର୍ଥ ସଞ୍ଚୟ କରିପାରିଚି-। ଆଉ ବି ସମଗ୍ର ରୁଷରେ (ସାଇବେରିଆ ବାକକେସସ୍ କୁ ଛାଡ଼ି ରୁଷର ଇଉରୋପୀୟ ଅଞ୍ଚଳରେ) ବହୁ ଘୋଡ଼ା ଥିବା କୃଷକମାନଙ୍କ ସଂଖ୍ୟା ଆମେ ହିସାବ କରିବାର ଅବସ୍ଥାରେ ଅଛୁ-। ଅବଶ୍ୟ ଭୁଲିଗଲେ ହେବ ନାହିଁ ଯେ କେବଳ ହାରାହାରି ଭାବରେ ଆମେ ସମସ୍ତ ରୁଷ ସମ୍ବନ୍ଧରେ କହିପାରୁ : ବିଭିନ୍ନ ୟୁଏଜେଡ୍ ଓ ଗ୍ଲୁବେରିନା ନାହୁଁ ପରିମାଣରେ ଭିନ୍ନ ଭିନ୍ନ । ଦୃଷ୍ଟାନ୍ତସ୍ୱରୂପ, ଆମେ ଅନେକ ସମୟରେ ଦେଖୁ, ସହର ପାଖାପାଖି ଧନୀ ଚାଷୀ ଅଛନ୍ତି, ଯାହାଙ୍କର କି ଖୁବ୍ କମ୍ ଘୋଡ଼ା ଅଛି । ସେମାନଙ୍କ ମଧ୍ୟରୁ କେତେକ ବଜାର ପାଇଁ ପନିପରିବା କରିବାରେ ବ୍ୟସ୍ତ–କାରଣ ଏହା ବେଶ୍ ଏକ ଲାଭଜନକ ବ୍ୟବସାୟ । ଅନ୍ୟମାନେ ଅଳ୍ପ କେତେକ ଘୋଡ଼ା ରଖନ୍ତି, କିନ୍ତୁ ବହୁତ ଗାଈ ପାଳିଥାନ୍ତି, ଦୁଧ ବିକନ୍ତି । ରୁଷର ସବୁ ଅଞ୍ଚଳରେ କୃଷକ ମଧ୍ୟ ରହିଛନ୍ତି, ଯେଉଁମାନକି କୃଷିରୁ ଅର୍ଥ ଉପାର୍ଜ୍ଜନ କରନ୍ତି ନାହିଁ, ବେପାରବଣିଜରେ ଲାଗିଥାନ୍ତି । ସେମାନେ ଦୁଧରୁ ଲହୁଣି ତିଆରି କାରଖାନା ଖୋଲନ୍ତି, ଅଟାକଳ ବସାନ୍ତି ଏବଂ ଅନ୍ୟାନ୍ୟ ଧନ୍ଦାରେ ଲାଗନ୍ତି । ଯେଉଁମାନେ ମଫସଲରେ ବାସ କରନ୍ତି, ସେମାନେ ତାଙ୍କ ଗାଁ' ଓ ଜିଲାର ଧନୀ କୃଷକଙ୍କୁ ଜାଣନ୍ତି । କିନ୍ତୁ ଆମେ ଜାଣିବାକୁ ଚାହୁଁ, ସମଗ୍ର ରୁଷରେ ସେମାନଙ୍କ ସଂଖ୍ୟା କେତେ ଓ ସେମାନେ କେତେଦୂର ଶକ୍ତିଶାଳୀ-। ତାହାହେଲେ ଗରିବ କୃଷକକୁ ଆଉ ଅନୁମାନ ଉପରେ ନିର୍ଭର କରିବାକୁ ପଡ଼ିବ ନାହିଁ, ଏକପ୍ରକାର ଆଖିବୁଜି ଚାଲିବାକୁ ହେବ ନାହିଁ । ସେମାନେ ତାଙ୍କର ବନ୍ଧୁ ଓ ଶତ୍ରୁମାନକୁ ଠିକ୍ ଠିକ୍ ଭାବେ ଚିହ୍ନିପାରିବେ ।

 

ଆଚ୍ଛା, ତାହାହେଲେ ଆସ ଆମେ ଦେଖିବା, କେତେ ବେଶୀ ଧନୀ ବା ଗରିବ ଅଛନ୍ତି, ଯେଉଁମାନଙ୍କ ପାଖରେ ଘୋଡ଼ା ଅଛି । ଆମେ ଆଗରୁ କହିସାରିଛୁ ଯେ ରୁଷରେ ମୋଟ ଚାଷୀ ପରିବାର ସଂଖ୍ୟା ପ୍ରାୟ ଏକ କୋଟି ବୋଲି ଅଟକଳ ହୋଇଛି । ସେ ସମସ୍ତଙ୍କର ଘୋଡ଼ା ସଂଖ୍ୟା ସମ୍ଭବତଃ ୧୪୦ ଲକ୍ଷ ହେବ । (ଚଉଦ ବର୍ଷ ତଳେ ଘୋଡ଼ା ସଂଖ୍ୟା ଥଲେ ୧୭୦ ଲକ୍ଷ, କିନ୍ତୁ ବର୍ତ୍ତମାନ ତାହା କମିଯାଇଛି) । ଅତଏବ, ପ୍ରତ୍ୟେକ ୧୦ଟି ପରିବାର ପାଖରେ ୧୫ଟି ଘୋଡ଼ା ଅଛନ୍ତି । କିନ୍ତୁ ଅସଲ କଥାଟି ହେଲା, ସେମାନଙ୍କ ମଧ୍ୟରୁ କେତେକ, ଅଳ୍ପ କେତେକଙ୍କ ପାଖରେ ଅନେକ ଘୋଡ଼ା ଅଛି, ଆଉ ଅନ୍ୟମାନଙ୍କ ପାଖରେ-ଖୁବ ବେଶୀ ଲୋକଙ୍କ ପାଖରେ- ଗୋଟିଏ ହେଲେ ଘୋଡ଼ା ନାହିଁ । ଅନ୍ତତଃ ୩୦ ଲକ୍ଷ ଘୋଡ଼ାହୀନ କୃଷକ ଅଛନ୍ତି ଓ ୩୫ ଲକ୍ଷ କୃଷକ ପରିବାରରେ ପ୍ରତ୍ୟେକଙ୍କର କେବଳ ଗୋଟିଏ ଲେଖାଏଁ ଘୋଡ଼ା ଅଛି । ଏଇସବୁ ହୁଏତ ଅତିମାତ୍ରାରେ ନିଃସ୍ୱ ସର୍ବସ୍ୱାନ୍ତ କିମ୍ବା ଅତ୍ୟନ୍ତ ଦରିଦ୍ର କୃଷକ । ଆମେ ଏମାନଙ୍କୁ ଗ୍ରାମର ଦରିଦ୍ର କହିଥାଉ । ଏକ କୋଟି ମଧ୍ୟରୁ ସେମାନଙ୍କ ସଂଖ୍ୟା ହେଲା ୬୫ ଲକ୍ଷ, ଅର୍ଥାତ ପ୍ରାୟ ଦୁଇ ତୃତୀୟାଂଶ । ତା'ପରେ ଆସନ୍ତି ମଧ୍ୟବିତ୍ତ କୃଷକ, ଯେଉଁମାନେ କି ପ୍ରତ୍ୟେକେ ଦୁଇଟି ଲେଖାଏଁ ଘୋଡ଼ା ରଖିଛନ୍ତି । ଏପରି କୃଷକ ପରିବାର ସଂଖ୍ୟା ହେଲା ପ୍ରାୟ ୨୦ ଲକ୍ଷ, ସେମାନଙ୍କର ମୋଟ ଘୋଡ଼ା ସଂଖ୍ୟା ପ୍ରାୟ ୪୦ ଲକ୍ଷ । ତା'ପରେ ଆସନ୍ତି ଧନୀ କୃଷକ । ତାଙ୍କର ପ୍ରତ୍ୟେକଙ୍କର ଏକ ହଳରୁ ଅଧିକ ଘୋଡ଼ା ରହିଛି । ଏପରି ପରିବାରଙ୍କ ସଂଖ୍ୟା ହେଲା ୧୫ ଲକ୍ଷ, କିନ୍ତୁ ସେମାନେ ସମସ୍ତେ ମୋଟାମୋଟି ୭୫ ଲକ୍ଷ ଘୋଡ଼ା ରଖିଛନ୍ତି । *ଅତଏବ, ମୋଟ ପରିବାରର ଏକ ଷଷ୍ଠାଂଶ ପରିବାରଙ୍କ ପାଖରେ ମୋଟ ଘୋଡ଼ା ସଂଖ୍ୟାର ଅଧା ଘୋଡ଼ା ରହିଛି ।

 

*

ଆମେ ପୁନର୍ବାର କହୁଛୁ, ଉଦ୍ଧୃତ ହୋଇଥିବା ଏଇସବୁ ସଂଖ୍ୟା ହାରାହାରି ସଂଖ୍ୟା, ଆନୁମାନିକ ସଂଖ୍ୟା ଧନୀ କୃଷକଙ୍କ ସଂଖ୍ୟା, ଠିକ ଠିକ ୧୫ ଲକ୍ଷ ନ ହୋଇପାରେ, ୧୨ ଲକ୍ଷ ୨୫ ହଜାର କିମ୍ବା ୧୭ ଲକ୍ଷ ୨୫ ହଜାର କିମ୍ବା ଏପରିକି ୨୦ ଲକ୍ଷ ବି ହୋଇପାରେ । ତାହା ଗୋଟାଏ ବିରାଟ ପାର୍ଥକ୍ୟ ନୁହେଁ । ଶେଷ ହଜାର ବା ଶେଷ ଲକ୍ଷ ପର୍ଯ୍ୟନ୍ତ ତାକୁ ହିସାବ କରିବା, ଏଇଟା ଗୁରୁତ୍ୱପୂର୍ଣ୍ଣ ବିଷୟ ନୁହେଁ । ଗୁରୁତ୍ୱପୂର୍ଣ୍ଣ ହେଲା ଧନୀ କୃଷକଙ୍କ ଶକ୍ତି ଓ ସ୍ଥିତିକୁ ପରିଷ୍କାରଭାବେ ବୁଝିବା । ତାହାହେଲେ ଆମେ ଆମର ବନ୍ଧୁ ଓ ଶତ୍ରୁଙ୍କୁ ଚିହ୍ନିବାକୁ ସମର୍ଥ ହେବା, ତାହାହେଲେ ଆମେ ଆମକୁ କାଳ୍ପନିକ ପରିକାହାଣୀ ଓ ତୁଚ୍ଛା କଥାରେ ପ୍ରତାରିତ ହେବାକୁ ଦେବା ନାହିଁ । ଅଥଚ ଗରୀବର ସ୍ଥିତି ଓ ଧନୀଙ୍କର ସ୍ଥିତିକୁ ଠିକ ଠିକ ଭାବେ ଅଟକଳ କରିପାରିବା ।

 

ବର୍ତ୍ତମାନ ଆମେ ଏହା ଜାଣିବା ପରେ ଧନୀ କୃଷକର ଶକ୍ତିକୁ ଏକପ୍ରକାର ସଠିକ କଳନା କରିବା ସମ୍ଭବପର ହେଲା । ସଂଖ୍ୟାରେ ସେମାନେ ଖୁବ୍ ଅଳ୍ପ : ବିଭିନ୍ନ ଗୋଷ୍ଟୀ ଓ ଭୋଲେଷ୍ଟମାନଙ୍କରେ ପ୍ରତ୍ୟେକ ଶହେ ପରିବାରରେ ସେମାନେ ସଂଖ୍ୟାରେ ୧୦ ରୁ ୨୦ ପରିବାର ହେବେ । କିନ୍ତୁ ଏଇ ଅଳ୍ପ କେତେକ ପରିବାର ହେଉଛନ୍ତି ସବୁଠାରୁ ଧନୀ । ସମଗ୍ର ରୁଷକୁ ଧରିଲେ, ଅନ୍ୟସବୁ କୃଷକଙ୍କର ମିଶି ସର୍ବମୋଟ ଯେତେ ଘୋଡ଼ା ଅଛି, ସେମାନଙ୍କର ପ୍ରାୟ ସେତିକି ଘୋଡ଼ା ଅଛି । ତା'ଅର୍ଥ ସେମାନଙ୍କ ଚାଷ ଜମିର ପରିମାଣ ମଧ୍ୟ ସମସ୍ତ କୃଷକଙ୍କର ଚାଷ ଜମିର ପରିମାଣର ଅଧା ହେବ । ଏଇପରି କୃଷକମାନେ ତାଙ୍କ ପରିବାରଙ୍କ ପାଇଁ ଯାହା ଦରକାର ତା'ଅପେକ୍ଷା ଖୁବ୍ ଅଧିକା ଶସ୍ୟ ଅମଳ କରନ୍ତି । ସେମାନେ ବହୁ ପରିମାଣରେ ଶସ୍ୟ ବିକ୍ରୟ କରିଥାନ୍ତି । ନିଜର ଖାଇବା ଲାଗି କେବଳ ଫସଲ ଫଳାନ୍ତି ନାହିଁ, ସେମାନେ ମୁଖ୍ୟତଃ ବିକ୍ରୟ ପାଇଁ, (ପଇସା) ବା ଅର୍ଥ ପାଇଁ କରିଥାନ୍ତି । ଏଇପରି କୃଷକମାନେ ପଇସା ସଞ୍ଚୟ କରିପାରନ୍ତି, ସେମାନେ ତାକୁ ବ୍ୟାଙ୍କ ଓ ସେଭିଙ୍ଗସ୍ ବ୍ୟାଙ୍ଗରେ ଗଚ୍ଛିତ ରଖନ୍ତି ସେମାନେ ସିଧାସଳଖ ଜମି କିଣନ୍ତି । ଆମେ ଆଗରୁ କହିସାରିଛୁ ଯେ ସାରା ରୁଷରେ କୃଷକମାନେ କେତେ ଜମି ପ୍ରତିବର୍ଷ କିଣୁଛନ୍ତି ପ୍ରାୟ ଏଇ ସମସ୍ତ ଜମି ସେଇ ମୁଷ୍ଟିମେୟ ଧନୀ କୃଷକଙ୍କ ପାଖକୁ ଯାଏନି ଗାଁ'ର ଗରିବମାନେ ଜମି କିଣିବା କଥା ଚିନ୍ତା କରିପାରନ୍ତି ନାହିଁ । ଖୁବ୍ ହେଲେ ସେମାନଙ୍କ ଉତ୍ପନିରୁ ସେମାନେ ଖାଇପିଇ ବଞ୍ଚିପାରିବେ, ବାସ୍ ସେତିକି । ଜମି କଥା ଛାଡ, ଅନେକ ସମୟରେ ଖାଦ୍ୟ କିଣିବାଲାଗି ବି ତାଙ୍କ ପାଖରେ ଯଥେଷ୍ଟ ପଇସା ନ ଥାଏ । ତେଣୁ ବ୍ୟାଙ୍କ, ବିଶେଷ କରି କୃଷକ-ବ୍ୟାଙ୍କ ସମସ୍ତ କୃଷକଙ୍କୁ ଜମି କିଣିବାରେ ସାହାଯ୍ୟ କରେ ନାହିଁ, (ଯାହାକି କେତେ ସମୟରେ କୃଷକକୁ ଠକିବାକୁ ବସିଥିବା ବା ଅତି ସରଳ ବିଶ୍ୱାସୀ ଲୋକେ ଜୋର ଦେଇ କହିଥାନ୍ତି) । କିନ୍ତୁ ଅତି ସାମାନ୍ୟ ସଂଖ୍ୟକ ଲୋକେ, କେବଳ ଧନୀ କୃଷକମାନେ ଏ ସାହାଯ୍ୟ ପାଇଥାନ୍ତି । ତେଣୁ ଆମେ କହିଛୁ ଯେ କୃଷକର କୁପରାମର୍ଶଦାତାମାନେ ଅସତ୍ୟ କଥା କହିଥାନ୍ତି, ଯେତେବେଳେ ସେମାନେ କହନ୍ତି ଯେ କୃଷକମାନେ ଜମି କିଣୁଛନ୍ତି, ପୁଞ୍ଜି ପାଖରୁ ଶ୍ରମ ପାଖକୁ ଜମି ଆସୁଛି । ଶ୍ରମ ପାଖକୁ ଅର୍ଥାତ୍ ଗରିବ ଖଟିଖିଆ ଲୋକଙ୍କ ପାଖକୁ ଜମି କେତେବେଳେ ହେଲେ ଆସି ନ ପାରେ, କାରଣ ଜମି ଲାଗି ପଇସା ବା ଅର୍ଥ ଦେବାକୁ ନିଶ୍ଚୟ ପଡ଼ିବ । କିନ୍ତୁ ଗରିବଙ୍କପାଖରେ କିଛି ଅଧିକା ପଇସା ନ ଥାଏ । ଜମି କେବଳ ଧନୀ, ପଇସାବାଲା କୃଷକ ପାଖକୁ, ପୁଞ୍ଜି ପାଖକୁ ଯାଇପାରେ, ସେଇ ଲୋକଙ୍କ ପାଖକୁ ଯାଇପାରେ, ଯାହାଙ୍କ ବିରୁଦ୍ଧରେ ଗାଁ'ର ଗରିବମାନେ ସହରର ଶ୍ରମିକମାନଙ୍କ ସହିତ ମିତ୍ରତା ସ୍ଥାପନ କରି ନିଶ୍ଚୟ ଲଢ଼ିବେ ।

 

ଗାଁ'ର ପ୍ରତ୍ୟେକ ଶ୍ରମିକ ତା'ନିଜର ଓ ପାଖରେ ଭୋଲୋଷ୍ଟକୁ ଯତ୍ନର ସହିତ ବିଚାର କରି ଦେଖୁ । ସେ ଦେଖିବ ଆମର ହିସାବ ନିର୍ଭୁଲ । ପ୍ରତ୍ୟେକ ୧୦୦ଟି ପରିବାର ମଧ୍ୟରେ ୧୦ଟି, ଖୁବ୍ ବେଶି ହେଲେ ୨୦ଟି ହେବେ ଧନୀ ପରିବାର, ପ୍ରାୟ ୨୦ଟି ମଧ୍ୟବିତ୍ତ ପରିବାର, ଆଉ ଯେତେ ରହିଲେ ସବୁ ଦରିଦ୍ର ।

 

ଧନୀ କୃଷକମାନେ କେବଳ ଯାବତ୍ ଚନ୍ଦ୍ରାର୍କେ ଜମି କିଣନ୍ତି ନାହିଁ, ଅନେକ ସମୟରେ ସେମାନେ ବହୁବର୍ଷ ଲାଗି ଜମି ପଟ୍ଟାକୁ ନିଅନ୍ତି । ସେମାନେ ବଡ଼ ବଡ଼ ପ୍ଲଟ ଜମି କରକୁ ଘେନିଆସି ଗରିବ କୃଷକଙ୍କୁ ଜମି ପାଇବାରୁ ବଞ୍ଚିତ କରନ୍ତି । ଦ୍ରୁଷ୍ଟାନ୍ତସ୍ୱରୂପ, ପୋଲଟାଭା ଗୁବେରିନା ଏକ ୟୁଏଜେଡ଼ (କନଷ୍ଟାନୋଗ୍ରାଦ୍) ରେ ଧନୀ କୃଷକମାନେ କରକୁ ନେଇଥିବା ଜମିର ହିସାବ ଧରାଯାଇଛି । ସେଠି କ'ଣ ଦେଖାଯାଏ ? ଯେଉଁମାନେ ୩୦ ଡେସିଟିନ୍ ବା ତା'ଠାରୁ ଅଧିକ ଜମି କରକୁ ନେଇଛନ୍ତି ସେମାନଙ୍କ ସଂଖ୍ୟା ଖୁବ୍‍ ଅଳ୍ପ । ପ୍ରତ୍ୟେକ ୧୫ ଜଣ ପରିବାରରେ ସେମାନେ ମାତ୍ର ଦୁଇଜଣ । କିନ୍ତୁ ସେହି ଧନୀ କୃଷକମାନେ ସମସ୍ତ ଘର-ଜମିର ଅଧେ ଜମି ଦଖଲ କରି ବସିଛନ୍ତି ଏବଂ ସେମାନଙ୍କର ପ୍ରତ୍ୟେକଙ୍କର ହାରାହାରି ୭୫ ଡେସିଟିନ୍ ଲେଖାଏଁ କର-ଜମି ଅଛି, କିମ୍ବା ଟାଉରିଦା ଗୁବେରିନା କଥା ନିଅ । ସେଠାରେ ମିର୍, ଗ୍ରାମ୍ୟଗୋଷ୍ଟୀ ଜରିଆରେ କୃଷକମାନେ କରକୁ ଆଣିଥିବା ରାଷ୍ଟ୍ର ବା ସରକାରୀ ଜମିରୁ କେତେ ଧନୀ କୃଷକମାନେ ଗ୍ରାସ କରିଛନ୍ତି ତାର ହିସାବ ହୋଇଛି । ଦେଖାଗଲା ଜେ ଧନୀ କୃଷକ, ଯେଉଁମାନେକି ମୋଟା ପରିବାରର ମାତ୍ର ଏକ ଚତୁର୍ଥାଂଶ, ସେମାନେ କର-ଜମିର ତିନି ଚତୁର୍ଥାଂଶ ଜମି ଗ୍ରାସ କରିଛନ୍ତି । ପ୍ରତ୍ୟେକ କ୍ଷେତ୍ରରେ ଯାହାଙ୍କଠି ପଇସା ଅଛି ଜମି ସେଇଠିକି ଯାଏ । ଅତି ମୁଷ୍ଟିମେୟ ଧନୀଙ୍କର କେବଳ ପଇସା ଅଛି ।

 

ଆଉ ବି ଅନେକ ଜମି କୃଷକମାନେ ନିଜେ ଏବେ କରକୁ ଦେଇଛନ୍ତି । କୃଷକ ତାଙ୍କର ଚାଷବନ୍ଦି ଛାଡ଼ିଦିଅନ୍ତି, କାରଣ ସେମାନଙ୍କର ହଳହଡ଼ା ନାହିଁ, ବିହନ ନାହିଁ, ଚାଷ କରିବାକୁ କୌଣସି ସରଞ୍ଜାମ ନାହିଁ । ଆଜି ତମର ଯଦି ପଇସା ନାହିଁ ତେବେ ଜମି ଥାଇ କିଛି ଲାଭ ନାହିଁ । ଦ୍ରୁଷ୍ଟାନ୍ତସ୍ୱରୂପ, ସାମରା ଗୁବେରିନାର ନଭୋଉଜେନସ୍କ ୟୁଏଜେଡ୍‍ରେ ପ୍ରତ୍ୟେକ ତିନିଜଣ ଧନୀ କୃଷକ ପରିବାରଙ୍କ ଭିତରୁ ଗୋଟିଏ ବି କେବେ କେବେ ଦୁଇଟି ପରିବାର ତାଙ୍କ ନିଜର ବା ଅନ୍ୟ ଗ୍ରାମଗୋଷ୍ଠୀରେ ଥିବା ସରକାରଠାରୁ ପାଇଥିବା ଜମି କରକୁ ନେଇଥାନ୍ତି । ଯେଉଁମାନଙ୍କର ଆଦୌ ଘୋଡ଼ା ନାହିଁ, ସେଇମାନେ ଏ ଆଲଟ୍‍ମେଣ୍ଟ ଜମି କରକୁ ଦେଇଥାନ୍ତି । ତାତ୍ତରିଦା ଗୁବେରିନାରେ ଏପରି କି ତିନି ଭାଗରୁ ଭାଗେ କୃଷକ ପରିବାର ଆଲଟ୍‍ମେଣ୍ଟ ଜମି କରକୁ ଦିଅନ୍ତି । କୃଷକମାନଙ୍କ ଆଲଟ୍‍ମେଣ୍ଟ ଜମିର ଏକ ଚତୁର୍ଥାଂଶ, ୨୫ ଲକ୍ଷ ଡେସିଟିନ୍ ଜମିରୁ ଦେଢ଼ଶହ ହଜାର ଡେସିଟିନ୍ (ତିନି ପଞ୍ଚମାଂଶ) ଜମି ଧନୀମାନେ କରକୁ ନେଇଥାନ୍ତି । ଗରିବ ଲାଗି ମିର୍‍ର, ଗ୍ରାମଗୋଷ୍ଠୀର ଏକତାର ମୂଲ୍ୟ ଯେ କିଛି ନାହିଁ ତାହା ମଧ୍ୟ ଏଥିରୁ ପ୍ରତିପାଦିତ ହୋଇଯାଏ । ଗ୍ରାମଗୋଷ୍ଠୀ ଭିତରେ ଯାହାର ଧନ ଅଛି ତା'ର କ୍ଷମତା ଅଛି । ଆମେ ଚାହୁଁ ସମସ୍ତ ଗ୍ରାମଗୋଷ୍ଠୀରେ ରହିଥିବା ଦରିଦ୍ରମାନଙ୍କ ଏକତା ।

 

ଜମି କିଣିବା ବିଷୟରେ କୃଷକଙ୍କୁ ଯେପରି ପ୍ରତାରିତ କରାଯାଏ, ସେଇପରି ଶସ୍ତାରେ ହଳଲଙ୍ଗଳ ଓ ସମସ୍ତ ପ୍ରକାରର ଉନ୍ନତ ଧରଣର ଯନ୍ତ୍ରପାତି କିଣିବା କଥା କହି ପ୍ରତାରିତ କରାଯାଏ-। ଜେମଷ୍ଟୋଭ ଭଣ୍ଡାର ଓ କୋଅପରେଟିଭ ସବୁ ଗଢ଼ା ଯାଇଛି । କୁହାଯାଏ, ଉନ୍ନତ ଧରଣର ଯନ୍ତ୍ରପାତି ଫଳରେ କୃଷକର ଅବସ୍ଥାର ଉନ୍ନତି ଘଟିବ । ଏହା ଶଠତା ମାତ୍ର । ଏଇସବୁ ଉନ୍ନତ ଯନ୍ତ୍ରପାତି ଧନୀଙ୍କ ପାଖକୁ ଯିବ, ଦରିଦ୍ର ଲୋକେ କିଛି ପାଇବେ ନାହିଁ । ଲଙ୍ଗଳ ଓ ଅମଳକାରୀ ଯନ୍ତ୍ର କିଣିବା ବିଷୟ ସେମାନେ ଚିନ୍ତା କରିପାରିବେ ନାହିଁ, କିପରି ବଞ୍ଚିବେ ସେ ପେଟ ଚିନ୍ତା ତାଙ୍କ ପକ୍ଷରେ ଚମତ୍କାର । ଏଇସବୁ ପ୍ରକାରର "କୃଷକକୁ ସାହାଯ୍ୟ", ଧନୀଙ୍କୁ ସାହାଯ୍ୟ ଛଡ଼ା ଅନ୍ୟ କିଛି ନୁହେଁ । ଗରିବଙ୍କ କ୍ଷେତ୍ରରେ, ଯା’ଙ୍କର ଜମି ନାହିଁ, ହଳଘୋଡ଼ା ନାହିଁ, କୌଣସି ଜମା ନାହିଁ, ତାଙ୍କ ଲାଗି ଭଲ ଯନ୍ତ୍ରପାତି ଶସ୍ତାରେ ମିଳିଲେ ବି କିଛି ଲାଭ ନାହିଁ । ଏଇ ଏକ ଦୃଷ୍ଟାନ୍ତ : ସାମରା ଗୁବେରିନାରେ ଏକ ୟୁଏଜେଡ଼ରେ ଗରିବ ଓ ଧନୀ କୃଷକଙ୍କର ଥିବା ସମସ୍ତ ଉନ୍ନତ ଯନ୍ତ୍ରପାତିର ହିସାବ କରାଗଲା । ଦେଖାଗଲା ଯେ ସମସ୍ତ ପରିବାରର ଏକ ପଞ୍ଚମାଂଶ, ଅର୍ଥାତ୍‍ ଅଧିକାଂଶ ସ୍ୱଚ୍ଛଳ ପରିବାରଙ୍କ ପାଖରେ ତିନି ଚତୁର୍ଥାଂଶ ଉନ୍ନତ ଯନ୍ତ୍ରପାତି ରହିଛି-ଅନ୍ୟ ଦିଗରେ ଗରିବ ପରିବାର-ସମସ୍ତ ପରିବାରର ଅଧା ପରିବାରଙ୍କ ପାଖରେ ତେର ଭାଗରୁ ଭାଗେ ମାତ୍ର ଉନ୍ନତ ଯନ୍ତ୍ରପାତି ରହିଛି । ମୋଟ ୨୮ ହଜାର ପରିବାରଙ୍କ ଭିତରୁ ୧୦ ହଜାର ପରିବାରଙ୍କର ଘୋଡ଼ା ନାହିଁ ବା କେବଳ ଗୋଟିଏ ମାତ୍ର ଅଛି । ଆଉ ଉକ୍ତ ୟଏଜେଡ୍ ରେ ସମସ୍ତ କୃଷକ ପରିବାରଙ୍କ ଥିବା ମୋଟ ୫୭୨୪ ଉନ୍ନତ ଯନ୍ତ୍ରପାତି ମଧ୍ୟରୁ ସେଇ ୧୦ ହଜାର ପରିବାରଙ୍କ ପାଖରେ ମାତ୍ର ୭ଟି ରହିଛି । ୫୭୨୪ ମଧ୍ୟରୁ ସାତ-ଏସବୁ ହେଲା କୃଷି ଉନ୍ନତିରେ ଗାଁ'ର ଗରିବଙ୍କର ଭାଗ । କୁହାଯାଏ, ଏଇସବୁ ଲଙ୍ଗଳ ଓ ଅମଳକାରୀ ଯନ୍ତ୍ରପାତିର ସଂଖ୍ୟାବୃଦ୍ଧି "ସମସ୍ତ କୃଷକକୁ" ସାହାଯ୍ୟ କରୁଛି ! ଏଇ ହେଲା ଘଟଣା, ଯେଉଁମାନେ "କୃଷକଙ୍କ ଚାଷର ଉନ୍ନତି" ବିଷୟରେ କହନ୍ତି, ତାଙ୍କଠାରୁ ଗାଁ'ର ଗରିବଗଣ ଏହି ଜିନିଷ, ଯାହାକି ଆଶା କରିବା ଉଚିତ !

 

ଶେଷରେ, ଧନୀ କୃଷକଙ୍କର ଏକ ମୁଖ୍ୟ ଚରିତ୍ର ହେଲା ଯେ ସେମାନେ କ୍ଷେତ ମୂଲିଆ ଓ ଦିନ-ମଜୁରିଆଙ୍କୁ ମୂଲରେ କାମ କରାନ୍ତି । ଜମିଦାରଙ୍କ ଭଳି ସେମାନେ ଧନୀ ହୋଇଉଠନ୍ତି, କାରଣ କୃଷକ ସାଧାରଣ ଅନ୍ୟ ଦିଗରେ ନିଃସ୍ୱ ସର୍ବସ୍ୱାନ୍ତ ହୋଇଥାନ୍ତି । ସେମାନେ ଜମିଦାରଙ୍କ ଭଳି କ୍ଷେତମୂଲିଆଠାରୁ ଯେତେ ପାରନ୍ତି ସେତେ କାମ ଚିପୁଡ଼ିନେବାକୁ ଚେଷ୍ଟା କରନ୍ତି, ଆଉ ସେମାନଙ୍କୁ ଯେତେ କମ୍‍ ହୋଇପାରେ କାମ ମଜୁରୀ ଦିଅନ୍ତି । ଯଦି କୋଟି କୋଟି କୃଷକ ଏକଦମ ସର୍ବସ୍ୱାନ୍ତ ନ ହୁଅନ୍ତି, ଅନ୍ୟମାନଙ୍କ ପାଇଁ ଖଟିବାକୁ ବାଧ୍ୟ ନ ହୁଅନ୍ତି, ନିଜେ ଦିନ-ମଜୁରିଆ ହୋଇ ନିଜର ଶ୍ରମ-ଶକ୍ତିକୁ ବିକ୍ରୟ ନ କରନ୍ତି–ତେବେ ଧନୀ ତିଷ୍ଠିପାରିବ ନାହିଁ, ତାଙ୍କର ଚାଷକାର୍ଯ୍ୟ ଚଳାଇପାରିବେ ନାହିଁ । ସେମାଙ୍କ ଲାଗି ଗ୍ରାସ କରିବାପାଇଁ କୌଣସି "ପରିତ୍ୟକ୍ତ" ଆଲଟ୍‍ମେଣ୍ଟ ଜମି ରହିବ ନାହିଁ କି ମୂଲ ଲାଗିବାଲାଗି କୌଣସି ମଜୁରିଆ ରହିବେ ନାହିଁ । ସାରା ରୁଷରେ ୧୫ ଲକ୍ଷ ଧନୀ କୃଷକ, ୧୦ ଲକ୍ଷରୁ କମ ମୂଲିଆ ବା ଦିନ-ମଜୁରିଆଙ୍କୁ ମୂଲରେ ଖଟନ୍ତି ନାହିଁ । ଏହା ଅତି ପରିଷ୍କାର ଯେ, ସମ୍ପତ୍ତିବାନ ଓ ସମ୍ପତ୍ତିହୀନ, ମାଲିକ ଓ ଶ୍ରମିକ, ବୁର୍ଜୁଆ ଓ ସର୍ବହରା-ଏମାନଙ୍କ ମଧ୍ୟରେ ବିରାଟ ସଂଗ୍ରାମରେ ଧନୀ କୃଷକମାନେ ଶ୍ରମିକଶ୍ରେଣୀ ବିରୁଦ୍ଧରେ ସଂପତ୍ତି–ମାଲିକଙ୍କ ପକ୍ଷ ଗ୍ରହଣ କରିବେ ।

 

ଏବେ ଆମେ ଧନୀ କୃଷକଙ୍କ ଶକ୍ତି ଓ ଅବସ୍ଥା କଥା ଜାଣିଲେ । ଗ୍ରାମର ଗରିବଙ୍କ ଅବସ୍ଥା ବିଷୟ ପରୀକ୍ଷା କରାଯାଉ ।

 

ଆମେ ଆଗରୁ କହି ସାରିଛୁ ଯେ ସମାଜର ଅତି ବିଶାଳ ଅଂଶ ହେଉଛନ୍ତି ଗାଁ'ର ଗରିବଗଣ, ସମଗ୍ର ରୁଷର କୃଷକ ପରିବାରର ପ୍ରୟ ଦୁଇ ତୃତୀୟାଂଶ । ପ୍ରଥମେ କହିବାକୁ ଗଲେ, ଘୋଡ଼ାହୀନ ପରିବାରଙ୍କ ସଂଖ୍ୟା ୩୦ ଲକ୍ଷରୁ କମ ନୁହେଁ–ଯେତେଦୂର ସମ୍ଭବ ବର୍ତ୍ତମାନଠାରୁ ଅଧିକ, ବୋଧହୁଏ ୩୫ ଲକ୍ଷ ହେବେ । ପ୍ରତ୍ୟେକ ନଅଙ୍କ ଦୁର୍ଭିକ୍ଷ, ପ୍ରତ୍ୟେକ ଥର ଫସଲ ହାନି ଫଳରେ ଲକ୍ଷ ଲକ୍ଷ ଚାଷବନ୍ଦୀ ଧ୍ୱଂସ ପାଇଥାଏ । ଲୋକ ସଂଖ୍ୟା ବଢ଼େ, ଅଧିକ ଲୋକଗହଳି ହୁଏ, ଅଥଚ ସବୁଠାରୁ ଉତ୍କୃଷ୍ଣ ଜମିଗୁଡ଼ିକ ଜମିଦାର ଓ ଧନୀ କୃଷକମାନେ ଗ୍ରାସ କରିଛନ୍ତି । ତେଣୁ ପ୍ରତି ବର୍ଷ ଅଧିକ ଅଧିକ ଲୋକ ସର୍ବସ୍ୱାନ୍ତ ହୁଅନ୍ତି, ସେମାନେ ସହର ଓ ଫାକ୍‍ଟ୍ରିକୁ ଯାଆନ୍ତି, କ୍ଷେତମୂଲିଆ ଭାବରେ କାମ କରନ୍ତି କିମ୍ବା ଅଦକ୍ଷ ଶ୍ରମିକ ହୁଅନ୍ତି । ଘୋଡ଼ାହୀନ କୃଷକ ହେଲା, ଯେଉଁ କୃଷକ କି ଏକଦମ ସମ୍ପତ୍ତିହୀନ ହୋଇସାରିଛି । ସେ ଜଣେ ସର୍ବହରା । ସେ ତା'ର ବଞ୍ଚିବାର ଖୋରାକ ସଂଗ୍ରହ କରେ (ଯଦି ତମେ ତାକୁ ବଞ୍ଚିବା ବୋଲି କହିପାର, ସତ କହିଲେ ସେ କୌଣସି ମତେ ତା'ର ପ୍ରାଣ ରକ୍ଷା କରିଚାଲେ) ଜମିରୁ ନୁହେଁ, ତା'ର ଚାଷ ବନ୍ଦୀରୁ ନୁହେଁ, ସେ କରେ ମଜୁରୀ ଲାଗି କାମ କରି । ସେ ହେଉଛି ସହରର ଶ୍ରମିକର ଭାଇ । ଘୋଡ଼ାହୀନ କୃଷକ ପକ୍ଷରେ ଜମି କୌଣସି କାମରେ ଆସେ ନାହିଁ । ଘୋଡ଼ାହୀନ କୃଷକଙ୍କ ଭିତରୁ ଅଧେ ତାଙ୍କର ଆଲଟମେଣ୍ଟ ଜମି କରକୁ ଦେଇଛନ୍ତି । ଏପରିକି କେତେକ ବିନା ମୂଲ୍ୟରେ ତାକୁ ଗ୍ରାମଗୋଷ୍ଠୀକୁ ସମର୍ପି ଦିଅନ୍ତି (ଏବଂ ସମୟେ ସମୟେ ଏପରିକି ଟିକସ ବି ଦେଇଥାନ୍ତି), କାରଣ ନିଜ ଜମି ଚାଷ କରିବା ଅବସ୍ଥା ସେମାନଙ୍କର ନାହିଁ । ଜଣେ ଘୋଡ଼ାହୀନ କୃଷକ ଏକ ଡେସିଟିନ୍‍ ବା ଖୁବ୍‍ ହେଲେ ଦୁଇ ଡେସିଟିନ୍‍ ଜମି ବୁଣେ । ସଦାସର୍ବଦା ତାକୁ ଅଧିକ ଶଷ୍ୟ କିଣିବାକୁ ପଡ଼ିଥାଏ (ତା' କିଣିବାଲାଗି ତା' ପାଖରେ ଯଦି ପଇସା ଥାଏ) । ତା'ର ନିଜ ଫସଲ କେବେହେଲେ ତାକୁ ଅଣ୍ଟେ ନାହିଁ । ଏକ ଘୋଡ଼ା ଥିଲା କୃଷକ ପରିବାରଙ୍କ ସଂଖ୍ୟା ସାରା ରୁଷରେ ୩୫ ଲକ୍ଷ ହେବ । ଏମାନଙ୍କ ଅବସ୍ଥା ବିଶେଷ ଭଲ ନୁହେଁ, ଅବଶ୍ୟ ବ୍ୟତିକ୍ରମ ରହିଛି । ଆମେ ଆଗରୁ କହିଚୁ, ଏଠିସେଠି ଠାଏ ଠାଏ ଏକ ଘୋଡ଼ା ଥିଲାବାଲା କୃଷକ ଅଛନ୍ତି, ଯେଉଁମାନେକି ଭଲରେ ଚଳନ୍ତି । କେତେକ ଅବା ଧନୀ । କିନ୍ତୁ ଆମେ ବ୍ୟତିକ୍ରମ କଥା କହୁନାହୁଁ, କୌଣସି ଏକ ସ୍ଥାନୀୟ ପ୍ରସଙ୍ଗ କହୁନାହୁଁ, ସମଗ୍ରଭାବେ ରୁଷ କଥା କହୁଛୁ । ଯଦି ଆମେ ସମଗ୍ରଭାବେ ଗୋଟିଏ ଘୋଡ଼ବାଲା କୃଷକ ସାଧାରଣଙ୍କୁ ଦେଖୁ, ତେବେ ସେମାନେ ହେଲେ ନିଃସ୍ୱ ସାଧାରଣ କୃଷକ । ଏପରିକି କୃଷିପ୍ରଧାନ ଗବେରିନାରେ ଏକ ଘୋଡ଼ାବାଲା କୃଷକ ୩ ବା ୪ ଡେସିଟିନ ଜମି ବୁଣନ୍ତି, କ୍ଵଚିତ *ଡେସିଟିନ ବୁଣିଥାନ୍ତି । ତାଙ୍କ ଫସଲ ତାଙ୍କୁ ଅଣ୍ଟେ ନାହିଁ । ଭଲ ପାଳକ ବର୍ଷରେ ସୁଦ୍ଧା ତାଙ୍କର ଖାଦ୍ୟ ଘୋଡ଼ାହୀନ କୃଷକର ଖାଦ୍ୟଠାରୁ ଉତ୍କୃଷ୍ଟ ନୁହେଁ–ତା'ମାନେ ସେ ସବୁବେଳେ ଅଧାପେଟରେ ରହେ, ସବୁବେଳେ ଭୋକ ଅନାହାରରେ ରହିଥାଏ । ତା'ର ଚାଷବନ୍ଦି ଭଙ୍ଗା ଅବସ୍ଥାରେ, ତା'ର ଗାଈ ଘୋଡ଼ାସବୁ ନିର୍ବଳୁଆ, ଖାଇବାକୁ ପାଆନ୍ତି ନାହିଁ, ଭଲଭାବେ ଚାଷ କରିବାଲାଗି ତାର ଅବସ୍ଥା ନ ଥାଏ । ଦୃଷ୍ଟାନ୍ତସ୍ୱରୂପ, ଭରନେଜ ଗୁବେରିନାରେ ଏକ ଘୋଡ଼ାବାଲା କୃଷକ ତା'ର ସମସ୍ତ ଚାଷବନ୍ଦୀରେ ବର୍ଷକୁ ୨୦ ରୁ ବଲରୁ ଅଧିକ (ପଶୁ ଖାଦ୍ୟକୁ ଛାଡ଼ି) ବ୍ୟୟ କରିବାକୁ ସକ୍ଷମ ନୁହେଁ (ଜଣେ ଧନୀ ଚାଷୀ ତାର ଦଶଗୁଣ ଖର୍ଚ୍ଚ କରେ) । ବର୍ଷକୁ ଖଜଣା, ହଳଘୋଡ଼ା କିଣିବା, ତା'ର କାଠ ଲଙ୍ଗଳ ଓ ଅନ୍ୟାନ୍ୟ ଉପକରଣ ମରାମତି କରିବା, ମେଣ୍ଢାଚରାଳିକୁ ଦେବା ଏବଂ ସବୁଥିପାଇଁ କୋଡ଼ିଏ ରୁବଲ ! ତମେ କଣ ଏହାକୁ କହିବ ଚାଷବନ୍ଦୀ ? ଏହା କେବଳ ଏକ ଦାରିଦ୍ର୍ୟ, କଠୋର ପରିଶ୍ରମ, ହାଡ଼ଭଙ୍ଗା ଖଟଣି, ଚିରସ୍ଥାୟୀ ଦିକ୍‍ଦାରିଆ କାମ । ଏହା ଅତି ସ୍ୱାଭାବିକ ଯେ ଅଳ୍ପ କେତେଜଣ ନୁହନ୍ତି, ଏକ ଘୋଡ଼ାବାଲା କୃଷକଙ୍କ ମଧ୍ୟରୁ କେତେକ ମଧ୍ୟ ତାଙ୍କର ଆଲଟମେଣ୍ଟ ଜମିକୁ ଖଜଣାରେ ଲଗାନ୍ତି । ଏକ ନିଃସ୍ୱ ଲୋକ ପକ୍ଷରେ ଜମି ମଧ୍ୟ ପୂରାପୂରି ଅକାମୀ । ତା'ର ପଇସା ନାହିଁ, ତା'ର ଜମି, ପରିବାରର ଖାଇବା ଲାଗି ଯଥେଷ୍ଟ ଖାଦ୍ୟ ଏପର୍ଯ୍ୟନ୍ତ ଯୋଗାଇପାରେ ନାହିଁ, ଆଉ ପଇସା ଦେବା କଥା ଛାଡ଼ । କିନ୍ତୁ ଖାଦ୍ୟ, ଲୁଗା, ଚାଷ ବନ୍ଦି, ଟିକସ–ସବୁଥିପାଇଁ ଅର୍ଥ ଦରକାର । ଭୋରାନେଜ ଗୁବେରିନାରେ, ସାଧାରଣତଃ ଏକ ଘୋଡ଼ାବାଲା କୃଷକକୁ ବର୍ଷକୁ କେବଳ ଟିକସ ବାବତରେ ପ୍ରାୟ ୧୮ ରୁବଲ ଦେବାକୁ ହୋଇଥାଏ । ତା'ର ସମସ୍ତ ଖର୍ଚ୍ଚ ତୁଲାଇବାପାଇଁ ସେ ବର୍ଷକୁ ୭୫ ରୁବଲରୁ ଅଧିକ କରିପାରେ ନାହିଁ । ଏପରି ପରିସ୍ଥିତିରେ, ଜମି କିଣିବା କଥା କହିବା, ଉନ୍ନତ ଚାଷ ଉପକରଣ ଓ କୃଷି ବ୍ୟାଙ୍କ ବିଷୟରେ କହିବା ଏକ ପରିହାସ ମାତ୍ର : ସେସବୁ ଜିନିଷ ଗରିବଙ୍କ ପାଇଁ ଉଦ୍ଭାବନ ହୋଇନାହିଁ ।

 

କୃଷକ କେଉଁଠାରୁ ପଇସା ପାଇବ ? ସେ "ଉପାର୍ଜନ" ଲାଗି କିଛି ପାଖ-ବ୍ୟବସ୍ଥାକୁ ଅନାଇବ । ଘୋଡ଼ାହୀନ କୃଷକ ଭଳି, ଏକ ଘୋଡ଼ାବାଲା କୃଷକ 'ଉପାର୍ଜନ'ର ସାହାଯ୍ୟରେ କେବଳ ଜୀବନର ଗୁଜୁରାଣ ମେଣ୍ଟାଏ । କିନ୍ତୁ ଏ ଉପାର୍ଜନର ଅର୍ଥ କଣ ? ଏହାର ଅର୍ଥ ଅନ୍ୟ ପାଇଁ କାମ କରିବା, ଭଡ଼ାରେ କାମ କରିବା । ଏହା ଅର୍ଥ ଏକ ଘୋଡ଼ାବାଲା କୃଷକର ଅଧିକ ଆଉ ସ୍ୱାଧୀନ କୃଷକ ହୋଇ ରହେ ନାହିଁ, ସେ ହୁଏ ଏକ ଭଡ଼ାଟିଆ, ହୁଏ ଏକ ସର୍ବହରା । ସେଥିଯୋଗୁଁ, ସେଭଳି କୃଷକ କହନ୍ତି ଅର୍ଦ୍ଧ-ସର୍ବହରା । ସେମାନେ ମଧ୍ୟ ସହରର ଶ୍ରମିକଙ୍କ ଭାଇ । ସେମାନେ ମଧ୍ୟ ସବୁ ପ୍ରକାରର ନିଯୁକ୍ତିଦାତା ମାଲିକଙ୍କ ଦ୍ୱାରା ସବୁଭାବରେ ଲୁଣ୍ଠିତ ହୁଅନ୍ତି । ସବୁ ଧନୀ, ସମ୍ପତ୍ତିର ସବୁ ମାଲିକଙ୍କ ବିରୁଦ୍ଧରେ ଲଢ଼ିବାଲାଗି ସୋସାଲ-ଡିମୋକ୍ରାଟମାନଙ୍କ ସହିତ ଏକଯୁଟ ହେବା ଛଡ଼ା ସେମାନଙ୍କର ଅନ୍ୟ କୌଣସି ରାସ୍ତା ନାହିଁ, ମୁକ୍ତି ନାହିଁ । ରେଳବାଇ ନିର୍ମାଣରେ କିଏ କାମ କରେ ? କଣ୍ଟ୍ରାକ୍ଟରଙ୍କ ଦ୍ୱାରା ଲୁଣ୍ଠିତ ହୁଏ କିଏ ? କିଏ କାଠ ଚିରିବାକୁ, କାଠ-ପଟାଳି ଭସାଇବାକୁ ଯାଏ ? କ୍ଷେତମୂଲିଆ ଭାବେ କିଏ କାମ କରେ ? କିଏ ଦିନ ମଜୁରିଆ ଭାବେ ଖଟେ-? ସହର ଓ ବନ୍ଦରମାନଙ୍କରେ କିଏ ଅଦକ୍ଷ ଶ୍ରମିକର କାର୍ଯ୍ୟ କରେ ? ସବୁବେଳେ ସେଇ ଗାଁ'ର ଗରିବ ଲୋକ, ଘୋଡ଼ାହୀନ ବା ଏକ ଘୋଡ଼ାବାଲା କୃଷକ, ସଦାସର୍ବଦା ସେଇ ଗ୍ରାମ୍ୟ ସର୍ବହରା ଓ ଅର୍ଦ୍ଧ-ସର୍ବହରାଗଣ । ରୁଷରେ କି ବିଶାଳ ଏମାନଙ୍କ ସଂଖ୍ୟା ! ହିସାବରୁ ଜଣାଯାଏ ଯେ ସମଗ୍ର ରୁଷରେ (କକେସସ୍ ଓ ସାଇବେରିଆକୁ ଛାଡ଼ି) ବର୍ଷକୁ ୮୦ ଲକ୍ଷ, ଏପରିକି ସମୟେ ସମୟେ ୯୦ ଲକ୍ଷ ପାସ୍‍ପୋର୍ଟ ବା ଅନୁମତିପତ୍ର ନିଆହେଉଛି । ଏମାନେ ସମସ୍ତେ ହେଲେ ଭ୍ରାମ୍ୟମାଣ, ବୁଲା ଶ୍ରମିକ । ସେମାନେ ନାମକୁ ମାତ୍ର କୃଷକ । ବାସ୍ତବରେ କିନ୍ତୁ ସେମାନେ ନାମକୁ ମାତ୍ର କୃଷକ-। ବାସ୍ତବରେ କିନ୍ତୁ ସେମାନେ ହେଲେ ଭଡ଼ାଟିଆ, ଦିନ ମଜୁରିଆ । ସେମାନେ ସମସ୍ତେ ସହରର ଶ୍ରମିକଙ୍କ ସହିତ ଏକଯୁଟ ହେବା ଉଚିତ, -ଜ୍ଞାନ ଓ ଆଲୋକର ପ୍ରତ୍ୟେକ ରଶ୍ମିକଣା, ଯାହା ଗ୍ରାମାଞ୍ଚଳରେ ପ୍ରବେଶ କରିବ, ତା' ଏଇ ଏକତାକୁ ସୁଦୃଢ଼ ଓ ବଳିଷ୍ଠ କରିବ ।

 

"ଉଜାର୍ଜ୍ଜନ" ନେଇ ଆଉ ଏକ କଥା ବି ଅଛି, ଯାହାକୁ ଭୁଲିଯିବା ଉଚିତ ନୁହେଁ । ଅଫିସରବର୍ଗ ଓ ଅନ୍ୟାନ୍ୟ ଲୋକେ, ଯେଉଁମାନେ କି ଅଫିସରଙ୍କ ଭଳି ଚିନ୍ତା କରନ୍ତି, ତାଙ୍କ ଭଳି କହିବାକୁ ଭଲ ପାଆନ୍ତି ଯେ କୃଷକ, ମଝିକ୍ ଙ୍କର ଦୁଇଟି ମାତ୍ର ଜିନିଷ "ଦରକାର" : ପ୍ରଥମ ଜମି କିନ୍ତୁ ବେଶୀ ଜମି ନୁହେଁ- ସେ ବେଶି ଜମି ପାଇ ମଧ୍ୟ ପାରିବ ନାହିଁ; ଯେହେତୁ ଧନୀମାନେ ସବୁ ଗ୍ରାସ କରିସାରିଛନ୍ତି) ଓ ଦ୍ଵିତୀୟ "ଉପାର୍ଜ୍ଜନ" । ତେଣୁ ସେମାନେ କହନ୍ତି ଲୋକଙ୍କୁ ସାହାଯ୍ୟ କରିବା ଦିଗରେ ଅଧିକ "ଉପାର୍ଜ୍ଜନ" "ଯୋଗାଇଦେବାଲାଗି" ମଫସଲ ଅଞ୍ଚଳରେ ଅଧିକ ବଣିଜ ବ୍ୟବସାୟ ଚଳାଇବାକୁ ହେବ । ଏଭଳି କଥା କେବଳ ପ୍ରତାରଣା ମାତ୍ର । ଗରିବଙ୍କ ପକ୍ଷରେ "ଉପାର୍ଜ୍ଜନ"ର ଅର୍ଥ ହେଲା ଦିନ-ମଜୁରିଆର କାମ । କୃଷକଙ୍କ ଲାଗି "ଉପାର୍ଜ୍ଜନ" ଯୋଗାଇଦେବା ଅର୍ଥ ସେମାନଙ୍କୁ ମୂଲିଆ ଶ୍ରମିକରେ ପରିଣତ କରିବା । ଏ ଏକ ଅତି ସୁନ୍ଦର ସାହାଯ୍ୟ ! ଧନୀ କୃଷକଙ୍କ "ଉପାର୍ଜ୍ଜନ" ଲାଗି ଅନ୍ୟ ପ୍ରକାରର ସାହାଯ୍ୟ (ବାଟ) ରହିଛି । ସେଥିରେ ପୁଞ୍ଜି ଆବଶ୍ୟକ, ଯଥା, ଅଟାକଳ ବା ସେଇପରି କିଛି କଳ ପ୍ରତିଷ୍ଠା କରିବା, ଫସଲ ଅମଳ କଳ କିଣିବା ଏବଂ, ବେପାର ବଣିଜ ଇତ୍ୟାଦି । ଗରିବ ଲୋକଙ୍କ ମଜୁରିମୂଲ ସହିତ ଧନୀଲୋକଙ୍କ "ଉପାର୍ଜ୍ଜନକୁ" ଗୋଳାଇ ମିଶାଇ ଦେବା ଅର୍ଥ ଗରିବଙ୍କୁ ଠକିବା । ଅବଶ୍ୟ, ଏଇ ପ୍ରତାରଣା ଧନୀଙ୍କ ପକ୍ଷରେ ସୁବିଧାଜନକ । ସମସ୍ତ ପ୍ରକାର "ଉପାର୍ଜ୍ଜନ" ସମସ୍ତ କୃଷକଙ୍କ ଲାଗି ଖୋଲା, ସମସ୍ତଙ୍କ ପହଞ୍ଚର ଭିତରେ, ଏଭଳି ଦେଖାଇବା, ସେମାନଙ୍କ ପକ୍ଷରେ ସୁବିଧାଜନକ । କିନ୍ତୁ ଯେଉଁମାନେ ପ୍ରକୃତରେ ଗରିବଙ୍କ କଲ୍ୟାଣ ଦିଗରେ ଉଦ୍‍ବିଘ୍ନ, ସେମାନେ ନିଶ୍ଚୟ "ସତ୍ୟ କହିବେ, ସତ୍ୟ ଛଡ଼ା ଅନ୍ୟ କିଛି କହିବେ ନାହିଁ ।"

 

ଏହା ଆମକୁ ମଧ୍ୟବିତ୍ତ କୃଷକଙ୍କ ବିଷୟ ବିଚାର କରିବା କଥା ମନେ ପକାଇଦିଏ । ସମଗ୍ରଭାବେ ରୁଷକୁ ଧରି ହାରାହାରି ଭାବେ ଆମେ ତାହା ଦେଖିଛେ । ଯାହାଙ୍କର ହଳେ ବା ଦୁଇଟି ଘୋଡ଼ା ଅଛି ତାକୁ ଆମେ ମଧ୍ୟବିତ୍ତ କୃଷକ ବୋଲି ଧରିବା । ଦେଶର ସର୍ବମୋଟ ୧ କୋଟି ପରିବାରଙ୍କ ମଧ୍ୟରୁ ପ୍ରାୟ ୨୦ ଲକ୍ଷ ହେଉଛନ୍ତି ମଧ୍ୟବିତ୍ତ କୃଷକ ପରିବାର । ମଧ୍ୟବିତ୍ତ କୃଷକ, ଧନୀ ଓ ସର୍ବହରାଙ୍କ ମଝିରେ ଦଣ୍ଡାୟମାନ । ସେଥିଯୋଗୁ ତାଙ୍କୁ କୁହାଯାଏ ମଧ୍ୟବିତ୍ତ କୃଷକ । ତାର ଚଳାଚଳର ସ୍ତର ମଧ୍ୟ ମଧ୍ୟଭଳିଆ; ଭଲ ବର୍ଷରେ ତାର ଚାଷବନ୍ଦିରୁ ଚଳିଯାଏ, କିନ୍ତୁ ଦରିଦ୍ରତା ସଦାସର୍ବଦା ତାର ଦୁଆରେ ଆଘାତ କରିଥାଏ । ତାର ବିଲକୁଲ କିଛି ହେଲେ ଗଛିତ ଜମା ନ ଥାଏ ବା ଖୁବ ସାମାନ୍ୟ ଥାଏ । ସେଥିଯୋଗୁଁ ତା'ର ଚାଷବନ୍ଦି ବସ୍ତୁତଃ ଶୋଚନୀୟ ଅବସ୍ଥାରେ ଥାଏ । ପଇସା ପାଇବା ତା' ପକ୍ଷରେ ଅତୀବ କଷ୍ଟକର । କେବଳ ଅତି କ୍ଵଚିତ ତା'ର ପ୍ରୟୋଜନୀୟ ଅର୍ଥ ସେ ଚାଷବନ୍ଦିରୁ ପାଇପାରେ । ଯଦି ସେ ପାଏ ତେବେ ତାହା ଅତି ସାମାନ୍ୟ ମାତ୍ର । ଉପାର୍ଜନ କରିବା ଲାଗି ଯିବା ଅର୍ଥ ଏଣେ ଚାଷବନ୍ଦି ପ୍ରତି ଅବହେଳା କରିବା । ଫଳରେ ସବୁ କିଛି ଉଜୁଡ଼ିଯିବ-। ତେବେ ବି ବହୁ ମଧ୍ୟବିତ୍ତ କୃଷକ ପକ୍ଷରେ ଉପାର୍ଜନ ଛାଡ଼ି ରହିବା ସମ୍ଭବ ହୋଇପାରେ ନାହିଁ । ସେମାନେ ମଧ୍ୟ ଆପଣାକୁ ଭଡା ଲଗାନ୍ତି, ଅଭାବର ତାଡ଼ନାରେ ସେମାନେ ଜମିଦାରଙ୍କ ଦାସତ୍ୱ ବରଣ କରିବାକୁ ବାଧ୍ୟ ହୁଅନ୍ତି । ସେମାନେ ଋଣରେ ପଡ଼ିଲେ, ମଧ୍ୟବିତ୍ତ କୃଷକ ଆଉ କେବେ ସେଥିରୁ ମୁକୁଳି ପାରନ୍ତି ନାହିଁ । କାରଣ ଧନୀ କୃଷକ ଭଳି ତାଙ୍କର କୌଣସି ସ୍ଥାୟୀ ଆୟ ନାହିଁ । ତେଣୁ ଥରେ ଋଣରେ ପଡ଼ିବା ଅର୍ଥ ଯେପରିକି ଯୂପକାଠରେ ନିଜ ବେକ ଭର୍ତ୍ତିକରିବା-। ସେ ଏକଦମ ସର୍ବସ୍ୱାନ୍ତ ହେବାପର୍ଯ୍ୟନ୍ତ ଋଣଗ୍ରସ୍ଥ ହୋଇ ରହିଥାଏ । ମଧ୍ୟବିତ୍ତ କୃଷକ ମୁଖ୍ୟତଃ ଯେଉଁମାନେ କି ଜମିଦାରଙ୍କ ଦାସତ୍ୱରେ ପଡ଼ନ୍ତି, କାରଣ ଫୋଡ଼ଣ କାମ ଲାଗି ଜମିଦାରଙ୍କର ଏପରି କୃଷକ ଦରକାର, ଯେଉଁମାନେ କି ପୁରାପୁରି ସର୍ବସ୍ୱାନ୍ତ ନୁହନ୍ତି, ଚାଷବନ୍ଦୀ ପାଇଁ ହଳେ ଘୋଡ଼ା ଓ ଅନ୍ୟାନ୍ୟ ଆବଶ୍ୟକ ସରଞ୍ଜାମ ରହିଛି । ମଧ୍ୟବିତ୍ତ କୃଷକ ପକ୍ଷରେ ବାହାରକୁ ଯାଇ ଉପାର୍ଜ୍ଜନର ପନ୍ଥା ଦେଖିବା ସହଜ ନୁହେଁ । ତେଣୁ ଖାଦ୍ୟଶସ୍ୟ ପାଇଁ, ଗୋଚର ଜମିର ବ୍ୟବହାର ଲାଗି ଓ *ବଞ୍ଚିତ-ଭୂମିର ପଟ୍ଟା ଲାଗି ଏବଂ ଶୀତ କାଳରେ କିଛି ଅଗ୍ରିମ ଅର୍ଥ ପାଇବା ନିମନ୍ତେ ସେ ଜମିଦାରଙ୍କ ଦାସତ୍ୱ ଅଧୀନକୁ ଯାଏ । ଜମିଦାର ଓ କୁଲାଖଙ୍କୁ ଛାଡ଼ିଦେଲେ, ମଧ୍ୟବିତ୍ତ କୃଷକ ତାଙ୍କର ଧନୀ ପଡ଼ୋଶୀଙ୍କ ଦ୍ୱାରା ଚିପି ହୋଇଯାଏ, ସେମାନେ ସବୁବେଳେ ତା'ଠାରୁ ଜମି ଛଡ଼ାଇନିଅନ୍ତି, କୌଣସି ନା କୌଣସି ପ୍ରକାର ତାଙ୍କୁ ଚିପୁଡିନେବାର ସୁଯୋଗ ଛାଡ଼ନ୍ତି ନାହିଁ । ଏଇ ହେଲା ମଧ୍ୟବିତ୍ତ କୃଷକର ଜୀବନ । ସେ କୋଉ କୁଳର ନୁହେଁ, ସେ ମାଲିକ ହୋଇପାରେ ନାହିଁ, କି ଶ୍ରମିକ ହୋଇପାରେ ନାହିଁ । ସବୁ ମଧ୍ୟବିତ୍ତ କୃଷକ ମାଲିକ ହେବା ଦିଗରେ ଚେଷ୍ଟା କରନ୍ତି । ସେମାନେ ଚାହାନ୍ତି ସମ୍ପତ୍ତିର ମାଲିକ ହେବେ, କିନ୍ତୁ ଖୁବ୍ କମ୍ ଲୋକେ ସେଥିରେ ସଫଳ ହୁଅନ୍ତି । ଅତି କମ୍‍ ଲୋକ ଥାଆନ୍ତି, ଯେଉଁମାନେ କି କ୍ଷେତମୂଲିଆ ବା ଦିନ ମଜୁରିଆ ଲଗାନ୍ତି, ଅନ୍ୟର ଶ୍ରମ ଉପରେ ଧନୀ ହେବାକୁ ବସନ୍ତି, ଅନ୍ୟ ପିଠିରେ ଚଢ଼ି ସମ୍ପଦର ପାଖକୁ ଉଠନ୍ତି । କିନ୍ତୁ ଅଧିକାଂଶ ମଧ୍ୟବିତ୍ତ କୃଷକର ମୂଲିଆ ମଜୁରିଆ ଲଗାଇବାକୁ ପଇସା ନାହିଁ–ଫଳତଃ, ସେମାନଙ୍କୁ ନିଜେ ମୂଲିଆ ହେବାକୁ ପଡ଼ିଥାଏ ।

 

*

ବଞ୍ଚିତ ଭୂମି ହେଉଚି ସେଇ ଭୂମି, ଯେଉଁଠି ଗୋଚର, ଜଙ୍ଗଲ ଓ ଝରଣା ପ୍ରଭୃତି ଥାଏ, ଅଥଚ ଦାସପ୍ରଥା ଲୋପବେଳର ଜମି ବଣ୍ଟନବେଳେ କୃଷକକୁ ଯେଉଁ ଜମିରୁ ବଞ୍ଚିତ କରାଯାଇଥିଲା । (ଅନୁବାଦକ)

 

ଯେତେବେଳେ ଧନୀ ଦରିଦ୍ର୍ୟ ଭିତରେ, ସମ୍ପତ୍ତିମାଲିକ ଓ ଶ୍ରମିକଙ୍କ ଭିତରେ ଲଢ଼େଇ ଆରମ୍ଭ ହୁଏ, ମଧ୍ୟବିତ୍ତ କୃଷକ କେଉଁ ପକ୍ଷ ନେବ ଜାଣିପାରେ ନାହିଁ, ସେ ଉଭୟ ପକ୍ଷର ମଝାମଝି ରହେ । ଧନୀ ତାକୁ ଆପଣା ପଟକୁ ଡାକେ ଓ କହେ, ତୁମେ ମଧ୍ୟ ଜଣେ ମାଲିକ, ଜଣେ ସମ୍ପତ୍ତିବାଲା ଲୋକ, ଧନହୀନ ଦରିଦ୍ର ଶ୍ରମିକ ସହିତ ତାମର କୌଣସି ସମ୍ପର୍କ ନାହିଁ । କିନ୍ତୁ ଶ୍ରମିକମାନେ କହନ୍ତି : ଧନୀମାନେ ତୁମକୁ ଠକିବେ, ତମକୁ ଲୁଟିବେ, ଧନୀଙ୍କ ବିରୁଦ୍ଧରେ ଆମର ସଂଗ୍ରାମରେ ଆମକୁ ସାହାଯ୍ୟ ଦେବା ଛଡ଼ା ତମର ମୁକ୍ତିର ଅନ୍ୟ ପନ୍ଥା ନାହିଁ । ସବୁ ଦେଶରେ, ଯେଉଁଠି ସୋସାଲ-ଡିମୋକ୍ରାଟମାନେ ଶ୍ରମଜୀବି ଜନସାଧାରଣଙ୍କ ମୁକ୍ତି ଲାଗି ଲଢ଼େଇ କରୁଛନ୍ତି, ସେ ପ୍ରତ୍ୟେକଠାରେ ମଧ୍ୟବିତ୍ତ କୃଷକଙ୍କୁ ପାଇବାପାଇଁ ଲଢ଼େଇ ଚାଲିଛି । ରୁଷରେ ସେ ଲଢ଼େଇ ଏବେ ଆରମ୍ଭ ମାତ୍ର ହେଉଛି । ସେଇ କାରଣରୁ ଆମକୁ ଅତି ଯତ୍ନର ସହିତ ବିଷୟଟିକୁ ଅଧ୍ୟୟନ କରିବାକୁ ହେବ ଏବଂ ମଧ୍ୟବିତ୍ତ କୃଷକଙ୍କୁ ନିଜ ପକ୍ଷକୁ ଟାଣିନେବା ଦିଗରେ ଧନୀମାନେ ଯେଉଁ ଶଠତା ଅବଲମ୍ବନ କରୁଛନ୍ତି, ତାକୁ ପରିଷ୍କାର ଭାବେ ବୁଝିବାକୁ ପଡ଼ିବ । କିପରି ସେଇସବୁ ଶଠତାର ମୁଖା ଖୋଲିବାକୁ ହେବ ଏବଂ ମଧ୍ୟବିତ୍ତ କୃଷକଙ୍କୁ ତାଙ୍କର ପ୍ରକୃତ ବନ୍ଧୁ ବାଛିବା ଦିଗରେ କିପରି ସାହାଯ୍ୟ କରିବାକୁ ହେବ, ତା'ଶିକ୍ଷା କରିବାକୁ ପଡ଼ିବ । ଯଦି ରୁଷର ସୋସାଲ-ଡିମୋକ୍ରାଟ୍ ଶ୍ରମିକମାନେ ତୁରନ୍ତ ସଠିକ ମାର୍ଗ ଗ୍ରହଣ କରନ୍ତି ତେବେ ଆମର କମରୋଡ଼ ଜର୍ମାନୀ ଶ୍ରମିକଙ୍କ ଅପେକ୍ଷା ଆମେ ଗ୍ରାମାଞ୍ଚଳର ଶ୍ରମିକ ଓ ସହରର ଶ୍ରମିକଙ୍କ ମଧ୍ୟରେ ଦୃଢ଼ ମିତ୍ରତା ଚଞ୍ଚଳ ପ୍ରତିଷ୍ଠା କରିପାରିବା ଏବଂ ଖଟିଖିଆଙ୍କର ସମସ୍ତ ଶତ୍ରୁଙ୍କ ବିରୁଦ୍ଧରେ ଅତି ଶୀଘ୍ର ବିଜୟ ହାସଲ କରିପାରିବା-

Image

 

ମଧ୍ୟବିତ୍ତ କୃଷକ କେଉଁ ପକ୍ଷକୁ ଯିବା ? ସେ ସମ୍ପତ୍ତିର ମାଲିକ ଓ
ଧନୀକଙ୍କ ପକ୍ଷ ନେବ ନା ଶ୍ରମିକ ଓ ଗରିବମାନଙ୍କ ପକ୍ଷ ନେବ ?

 

ସବୁ ସମ୍ପତ୍ତି ମାଲିକ, ସମଗ୍ର ବୁର୍ଜୁଆ ଶ୍ରେଣୀ ମଧ୍ୟବିତ୍ତ କୃଷକଙ୍କୁ ନିଜ ପକ୍ଷକୁ ଟାଣିନେବା ପାଇଁ, ତାର ଚାଷବନ୍ଦୀରେ ଉନ୍ନତି ହେଲା ଭଳି ସାହାଯ୍ୟ ସମ୍ପର୍କରେ ନାନାପ୍ରକାର ପ୍ରତିଶ୍ରୁତି ଦେଇଥାନ୍ତି, (ଶସ୍ତା ହଳଲଙ୍ଗଳ କୃଷି ବ୍ୟାଙ୍କ, ଘାସଚାଷର ପ୍ରବର୍ତ୍ତନ, ଶସ୍ତାରେ ହଳଘୋଡ଼ା ଓ ସାରପିଡ଼ିଆ ଯୋଗାଣ–ଇତ୍ୟାଦି) ସମସ୍ତ ପ୍ରକାର କୃଷି ସୋସାଇଟିରେ (ଯାହାକୁ ପୋଥିପତ୍ରରେ ସମବାୟ ବୋଲି କୁହାଯାଏ) ଯୋଗଦେବା ଲାଗି କୃଷକମାନଙ୍କୁ ପ୍ରୋତ୍ସାହିତ କରନ୍ତି, –ଯେଉଁ ସମବାୟ ସମିତିସବୁ କୃଷି ପଦ୍ଧତିରେ ଉନ୍ନତି ସାଧନା ପାଇଁ ବଡ଼ ବଡ଼ କୃଷକଙ୍କୁ ଏକାଠି କରେ । ବୁର୍ଜୁଆମାନେ ଏଇ ଉପାୟରେ ମଧ୍ୟବିତ୍ତ କୃଷକ ଓ ଅର୍ଦ୍ଧ-ସର୍ବହରାଙ୍କୁ ସର୍ବହରାମାନଙ୍କ ସହିତ ଏକଯୁଟ ହେବାରେ ବାଧା ଦିଅନ୍ତି, ଆଉ ଧନୀ, ବୁର୍ଜୁଆମାନଙ୍କର ପକ୍ଷକୁ ଯିବା ଲାଗି ପ୍ରୋତ୍ସାହିତ କରନ୍ତି ।

 

ଏଥିପ୍ରତି ସୋସାଲ-ଡିମୋକ୍ରାଟିକ ଶ୍ରମିକମାନଙ୍କର ଉତ୍ତର ହୁଏ; ଉନ୍ନତ ଧରଣର ଚାଷ, ବେଶ୍‍ ଏକ ଚମତ୍କାର ଜିନିଷ । ଶସ୍ତା ହଳଲଙ୍ଗଳ କିଣିବାରେ କିଛି କ୍ଷତି ନାହିଁ । ଆଜିକାଲି ବ୍ୟବସାୟୀ ସୁଦ୍ଧା ଯଦି ବୋକା ନ ହୁଏ ତେବେ ସେ ଆପଣା ଗରାଖକୁ ଟାଣିବା-ପାଇଁ ଶସ୍ତାରେ ବିକ୍ରୟ କରିବାର ଚେଷ୍ଟା କରିବ । କିନ୍ତୁ ଯେତେବେଳେ ଜଣେ ଗରିବ ବା ମଧ୍ୟବିତ୍ତ କୃଷକକୁ କୁହାଯାଏ, ଉନ୍ନତ ଧରଣର ଚାଷ ଓ ଶସ୍ତା ହଳଲଙ୍ଗଳ ସେମାନଙ୍କୁ ସମସ୍ତଙ୍କୁ ଦାରିଦ୍ର୍ୟରୁ ଆପେ ଆପେ ଉଧୁରିବାରେ ଓ ନିଜ ଗୋଡ଼ରେ ଛିଡ଼ାହେବାରେ ସାହାଯ୍ୟ କରିବା ଏବଂ ଧନିକଙ୍କୁ ସ୍ପର୍ଶ ନ କରି ସୁଦ୍ଧା ତାହା ସମ୍ଭବ ହେବ, ସେତେବେଳେ ତାହା ହେବ ଶଠତା, ପ୍ରତାରଣା ଏଇ ସମସ୍ତ ଉନ୍ନତି, ଶସ୍ତାଦରଓ କୋପରେଟିଭ (ଜିନିଷ ବିକା ଓ କିଣା ଲାଗି କୋପରେଟିଭ), ଯେ କୌଣସି ଲୋକ ଅପେକ୍ଷା ଧନୀଙ୍କୁ ଖୁବ ଅଧିକ ଲାଭ ଦିଏ । ଧନୀ ଅଧିକ ଶକ୍ତିଶାଳୀ ହୋଇଉଠନ୍ତି, ଗରିବ ଓ ମଧ୍ୟବିତ୍ତ କୃଷକଙ୍କ ଉପରେ ଅଧିକ ଅଧିକ ଅତ୍ୟାଚାର କରନ୍ତି । ଯେତେଦିନ ଯାଏ ଧନୀ, ଧନୀ ହୋଇଅଛି, ଯେତେଦିନ ଯାଏ ସେମାନେ ଅଧିକାଂଶ ଜମି, ପଶୁ ସମ୍ପଦ, ଯନ୍ତ୍ରପାତି ଓ ଧନ ପଇସା ଧରି ବସିଛନ୍ତି-ଆଉ ଯେତେଦିନ ପର୍ଯ୍ୟନ୍ତ ଏହା ଚାଲିଛି, ସେତେଦିନ ଯାଏ ଗରିବ, ଏପରିକି ମଧ୍ୟବିତ୍ତ କୃଷକ ବି କେବେହେଲେ ଅଭାବରୁ ମୁକ୍ତି ପାଇବାରେ ସକ୍ଷମ ହେବ ନାହିଁ । ଜଣେ ବା ଦୁଇଜଣ ମଧ୍ୟବିତ୍ତ କୃଷକ ଏସବୁ ଉନ୍ନତି ଓ କୋ-କୋପରେଟିଭ ସାହାଯ୍ୟରେ ଧନୀ ହୋଇ ଉଠିବା ପାଇଁ ସକ୍ଷମ ହୋଇପାରନ୍ତି କିନ୍ତୁ ସମସ୍ତ ମଧ୍ୟବିତ୍ତ ଦୃଶକ, ସମଗ୍ରଭାବେ ଲୋକମାନେ ଦାରିଦ୍ର୍ୟର ସାଗରରେ ଅଧିକ ଅଧିକ ନିମଗ୍ନ ହେବେ । ସମସ୍ତ ମଧ୍ୟବିତ୍ତ କୃଷକଙ୍କୁ ଧନୀ ହେବାକୁ ହେଲେ, ଧନୀଙ୍କୁ ବାହାର କରିଦେବାକୁ ହେବ । ସେମାନଙ୍କୁ ବାହାର କରାଯାଇପାରେ ଯଦି ସହରର ଶ୍ରମିକ ଓ ଗ୍ରାମାଞ୍ଚଳର ଗରିବ ଏକଯୁଟ ହୁଅନ୍ତି ।

 

ବୁର୍ଜୁଆମାନେ ମଧ୍ୟବିତ୍ତ କୃଷକ (ଏପରିକି ଛୋଟ କୃଷକକୁ ବି) କହନ୍ତି : ଆମେ ତମକୁ ଶସ୍ତା ଦରରେ ଜମି ଦେବୁ, ଶସ୍ତା ଦାମରେ ହଳଲଙ୍ଗଳ ହେବୁ, ତା' ବଦଳରେ ତୁମେ ଆମକୁ ତମର ଆତ୍ମା ବିକ୍ରୟକର, ଧନୀଙ୍କ ବିରୁଦ୍ଧରେ ଲଢ଼ିବା ଛାଡ଼ିଦିଅ ।

 

ସୋସାଲ-ଡିମୋକ୍ରାଟିକ୍ ଶ୍ରମିକମାନେ କହନ୍ତି; ଯଦି ତମକୁ ଶସ୍ତା ଦରରେ ଜିନିଷ ଯଚା ଯାଉଛି, ଆଉ ଯଦି ପାଖରେ ପଇସା ଥିବ ତେବେ ତାକୁ ନ କିଣିବ କାହିଁକି; ତା'ତ ଏକ ଭଲ ବ୍ୟବସାୟୀ । କିନ୍ତୁ କେବେହେଲେ ତୁମର ଆତ୍ମାକୁ ବିକ୍ରୟ କର ନାହିଁ । ସହରର ଶ୍ରମିକଙ୍କ ସହିତ ମିଶି (ମିତ୍ରତା କରି) ସମଗ୍ର ବୁର୍ଜୁଆମାନଙ୍କ ବିରୁଦ୍ଧରେ ସଂଗ୍ରାମକୁ ପରିତ୍ୟାଗ କରିବା ଅର୍ଥ ଅଭାବ ଦାରିଦ୍ର୍ୟ ମଧ୍ୟରେ ଚିରକାଳ ଘାଣ୍ଟି ହେବା । ଯଦି ଜିନିଷପତ୍ର ଶସ୍ତା ହୋଇଯାଏ ତେବେ ବି ଧନୀମାନେ ଅଧିକ ଲାଭବାନ ହେବେ, ଅଧିକ ଧନୀ ହୋଇଉଠିବେ । କିନ୍ତୁ ଯେଉଁମାନଙ୍କର ଧନ ନାହିଁ, ସେମାନେ ବୁର୍ଜୁଆଙ୍କଠାରୁ ସେଇ ଧନ ନ ଆଣିଲା ପର୍ଯ୍ୟନ୍ତ ଜିନିଷ ଶସ୍ତା ହେଲେ ତାଙ୍କର କିଛି ଲାଭ ନାହିଁ ।

 

ଏକ ଉଦାହରଣ ଦେଖ । ଯେଉଁମାନେ ବୁର୍ଜୁଆଙ୍କୁ ସମର୍ଥନ କରନ୍ତି, ସେମାନେ ସବୁପ୍ରକାର କୋ-ଅପରେଟିଭ (ଶସ୍ତାରେ କିଣିବା ଓ ଲାଭରେ ବିକିବାର କୋ-ଅପରେଟିଭ) ସମ୍ପର୍କରେ ଖୁବ୍ ପାଟି କରିଥାନ୍ତି । ଏପରି ଲୋକେ ଅଛନ୍ତି, ଯେଉଁମାନେକି ଆପଣାକୁ "ସୋସାଲିଷ୍ଟ ରିଭ୍ୟୁଲସନାରୀ" ବୋଲି କହନ୍ତି, ସେମାନେ ବୁର୍ଜୁଆଙ୍କ କଥାର ପ୍ରତିଧ୍ୱନି ଦେଇ ଚିତ୍କାର ଛାଡ଼ନ୍ତି-କୃଷକ ପକ୍ଷରେ କୋ-ଅପରେଟିଭ ଭଳି ଆଉ ଅଧିକ ଦରକାରୀ ଜିନିଷ କିଛି ନାହିଁ । ସବୁପ୍ରକାର କୋ-ଅପରେଟିଭ ରୁଷରେ ମୁଣ୍ଡ ଟେକିବାକୁ ମଧ୍ୟ ଆରମ୍ଭ କରିଛି । ଅଥଚ, ଅବଶ୍ୟ ସେମାନଙ୍କ ସଂଖ୍ୟା ଅତି ଅଳ୍ପ; ଆମର ରାଜନୈତିକ ସ୍ୱାଧୀନତା ନ ଅସିଲାଯାଏ ସେମାନଙ୍କ ସଂଖ୍ୟା ବଢ଼ିବ ନାହିଁ । ଜର୍ମାନୀ କଥା ଦେଖ : ସେଠାରେ କୃଷକଙ୍କର ସବୁପ୍ରକାରର ବହୁ କୋ-ଅପରେଟିଭ ଅଛି । କିନ୍ତୁ ଦେଖ ସେ କୋ-ଅପରେଟିଭ ଦ୍ୱାରା କିଏ ଲାଭବାନ ହୁଏ । ସମଗ୍ର ଜର୍ମାନୀରେ ୧୪୦, ୦୦୦ କୃଷିକାରୀ ଲୋକେ ଦୁଗ୍ଧ ଓ ଦୁଗ୍ଧ ଜାତୀୟ ଜିନିଷ ବିକ୍ରୟ କୋ-ଅପରେଟିଭରେ ଅଛନ୍ତି । ସେଇ ୧୪୦, ୦୦୦ ଲୋକଙ୍କର (ସହଜ ପାଇଁ ଗୋଲ ସଂଖ୍ୟାରେ ଧଇଲେ) ୧୧, ୦୦, ୦୦୦ ଗାଈ ରହିଛି । ହିସାବରୁ ଜଣାଯାଏ ଯେ ଜର୍ମାନୀରେ ଗରିବ କୃଷକଙ୍କ ସଂଖ୍ୟା ୪୦ ଲକ୍ଷ । ସେମାନଙ୍କ ମଧ୍ୟରୁ କେବଳ ୪୦, ୦୦୦ କୋ-ଅପରେଟିଭ ସୁବିଧା ଭୋଗ କରନ୍ତି । ଏଇ ୪୦, ୦୦୦ ଗରିବ କୃଷକଙ୍କର ୧୦୦, ୦୦୦, (ଏକ ଲକ୍ଷ) ଗାଈ ଅଛି । ଆଉ ମଧ୍ୟବିତ୍ତ ଚାଷକାରୀ, ମଧ୍ୟବିତ୍ତ କୃଷକଙ୍କ ସଂଖ୍ୟା ହେଲା ୧୦ ଲକ୍ଷ । ସେମାନଙ୍କ ମଧ୍ୟରୁ ୫୦, ୦୦୦ କୋ-ଅପରେଟିଭର ଅନ୍ତର୍ଭୁକ୍ତ । (କହିବାକୁ ଗଲେ ଶହକେ ୫ ଜଣ), ସେମାନଙ୍କର ୨ ଲକ୍ଷ ଗାଈ ଅଛି-। ଶେଷରେ ଧନୀ କୃଷକାରୀଙ୍କର (ଅର୍ଥାତ ଜମିଦାର ଓ ଧନୀ କୃଷକ ଉଭୟଙ୍କର) ସଂଖ୍ୟା ହେଉଛି ୩.୩୩ ଲକ୍ଷ । ଏମାନଙ୍କ ମଧ୍ୟରୁ ୫୦, ୦୦୦ ଅଛନ୍ତି କୋ-ଅପରେଟିଭ (ତା'ମାନେ ପ୍ରତି ଶହରେ ୧୭ ଜଣ । ସେମାନଙ୍କର ରହିଛି ୮ ଲକ୍ଷ ଗାଈ !

 

ଏଇମାନେ ହେଲେ ସେହି ଲୋକ, ଯାହାଙ୍କୁକି କୋ-ଅପରେଟିଭ ସର୍ବପ୍ରଥମେ ଏବଂ ସର୍ବାଧିକ ସାହାଯ୍ୟ କରେ । ଶସ୍ତାରେ କିଣି, ଲାଭରେ ବିକିବା ଲାଗି ଗଢ଼ା ହୋଇଥିବା କୋ-ଅପରେଟିଭ ସାହାଯ୍ୟରେ ମଧ୍ୟବିତ୍ତ କୃଷକଙ୍କୁ ରକ୍ଷା କରିବେ ବୋଲି ଯେଉଁମାନେ ଚିତ୍କାର ଛାଡ଼ନ୍ତି, ଏଇ ଉପାୟରେ ସେମାନେ କୃଷକଙ୍କର ନାକରେ ଦଉଡ଼ି ଲଗାଇ ତାକୁ ଘୋଷାରନ୍ତି । ଗରିବ ଓ ମଧ୍ୟବିତ୍ତ କୃଷକ ସୋସାଲ-ଡିମୋକ୍ରାଟଙ୍କଠାରୁ ଅତି ଶସ୍ତା ଦାମରେ ମଧ୍ୟବିତ୍ତ କୃଷକଙ୍କୁ "କିଣିନେବାକୁ" ବୁର୍ଜୁଆମାନେ ବାସ୍ତବରେ ଚାହାନ୍ତି ।

 

ଆମ ଦେଶରେ ମାଖନ ତାଆରି ଓ ମିଳିତ ଦୁଗ୍ଧ ଯୋଗାଣ କୋ-ଅପରେଟିଭମାନ ଗଠିତ ହେବା ଆରମ୍ଭ ହୋଇଛି । ଆମ ଦେଶରେ ମଧ୍ୟ ବହୁ ଲୋକ ଅଛନ୍ତି, ଯେଉଁମାନେକି ଚିତ୍କାର ଛାଡ଼ନ୍ତି, କୃଷକମାନଙ୍କର ଆରଟେଲ (ଏକତ୍ର) ଅର୍ଥାତ୍‍ ମିର୍‍ ଓ କୋ-ଅପରେଟିଭର ଏକତା ଦରକାର । କିନ୍ତୁ ଦେଖ, ଏଇସବୁ ଆରଟେଲ, କୋ-ଅପରେଟିଭ ଆଉ ଗୋଷ୍ଠୀଗତ ଭାବେ କରଦିଆ ଦ୍ୱାରା କିଏ ଲାଭବାନ ହୁଏ । ଆମ ଦେଶରେ ପ୍ରତି ଶହେ ପରିବାରରେ ଅନ୍ତତଃପକ୍ଷେ ୨୦ଟି ପରିବାରର ଜମା ଗାଈ ନାହିଁ; ୩୦ଟି ପରିବାରର ପ୍ରତ୍ୟେକଙ୍କର ଗୋଟିଏ ଲେଖାଏଁ ଗାଈ ଅଛି । ଅତିଶୟ ଅଭାବରେ ପଡ଼ି ସେମାନେ ଦୁଗ୍ଧ ବିକ୍ରୟ କରନ୍ତି ସେମାନଙ୍କର ନିଜର ପିଲାମାନେ ଦୁଗ୍ଧ ପାଆନ୍ତି ନାହିଁ, ସେମାନେ ଭୋକ ଉପାସରେ ପଡ଼ନ୍ତି, ମାଛି ଭଳି ମାରନ୍ତି । କିନ୍ତୁ ଧନୀ କୃଷକମାନେ, ପ୍ରତ୍ୟେକଙ୍କର ତିନି, ଚାରି ଓ ଆଉ ଅଧିକ ଗାଈ ରହିଛି । କୃଷକଙ୍କର ସର୍ବମୋଟ ଯେତେ ଗାଈ ଅଛି, ତାର ଅଧା ଗାଈ ରହିଛି ଏଇ ଧନୀମାନଙ୍କ ପାଖରେ । ତାହାହେଲେ ଲହୁଣୀ ଓ ଦୁଗ୍ଧ ଯୋଗାଣ କୋ-ଅପରେଟିଭ ଦ୍ୱାରା କିଏ ଲାଭବାନ ହୁଏ ? ଏହା ଅତି ପରିଷ୍କାର ଯେ, ସର୍ବପ୍ରଥମେ ଲାଭବାନ ହୁଅନ୍ତି ଜମିଦାର ଓ କୃଷକ-ବୁର୍ଜୁଆଗଣ । ଏହା ଅତି ପରିଷ୍କାର କଥା, ଏହା ସେଇମାନଙ୍କ ପଛେ ପଛେ ଅନୁସରଣ କରି ସେ ଉଦ୍ୟମ କରିବେ, ଆଉ ସେମାନେ ବିଶ୍ୱାସ କରିବେ ଯେ ଅଭାବ ଦାରିଦ୍ର୍ୟରୁ ମୁକ୍ତି ପାଇବାର ଉପାୟ ହେଲା ସମଗ୍ର ବୁର୍ଜୁଆଙ୍କ ବିରୁଦ୍ଧରେ ଶ୍ରମିକମାନଙ୍କର ସଂଗ୍ରାମ ନୁହେଁ, ଉପାୟ ହେଲା ବ୍ୟକ୍ତିବିଶେଷ ଛୋଟ ଚାଷକାରୀର ବର୍ତ୍ତମାନ ଅବସ୍ଥାରୁ ଧନୀକଶ୍ରେଣୀକୁ ଉନ୍ନୀତ ହେବାଲାଗି ଉଦ୍ୟମ କରିବା ।

 

ବୁର୍ଜୁଆଙ୍କର ପ୍ରଚାରକଗଣ, ଯେଉଁମାନେ ଆପଣାକୁ ଛୋଟ କୃଷକଙ୍କର ବନ୍ଧୁ ଓ ରକ୍ଷକ ବୋଲି ପ୍ରତାରଣା କରନ୍ତି, ସେମାନେ ଏଇ ଉଦ୍ୟମକୁ ସବୁମନ୍ତେ ଉତ୍ସାହିତ କରିଥାନ୍ତି । ବହୁ ସରଳ ବିଶ୍ୱାସୀ ଲୋକେ ମେଣ୍ଢାଛାଲର ଆବରଣର ତଳେ ଥିବା ଏଇ ହେଟାବାଘକୁ ଦେଖିପାରନ୍ତି ନାହିଁ । ସେମାନେ ଗରିବ ଓ ମଧ୍ୟବିତ୍ତ କୃଷକକୁ ସାହାଯ୍ୟ କରୁଛନ୍ତି, ଏଇ ବିଶ୍ୱାସରେ ସେମାନେ ସେଇ ବୁର୍ଜୁଆ ପ୍ରତାରଣାକୁ ପ୍ରଚାର କରିଥାନ୍ତି । ଉଦାହରଣସ୍ୱରୂପ, ସେମାନେ ପୋଥିପତ୍ରରେ, ବକୃତା ଭିତରେ ଯୁକ୍ତି ବାଢ଼ନ୍ତି ଯେ, ଛୋଟ ଛୋଟ ଚାଷବନ୍ଦି ଅତି ଲାଭଜନକ, ସବୁଠାରୁ ଲାଭଦାୟକ ଧରଣ ଚାଷ, ଛୋଟ ଛୋଟ ଚାଷବନ୍ଦି ବିକାଶଲାଭ କରୁଛି । ସେମାନେ କହନ୍ତି ଯେ ସେଇ କାରଣରୁ, ପ୍ରତ୍ୟେକ ସ୍ଥାନରେ କୃଷିକ୍ଷେତ୍ରରେ ଏତେ ବେଶି ଛୋଟ ଛୋଟ ଉତ୍ପାଦନକାରୀ ଅଛନ୍ତି, ସେଇ କାରଣରୁ ସେମାନେ ତାଙ୍କ ଜମିଖଣ୍ଡକୁ ଏଡ଼େ ଜୋରରେ ଯାବୁଡ଼ି ଧରିଛନ୍ତି (ଏହାର କାରଣ ନୁହେଁ ଯେ ବୁର୍ଜୁଆମାନେ ସବୁଠାରୁ ଉତ୍କୃଷ୍ଣ ଜମିର ଏବଂ ସମସ୍ତ ଧନରତ୍ନର ମାଲିକ, ଆଉ ଗରିବମାନେ ତାଙ୍କର ସାରାଜୀବନ ଛୋଟ ଜମିଖଣ୍ଡିକ ଭିତରେ ବାନ୍ଧିହୋଇ ପଡ଼ିଛନ୍ତି !) ଏଇ କଅଁଳକୁହା ଲୋକେ କହନ୍ତି, ଛୋଟ କୃଷକ ବେଶି ପଇସା ଦରକାର କରାନ୍ତି ନାହିଁ । ବଡ଼ ବଡ଼ ଚାଷକାରୀଙ୍କ ଅପେକ୍ଷା ଏଇ ଛୋଟ ଓ ମଧ୍ୟବିତ୍ତ କୃଷକଗଣ ଅଧିକ ମିତବ୍ୟୟୀ, ଅଧିକ ପରିଶ୍ରମୀ ଆଉ କିପରି ସରଳ ଜୀବନଯାପନ କରିବାକୁ ହୁଏ, ତାହା ଜାଣନ୍ତି । ସେମାନଙ୍କ ଗାଈ ଘୋଡ଼ାଙ୍କ ପାଇଁ ଶୁଖିଲା ଘାସ କିଣିଲା ପରିବର୍ତ୍ତେ, ତାକୁ ନଡ଼ାକୁଟା ଖୁଆଇ ଚଳାଇଦିଅନ୍ତି । ଦାମିକିଆ ମେସିନ ଯନ୍ତ୍ରପାତି କିଣିବା ବଦଳରେ ସେମାନେ ବଡ଼ିଭୋରରୁ ଉଠନ୍ତି, ଅଧିକ ସମୟ ଖଟନ୍ତି, ମେସିନ ଯେତେ କାମ କରେ ସେମାନେ ତାହା କରିଦିଅନ୍ତି । ମରାମତି କରିବାଲାଗି ଅଜଣା ଅଶୁଣା ଲୋକଙ୍କୁ ପଇସା ଦେବା ବଦଳରେ କୃଷକମାନେ ନିଜେ କୁରାଢ଼ି ବାରିଷି ଧରି ରବିବାର ଦିନ ବଢ଼େଇ ଭଳି କିଛି କାମ କରିଦିଅନ୍ତି–ବଡ଼ ବଡ଼ ଚାଷକାରୀମାନେ ଯେପରି କାମ ତୁଲାନ୍ତି, ତା' ଅପେକ୍ଷା ଏହା ଖୁବ ଶସ୍ତା । ଦାମିକିଆ ଘୋଡ଼ା ବା ବଳଦକୁ ପୋଷିବା ଅପେକ୍ଷା ସେ ଚାଷ ଲାଗି ତା'ର ଗାଈକୁ ବ୍ୟବହାର କରେ । ଜର୍ମାନୀରେ ସବୁ ଗରିବ କୃଷକ ଗାଈ ଦ୍ୱାରା ଚାଷ କରନ୍ତି, ଆମ ଦେଶରେ ମଧ୍ୟ ଲୋକେ ଏତେଦୂର ସର୍ବସ୍ୱାନ୍ତ ହେଲେଣି ଯେ ସେମାନେ କେବଳ ଗାଈଙ୍କ ଦ୍ୱାରା ନୁହେଁ, ଏପରିକି ସ୍ତ୍ରୀପୁରୁଷ ଲୋକଙ୍କ ଦ୍ୱାରା ଚାଷ କରିବାକୁ ଆରମ୍ଭ କଲେଣି ! କିପରି ଲାଭଜନକ, ଏସବୁ କିପରି ଶସ୍ତା ! ଏତେଦୂର ପରିଶ୍ରମି ଓ ଅଧ୍ୟବସାୟୀ ହେବା, ଏପରି ସରଳ ଜୀବନଯାପନ କରିବା, ବାଜେକଥାରେ ସମୟ ନଷ୍ଟ ନ କରିବା, ସମାଜବାଦ କଥା ନ ଭାବି କେବଳ ନିଜର ଚାଷବନ୍ଦି କଥା ଭାବିବା, ବୁର୍ଜୁଆଙ୍କ ବିରୁଦ୍ଧରେ ଧର୍ମଘଟ ସଙ୍ଗଠିତ କରୁଥିବା ଶ୍ରମିକଙ୍କ ଆଡ଼କୁ ନ ଯାଇ, ଧନୀ ଓ ସମ୍ମାନସ୍ପଦ ଲୋକଙ୍କ ଆଡ଼କୁ ଯିବା–ମଧ୍ୟବିତ୍ତ ଓ ଗରିବ କୃଷକଙ୍କ ପକ୍ଷରେ କି ପ୍ରଶଂସନୀୟ କାର୍ଯ୍ୟ ! ଯଦି ସମସ୍ତେ ଏପରି ପରିଶ୍ରମୀ, ଅଧ୍ୟବ୍ୟସାୟୀ ହୁଅନ୍ତି, ଅଳ୍ପ ଖର୍ଚ୍ଚରେ ଚଳନ୍ତି, ମଦ ନ ପିଅନ୍ତି ଏବଂ ଧନ ସଞ୍ଚୟ କରନ୍ତି, ଲୁଗାପଟାରେ କମ ଖର୍ଚ୍ଚ କରନ୍ତି ଓ ସେମାନଙ୍କର କମ ପିଲା ଥାନ୍ତେ–ତେବେ ସମସ୍ତେ ସୁଖରେ ରହନ୍ତେ, କୌଣସି ଅଭାବ, କୌଣସି ଦାରିଦ୍ର୍ୟ ରହନ୍ତା ନାହିଁ !

 

ବୁର୍ଜୁଆମାନେ ଏଇପରି ମଧୁର ସଙ୍ଗୀତ ମଧ୍ୟବିତ୍ତ କୃଷକଙ୍କୁ ଶୁଣାନ୍ତି, ଆଉ ନିର୍ବୋଧ ବୋକା ଲୋକ ଅଛନ୍ତି, ଯେଉଁମାନେ ଏଇ ଗୀତରେ ବିଶ୍ୱାସ କରନ୍ତି ଓ ତାକୁ ଆଉଡାଇଥାନ୍ତି । *ପ୍ରକୃତପକ୍ଷେ, ଏଇସବୁ ମଧୁରିଆ କଥା କୃଷକଙ୍କ ପ୍ରତି ପ୍ରତାରଣା ଓ ଉପହାସ ଛଡ଼ା ଅନ୍ୟ କିଛି ନୁହେଁ । ଏଇ କଅଁଳକୁହା ଲୋକେ ଯାହାକୁ ଶସ୍ତା ଓ ଲାଭଜନକ ଚାଷବନ୍ଦି ବୋଲି କହନ୍ତି, ତାହା ହେଲା ଉତ୍କଟ ଅଭାବ ଅନାଟନ, ଅତି ଶୋଚନୀୟ ଆବଶ୍ୟକତା, ତାହା ମଧ୍ୟବିତ୍ତ ଓ ଗରିବ କୃଷକଙ୍କୁ ବାଧ୍ୟ କରେ ସକାଳୁ ରାତିଯାଏ ଖଟିବାକୁ, ଖଣ୍ଡେ ରୁଟି ଟୁକୁରାରୁ ବି ନିଜକୁ ବଞ୍ଚିତ କରିବାକୁ, ଆଉ ଗୋଟିଏ ପଇସା ଖର୍ଚ୍ଚ କଲାବେଳେ ସୁଦ୍ଧା ଅତି ସନ୍ତର୍ପଣରେ ତାହା କରିବାକୁ । ବାସ୍ତବିକ, ସେଇ ଗୋଟିଏ ପ୍ୟାଣ୍ଟକୁ ତିନିବର୍ଷ ପିନ୍ଧିବା, ଖରାଦିନରେ ଖାଲିପାଦରେ ଯିବା, ନିଜର କାଠଲଙ୍ଗଳରେ ଖଣ୍ଡ ଦୌଡ଼ି ଗୁଡ଼ାଇ ମରାମତି କରିବା ଓ ଚାଳରୁ ସଢ଼ା ନଡ଼ା ଓଲାରି ଗୋରୁଗାଈଙ୍କୁ ଖୁଆଇବାଠାରୁ ବଳି ଆଉ କଣ "ଅଧିକ ଶସ୍ତା" ଓ "ଅଧିକ ଲାଭଜନକ" ହୋଇପାରେ ! ଜଣେ ବୁର୍ଜୁଆ ବା ଧନୀ ଚାଷକାରୀକୁ ସେପରି ଏକ "ଶସ୍ତା" ଓ "ଲାଭଜନକ" ଚାଷବନ୍ଦୀରେ ଥୋଇଦିଅ, ସେ ଅତିଶୀଘ୍ର ଏ ମଧୁରିଆ କଥା ଭୁଲିଯିବ ।

 

*

ରୁଷରେ ଏଇ ସବୁ ନିର୍ବୋଧ ଲୋକେ, ଯେଉଁମାନେ କୃଷକଙ୍କ ଭଲ ଚାହାନ୍ତି କିନ୍ତୁ ଯେଉଁମାନେ ଅନେକ ସମୟରେ ଏଇ ପ୍ରକାରେ ମାଧୁରିଆ କଥା କହନ୍ତି, ତାଙ୍କୁ କହନ୍ତି "ନାରୋଦନିକ୍" ବା "ଛୋଟ ଧରଣ ଚାଷବନ୍ଦିର ପ୍ରଚାରକ ।" "ସୋସାଲିଷ୍ଟ-ରିଭଲ୍ୟୁସନାରିମାନେ" ଉପଲବ୍ଧିର ଅଭାବରୁ ସେମାନଙ୍କର ପଦାଙ୍କ ଅନୁସରଣ କରିଥାନ୍ତି । ଜର୍ମାନୀରେ ମଧ୍ୟ ବହୁ କଅଁଳକୁହା ଲୋକ ଅଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଏଡୁଆର୍ଡ଼ ଡାଭିଡ ଏବେ ଏକ ବଡ଼ ବହି ଲେଖିଛନ୍ତି । ସେଥିରେ ସେ କହନ୍ତି ଯେ ଛୋଟ କୃଷକର ଚାଷବନ୍ଦି ବଡ଼ ଚାଷବନ୍ଦି ତୁଳନାରେ ନିର୍ଦ୍ଦିଷ୍ଟଭାବେ ଅଧିକ ଲାଭଜନକ, କାରଣ ଛୋଟ କୃଷକ ବେଦରକାରରେ ପଇସା ଖର୍ଚ୍ଚ କରେ ନାହିଁ, ଚାଷ ଲାଗି ଘୋଡ଼ା ରଖେ ନାହିଁ, ତାର ଦୁହାଁଳି ଗାଈକୁ ଯୋଚି ଚାଷ କରିଥାଏ ।

 

ଲୋକେ, ଯେଉଁମାନେ କ୍ଷୁଦ୍ର ଚାଷବନ୍ଦୀର ଗୁଣଗାନ କରନ୍ତି, କେତେକ ସମୟରେ କୃଷକଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି, କିନ୍ତୁ ପ୍ରକୃତରେ ସେମାନେ କେବଳ ତାଙ୍କର କ୍ଷତି କରନ୍ତି । ଲୋକେ ଯେପରି ଲଟରି ଦ୍ୱାରା ପ୍ରତାରିତ ହୁଅନ୍ତି, ସେଇପରି ତାଙ୍କର ମିଠା କଥାରେ ସେମାନେ କୃଷକକୁ ଠକନ୍ତି । ଲଟରି କଣ ସେ କଥା ମୁଁ ତମକୁ କହିବି । ଧର, ମୋର ଗୋଟିଏ ଗାଈ ଅଛି, ଦାମ ୫୦ ରୁବଲ । ମୁଁ ଲଟରୀ ଦ୍ୱାରା ଗାଈଟି ବିକ୍ରି କରିବାକୁ ଚାହେଁ । ତେଣୁ ମୁଁ ପ୍ରତ୍ୟେକଙ୍କୁ ଏକ ରୁବଲର ଗୋଟିଏ ଲେଖାଏଁ ଟିକଟ ଯାଚିଲି । ପ୍ରତ୍ୟେକଙ୍କ ପକ୍ଷରେ ଅପ୍ରତ୍ୟାଶିତଭାବେ ଏକ ରୁବେଲରେ ଗାଈ, ପାଇବାର ସୌଭାଗ୍ୟ ଜୁଟିଲା । ଲୋକଙ୍କର ଲୋଭ ହେଲା, ରୁବଲ ଆସିବାକୁ ଲାଗିଲା । ଯେତେବେଳେ ମୁଁ ଶହେ ରୁବଲ ସଂଗ୍ରହ କରିଦେଲି, ମୁଁ ଲଟରି ଉଠାଇବାକୁ ବାହାରିଲି-। ଯାହାର ଟିକଟ ଉଠିଲା, ସେ ଗାଈ ଏକ ରୁବଲରେ ପାଇଲା, ଅନ୍ୟମାନେ କିଛି ପାଇଲେ ନାହିଁ । ଲୋକଙ୍କ ଲାଗି ଗାଈଟି କଣ "ଶସ୍ତା" ? ନାହିଁ, ତା ଖୁବ୍ ମହର୍ଗ, କାରଣ ମୋଟ ପଇସା ଯାହା ସେମାନେ ଦେଲେ ତା' ଗାଈ ମୂଲ୍ୟର ଦୁଇଗୁଣ, କାରଣ ଦୁଇଜଣ ଲୋକ (ଯିଏ ଲଟରୀ କଲା ଓ ଯିଏ ଗାଈ ପାଇଲା) କୌଣସି କାମ ନ କରି, ଯେଉଁ ୯୯ ଜଣ ଲୋକ ତାଙ୍କ ପଇସା ହାରିଲେ ତାଙ୍କର ଖର୍ଚ୍ଚରେ ଲାଭବାନ ହେଲେ । ତେଣୁ ଯେଉଁମାନେ କହନ୍ତି ଲୋକଙ୍କ ଲାଗି ଲଟରୀ ସୁବିଧାଜନକ, ସେମାନେ ଲୋକଙ୍କୁ କେବଳ ଠକନ୍ତି । କୋ-ଅପରେଟିଭ (ଶସ୍ତାରେ କିଣିବା ଓ ଲାଭରେ ବିକିବାର ସୋସାଇଟି) ଉନ୍ନତ ଧରଣର ଚାଷ, ବ୍ୟାଙ୍କ ଓ ଏପରି ସବୁ ଜିନିଷ ଦ୍ୱାରା କୃଷକଙ୍କୁ ଦୁଃଖ, ଦୈନ୍ୟ, ଦାରିଦ୍ର୍ୟରୁ ମୁକ୍ତ ହେବାର ପ୍ରତିଶ୍ରୁତି ଦିଅନ୍ତି, ସେମାନେ ଠିକ୍‍ ସେଇ ଭାବରେ ଲୋକଙ୍କୁ ଠକନ୍ତି, ଠିକ୍ ଯେପରି ଲଟରୀରେ ଜଣେ ଲାଭବାନ ହୁଏ, ଅନ୍ୟ ସମସ୍ତେ କ୍ଷତିଗ୍ରସ୍ତ ହୁଅନ୍ତି, ଏଇସବୁ ଜିନିଷରେ ତାହାହିଁ ଘଟିଥାଏ । ଜଣେ ମଧ୍ୟବିତ୍ତ କୃଷକ ଧନୀ ହେବା ଦିଗରେ ଯଥେଷ୍ଟ ଚତୁର ହୋଇପାରେ କିନ୍ତୁ ତାର ୯୯ ଜଣ ସଙ୍ଗୀ ସେମାନଙ୍କ ସାରା ଜୀବନ ତାଙ୍କର ଅଣ୍ଟା ଭାଙ୍ଗି ଚାଲନ୍ତି, କେବେହେଲେ ଅଭାବ ଅନାଟନରୁ ତ୍ରାହି ପାଇପାରନ୍ତି ନାହିଁ, ଏପରିକି ଅଧିକ ଅଧିକ ଦାରିଦ୍ର୍ୟ ସାଗରରେ ନିମଗ ହୁଅନ୍ତି । ପ୍ରତ୍ୟେକ ଗ୍ରାମ୍ୟ ଲୋକ ତାର ଗୋଷ୍ଠୀ, ତାର ସମସ୍ତ ଜିଲାକୁ ଟିକିଏ ନିରେଖି କରି ପରୀକ୍ଷା କରୁ । ସେଠି କ'ଣ ବହୁ ମଧ୍ୟବିତ୍ତ କୃଷକ ଧନୀ ହୋଇଉଠିଛନ୍ତି, ଅଭାବ ଅନାଟନ ଭୁଲିଛନ୍ତି ? ଯେଉଁମାନେ ଅଭାବ ଅନାଟନରୁ କେବେହେଲେ ମୁକ୍ତି ପାଇବେ ନାହିଁ, ସେମାନଙ୍କ ସଂଖ୍ୟା କେତେ ? କେତେ ସର୍ବସ୍ୱାନ୍ତ ହୋଇ ଗାଁ' ତ୍ୟାଗ କରିଯାଇଛନ୍ତି ? ଆମେ ଦେଖିଛେ, ହିସାବ ଅନୁସାରେ ସମସ୍ତ ରୁଷରେ ୨୦ ଲକ୍ଷରୁ ଅଧିକ ମଧ୍ୟବିତ୍ତ କୃଷକ ପରିବାର ନାହାନ୍ତି । ଧରିନିଅ, ଶସ୍ତାରେ କିଣିବା ଓ ଲାଭରେ ବିକିବାଲାଗି ଯେତେପ୍ରକାରେ ସୋସାଇଟି ବର୍ତ୍ତମାନ ଅଛି, ତାର ଦଶଗୁଣ ସୋସାଇଟି ରହିଛି । ତାହାହେଲେ କଣ ଫଳ ହେବ ? ଯଦି ଲକ୍ଷେ ମଧ୍ୟବିତ୍ତ କୃଷକ ଧନୀ କୃଷକର ସ୍ତରକୁ ଚାଲିଯିବା ଲାଗି ସମର୍ଥ ହୁଅନ୍ତି, ତେବେ ତାହା କ'ଣ ଏକ ଭାଗ୍ୟ ପରୀକ୍ଷା ? ତାର ଅର୍ଥ କଣ ? ତାର ଅର୍ଥ ପ୍ରତି ଶହକାରେ ପାଞ୍ଚଜଣ ମଧ୍ୟବିତ୍ତ କୃଷକ ଧନୀ ହେବେ । ଅନ୍ୟ ୯୫ ଜଣଙ୍କ କଥା କଣ ? ସେମାନେ ସେମିତି ଅବସ୍ଥାରେ ଚିରଦିନ ସଢ଼ୁଥିବେ ଏବଂ ସେମାନଙ୍କ ଭିତରୁ ଅନେକ ଆହୁରି ଅଧିକ ଦୁର୍ଯୋଗରେ ପଡ଼ିବେ । ଆଉ ଗରିବ ଲୋକ ଆହୁରି ଅଧିକ ଗରିବ ହୋଇ ସର୍ବସ୍ୱାନ୍ତ ହେବା କେବଳ ସାର ହେବ ।

 

ଯେତେଦୂର ସମ୍ଭବ, ଅଧିକ ସଂଖ୍ୟକ ଗରିବ ଓ ମଧ୍ୟବିତ୍ତ କୃଷକ ଧନୀ ହେବା ଲାଗି ଉଦ୍ୟମ କରନ୍ତୁ, ବୁର୍ଜୁଆଙ୍କ ବିରୋଧରେ ସଂଗ୍ରାମ ନ କରି ସୁଦ୍ଧା ଦାରିଦ୍ର୍ୟ ଦୂର ହୋଇପାରିବ-ଏଇ ସମ୍ଭାବନାରେ ବିଶ୍ୱାସ କରନ୍ତୁ, ଗ୍ରାମ ଓ ସହରର ଶ୍ରମିକମାନଙ୍କ ସହିତ ଏକଯୁଟ ହେବା ପରିବର୍ତ୍ତେ କଠୋର ପରିଶ୍ରମ ଓ ମିତବ୍ୟୟିତା ତାଙ୍କୁ ଧନଶାଳୀ କରିଦବ-ଏଇ ଆଶାପୋଷଣ କରିଥାନ୍ତୁ, ବୁର୍ଜୁଆମାନେ ଏହାଠାରୁ ଆଉ ଅଧିକ କିଛି ଚାହାନ୍ତି ନାହିଁ । ବୁର୍ଜୁଆମାନେ, କୃଷକଙ୍କ ମଧରେ ଏଇ କପଟ ପ୍ରତାରଣାପୂର୍ଣ୍ଣ ଆଶା ଓ ବିଶ୍ୱାସ ବୃଦ୍ଧି କରିବା ଦିଗରେ ଯାହା ପାରନ୍ତି ସବୁ କିଛି କରନ୍ତି ଏବଂ, ମିଠାକଥା କହି ତାଙ୍କୁ ନିଶ୍ଚେଷ୍ଟ କରିଦେବାକୁ ଚାହାନ୍ତି ।

 

ସେଇ କଅଁଳକୁହା ଲୋକେ ଯେଉଁ ଶଠ ପ୍ରତାରଣା ଚଳାଇଛନ୍ତି, ତାର ମୁଖା ଖୋଲିବାଲାଗି ତାଙ୍କୁ ତିନୋଟି ପ୍ରଶ୍ନ କରିବା ଯଥେଷ୍ଟ ହେବ ।

 

ପ୍ରଥମ ପ୍ରଶ୍ନ, ଯେତେବେଳେ ରୁଷରେ ୨୪୦୦ ଲକ୍ଷ ଡେସିଟିନ୍ ଚାଷ ଜମିରୁ ୧୦୦୦ ଲକ୍ଷ ଡେସିଟିନ୍ ଜମି ବ୍ୟକ୍ତିଗତ ଜମିମାଲିକଙ୍କ ହାତରେ ଅଛି, ଯେତେବେଳେ ୧୬ହଜାର ବଡ଼ ବଡ଼ ଜମିମାଲିକ ୬୫୦ ଲକ୍ଷ ଡେସିଟିନ୍ ଜମି ଅଧିକାର କରି ବସିଛନ୍ତି, ସେତେବେଳେ ମେହନତକାରୀ ଲୋକେ କଣ ଅଭାବ ଦାରିଦ୍ର୍ୟରୁ ମୁକ୍ତ ହୋଇପାରିବେ ?

 

ଦ୍ଵିତୀୟ ପ୍ରଶ୍ନ, ଯେତେବେଳେ (ମୋଟ ଏକ କୋଟି ପରିବାର ମଧ୍ୟରୁ) ମାତ୍ର ୧୫ ଲକ୍ଷ ଧନୀ କୃଷକ ପରିବାର, କୃଷକମାନଙ୍କ ମୋଟ ଫସଲ ଜମିର ଅଧେ, କୃଷକମାନଙ୍କ ମୋଟ ଘୋଡ଼ା ଓ ଗୋରୁଗାଈର ଅଧେ ଏବଂ କୃଷକମାନଙ୍କ ମୋଟ ସମ୍ପତ୍ତି ଓ ସଞ୍ଚିତ ଜମାର ଅର୍ଦ୍ଧରୁ ଅଧିକ ନିଜ ହାତରେ ଠୁଳ କରିଛନ୍ତି, ଯେତେବେଳେ କୃଷକ ବୁର୍ଜୁଆମାନେ ଗରିବ ଓ ମଧ୍ୟବିତ୍ତ କୃଷକଙ୍କ ଉପରେ ଅତ୍ୟାଚାର କରି ଅଧିକ ଅଧିକ ଧନୀ ହୋଇଉଠୁଛନ୍ତି, ଅନ୍ୟର ପରିଶ୍ରମରୁ, କ୍ଷେତମୂଲିଆ ଓ ଦିନ-ମୂଲିଆଙ୍କ ଶ୍ରମରୁ ପଇସା ଛାଣୁଛନ୍ତି; ଆଉ ଯେତେବେଳେ ୬୫ ଲକ୍ଷ କୃଷକ ପରିବାର ସର୍ବସ୍ୱାନ୍ତ, ଦରିଦ୍ର, ସଦାସର୍ବଦା ଅନାହରଗ୍ରସ୍ତ ଏବଂ କେବଳ ଖଣ୍ଡେ ରୁଟି ପାଇବା ଆଶାରେ ସବୁ ପ୍ରକାରର ମଜୁରୀ-କାମ କରିବା ଅବସ୍ଥାରେ ଆସି ପହଞ୍ଚିଛନ୍ତି, ସେତେବେଳେ ମେହନତକାରୀ ଲୋକଙ୍କ ପକ୍ଷରେ କଣ ଆପଣାକୁ ଅଭାବ ଓ ଦାରିଦ୍ର୍ୟରୁ ମୁକ୍ତି କରିବା ସମ୍ଭବ ?

 

ତୃତୀୟ ପ୍ରଶ୍ନ; ଯେତେବେଳେ ଅର୍ଥହିଁ ପ୍ରଧାନ ଶକ୍ତି ହୋଇ ଠିଆହେଲାଣି, ଯେତେବେଳେ ପଇସାରେ ସବୁ କିଣାଯାଇପାରେ-ଜମି, କଳକାରଖାନା ଓ ଏପରିକି ସ୍ତ୍ରୀ ପୁରୁଷଙ୍କୁ ମଧ୍ୟ କିଣାଯାଇ ମଜୁରୀ-ମୂଲିଆ, ମଜୁରୀ-ଦାସ ଭାବେ ଖଟାଯାଇପାରେ, ଯେତେବେଳେ ବିନା ପଇସାରେ ଜଣେ ବଞ୍ଚିପାରେ ନାହିଁ କି ଚାଷବନ୍ଦୀ ଚଳାଇପାରେ ନାହିଁ, ଯେତେବେଳେ ପଇସା ବା ଅର୍ଥ ପାଇବାପାଇଁ ଛୋଟ ଚାଷୀ ଓ ଗରିବ କୃଷକଙ୍କୁ ବଡ଼ ବଡ଼ ଚାଷକାରୀଙ୍କ ବିରୁଦ୍ଧରେ ଲଢ଼େଇ କରିବାକୁ ହୁଏ, ଯେତେବେଳେ ଅଳ୍ପ କେତେକେ ହଜାର ଜମିଦାର, ବ୍ୟବସାୟୀ, କଳକାରଖାନା ମାଲିକ ଓ ବ୍ୟାଙ୍କପତିଗଣ ସେମାନଙ୍କ ହାତରେ କୋଟି କୋଟି ରୁବଲ ଠୁଳ କରିଛନ୍ତି, ଆଉ ମଧ୍ୟ କୋଟି କୋଟି ରୁବଲ ଗଚ୍ଛିତ ଥିବା ସମସ୍ତ ବ୍ୟାଙ୍କକୁ ନିୟନ୍ତ୍ରଣ ବା ଆୟତ୍ତ କରୁଛନ୍ତି, ସେତେବେଳେ ମେହନତକାରୀ ଲୋକେ ଆପଣାକୁ କଣ ଅଭାବ ଦାରିଦ୍ର୍ୟରୁ ମୁକ୍ତି କରିପାରନ୍ତି ?

 

ଛୋଟ ଧରଣର ଚାଷବନ୍ଦୀ ବା କୋଅପେରଟିଭ ସୁବିଧାସୁଯୋଗ ବିଷୟରେ କୌଣସି ମିଠାକଥା ଦ୍ୱାରା ତୁମେ ଏଇସବୁ ପ୍ରଶ୍ନକୁ ଏଡ଼ିଦେଇ ଚାଲିଯାଇ ନ ପାର । ଏଇସବୁ ପ୍ରଶ୍ନର କେବଳ ଗୋଟିଏ ମାତ୍ର ଉତ୍ତର : ପ୍ରକୃତ "କୋଅପରେସନ ବା ସହଯୋଗ", ଯାହା ମେହନତକାରୀ ଲୋକଙ୍କୁ ରକ୍ଷା କରିପାରେ, ତା' ହେଲା ସମଗ୍ର ବୁର୍ଜୁଆଙ୍କ ବିରୁଦ୍ଧରେ ଲଢ଼ିବା ଲାଗି ସୋସାଲ-ଡିମୋକ୍ରାଟିକ ଶ୍ରମିକମାନଙ୍କ ସହିତ ଗ୍ରାମର ଗରିବଙ୍କର ଇଉନିଅନ ବା ଏକତା । ଏଇ ଇଉନିଅନ ବା ଏକତା ଯେତେ ଶୀଘ୍ର ବୃଦ୍ଧି ପାଇବ ଓ ଶକ୍ତିଶାଳୀ ହେବ, ସେତେ ଶୀଘ୍ର ମଧ୍ୟବିତ୍ତ କୃଷକ ବୁଝିବେ ଯେ ବୁର୍ଜୁଆଙ୍କ ପ୍ରତିଶ୍ରୁତିଗୁଡ଼ିକ ସବୁ ମିଥ୍ୟା ପ୍ରବଞ୍ଚନା, ସେତେ ଶୀଘ୍ର ମଧ୍ୟବିତ୍ତ କୃଷକ ଆମ ପକ୍ଷକୁ ଚାଲିଆସିବେ ।

 

ବୁର୍ଜୁଆମାନେ ଏହା ଜାଣନ୍ତି, ସେଥିଯୋଗୁଁ ମିଠାକଥା ସହିତ, ସୋସାଲ-ଡିମୋକ୍ରାଟଙ୍କ ବିରୁଦ୍ଧରେ ସମସ୍ତ ପ୍ରକାର ମିଥ୍ୟା କୁତ୍ସା ପ୍ରଚାର କରିଥାନ୍ତି । ସେମାନେ କହନ୍ତି ଯେ ସୋସାଲ-ଡିମୋକ୍ରାଟମାନେ ମଧ୍ୟବିତ୍ତ କୃଷକ ଓ ଗରିବ କୃଷକଙ୍କୁ ତାଙ୍କ ସମ୍ପତ୍ତିରୁ ବଞ୍ଚିତ କରିବାକୁ ଚାହାନ୍ତି । ତାହା ପୂରାପୂରି ମିଥ୍ୟା । ସୋସାଲ-ଡିମୋକ୍ରାଟମାନେ ବଡ଼ ବଡ଼ ସମ୍ପତ୍ତି ମାଲିକଙ୍କଠୁଁ, ଯେଉଁମାନେକି ଅନ୍ୟମାନଙ୍କ ଶ୍ରମରେ ବଞ୍ଚନ୍ତି, କେବଳ ସେଇମାନଙ୍କଠାରୁ ସମ୍ପତ୍ତି କାଢିନେବାକୁ ଚାହାନ୍ତି । ଛୋଟ ଓ ମଧ୍ୟବିତ୍ତ ଚାଷକାରୀ, ଯେଉଁମାନେ ମୁଲିଆ ଲଗାନ୍ତି ନାହିଁ, ସେମାନଙ୍କ ସମ୍ପତ୍ତି ସୋସାଲ-ଡିମୋକ୍ରାଟମାନେ କେବେହେଲେ ନେବେ ନାହିଁ । କେବଳ ସହର ଶ୍ରମିକମାନେ, ଯେଉଁମାନେ ଅନ୍ୟମାନଙ୍କ ତୁଳନାରେ ଅଧିକ ଶ୍ରେଣୀ ସଚେତନ, ଅଧିକ ଏକତାବଦ୍ଧ, କେବଳ ସେମାନଙ୍କ ସ୍ୱାର୍ଥ ନୁହେଁ, ତା' ସହିତ ମଧ୍ୟ କୃଷି-ଶ୍ରମିକର ସ୍ୱାର୍ଥ, ଆଉ ଅନ୍ୟ ଛୋଟ ଛୋଟ କାରିଗର ଓ କୃଷକ, ଯେଉଁମାନେ ଶ୍ରମିକ ଲଗାନ୍ତି ନାହିଁ, ଧନୀଙ୍କ ସପକ୍ଷରେ ଉଦ୍ୟମ କରନ୍ତି ନାହିଁ, ବୁର୍ଜୁଆଙ୍କ ପକ୍ଷକୁ ଯାଆନ୍ତି ନାହିଁ, ସେମାନଙ୍କର ସ୍ୱାର୍ଥ ସମସ୍ତ ମେହନତକାରୀ ଲୋକଙ୍କର ସ୍ୱାର୍ଥ, ସୋସାଲ-ଡିମୋକ୍ରାଟମାନେ ରକ୍ଷା କରନ୍ତି, ସେଥିଲାଗି ଲଢ଼ନ୍ତି । ଶ୍ରମିକ ଓ କୃଷକମାନଙ୍କର ଅବସ୍ଥାର ସେଇ ସକଳ ପ୍ରକାର ଉନ୍ନତି ଲାଗି ସୋସାଲ- ଡିମୋକ୍ରାଟମାନେ ଲଢ଼ନ୍ତି, ଯାହାକି ତୁରନ୍ତ ଲାଗୁ କରାଯାଇପାରିବ, ଏପରିକି ଆମେ ବୁର୍ଜୁଆଙ୍କୁ ଧ୍ୱଂସ କଲା ପୂର୍ବକୁ ସୁଦ୍ଧା ଯାହା ଚାଲୁ କରାଯାଇପାରିବ, ଯାହାକି ବୁର୍ଜୁଆ-ବିରୋଧୀ ସଂଗ୍ରାମରେ ସେମାନଙ୍କୁ ସାହାଯ୍ୟ କରିବ । କିନ୍ତୁ ସୋସାଲ- ଡିମୋକ୍ରାଟମାନେ ଲୋକଙ୍କୁ ଠକନ୍ତି ନାହିଁ, ସେମାନେ ତାଙ୍କୁ ସମ୍ପୂର୍ଣ୍ଣ ସତ୍ୟ ଜଣାଇଦିଅନ୍ତି, ସେମାନେ ତାଙ୍କୁ ଆଗତୁରା ସିଧାସଳଖ କହିଦିଅନ୍ତି ଯେ ବୁର୍ଜୁଆଗଣ କ୍ଷମତାରେ ଥିଲା ପର୍ଯ୍ୟନ୍ତ କୌଣସିପ୍ରକାର ଉନ୍ନତି ଲୋକଙ୍କୁ ଅଭାବ ଦାରିଦ୍ର୍ୟରୁ ମୁକ୍ତି କରିପାରିବ ନାହିଁ । ସୋସାଲ-ଡିମୋକ୍ରାଟମାନେ ଏକ କାର୍ଯ୍ୟକ୍ରମ ବା ପ୍ରୋଗ୍ରାମ ପ୍ରସ୍ତୁତ କରିଛନ୍ତି । ପ୍ରୋଗ୍ରାମ ହେଲା, ଏକ ପାର୍ଟି ଯେଉଁଥିପାଇଁ ଉଦ୍ୟମ କରେ, ଯାହାଲାଗି ଲଢ଼େ, ସେସବୁ ଜିନିଷର ଏକ ସରଳ, ସଂକ୍ଷିପ୍ତ, ସଠିକ ବିବରଣୀ । ସୋସାଲ-ଡିମୋକ୍ରାଟ୍ ପାର୍ଟି ହେଉଛି ଏକମାତ୍ର ପାର୍ଟି, ଯିଏକି ଏକ ସରଳ, ସଠିକ, ନିର୍ଦ୍ଧିଷ୍ଟ ପ୍ରୋଗ୍ରାମ ଉପସ୍ଥାପିତ କରିଛି, କାରଣ ସବୁ ଲୋକ ଯେପରି ତାକୁ ଦେଖିବେ ଓ ଜାଣିପାରିବେ । ବାସ୍ତବିକ ବୁର୍ଜୁଆଙ୍କ ବନ୍ଧନରୁ ସମସ୍ତ ମେହନତକାରୀ ଲୋକଙ୍କର ଯେଉଁମାନେ ମୁକ୍ତି ଲାଗି ଲଢ଼ିବାକୁ ଚାହାନ୍ତି ଏବଂ ଯେଉଁମାନେ ବୁଝନ୍ତି ଏଇ ସଂଗ୍ରାମ ଲାଗି କେଉଁମାନେ ଏକଯୁଟ ହେବା ଉଚିତ ଓ ସଂଗ୍ରାମ କିପରି ପରିଚାଳିତ ହେବ, ସେଇମାନଙ୍କୁ ନେଇ କେବଳ ପାର୍ଟି ଗଠିତ ହୋଇପାରେ । ପୁଣି, ସୋସାଲ- ଡିମୋକ୍ରାଟମାନେ ବିଶ୍ୱାସ କରନ୍ତି ତାଙ୍କର କାର୍ଯ୍ୟକ୍ରମରେ, ମେହନତକାରୀ ଲୋକଙ୍କର ଦୁଃଖଦୈନ୍ୟ ଦାରିଦ୍ର୍ୟର କାରଣଗୁଡ଼ିକୁ ଓ ଶ୍ରମିକମାନଙ୍କର ଏକତା କାହିଁକି ବ୍ୟାପକ ଓ ଶକ୍ତିଶାଳୀ ହେଉଛି, ସେସବୁକୁ ସରଳ ସଠିକ ପ୍ରକାଶ ଭାବରେ ବୁଝାଇ ଦିଆଯିବା ଆବଶ୍ୟକ ।

 

ମଣିଷର ଜୀବନଯାତ୍ରା ବଡ଼ କଠୋର, ଏକଥା ସୂଚାଇ ବିଦ୍ରୋହ ପାଇଁ ଡାକରା ଦେଇଦେଲେ କାମ ହେବ ନାହିଁ; ସଭାପଞ୍ଚ ଉପରେ ଟେବୁଲ ବାଡ଼େଇ ଯେକୌଣସି ଲୋକ ଏହା କରିପାରିବ । ହେଲେ ତାର ମୂଲ୍ୟ କଣ ? କିଛି ନାହିଁ । ଶ୍ରମଜୀବୀ ଲୋକେ ପରିଷ୍କାର ବୁଝି-ରଖିବା ଉଚିତ ଯେ କାହିଁକି ସେମାନେ ଦୁଃଖଦୈନ୍ୟରେ ପଡ଼ିଛନ୍ତି ଅଭାବରୁ ମୁକ୍ତି ହେବା ଲାଗି ସଂଗ୍ରାମ କରିବାକୁ ହେଲେ ସେମାନଙ୍କୁ କାହା ସହିତ ଏକଯୁଟ ହେବାକୁ ହେବ ।

 

ଆମେ କହିସାରିଛୁ, ସୋସାଲ-ଡିମୋକ୍ରାଟମାନେ କଣ ଚାହାନ୍ତି, ମେହନତକାରୀ ଲୋକଙ୍କର ଅଭାବ ଦାରିଦ୍ର୍ୟର କାରଣଗୁଡ଼ିକ ଆମେ ବୁଝାଇଦେଇଛୁ । ଆମେ ସୂଚାଇଦେଇଛୁ ଗାଁ’ର ଦରିଦ୍ରଙ୍କୁ କାହା ବିରୁଦ୍ଧରେ ଲଢ଼ିବାକୁ ହେବା ଏବଂ ସେଇ ଲଢ଼େଇ ଲାଗି ସେମାନଙ୍କୁ କେଉଁମାନଙ୍କ ସହିତ ଏକଯୁଟ ହେବାକୁ ପଡ଼ିବ ।

 

ସେସବୁ ପାଇଁ ଲଢ଼େଇ କରିବା ଜରିଆରେ ଆମେ ତାଙ୍କ ଅବସ୍ଥାରେ କି ଉନ୍ନତି ତୁରନ୍ତ ପ୍ରବର୍ତ୍ତନ କରିପାରିବା, ଶ୍ରମିକର ଜୀବନଯାତ୍ରା ପ୍ରଣାଳୀକୁ, କୃଷକର ଜୀବନଯାତ୍ରା ପ୍ରଣାଳୀକୁ କେତେଦୂର ଉନ୍ନତ କରିପାରିବା, ତାହା ଏବେ ସେମାନଙ୍କୁ ବୁଝାଇ କହିବା ଆବଶ୍ୟକ ।

Image

 

ସବୁ ଲୋକଙ୍କ ପାଇଁ ଓ ଶ୍ରମିକଙ୍କ ପାଇଁ ବି ଉନ୍ନତି
ହାସଲ କରିବା ଲାଗି ସୋସାଲ-ଡିମୋକ୍ରାଟ୍‍ମାନେ ଲଢ଼ନ୍ତି ?

 

ସୋସାଲ-ଡିମୋକ୍ରାଟମାନେ ମେହନତକାରୀ ଲୋକଙ୍କୁ ସମସ୍ତ ଅନ୍ୟାୟ, ଲୁଣ୍ଠନ ଓ ଅତ୍ୟାଚାରରୁ ମୁକ୍ତ କରିବା ପାଇଁ ଲଢ଼ୁଛନ୍ତି । ସ୍ୱାଧୀନ ହେବାକୁ ହେଲେ ଶ୍ରମିକଶ୍ରେଣୀକୁ ସର୍ବପ୍ରଥମେ ଏକଯୁଟ ହେବାକୁ ହେବ । ଏକଯୁଟ ହେବାକୁ ହେଲେ, ତା’ର ଏକଯୁଟ ହେବାର ସ୍ୱାଧୀନତା ରହିବ ଆବଶ୍ୟକ, ଏକଯୁଟ ହେବାର ଅଧିକାର ରହିବ ଉଚିତ, ତା’ର ରାଜନୈତିକ ସ୍ୱାଧୀନତା ରହିବା ପ୍ରୟୋଜନ । ଆମେ ଆଗରୁ କହିସାରିଛୁ, ସ୍ୱେଚ୍ଛାଚାରୀ ସରକାରର ଅର୍ଥ ହେଲା, ଅଫିସର ଓ ପୁଲିସଙ୍କର ଉପରେ ଜନସାଧାରଣଙ୍କର ସାମନ୍ତବାଦୀ ନିର୍ଭରଶିଳତା । ସେଥିନିମନ୍ତେ ମୁଷ୍ଟିମେୟ ରାଜଦରବାରି, ମୁଷ୍ଟିମେୟ ଧନୀଲୋକ ଓ ଉଚ୍ଚପଦସ୍ଥ ବ୍ୟକ୍ତି, ଯେଉଁମାନେ ରାଜଦରବାରରେ ସମ୍ୱର୍ଦ୍ଧିତ ହୁଅନ୍ତି, ତାଙ୍କୁ ଛାଡ଼ିଦେଲେ ବାକି ସମସ୍ତଙ୍କ ଲାଗି, ସମଗ୍ରଭାବେ ଜନସାଧାରଣଙ୍କ ନିମନ୍ତେ ରାଜନୈତିକ ସ୍ୱାଧୀନତା ଆବଶ୍ୟକ । କିନ୍ତୁ ଶ୍ରମିକ ଓ କୃଷକଙ୍କ ରାଜନୈତିକ ସ୍ୱାଧୀନତା ସବୁଠାରୁ ଅଧିକ ଦରକାର । ଧନୀଲୋକେ ଅଫିସର ଓ ପୁଲିସଙ୍କର ଅତ୍ୟାଚାର ଓ ଖାମଖିଆଲୀରୁ ନିଜର ସ୍ୱାଧୀନତା ପଇସା ଦେଇ କିଣି ନେଇପାରନ୍ତି, ଧନିଲୋକେ ସର୍ବୋଚ୍ଚ ଅଦାଲତରେ ତାଙ୍କରି ଆପତ୍ତି ଶୁଣାଇପାରନ୍ତି । ସେଥିଯୋଗୁଁ ପୁଲିସ ଓ ଅଫିସରମାନେ ଗରିବ ତୁଳନାରେ ଧନୀକ ପ୍ରତି ବେଶୀ ଯଥେଚ୍ଛ ଚାରା କରିପାରନ୍ତିନାହିଁ । ଶ୍ରମିକ, କୃଷକର ପୁଲିସ ଅଫିସରଙ୍କୁ ଲାଞ୍ଚ ଦେବାକୁ ପଇସା ନାହିଁ, ତାଙ୍କର ଆପତ୍ତି କାହାରି କାନରେ ବାଜିବ ନାହିଁ, ସେମାନଙ୍କ ବିରୁଦ୍ଧରେ ମକଦ୍ଦମା କରିବାର ସ୍ୱଚ୍ଛଳତା ବି ତାଙ୍କର ନାହିଁ । ଯେପର୍ଯ୍ୟନ୍ତ ନିର୍ବାଚିତ ସରକାର ନାହିଁ, ଯେପର୍ଯ୍ୟନ୍ତ (ନିର୍ବାଚିତ) ପ୍ରତିନିଧିମାନଙ୍କୁ ଘେନି ଗଠିତ ଜାତୀୟ ବିଧାନସଭା ନ ହୋଇଛି, ସେପର୍ଯ୍ୟନ୍ତ ଶ୍ରମିକ କୃଷକମାନେ ପୁଲିସ ଓ ଅଫିସରଙ୍କର ଲୁଣ୍ଠନ, ଜୋରଜବରଦସ୍ତୀ, ଅତ୍ୟାଚାର ବା ଅପମାନରୁ କେବେହେଲେ ନିଜକୁ ମୁକ୍ତ କରିପାରିବେନାହିଁ । ନିର୍ବାଚିତ ପ୍ରତିନିଧିମାନଙ୍କ ଜାତୀୟ ବିଧାନସଭା ଭଳି ଅନୁଷ୍ଠାନହିଁ ଲୋକଙ୍କ ଅଫିସରଙ୍କ ଉପରେ ସାମନ୍ତବାଦୀ ନିର୍ଭରଶୀଳତାରୁ ମୁକ୍ତି ଦେଇପାରେ । ପ୍ରତ୍ୟେକ ବୁଦ୍ଧିମାନ କୃଷକ ନିଶ୍ଚୟ ସୋସାଲ-ଡିମୋକ୍ରାଟଙ୍କ ପକ୍ଷରେ ଛିଡ଼ା ହେବ, ସେ ସର୍ବପ୍ରଥମେ ସର୍ବାଗ୍ରେ ଦାବୀ କରିବ ଯେ ଜାର ସରକାର ନିର୍ବାଚିତ ପ୍ରତିନିଧିମାନଙ୍କର ଜାତୀୟ ବିଧାନସଭା ଗଠନ କରୁ । କାହାର କେତେ ଜମିବାଡ଼ି ଅଛି, ଧନସମ୍ପଦ ଅଛି, ଅଥବା ଦାରିଦ୍ର୍ୟ ଅଛି ତାହା ବିଚାର ନ କରି ସମସ୍ତିଙ୍କ ଦ୍ୱାରା ଏଇ ପ୍ରତିନିଧିଗଣ ନିର୍ବାଚିତ ହୁଅନ୍ତୁ । ଏହା ସ୍ୱାଧୀନ ନିର୍ବାଚନ ହେଉ, ଅଫିସରଙ୍କର କୌଣସି ହସ୍ତକ୍ଷେପ ଏଥିରେ ନ ରହୁ; ଜନସାଧାରଣଙ୍କ ପ୍ରତିନିନଧିମାନେ ଏ ନିର୍ବାଚନର ପରିଚାଳନା ଦାୟିତ୍ୱରେ ରୁହନ୍ତୁ, ପୋଲିସ ଅଫିସର ବା ସରିଫ୍‍ଙ୍କ ଦ୍ୱାରା ଏ କାର୍ଯ୍ୟ କର ନ ଯାଉ । ଏଇଭଳି ପରିସ୍ଥିତିରେ ହିଁ ସମଗ୍ର ଜନସାଧାରଣଙ୍କ ପ୍ରତିନିଧିତ୍ବ କରୁଥିବା ପ୍ରତିନିଧିମାନେ ଲୋକଙ୍କର ସମସ୍ତ ଆବଶ୍ୟକତା ବିଷୟ ଆଲୋଚନା କରିବାରେ ଏବଂ ରୁଷରେ ଏକ ଉନ୍ନତି ବ୍ୟବସ୍ତା ପ୍ରଚଳନ କରିବାରେ ସକ୍ଷମ ହେବେ ।

 

ସୋସାଲ-ଡିମୋକ୍ରାଟମାନେ ଦାବୀ କରନ୍ତି, ବିନା ବିଚାରରେ କାହାକୁ ଜେଲ ଦେବାର କ୍ଷମତାରୁ ପୁଲିସକୁ ବଞ୍ଚିତ କରଯାଉ । ମନାଇଛାରେ କାହାକୁ ଗିରଫ କଲେ ଅଫିସରଙ୍କ ପ୍ରତି କଠୋର ଦଣ୍ଡବିଧାନ ହେଉ । ଆଇନକୁ ଯେପରି ସେମାନେ ଲଙ୍ଘନ ନ କରନ୍ତି, ସେଥିଲାଗି ଅଫିସରମାନେ ଲୋକଙ୍କ ଦ୍ୱାରା ବଛାଯିବା ଉଚିତ, ଯେକୌଣସି ଅଫିସର ବିରୁଦ୍ଧରେ ସିଧାସଳଖ ଅଦାଲତରେ ଅଭିଯୋଗ ଦାଖଲ କରିବାର ଅଧିକାର ପ୍ରତ୍ୟେକ ଲୋକର ରହିବା ଉଚିତ । ପୁଲିସ ବିଷୟରେ ସରିଫ୍ ଆଗରେ ଆପତ୍ତି ଜଣାଇବା ବା ସରିଫ୍ ନେଇ ରାଜ୍ୟପାଳଙ୍କ ନିକଟରେ ଆପତ୍ତି ଜଣାଇବାର ମୂଲ୍ୟ କଣ ? ସରିଫ୍ ଅବଶ୍ୟ ସଦାବେଳେ ପୁଲିସକୁ ଘଣ୍ଟ ଘୋଡ଼ାଇବ, ଆଉ ରାଜ୍ୟପାଳ ମଧ୍ୟ ସର୍ବଦା ସରିଫକୁ ଘଣ୍ଟ ଘୋଡ଼ାଇବା, –ଆଉ ଅଭିଯୋକାରୀ ନିଜେ ଦଣ୍ଡିତ ହେବାର ପୁରା ବିପଦ ବି ରହିଛି । ଯେତେବେଳେ (ସବୁ ଦେଶ ଭଳି) ରୁଷର ପ୍ରତ୍ୟେକ ଲୋକର ଅଧିକାର ରହିବ ଯେ ଅଫିସରଙ୍କ ବିରୁଦ୍ଧରେ ଜାତୀୟ ବିଧାନସଭା ପାଖରେ, ନିର୍ବାଚିତ କୋର୍ଟ ଆଗରେ, ଅଭିଯୋଗ ଆଣିପାରିବେ, ସେମାନଙ୍କ ବିରୁଦ୍ଧରେ ଅବାଧ୍ୟରେ ସମ୍ବାଦପତ୍ରରେ ଲେଖିପାରିବେ ଓ ତାଙ୍କର ନିଜର ଆବଶ୍ୟକତାକୁ ସ୍ୱାଧୀନ ଭବେ ବ୍ୟକ୍ତ କରିପାରିବେ, କେବଳ ସେତିକିବେଳେହିଁ ଅଫିସରମାନଙ୍କ ଦୌରାତ୍ମ୍ୟ ଖର୍ଚ୍ଚ ହେବ ।

 

ରୁଷର ଲୋକେ ଏବେ ବି ଅଫିସରଙ୍କ ଉପରେ ସାମନ୍ତବାଦୀ ନିର୍ଭରଶୀଳତାରେ ପଡ଼ିରହିଛନ୍ତି । ସେମାନେ ଅଫିସରଙ୍କ ବିନା ଅନୁମତିରେ ସଭା ଡାକିପରିବେ ନାହିଁ, ବହି ଓ ସମ୍ବାଦପତ୍ର ଛପାଇପାରିବେ ନାହିଁ । ଏହା କ'ଣ ସାମନ୍ତବାଦୀ ନିର୍ଭରଶୀଳତା ନୁହେଁ ? ଯଦି ସ୍ଵାଧୀନଭାବେ ସଭା ନ ହୋଇପାରିଲା ବା ସ୍ଵାଧୀନଭାବେ ପୁସ୍ତିକା ପ୍ରଚାରପତ୍ର ପ୍ରକାଶିତ ନ ହେଲା, ତେବେ ଅଫିସରଙ୍କ ବା ଧନୀଙ୍କ ବିରୁଦ୍ଧରେ ଜଣେ କିପରି ପ୍ରତିକାର ଆଶା କରିବ ? ଲୋକଙ୍କ ଦାରିଦ୍ର୍ୟ ସମ୍ବନ୍ଧରେ ଯାହା ସତ୍ୟ ପ୍ରକାଶ କରେ, ସେପରି ପ୍ରତ୍ୟେକ ବକ୍ତବ୍ୟ ଓ ପୁସ୍ତିକା ଆଦିକୁ ଅଫିସରଗଣ ଅଦୃଶ୍ୟ ଦମନ କରନ୍ତି । ବର୍ତ୍ତମାନର ଏଇ ପୁସ୍ତିକାଟିକୁ ମଧ୍ୟ ସୋସଲ ଡିମୋକ୍ରାଟିକ ପାର୍ଟି ଦ୍ୱାରା ଗୋପନରେ ମୁଦ୍ରିତ କରିବାକୁ ହେବ ଓ ଗୋପନରେ ବଣ୍ଟନ କରିବାକୁ ପଡ଼ିବ । ଯଦି କୌଣସି ଲୋକ ପାଖରୁ ଏଇ ପୁସ୍ତିକା ମିଳେ, ତେବେ, ତା ପକ୍ଷରେ କୋର୍ଟ କଚେରୀ ଓ ଜେଲଖାନାର ଅବଶେଷ ନାହିଁ । କିନ୍ତୁ ସୋସାଲ-ଡିମୋକ୍ରାଟିକ ଶ୍ରମିକମାନେ ଏଥିଲାଗି ଭୟଭୀତ ନୁହନ୍ତି । ସେମାନେ ଅଧିକ ଅଧିକ ଛାପନ୍ତି, ଲୋକଙ୍କୁ ଅଧିକ ଅଧିକ ସତ୍ୟନିଷ୍ଠ ପୁସ୍ତିକାସବୁ ପଢ଼ିବାକୁ ଦିଅନ୍ତି । କୌଣସି ଦମନ, କୌଣସି ଜେଲଖାନା ଲୋକଙ୍କର ସ୍ୱାଧୀନତା ସଂଗ୍ରାମକୁ ବନ୍ଦ କରିପାରେ ନାହିଁ ।

 

ସୋସାଲ- ଡିମୋକ୍ରାଟମାନେ ଦାବୀ କରନ୍ତି ଯେ, ଜମିଦାରିସବୁ ଲୋପହେଉ, ରାଷ୍ଟ୍ରର ସମସ୍ତ ନାଗରିକଙ୍କର ପୂରାପୂରି ସମାନ ଅଧିକାର ସ୍ୱୀକୃତ ହେଉ, ଏବେ ରୁଷରେ ଜିଜିଆକର (ମୁଣ୍ଡ ପିଛା) ଦେଉଥିବା ଜମିଦାରୀ, ନ ଦେଉଥିବା ଜମିଦାରୀମାନ ଅଛି, ବିଶେଷ ଅଧିକାର ଭୋଗ କରୁଥବା ଏବଂ ଭୋଗ କରୁ ନ ଥିବା ଜମିଦାରୀ ଅଛି । ଏଠାରେ ସଂଭ୍ରାନ୍ତ ରକ୍ତ ଓ ସାଧାରଣ ରକ୍ତ ରହିଛି । ଏପରିକି ସାଧାରଣ ଲୋକଙ୍କ ଲାଗି ବେତମାଡ଼ର ବ୍ୟବସ୍ଥା ସୁଦ୍ଧା ଅବ୍ୟାହତ ରଖାଯାଇଛି-। ଅନ୍ୟ କୌଣସି ଦେଶରେ ଶ୍ରମିକ, କୃଷକଗଣ ଏପରି ନିକୃଷ୍ଟ ସ୍ତରରେ ନାହାନ୍ତି । ରୁଷ ବ୍ୟତୀତ ଅନ୍ୟ କୌଣସି ଦେଶରେ ବିଭିନ୍ନ ସ୍ତରର ଜମିଦାରିରେ ଭିନ୍ନ ଭିନ୍ନ ଆଇନର ପ୍ରଚଳନ ନାହିଁ । ସମୟ ଆସିଛି, ରୁଷଲୋକଙ୍କୁ ମଧ୍ୟ ଦାବୀ କରିବାକୁ ହେବ-ସଂଭ୍ରାନ୍ତ ସଂପ୍ରଦାୟଙ୍କର ଯେତେ ଅଧିକାର ରହିଛି, ସେସବୁ ଅଧିକାର ପ୍ରତ୍ୟେକ କୃଷକର ରହିବା ଉଚିତ । ଭୂ-ଦାସ ପ୍ରଥା ଲୋପ ହେବାର ୪୦ରୁ ଅଧିକ ବର୍ଷ ପରେ ବି ଏବେ ବେତମାଡ଼ର ପ୍ରୟୋଗ ଚାଲିଥିବା ଓ ମୁଣ୍ଡକର ଦେଉଥିବା ଜମିଦାରୀ ରହିଥିବ, ଏହା କଣ ଏକ ଲଜ୍ଜ୍ୟାଜନକ ବିଷୟ ନୁହେଁ ?

 

ସୋସାଲ-ଡିମୋକ୍ରାଟମାନେ ଦାବୀ କରନ୍ତି ଯେ ଲୋକଙ୍କର ଯାତାୟାତ କରିବାର ପୂର୍ଣ୍ଣ ସ୍ୱାଧୀନତା ଓ ଯେକୌଣସି ବୃତ୍ତି ବ୍ୟବସାୟରେ ଆପଣାଙ୍କୁ ନିଯୋଗ କରିବାର ଅଧିକାର ରହିବା ଉଚିତ । ଯାତାୟତ ସ୍ୱାଧୀନତାର ଅର୍ଥ କଣ ? ଏହାର ଅର୍ଥ, କୃଷକ ତା'ର ଖୁସିରେ ଯୁଆଡ଼େ ଇଛା ତେଣେ, ତା' ଇଛା ଅନୁସାରେ ଯେକୌଣସି ସ୍ଥାନକୁ ଅବାଧରେ ଯାଇପାରିବ, କାହାଠାରୁ ଅନୁମତି ଭିକ୍ଷା ନ କରି ସେ ଚାହୁଁଥିବା ଯେକୌଣସି ଗାଁ'ବା ସହରରେ ବସବାସ କରିପାରିବ, ଏହାର ଅର୍ଥ, ରୁଷରେ ପାସ୍‍ପୋର୍ଟ ବା ଅନୁମତିପତ୍ର ଲୋପ ହେବ, (ଅନ୍ୟାନ୍ୟ ଦେଶରେ ବହୁଦିନରୁ ପାସପୋର୍ଟ ପ୍ରଥା ରଦ୍ଦ ହୋଇଚି) କୌଣସି କୃଷକ ତା'ର ଖୁସି ଅନୁସାରେ ଯେକୌଣସି ସ୍ଥାନରେ ବସବାସ କରିବା ବା କାମ କରିବାରେ କୌଣସି ପୁଲିସ ଅଫିସର, କୌଣସି ସରିଫ୍ ବାଧା ଦେଇପାରିବ ନାହିଁ, ବନ୍ଦ କରିପାରିବ ନାହିଁ । ରୁଷର କୃଷକ ଏବେ ବି ଅଫିସରଙ୍କର ଏତେଦୂର ଭୂ-ଦାସ ହୋଇ ରହିଛନ୍ତି ଯେ, ସେମାନେ ଏକ ସହରକୁ ଯିବାରେ କିମ୍ବା ଏକ ନୂଆ ଜିଲାରେ ବସବାସ କରିବା ଦିଗରେ ସ୍ୱାଧୀନ ନୁହଁନ୍ତି । ମନ୍ତୀ ହୁକୁମ ଜାରି କରିଛନ୍ତି ଯେ ରାଜ୍ୟପାଳ ଅନଧିକାର ବସବାସ ଲାଗି ଅନୁମତି ଦେବେ ନାହିଁ । କୃଷକ ପାଇଁ କେଉଁ ସ୍ଥାନ ଅଧିକ ସୁବିଧାଜନକ, ସେକଥା ତା'ଠାରୁ ରାଜ୍ୟପାଳଙ୍କୁ ବେଶୀ ଜଣା ! କୃଷକ ହେଲା ଗୋଟିଏ ଅବୋଧ ଶିଶୁ, ଯେ କି କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ କୁଆଡ଼େ ହେଲେ ଯିବାକୁ ସାହସ କରିବ ନାହିଁ । ଏହା କ'ଣ ସାମନ୍ତବାଦୀ ନିର୍ଭରଶୀଳତା ନୁହେଁ ? ଯେ ସମ୍ଭ୍ରାନ୍ତ ପରିବାର ଯେକୌଣସି ଦୁବୃତ୍ତ ବ୍ୟକ୍ତିର ସୁଦ୍ଧା ହାକିମି କରିବାର ଅଧିକାର ରହିଚି, ଏହା କ'ଣ ଲୋକଙ୍କ ପକ୍ଷରେ ଲଜ୍ଜା ଅପମାନର ବିଷୟ ନୁହେ ?

 

"ଫସଲ ହାନୀ ଓ ଲୋକଙ୍କର ଦୈନ୍ୟ" ନାମକ ଏକ ପୁସ୍ତକ ଅଛି । କୃଷିମନ୍ତ୍ରୀ ଏରମୋଲୋଭ ଏହା ଲେଖିଛନ୍ତି । ଉକ୍ତ ପୁସ୍ତକ ଖୋଲାଖୋଲି କହିଚି : କୃଷକର ପ୍ରଭୁ ଜମିଦାର ଯେତେଦିନଯାଏ ଲୋକ ଦରକାର କରୁଥିବ, ସେ ପର୍ଯ୍ୟନ୍ତ ସେ ନିଜର ବାସସ୍ଥାନ ପରିବର୍ତ୍ତନ କରିପାରିବ ନାହିଁ । ମନ୍ତ୍ରୀ, ଟିକିଏ ମାତ୍ର ଦ୍ଵିଧା ନ କରି ବେଶ ପ୍ରକାଶ୍ୟରେ ଏହା କହନ୍ତି । ସେ ଭାବନ୍ତି ଯେ, ସେ ଯାହା କହୁଛନ୍ତି କୃଷକ ତା" ଶୁଣିପାରିବ ନାହିଁ, ବୁଝିପାରିବ ନାହିଁ । ଜମିଦାର ଶସ୍ତା ମୂଲିଆ ଚାହୁଁଥିଲା ବେଳେ ଲୋକଙ୍କୁ ଚାଲିଯିବାକୁ ଅନୁମତି ଦିଆଯିବ କିପରି ? ଦେଶରେ ଯେତେ ଅଧିକ ଲୋକଗହଳି ହେବ, ଜମିଦାରଙ୍କୁ ସେତେ ଭଲ; ଯେତିକି କୃଷକ ଅଧିକ ଗରିବ ହେବ, ସେତେ ଅଧିକ ଶସ୍ତାରେ ନିଜକୁ ଭଡ଼ାରେ ଦେବେ–ମୂଲ ଲଗାଇବେ, ସମସ୍ତ ପ୍ରକାରର ଅତ୍ୟାଚାରକୁ ତୁଣ୍ଡବାନ୍ଧି ସେତିକି ସହିଯିବେ । ଆଗେ ଗୁମାସ୍ତାମାନେ ଜମିଦାରଙ୍କ ସ୍ୱାର୍ଥ ଦେଖୁଥିଲେ, ଏବେ ସରିଫ୍ ଓ ରାଜ୍ୟପାଳମାନେ ତା' କରୁଛନ୍ତି । ଆଗେ ଗୁମାସ୍ତାମାନେ ଘୋଡ଼ାଶାଳରେ କୃଷକକୁ ଚାବୁକମାଡ଼ର ଆଦେଶ ଦେଉଥିଲେ, ଏବେ ସରିଫ୍ ଭୋଲୋଷ୍ଟ ଅଫିସରେ ଚାବୁକ ପ୍ରହାର ଲାଗି ଅର୍ଡ଼ର ଦେଉଛି ।

 

ସୋସାଲ-ଡିମୋକ୍ରାଟମାନେ ଦାବୀ କରନ୍ତି, ସ୍ଥାୟୀ ସୈନ୍ୟ ବାହିନୀକୁ ଭାଙ୍ଗିଦିଆଯାଉ ଆଉ ତା' ପରିବର୍ତ୍ତେ ଏକ ମିଲିସିଆ ପ୍ରତିଷ୍ଠିତ ହେଉ, ଜନସାଧାରଣଙ୍କ ହାତରେ ଅସ୍ତ୍ର ଦିଆଯାଉ । ଏ ସ୍ଥାୟୀ ସୈନ୍ୟବାହିନୀ ଲୋକଙ୍କଠାରୁ ବିଛିନ୍ନ, ଲୋକକୁ ଗୁଳି କରିବାଲାଗି ତାଲିମପ୍ରାପ୍ତ । ଯଦି ସୈନ୍ୟମାନଙ୍କୁ ବର୍ଷ ବର୍ଷ ଧରି ବାରେକରେ ବନ୍ଦ କରି ରଖା ନ ଯାଏ ଏବଂ ଅମାନୁଷିକ ଭାବେ ସେମାନଙ୍କୁ ଡ୍ରିଲ କରା ନ ଯାଏ ତେବେ ସେ ତା'ର ଭାଇ କୃଷକ ଶ୍ରମିକଙ୍କୁ ଗୁଳି କରିବାକୁ କେବେହେଲେ ରାଜି ହେବ ନାହିଁ । ସେ କଣ ଭୋକ ଅନାହାରଗ୍ରସ୍ଥ କୃଷକଙ୍କ ବିରୁଦ୍ଧରେ ଯିବ ? ଶତ୍ରୁର ଆକ୍ରମଣରୁ ଦେଶକୁ ରକ୍ଷା କରିବାପାଇଁ ଏକ ସ୍ଥାୟୀ ସୈନ୍ୟବାହିନୀର ଟିକିଏ ହେଲେ ଆବଶ୍ୟକତା ନାହିଁ; ଏକ ଜନ-ମିଲସିଆ ଯଥେଷ୍ଟ । ଯଦି ପ୍ରତ୍ୟେକ ନାଗରିକ ଅସ୍ତ୍ରରେ ସଜିତ ହୁଅନ୍ତି, ତେବେ ରୁଷର କୌଣସି ଶତ୍ରୁକୁ ଭୟ କରିବାର ନାହିଁ । ଆଉ ଲୋକେ ସାମରିକବାଦର ବୋଝର ଭାରରୁ ତ୍ରାହି ପାଇବେ । ବର୍ଷକୁ କୋଟି କୋଟି ରୁବଲ ସମରବାଦ ବାବତରେ ଖର୍ଚ୍ଚ ହେଉଚି । ଏ ସମସ୍ତ ଅର୍ଥ ଲୋକଙ୍କ ଠାରୁ ହିଁ ସଂଗୃହିତ ହୁଏ । ସେଥିଯୋଗୁଁ ଏତେ ସବୁ ଚଢ଼ା ଟିକସ, ଏବଂ ଜୀବନଧାରଣ ଦିନକୁ ଦିନ ଏପରି ଅଧିକ କଷ୍ଟକର ହୋଇଉଠୁଛି । ସମରବାଦ ଲୋକଙ୍କ ଉପରେ ଅଫିସର ଓ ପୁଲିସର କ୍ଷମତାକୁ ଆହୁରି ଅଧିକ ବୃଦ୍ଧି କରେ । ବିଦେଶୀ ଲୋକଙ୍କୁ ଲୁଣ୍ଠନ କରିବାଲାଗି ସମରବାଦ ଦରକାର ହୁଏ, ଯେମିତିକି ଚୀନ ଦେଶରେ କେତେକ ଅଞ୍ଚଳ ଦାଖଲ କରିଯିବା । ଏହା ଲୋକଙ୍କର ବୋଝକୁ ଲାଘବ କରେ ନାହିଁ, ବରଂ ବୃଦ୍ଧି ଟିକସ ଯୋଗୁଁ ଅଧିକ ବୃଦ୍ଧି କରେ । ସ୍ଥାୟୀ ସୈନ୍ୟବାହିନୀ ପରିବର୍ତ୍ତେ ଏକ ସଶସ୍ତ୍ର ଜାତି; ତାହା ସମଗ୍ର ଶ୍ରମିକ, କୃଷକ ଉପରେ ବୋଝରେ ଭାରକୁ ବହୁଳ ଭାବରେ ଲାଘବ କରିବ ।

 

ସେଇପରି ସୋସାଲ-ଡିମୋକ୍ରାଟମାନେ ଦାବୀ କରୁଥିବା ପରୋକ୍ଷ ଟିକସର ବିଲୋପ ମଧ୍ୟ ବିଶେଷଭାବେ ସାହାଯ୍ୟକାରୀ ହେବ । ପରୋକ୍ଷ ଟିକସ ହେଲା ସେଇସବୁ ଟିକସ, ଯାହାକି ଜମି ବା ଘର ଉପରେ ବସେ ନାହିଁ, ଲୋକେ ଯାହାକୁ ଜିନିଷ କିଣିବା ଭିତରେ ଚଢ଼ା ଦାମ ରୂପରେ ପରୋକ୍ଷଭାବେ ଦିଅନ୍ତି । ଚିନି, ଭଦକା, କିରାସିନି, ଦିଆସିଲି ଓ ସମସ୍ତ ପ୍ରକାର ଭୋଗ୍ୟ ଜିନିଷ ଉପରେ ସରକାରୀ ଟ୍ରେଜେରି ସଂସ୍ଥା ପକ୍ଷରୁ ଟିକସ ବସାଯାଏ । ଉତ୍ପାଦକ ଅଥବା ବଣିକ ଟ୍ରେଜେରୀରେ ଏ ଟିକସ ପୈଠ କରେ । ଅବଶ୍ୟ ସେମାନେ ତାଙ୍କ ନିଜ ପକେଟରୁ ତାହା ଦିଅନ୍ତି ନାହିଁ, ତାଙ୍କର ଗରାଖମାନେ ତାଙ୍କୁ ଯେଉଁ ପଇସା ଦିଅନ୍ତି ସେଇଥିରୁ ସେମାନେ ତାହା ଦେଇଥାନ୍ତି-। ଭଦକା, ଚିନି, କିରାସିନି, ଡିଆସିଲର ଦାମ ବୃଦ୍ଧିପାଏ । ଏକ ବୋତଲ ଭଦକା ବା ଏକ ପାଉଣ୍ଡ ଚିନି କିଣିଲା ଲୋକକୁ ଜିନିଷର ଦାମ ଉପରେ ଟିକସ ଦେବାକୁ ହୁଏ । ଦୃଷ୍ଟାନ୍ତସ୍ୱରୂପ, ଧର ଯଦି ତୁମେ ଏକ ପାଉଣ୍ଡ ଚିନି ପାଇଁ ୧୪ କପେକ ଦିଅ, ତେବେ ଚାରି କପେକ (ପ୍ରାୟ) ହେଲା ଟିକସ ।

 

ଚିନି ଉତ୍ପାଦକ ଆଗରୁ ସେ ଟିକସ ଟ୍ରେଜେରୀକୁ ଦେଇସାରିଛି । ଏବେ ଟ୍ରେଜେରୀକୁ ଦେଇଥିବା ସେଇ ଅର୍ଥ ପ୍ରତ୍ୟେକ ଗରାଖଙ୍କଠାରୁ ଆଦାୟ କରୁଛି । ଅତଏବ, ପରୋକ୍ଷ ଟିକସ ହେଲା ଭୋଗ୍ୟ ଜିନିଷ ଉପରେ ଟିକସ । ଗରାଖ ଯେଉଁ ଟିକସ କିଣେ, ଚଢ଼ା ଦର ରୂପରେ ସେ ଉକ୍ତ ଟିକସ ଦେଇଥାଏ । ଅନ୍ୟ ସମୟରେ କୁହାଯାଏ, ପରୋକ୍ଷ ଟିକସ ଏକ ନ୍ୟାୟସଙ୍ଗତ ଟିକସ ପ୍ରଥା । ତୁମେ କିଣିବା ପରିମାଣ ଅନୁସାରେ ଦେଇଥାଅ, କିନ୍ତୁ ଏହା ଠିକ୍ ନୁହେଁ । ପରୋକ୍ଷ ଟିକସ ସବୁଠାରୁ ଅନ୍ୟାୟ ଟିକସ ପ୍ରଥା, କାରଣ ଧନୀଙ୍କ ତୁଳନାରେ ପରୋକ୍ଷ ଟିକସ ଗରିବଙ୍କ ପକ୍ଷରେ ଦେବା କଷ୍ଟକର । ଧନୀଲୋକଙ୍କ ଆୟ କୃଷକ ଶ୍ରମିକଙ୍କ ଆୟ ଅପେକ୍ଷା ୧୦ ଗୁଣ, ବୋଧହୁଏ ୧୦୦ ଗୁଣ ଅଧିକ । କିନ୍ତୁ ଧନୀଲୋକ କଣ ସେଇପରି ୧୦୦ ଗୁଣ ଅଧିକ ଚିନି ଦରକାର କରେ-? ସେଇପରି ଦଶଗୁଣ ଭଦକା ବା ଦିଆସିଲି ବା କିରୋସିନି ଚାହେଁ, ତା'ଅବଶ୍ୟ ନୁହେଁ । ଗରିବ ପରିବାର ଯେତେ କିଣେ, ଏକ ଧନୀ ପରିବାର ତାର ଦୁଇଗୁଣ, ଖୁବ୍‍ ହେଲେ ତିନିଗୁଣ କିରୋସିନି, ଭଦକା ଓ ଚିନି କିଣେ । ଏହା ଅର୍ଥ ଗରିବ ଲୋକ ତୁଳନାରେ ଧନୀଲୋକ, ତାର ଆୟର ଏକ ଅଳ୍ପ ଅଂଶ ଟିକସ ଭାବରେ ଦେଇଥାଏ । ଧର, ଗରିବ ଲୋକର ବର୍ଷକୁ ଆୟ ହେଲା ୨୦୦ ରୁବଲ । ଧର ସେ ୬୦ ରୁବଲ ଜିନିଷ କିଣିଛି, ଯାହା ଉପରେ କି ଟିକସ ପଡୁଛି, ତା ଫଳରେ ଉକ୍ତ ଜିନିଷ ମହଗ ହେଉଛି । ଚିନି, ଦିଆସିଲି, କିରୋସିନି ଉପରେ ଟିକସ ହେଲା ଅବକାରୀ ଟିକସ, ଅର୍ଥାତ୍ ତାକୁ ତିଆରିକାରୀ ଲୋକ ବଜାରକୁ ଜିନିଷ ଛାଡ଼ିଲା ପୂର୍ବରୁ ଶୁଳକ୍ ଦେଇ ଦେଇଥାଏ । ଭଦକା କ୍ଷେତ୍ରରେ ତା 'ହେଲା ରାଷ୍ଟ୍ରର ଏକଚାଟିଆ, ଟ୍ରେଜେରୀ ସିଧା ଦାମ ବଢ଼ାଇଦିଏ । କାର୍ପାସ ଜିନିଷ, ଲୁହା ଓ ଅନ୍ୟାନ୍ୟ ପ୍ରଦାର୍ଥର ଦାମ ବୃଦ୍ଧି ପାଇଛି, କାରଣ ଶସ୍ତା ବିଦେଶୀ ଜିନିଷ ଉପରେ ଖୁବ ଚଢ଼ା ଶୁଳ୍କ ନ ଦେଲେ ତାକୁ ରୁଷ ଭିତରକୁ ଛାଡ଼ି ଦିଆଯାଏ ନାହିଁ । ଉପରୋକ୍ତ ୬୦ ରୁବଲ ମଧ୍ୟରୁ ୨୦ ରୁବଲ ହେଲା ଟିକସ । ଅତଏବ, ତାର ଆୟର ପ୍ରତ୍ୟେକଟି ରୁବଲରେ କୃଷକକୁ ୧୦ କପେକ୍ ପରୋକ୍ଷ ଟିକସ ଦେବାକୁ ପଡ଼େ । (ଏଥିରେ ପ୍ରତ୍ୟକ୍ଷ ଟିକସ ଜମି କ୍ଷତିପୂରଣ ଦେବା, ଭୂରାଜସ୍ୱ, ଜେମଷ୍ଟୋଭ ଭୋଲୋଷ୍ଟ ଓ ଗ୍ରାମ୍ୟ ଟିକସ ମିଶି ନାହିଁ) ଧନୀ କୃଷକର ଆୟ ହେଲା ଏକ ହଜାର ରୁବଲ, ସେ ୧୫୦ ରୁବଲ ଦାମର ଟିକସ ପଡୁଥିବା ଜିନିଷ କିଣେ, ଏବଂ ଟିକିସ ବାବତ ରେ ୫୦ ରୁବଲ ଦିଏ (ଏଥି ସହିତ ୧୫୦ ରୁବଲ ମିଶିଛି) ଅତଏବ, ତାର ଆୟ ପ୍ରତ୍ୟେକଟି ରୁବଲରେ ଧନୀ କୃଷକ ପରୋକ୍ଷ ଟିକିସ ବାବତରେ ମାତ୍ର ୫ କପେକ୍ ଦେଇଥାଏ । ଲୋକ ଯେତିକି ଧନୀ, ପରୋକ୍ଷ ଟିକିସ ବାବତରେ ସେ ତାର ଆୟ ସେତିକି କମ ଭାଗ ଦିଏ । ସେଇ କାରଣରୁ ପରୋକ୍ଷ ଟିକସ ସବୁଠାରୁ ଅନ୍ୟାୟ ଟିକସ ପ୍ରଥା । ପରୋକ୍ଷ ଟିକସ ହେଲା ଗରିବଙ୍କ ଉପରେ ଟିକସ । କୃଷକ ଶ୍ରମିକ ମିଶି, ଲୋକସଂଖ୍ୟାର ୧୦ ଭାଗରୁ ୯ ଭାଗ ଏବଂ ପରୋକ୍ଷ ଟିକସର ୧୦ ଭାଗରୁ ୯ କିମ୍ବା ୮ ଭାଗ ଦେଇଥାନ୍ତି । ସବୁ ସମ୍ଭାବନା କୁ ଧଇଲେ, କୃଷକ ଶ୍ରମିକମାନଙ୍କର ଆୟ ହେଲା ସମଗ୍ର ଜାତୀୟ ଆୟର ୧୦ ଭାଗର ୪ ଭାଗରୁ ଅଧିକ ନୁହେଁ ! ତେଣୁ ସୋସାଲ ଡିମୋକ୍ରେଟମାନେ ପରୋକ୍ଷ ଟିକସର ବିଲୋପ, ଆୟ ଉପରେ ଓ ଉତ୍ତରାଧିକାରୀ ପ୍ରତି କ୍ରମବର୍ଦ୍ଧମାନ ଟିକସ ପ୍ରଚଳନ ଦାବୀ କରନ୍ତି । ତା ଅର୍ଥ, ଅଧିକ ଆୟକୁ ଅଧିକ ଟିକସ । ଯେଉଁମାନଙ୍କର ୧୦୦୦ ରୁବଲ ଆୟ, ସେମାନେ ରୁବଲ ପିଛା ଏକ କପେକ୍ କରି ଦେବେ, ଯଦି, ଆୟ ହେଲା ୨୦୦୦ ରୁବଲ ତେବେ ତାକୁ ରୁବଲ ପ୍ରତି ୨ କପେକ୍ କରି ଦେବାକୁ ହେବ । ଏଇପରି ଚାଲିବ, ସବୁଠାରୁ କମ ଆୟ (ଧର ୪୦୦ ରୁବଲ ତଳର ଆୟକୁ ଆଦୌ କୌଣସି ଟିକସ ଦେବାକୁ ପଡ଼ିବ ନାହିଁ । ସବୁଠାରୁ ଧନୀକୁ ସର୍ବୋଚ୍ଚ ଟିକସ ଦେବାକୁ ହେବ । ଏଭଳି ଟିକସ, ଏକ ଆୟ ଟିକସ କିମ୍ବା ଅଧିକ ସଠିକ ଭାବେ କହିଲା କ୍ରମବର୍ଦ୍ଧମାନ ଆୟ ଟିକସ, ପରୋକ୍ଷ ଟିକସ ଅପେକ୍ଷା ଅଧିକ ନ୍ୟାୟସଙ୍ଗତ ହେବ । ସେଇ କାରଣରୁ ସୋସାଲ ଡିମୋକ୍ରାଟମାନେ ଆୟ ଟିକସର ପ୍ରଚଳନ ଲାଗି ଚେଷ୍ଟା କରୁଛନ୍ତି । ଅବଶ୍ୟ, ସମ୍ପତ୍ତିର ମାଲିକଗଣ ବୁର୍ଜୁଆମାନେ ଏଇ ଅବସ୍ଥାର ବିରୋଧ କରନ୍ତି ଓ ତାକୁ ବାଧା ଦିଅନ୍ତି ଗାଁର ଦରିଦ୍ର ଓ ସହରର ଶ୍ରମିକମାନଙ୍କ ମଧ୍ୟରେ ସୁଦୃଢ଼ ମିତ୍ରତା ଦ୍ୱାରା କେବଳ ବୁର୍ଜୁଆମାନଙ୍କଠାରୁ ଏଇ ଉନ୍ନତି ବିଧାନ ହାସଲ କରାଯାଇପାରେ ।

 

ଶେଷରେ, ସମଗ୍ର ଲୋକମାନଙ୍କ ଲାଗି ବିଶେଷକରି ଗାଁର ଗରିବଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ ଉନ୍ନତି ବିଧାନ ହେବ, ପିଲାମାନଙ୍କର ଅବୈତନିକ ଶିକ୍ଷା, ଯାହା କି ସୋସାଲ ଡିମୋକ୍ରାଟମାନେ ଦାବୀ କରନ୍ତି । ସହର ତୁଳନାରେ ଆଜି ମଫସଲରେ ଖୁବ କମ୍ ସ୍କୁଲ ଅଛି, ସହର ଓ ମଫସଲ ଉଭୟ କ୍ଷେତ୍ରରେ କେବଳ ଧନୀକ ଶ୍ରେଣୀ, କେବଳ ବୁର୍ଜୁଆମାନେ ତାଙ୍କର ପିଲାମାନଙ୍କୁ ଭଲ ଶିକ୍ଷା ଦେବାର ଅବସ୍ଥାରେ ଅଛନ୍ତି । ସବୁ ପିଲାଙ୍କ ଲାଗି ଅବୈତନିକ ଓ ବାଧ୍ୟତାମୂଳକ ଶିକ୍ଷା ହିଁ କେବଳ ଲୋକମାନଙ୍କୁ ତାଙ୍କର ବର୍ତ୍ତମାନର ଅଜ୍ଞାନ ଅବସ୍ଥାରୁ ଅନ୍ତତଃ କେତେକ ପରିମାଣରେ ମୁକ୍ତି କରିପାରେ । ଗାଁ ର ଗରିବ, ଏଇ ଅଜ୍ଞାନ ଅନ୍ଧକାରରେ ସବୁଠାରୁ ପୀଡ଼ିତ, ତାଙ୍କର ବିଶେଷକରି ଶିକ୍ଷାର ଆବଶ୍ୟକତା ରହିଛି । କିନ୍ତୁ ଅବଶ୍ୟ, ଆମେ ପ୍ରକୃତ ଅବୈତନିକ ଶିକ୍ଷା ଚାହୁଁ, ଅଫିସର ଓ ଧର୍ମଯାଜକମାନେ ଯେତେ ସବୁ ପ୍ରକାର ଶିକ୍ଷା ଦିଅନ୍ତି, ତାହା ଚାହୁଁନା ।

 

ସୋସାଲ-ଡିମୋକ୍ରାଟମାନେ ଆହୁରି ଦାବୀ କରନ୍ତି, ପ୍ରତ୍ୟେକ ଲୋକର, ତା'ର ଖୁସି ଅନୁସାରେ ଯେକୌଣସି ଧର୍ମ ଗ୍ରହଣ କରିବାର ପୂର୍ଣ୍ଣ ଅବାଧ ଅଧିକାର ରହିବା ଉଚିତ । ୟୁରୋପୀୟ ଦେଶମାନଙ୍କ ମଧ୍ୟରେ କେବଳ ରୁଷ ଓ ତୁର୍କୀ ଦେଶ, ଯେଉଁଠିକି ଅର୍ଥଡକ୍‍ସ ଧର୍ମର ଲୋକଙ୍କ ଛଡ଼ା ଅନ୍ୟ ଧର୍ମାଵଲମ୍ବୀଙ୍କ ବିରୁଦ୍ଧରେ ଲଜ୍ୟାଜନକ ଆଇନ ରଖାଯାଇଛି, ସେଡ଼ିନଟରସ୍, ନନ୍-କନ୍‍ଫରମିଷ୍ଟ୍ ଓ ଇହୁଦିଙ୍କ ବିରୁଦ୍ଧରେ ଆଇନ ରହିଛି । ଏହିସବୁ ଆଇନ ପୁରାପୁରି କେତେକ ଧର୍ମକୁ ନିଷିଦ୍ଧ କରେ କିମ୍ବା ତାର ପ୍ରସାରକୁ ବାଧା ଦିଏ କିମ୍ବା ସେ ଧର୍ମର ଲୋକଙ୍କୁ କେତେକ ଅଧିକାରରୁ ବଞ୍ଚିତ କରେ । ସେଇସବୁ ଯେତେଦୂର ହେଇପାରେ ସେତେଦୂର ଅନ୍ୟାୟ ସେତେଦୂର ସ୍ୱେଚ୍ଛାଚାରୀ ଓ ସେତେଦୂର ଲଜ୍ୟାଜନକ । ପ୍ରତ୍ୟେକ ଲୋକ, ତା'ର ଖୁସି ଅନୁସାରେ ଯେକୌଣସି ଧର୍ମ ଗ୍ରହଣ କରିବାକୁ କେବଳ ପୂର୍ବପରି ସ୍ୱାଧୀନ ହେବ ନାହିଁ, ତାକୁ ମଧ୍ୟ ପ୍ରସାର କରିବାକୁ କିମ୍ବା ତାର ଧର୍ମ ପରିବର୍ତ୍ତନ କରିବାକୁ ପୁରାପୁରି ସ୍ୱାଧୀନ ହେବା ଉଚିତ । ଏପରିକି କୌଣସି ଲୋକର ଧର୍ମ କ'ଣ, ତାହା ପ୍ରଶ୍ନ କରିବାର ଅଧିକାର ସୁଦ୍ଧା କୌଣସି ଅଫିସରର ରହିବ ନାହିଁ :ତାହା ପ୍ରତ୍ୟେକ ବ୍ୟକ୍ତିର ସ୍ୱୀୟ ବିବେକର ପ୍ରଶ୍ନ; ସେଥିରେ ତା'ର ହସ୍ତକ୍ଷେପର ଅଧିକାର ନାହିଁ । କୌଣସି ''ପ୍ରଭତ୍ୱପୂର୍ଣ୍ଣ'' ଧର୍ମ ବା ଗୀର୍ଜା ରହିବା ଉଚିତ ନୁହେଁ । ଆଇନ ଆଗରେ ସମସ୍ତ ଧର୍ମ, ସମସ୍ତ ଗୀର୍ଜା ସମାନ ହେବା ଉଚିତ । ବିଭିନ୍ନ ଧର୍ମର ଧର୍ମଯାଜକଗଣ, ସେମାନଙ୍କ ଧର୍ମର ଲୋକଙ୍କଠାରୁ ଦରମା ପାଇବା ଉଚିତ, ତାହା ହେଲେ କୌଣସି ଧର୍ମକୁ ସାହାଯ୍ୟ ଦେବାର ରାଷ୍ଟ୍ରର ଅର୍ଥ ବ୍ୟବହୃତ ହେବ ନାହିଁ, କୌଣସି ଧର୍ମଯାଜକର ଭରଣପୋଷଣ ଲାଗି ରାଷ୍ଟ୍ର କୌଣସି ଅର୍ଥ ଦାନ କରିବ ନାହିଁ, ସେ ଅର୍ଥଡକ୍ସ, ଡିସେନଟିଙ୍ଗ୍, ନନ୍-କନଫରମିଷ୍ଟ୍ ବା ଯା'ହେଉପଛେ । ଏଇ ହେଲା ବିଷୟ, ଯାହାଲାଗି କି ସୋସାଲ-ଡିମୋକ୍ରାଟମାନେ ଲଢ଼ନ୍ତି । ବିନା ସର୍ତ୍ତରେ, ବିନା କପଟ କୌଶଳରେ ଏଇସବୁ ବ୍ୟବସ୍ଥା କାର୍ଯ୍ୟକାରୀ ନ ହେଲା ପର୍ଯ୍ୟନ୍ତ ପୁଲିସର ଲଜ୍ୟାଜନକ ଧର୍ମଗତ ନିର୍ଯ୍ୟାତନାରୁ କିମ୍ବା ସେଇସବୁ ଧର୍ମ ଭିତରୁ କୌଣସି ଏକ ଧର୍ମପ୍ରତି ପୁଲିସର ସ୍ୱଳ୍ପ ଲଜ୍ୟାଜନକ ଭିକ୍ଷାଦାନରୁ ଲୋକମାନେ ମୁକ୍ତ ହେବେ ନାହିଁ ।

 

ସୋସାଲ-ଡିମୋକ୍ରାଟମାନେ ସବୁ ଲୋକଙ୍କ ଲାଗି ଓ ବିଶେଷକରି ଗରିବଙ୍କ ସକାଶେ ଯେଉଁ ଉନ୍ନତି ବିଧାନ ଦାବୀ କରନ୍ତି, ତାହା ଆମେ ଦେଖିଲେ । ଏବେ ଆସ ଦେଖିବା, ସେମାନେ ଶ୍ରମିକଙ୍କ ପାଇଁ କେବଳ କଳକାରଖାନା ଓ ସହରର ଶ୍ରମିକମାନଙ୍କ ପାଇଁ ନୁହେଁ, କ୍ଷେତମୂଲିଆ କୃଷି-ଶ୍ରମିକଙ୍କ ସକାଶେ ମଧ୍ୟ କି ଉନ୍ନତ ବିଧାନ ଦାବୀ କରନ୍ତି । ଫାକ୍‍ଟ୍ରିର ଶ୍ରମିକମାନେ ଅଧିକ ଠୁଳ ହେଇଥାନ୍ତି, ସେମାନେ ବଡ଼ ବଡ଼ କାରଖାନାରେ କାମ କରନ୍ତି । ସେମାନଙ୍କ ପକ୍ଷରେ ନିଜେ ନିଜେ ସୋସାଲ ଡିମୋକ୍ରାଟଙ୍କ ସାହାଯ୍ୟ ଲାଭ କରିବା ସହଜ । ଏଇ ସମସ୍ତ କାରଣରୁ, ସହରର ଶ୍ରମିକମାନେ ମାଲିକଙ୍କ ବିରୁଦ୍ଧରେ ଅନ୍ୟମାନଙ୍କ ତୁଳନାରେ ଅନେକ ଆଗରୁ ସଂଗ୍ରାମ ଆରମ୍ଭ କରିଥିଲେ, ଆଉ ସେମାନେ ଅଧିକ ଉନ୍ନତିବିଧାନ ଆଦାୟ କରିଥିଲେ । ସେମାନେ ଫାକ୍‍ଟ୍ରି ଆଇନ ପାସ କରାଇବାରେ ବି ସଫଳ ହୋଇଛନ୍ତି । ଏଇ ସକଳ ଉନ୍ନତିବିଧାନ ଯେପରି ସବୁ ଶ୍ରମିକଙ୍କ ପ୍ରତି ଲାଗୁହେବ, ସେଥିପାଇଁ ସୋସାଲ ଡିମୋକ୍ରାଟମାନେ ଲଢ଼ନ୍ତି :ସହର ଓ ମଫସଲ ଉଭୟ ସ୍ଥାନରେ ହସ୍ତଶିଳ୍ପି, ଯେଉଁମାନେ ଘରେ ରହି ନିଯୋକ୍ତା ଲାଗି କାମ କରନ୍ତି, କ୍ଷୂଦ୍ରମାଲିକ ଓ କାରିଗରଙ୍କ ଦ୍ୱାରା ନିଯୁକ୍ତି ମଜୁରୀ-ଶ୍ରମିକ, ନିର୍ମାଣ କାର୍ଯ୍ୟରେ ରତ ଶ୍ରମିକ (ରାଜ, ବଢ଼େଇ ଇତ୍ୟାଦି) କାଠ-କରତିଆ, ଅଧ୍ୟକ୍ଷ ଶ୍ରମିକ ଏବଂ କ୍ଷେତମୂଲିଆଙ୍କ ଲାଗି ମଧ୍ୟ ଏ ଉନ୍ନତି ବିଧାନ ଯେପରି ଲାଗୁ ହେବ, ସେଥିନିମନ୍ତେ ସୋସାଲ ଡିମୋକ୍ରାଟମାନେ ଲଢ଼ନ୍ତି । ସମଗ୍ର ରୁଷରେ ଏଇସବୁ ଶ୍ରମିକ, ଫାକ୍ଟ୍ରିର ଶ୍ରମିକଙ୍କର ଆଦର୍ଶ ଅନୁସରଣ କରି ଓ ତାଙ୍କର ସାହାଯ୍ୟରେ ଏବେ ଏକଜୁଟାହେବା ଆରମ୍ଭ କରିଛନ୍ତି, -ଉନ୍ନତ ଜୀବନଯାତ୍ରା ପାଇଁ, ଦୈନିକ ଶ୍ରମର ସମୟ କମ୍ କରିବା ଲାଗି ଏବଂ ଅଧିକ ମଜୁରୀ ନିମନ୍ତେ । ସୋସାଲ ଡିମୋକ୍ରାଟିକ୍ ପାର୍ଟି, ସମସ୍ତ ଶ୍ରମିକଙ୍କୁ ଉନ୍ନତ ଜୀବନଯାତ୍ରାର ସଂଗ୍ରାମରେ ସାହାଯ୍ୟ ଦେବାର କର୍ତ୍ତବ୍ୟ ଆପେ ଆପେ ଗ୍ରହଣ କରିଛି । ସବୁଠ ଟାଣୁଆ ଓ ବିଶ୍ୱସ୍ତ ଶ୍ରମିକଙ୍କୁ ୟୁନିଅନରେ ଏକଜୁଟ ହେବାରେ) ସଂଗଠତ ହେବାର ସାହାଯ୍ୟ କରୁଛି, ପୁସ୍ତିକା ଓ ପ୍ରଚାରପତ୍ର ବଣ୍ଟନ ଦ୍ୱାରା ଓ ଆନ୍ଦୋଳନକୁ ନୂଆ ହେଇ ଆସୁଥିବା ଲୋକଙ୍କ ପାଖକୁ ଅଭିଜ୍ଞ ଶ୍ରମିକ ପଠାଇ ଓ ଅନ୍ୟାନ୍ୟ ସମସ୍ତ ସମ୍ଭବପର ଉପାୟରେ ସେମାନଙ୍କୁ ସାହାଯ୍ୟ କରୁଛି । ଯେତେବେଳେ ଆମେ ରାଜନୈତିକ ସ୍ୱାଧୀନତା ଲାଭ କରିବୁ, ସେତେବେଳେ ଲୋକ ପ୍ରତିନିଧିମୂଳକ ଜାତୀୟ ବିଧାନ ସଭାରେ ଆମର ଲୋକ ପ୍ରତିନିଧି ଶ୍ରମିକ ପ୍ରତିନିଧି, ସୋସାଲ ଡିମୋକ୍ରାଟମାନେ ରହିବେ ଏବଂ ଅନ୍ୟ ଦେଶରେ ଥିବା ତାଙ୍କର କମ୍ରେଡ଼ଙ୍କ ଭଳି ସେମାନେ ଶ୍ରମିକଙ୍କ ସୁବିଧା ପାଇଁ ଆଇନ ପ୍ରଣୟନ ଦାବୀକରିବେ ।

 

ସୋସାଲ-ଡିମୋକ୍ରାଟମାନେ ଶ୍ରମିକଙ୍କ ସକାଶେ ଯେତେସବୁ ଉନ୍ନତିବିଧାନ ହାସଲରେ ଉଦ୍ୟମ କରୁଛନ୍ତି, ତାହା ଆମେ ଏଠି ବର୍ଣ୍ଣନା କରୁନାହିଁ; ତାହା ସବୁ ଆମର କାର୍ଯ୍ୟକ୍ରମରେ ଦିଆଯାଇଛି, ଏବଂ ରୁଷରେ ଶ୍ରମିକମାନଙ୍କ ଦାବୀ ଶୀର୍ଷକ ପୁସ୍ତିକାରେ ବିଶଦଭାବେ ବୁଝେଇ ଦିଆହୋଇଛି । ଏଠାରେ ସେଥିମଧ୍ୟରୁ କେତେକ ଅତି ଗୁରୁତ୍ୱପୁର୍ଣ ଉନ୍ନତି ବିଧାନ ବିଷୟ ଉଲ୍ଲେଖ କଲେ ଯଥେଷ୍ଟ ହେବ । ଶ୍ରମ ଦିବସ ଆଠ ଘଣ୍ଟାରୁ ଅଧିକ ହେବ ନାହିଁ, ସପ୍ତାହରେ ଦିନେ ଅବଶ୍ୟ ବିଶ୍ରାମ ଦିବସ ହେବ । ଓଭରଟାଇମ୍ କାମ ପୁରାପୁରି ନିଷେଧ ହେବ । ରାତ୍ରି କାମ ବି ନିଷିଦ୍ଧ ହେବ । ଷୋଳ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଅବୈତନିକ ଶିକ୍ଷା ଦିଆଯିବ, ତେଣୁ ସେ ବୟସ ଯାଏ ସେମାନଙ୍କୁ ମୂଲ ଲାଗିବାକୁ ଦିଆଯିବ ନାହିଁ । ସ୍ତ୍ରୀଲୋକଙ୍କ ସ୍ୱାସ୍ଥ୍ୟ ପ୍ରତି ଯେଉଁ ଧନ୍ଧା ବିପଦଜନକ ହେଇଥିବ, ତହିଁର ସେମାନେ କାମକରିବେ ନାହିଁ । କାମ କଲାବେଳେ ସମସ୍ତ ଦୁର୍ଘଟଣା ଲାଗି କଳ ମାଲିକ ବା ନିଯୋକ୍ତା, ଶ୍ରମିକମାନଙ୍କୁ କ୍ଷତିପୂରଣ ଦେବ, ଯଥା–ଅମଳକାରୀ ବେଙ୍ଗଳା ମେସିନ, କୁଣ୍ଡାଚଷୁ ବାହାର କରିବା ମେସିନ ତଥା ଅନ୍ୟାନ୍ୟ ଯନ୍ତ୍ରପାତି ଚଳାଇଲା ବେଳେ ଶ୍ରମିକ ଯଦି ଆହତ ହୁଏ, ତେବେ ସେ କ୍ଷତିପୂରଣ ପାଇବ । ସମସ୍ତ ମଜୁର-ଶ୍ରମିକଙ୍କୁ ସପ୍ତାହକୁ ସପ୍ତାହ ମଜୁରୀ ଦେବାକୁ ହେବ । କ୍ଷେତମୂଲିଆମାନେ ଯେପରି ଦୁଇମାସ ବା ତିନିମାସରେ ଥରେ ମୂଲ ପାଆନ୍ତି, ତା'ହେବ ନାହିଁ । ଶ୍ରମିକମାନଙ୍କ ପକ୍ଷରେ ପ୍ରତି ସପ୍ତାହରେ ନିୟମିତି ମଜୁରୀ ପାଇବା, ଜିନିଷପତ୍ରରେ ନ ପାଇ ପଇସାରେ ପାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ନିଯୋକ୍ତାମାନେ ମଜୁରୀ ବାବତରେ ନାନା ପ୍ରକାରର ବାଜେ ଜିନିଷସବୁ ଅତ୍ୟଧିକ ଦାମରେ ନେବାଲାଗି ଶ୍ରମିକକୁ ବାଧ୍ୟ କରନ୍ତି । ଏଇ ନିନ୍ଦନୀୟ ବ୍ୟବସ୍ଥା ବନ୍ଦକରିବା ପାଇଁ ଜିନିଷ ଆକାରରେ ମଜୁରୀ ଦେବା ଆଇନ ଦ୍ୱାରା ନିଷେଧ କରିବାକୁ ହେବ । ତା 'ପରେ ବୃଦ୍ଧ ଶ୍ରମିକମାନେ ରାଷ୍ଟ୍ର ପାଖରୁ ପେନସନ ପାଇବେ-। ଶ୍ରମିକ ମାନେ ତାଙ୍କର ଶ୍ରମ ଦ୍ୱାରା ସମସ୍ତ ଧନୀକଶ୍ରେଣୀକୁ ତଥା ସମଗ୍ର ରାଷ୍ଟ୍ରକୁ ରକ୍ଷା କରନ୍ତି । ତାହା ତାଙ୍କୁ ସରକାର କର୍ମଚାରୀ ମାନେ ପେନସନ ପାଇବା ଭଳି ସମାନ ଅଧିକାର ପ୍ରଦାନ କରେ-। ଶ୍ରମିକମାନଙ୍କ ସୁରକ୍ଷା ଲାଗି କରାଯାଇଥିବା ଆଇନକୁ, ନିଯୋକ୍ତାକାରୀଗଣ ନିଜ କ୍ଷମତାର ସୁଯୋଗ ନେଇ ଯେପରି ଫାଙ୍କି ଦିଅନ୍ତି, ତାହା ତଦାରଖ କରିବା ପାଇଁ ଇନ୍ସପେକ୍ଟର ସବୁ ନିଯୁକ୍ତି ହେବେ–କେବଳ ଫାକ୍ଟ୍ରିପାଇଁ ହେବେ ନାହିଁ, ବଡ଼ ବଡ଼ ଜମିଦାର ଫାର୍ମ ଓ ଯେଉଁଠାରେ ଶ୍ରମିକମୂଲିଆ ନିଯୁକ୍ତି ହୁଅନ୍ତି, ସେସବୁ ସ୍ଥାନ ପାଇଁ ନିଯୁକ୍ତି ହେବେ । ହେଲେ ଏଇସବୁ ଇନସପେକ୍ଟର ସରକାରୀ କର୍ମଚାରୀ ହେବେ ନାହିଁ, ମନ୍ତ୍ରୀ ବା ରାଜ୍ୟପାଳଙ୍କ ଦ୍ୱାରା ନିଯୁକ୍ତି ହେବେ ନାହିଁ, ସେମାନେ ପୋଲିସର କର୍ମଚାରୀ ହୋଇ ନଥିବେ । ଇନସପେକ୍ଟର ସବୁ ଶ୍ରମିକଙ୍କ ଦ୍ୱାରା ନିର୍ବାଚିତ ହେବା ଉଚିତ, ଯେଉଁମାନଙ୍କ ଉପରେ ଶ୍ରମିକଙ୍କର ଆସ୍ଥା-ବିଶ୍ୱାସ ରହିଛି, ଯାହାଙ୍କୁ ସେମାନେ ସ୍ୱାଧୀନ ଭାବେ ବାଛିଛନ୍ତି; ସେପରି ବ୍ୟକ୍ତିଙ୍କୁ ରାଷ୍ଟ୍ର ପକ୍ଷରୁ ଦରମା ଦେବାକୁ ହେବ । ନିର୍ବାଚିତ ଶ୍ରମିକ ପ୍ରତିନିଧିମାନେ ଦେଖିବେ ଶ୍ରମିକଙ୍କ ବାସଗୃହ ଯେପରି ଉପଯୁକ୍ତ ବାସଯୋଗ୍ୟ ଅବସ୍ଥାରେ ରହେ, ମାଲିକମାନେ ଶ୍ରମିକଙ୍କୁ କୁକୁର ଗୁହାଳ କିମ୍ବା ଗାତ ଭିତରେ(ଯାହା ଅନେକ ସମୟରେ କ୍ଷେତମୂଲିଆଙ୍କ କ୍ଷେତ୍ରରେ ହୋଇଥାଏ) ରହିବାକୁ ବାଧ୍ୟ କରିବା ଦିଗରେ ସାହସ କରି ନ ପାରିବେ, ଶ୍ରମିକଙ୍କୁ ବିଶ୍ରାମ ଦେବା ଦିଗରେ ସମସ୍ତ ଆଇନ ମାନନ୍ତି, ଇତ୍ୟାଦି ଇତ୍ୟାଦି । କିନ୍ତୁ ଭୁଲିଗଲେ ହେବ ନାହିଁ ଯେ ରାଜନୈତିକ ସ୍ୱାଧୀନତା ନ ଆସିଲା ଯାଏ, ଯେ ପର୍ଯ୍ୟନ୍ତ ପୋଲିସ ସର୍ବଶକ୍ତିମାନ ଓ ଲୋକଙ୍କ ପାଖରେ ଦାୟୀ ନୁହନ୍ତି, ସେ ପଯ୍ୟନ୍ତ ନିର୍ବାଚିତ ପ୍ରତିନିଧିଙ୍କର କୌଣସି ମୂଲ୍ୟ ନାହିଁ । ପ୍ରତ୍ୟେକ ଜାଣନ୍ତି, ଏବେ ପୋଲିସ ବିନା ବିଚାରରେ କେବଳ ଶ୍ରମିକ ପ୍ରତିନିଧିଙ୍କୁ ନୁହେଁ, ପ୍ରତ୍ୟେକ ଶ୍ରମିକ, ଯିଏ ନିଜର ସଙ୍ଗୀ ଶ୍ରମିକଙ୍କ ପକ୍ଷରୁ କହିବାକୁ ସାହସ କରେ, ଯିଏ ବେଆଇନ କାମକୁ ଧରାଇ ଦେବାକୁ ସାହସ କରେ କିମ୍ବା ଶ୍ରମିକମାନଙ୍କୁ ଏକଜୁଟ ହେବାକୁ ଆହ୍ୱାନ ଦିଏ, ସେମାନଙ୍କୁ ଗିରଫ କରେ । କିନ୍ତୁ ଯେତେବେଳେ ଆମର ରାଜନୈତିକ ସ୍ୱାଧୀନତା ପ୍ରତିଷ୍ଠିତ ହେବ, ସେତେବେଳେ ଶ୍ରମିକ ପ୍ରତିନିଧିମାନେ ବିଶେଷ ସାହାଯ୍ୟ କରିପାରିବେ ।

 

ସବୁ ନିଯୋକ୍ତା, (ଫାକ୍‍ଟ୍ରି ମାଲିକ, ଜମିଦାର, କଣ୍ଟ୍ରାକ୍ଟର, ଧନୀ କୃଷକ) ତାଙ୍କ ମନଇଚ୍ଛା ତାଙ୍କ ଶ୍ରମିକଙ୍କର ମଜୁରୀ କାଟିବାକୁ ସମ୍ପୂର୍ଣ୍ଣ ନିଷେଧ କରାଯିବ, ଯଥା ଉତ୍ପନ୍ନ ଜିନିଷ ଖରାପ ହେଲେ ସେଥିପାଇଁ କିମ୍ବା ଜାରିମନା କରି ମଜୁରୀ କାଟ ଇତ୍ୟାଦିକୁ ବନ୍ଦ କରାଯିବ । ମନଇଚ୍ଛା ଶ୍ରମିକଙ୍କର ମଜୁରୀ କାଟିବା ମାଲିକ ପକ୍ଷରେ ବେଆଇନ ଓ ଉତ୍ପୀଡ଼ନ । ନିଯୋକ୍ତାମାନେ ଜରିମାନା ଭାବେ ବା ଅନ୍ୟ କୌଣସିଭାବରେ ଶ୍ରମିକର ମଜୁରୀ କମ୍ କରିଦେବା ଉଚିତ୍ ନୁହେଁ । ନିଯୋକ୍ତା ନିଜେ ବିଚାରପତି ଓ ନିଜେ ଘାତକ ଭାବେ କାମ କରିପାରିବ ନାହିଁ (ବଡ଼ ଚମତ୍କାର ବିଚାରପତି, ଯିଏକି ଶ୍ରମିକର ମଜୁରୀ କାଟି ନିଜର ପକେଟ୍ ଭରେ), ତାକୁ ଉପଯୁକ୍ତ ଅଦାଲତକୁ ଯିବାକୁ ପଡ଼ିବ । ଏଇ ଅଦାଲତ, ଶ୍ରମିକ ଓ ମାଲିକଙ୍କର ସମାନ ସଂଖ୍ୟକ ପ୍ରତିନିଧିଙ୍କୁ ନେଇ ଗଠିତ ହେବ । ସେଇଭଳି ଏକ ଅଦାଲତ ହିଁ ମାଲିକଙ୍କର ଶ୍ରମିକଙ୍କ ବିରୁଦ୍ଧରେ ଓ ଶ୍ରମିକଙ୍କର ମାଲିକଙ୍କ ବିରୁଦ୍ଧରେ ଅଭିଯୋଗମାନ ନ୍ୟାୟସଙ୍ଗତ ଭାବେ ବିଚାର କରିପାରେ ।

 

ଏଇସବୁ ଉନ୍ନତିବିଧାନ, ସୋସାଲ ଡିମୋକ୍ରାଟମାନେ ସମଗ୍ର ଶ୍ରମିକଶ୍ରେଣୀ ଲାଗି ହାସଲ କରିବାକୁ ଚାହାନ୍ତି । ପ୍ରତ୍ୟେକ ଜମିଦାରୀରେ, ପ୍ରତ୍ୟେକ ଫାର୍ମରେ, ପ୍ରତ୍ୟେକ କଣ୍ଟ୍ରାକ୍ଟର ପାଖରେ କାମ କରୁଥିବା ଶ୍ରମିକଗଣ ଏକତ୍ର ହୋଇ, ବିଶ୍ୱାସଯୋଗ୍ୟ ବ୍ୟକ୍ତିଙ୍କ ସହିତ ଏକତ୍ର ବସି, ସେମାନେ କି କି ଉନ୍ନତିବିଧାନ ହାସଲ କରିବା ଦିଗରେ ଉଦ୍ୟମ କରିବେ, କି କି ଦାବୀ ସେମାନେ ଉପସ୍ଥାପିତ କରିବେ, ତାହା ଆଲୋଚନା କରିବା ଉଚିତ (ତାର କାରଣ ବିଭିନ୍ନ ଫାକ୍‍ଟ୍ରୀ, ବିଭିନ୍ନ ଫାର୍ମ, ବିଭିନ୍ନ କଣ୍ଟ୍ରାକ୍ଟରଠାରେ ଶ୍ରମିକମାନଙ୍କ ଦାବୀ ଅବଶ୍ୟ ଭିନ୍ନ ଭିନ୍ନ ହେବ) ।

 

ସୋସାଲ ଡିମୋକ୍ରାଟିକ୍ କମିଟିମାନେ ରୁଷର ଚାରିଆଡ଼େ ଶ୍ରମିକମାନଙ୍କୁ ଅତି ସ୍ପଷ୍ଟ ଓ ସଠିକଭାବେ ତାଙ୍କର ଦାବୀ ନିର୍ଦ୍ଧାରଣ କରିବାରେ ସାହାଯ୍ୟ କରୁଛନ୍ତି; ଯେଉଁଠି ଦାବୀ ତିଆରି ହୋଇଗଲା, ସେଠାରେ ତାକୁ ପ୍ରଚାରପତ୍ର ଦ୍ୱାରା ଛାପିବାରେ ସାହାଯ୍ୟ କରୁଛନ୍ତି । ତାହା ହେଲେ ସବୁ ଶ୍ରମିକ, ସବୁ ନିଯୋକ୍ତା ଓ କର୍ତ୍ତୃପକ୍ଷଗଣ ତା' ଜାଣିପାରିବେ । ଯେତେବେଳେ ଶ୍ରମିକମାନେ ତାଙ୍କ ଦାବୀ ପଛରେ ଗୋଟିଏ ମଣିଷ ଭଳି ଏକାଠି ହୋଇ ଠିଆ ହୁଅନ୍ତି, ସେ ସମୟରେ ନିଯୋକ୍ତାକୁ ବାଧ୍ୟ ହୋଇ ନତି ସ୍ୱୀକାର କରିବାକୁ ହୁଏ, ଶ୍ରମିକର ଦାବୀ ମାନିବାକୁ ପଡ଼େ । ସହରର ଶ୍ରମିକମାନେ ଏଇଭାବରେ ବହୁ ଉନ୍ନତିବିଧାନ ହାସଲ କରିସାରିଛନ୍ତି । ଏବେ ଗାଁ'ର କାରିଗର, ହସ୍ତଶିଳ୍ପୀ, କ୍ଷେତମୂଲିଆମାନେ ମଧ୍ୟ ଏକାଠି (ସଂଗଠିତ) ହେବାକୁ ଓ ତାଙ୍କର ଦାବୀ ଲାଗି ଲଢ଼ିବାକୁ ଆରମ୍ଭ କରିଛନ୍ତି । ଯେପର୍ଯ୍ୟନ୍ତ ଆମର ରାଜନୈତିକି ସ୍ୱାଧୀନତା ନାହିଁ, ଆମେ ପୋଲିସଠାରୁ ଲୁଚି ରହି ଗୋପନରେ ଲଢ଼େଇ ଚଲାଇଥାଉ । ପୋଲିସ ଶ୍ରମିକମାନଙ୍କର ସଭା ସମିତି, ସଂଘ ଓ ପ୍ରଚାରପତ୍ର ପ୍ରକାଶନକୁ ନିଷେଧ କରେ, କିନ୍ତୁ ଯେତେବେଳେ ଆମେ ରାଜନୈତିକ ସ୍ୱାଧୀନତା ହାସଲ କରିବା, ଆମେ ବ୍ୟାପକ ଭାବେ ପ୍ରକାଶ୍ୟରେ ଆମର ଲଢ଼େଇ ଚଳାଇବା । ତଦ୍ୱାରା ରୁଷର ଚାରିଆଡ଼େ ମେହନତକାରୀ ଲୋକେ ଏକଜୁଟ ହୋଇପାରିବେ ଓ ଅତ୍ୟାଚାର ବିରୁଦ୍ଧରେ ଆପଣାକୁ ଅଧିକ ଜୋରରେ ରକ୍ଷା କରିବେ । ବହୁସଂଖ୍ୟକ ଶ୍ରମିକ, ଯେଉଁମାନେ ଶ୍ରମିକଙ୍କର ସୋସାଲ ଡିମୋକ୍ରାଟିକ୍ ପାର୍ଟି ଭିତରେ ଏକଜୁଟ ହେବେ, ସେମାନେ ଅଧିକ ବଳିଷ୍ଠ ଓ ଶକ୍ତିଶାଳୀ ହେବେ, ସେମାନେ ଅଧିକ ଶୀଘ୍ର ସମସ୍ତ ଅତ୍ୟାଚାରରୁ, ସମସ୍ତ ମଜୁରୀ-ଶ୍ରମରୁ, ବୁର୍ଜଆଙ୍କ ଲାଭ ଲାଗି ସମସ୍ତ ପ୍ରକାର ହାଡ଼ଭଙ୍ଗା ଖାଟଣୀରୁ ପୂର୍ଣ୍ଣ ମୁକ୍ତି ହାସଲ କରିବାକୁ ସମର୍ଥ ହେବେ ।

 

ଆମେ ଆଗରୁ କହିସାରିଛୁ ଯେ ସୋସାଲ ଡିମୋକ୍ରାଟିକ୍ ପାର୍ଟି କେବଳ ଶ୍ରମିକଙ୍କ ପାଇଁ ନୁହେଁ, ସମସ୍ତ କୃଷକଙ୍କ ଲାଗି ମଧ୍ୟ ଉନ୍ନତିବିଧାନ ହାସଲ ଲାଗି ଲଢ଼ୁଛି । ଏବେ ଆସ ଦେଖିବା, ସମସ୍ତ କୃଷକଙ୍କ ଲାଗି ତାହା କି କି ଉନ୍ନତିବିଧାନ ଲାଗି ଉଦ୍ୟମ କରୁଛି ।

Image

 

Unknown

ସମସ୍ତ କୃଷକଙ୍କ ପାଇଁ କି କି ଉନ୍ନତି ହାସଲ
ଲାଗି ସୋସାଲ ଡିମୋକ୍ରାଟମାନେ ଲଢ଼ନ୍ତି

 

ସମସ୍ତ ଖଟିଖିଆ ଲୋକଙ୍କର ପୂର୍ଣ୍ଣ ମୁକ୍ତି ହାସଲ କରିବା ଲାଗି ଗ୍ରାମର ଗରିବଗଣ ସହରର ଶ୍ରମିକମାନଙ୍କ ସହିତ ମିତ୍ରତା ସ୍ଥାପନ କରି ଧନୀ କୃଷକଙ୍କ ସମେତ ସମଗ୍ର ବୁର୍ଜୁଆଙ୍କ ବିରୁଦ୍ଧରେ ଲଢ଼ିବା ଉଚିତ । ଧନୀଲୋକେ ତାଙ୍କର କ୍ଷେତମଜୁରିଆଙ୍କୁ ଯେତେଦୂର ସମ୍ଭବ ସେତେ କମ ପଇସା ଦେଇ, ଯେତେଦୂର ସମ୍ଭବ ସେତେ ଅଧିକ କାଳ, ଅଧିକ କଠୋର ଭାବେ ଖଟାଇବାକୁ ଚେଷ୍ଟା କରିବେ । କିନ୍ତୁ ସହର ଓ ମଫସଲର ଶ୍ରମିକମାନେ, ଯେଉଁସବୁ କ୍ଷେତମୂଲିଆ ଧନୀ କୃଷକଙ୍କ ଲାଗି କାମକରନ୍ତି, ସେମାନଙ୍କ ପାଇଁ ଭଲ ମଜୁରୀ, ଭଲ ବାସଯୋଗ୍ୟ ବ୍ୟବସ୍ଥା, ନିୟମିତ ଭାବେ ବିଶ୍ରାମ ସମୟ ହାସଲ ଲାଗି ଉଦ୍ୟମ କରିବେ । ତା'ଅର୍ଥ ଗାଁ'ର ଗରିବ, ଧନୀ କୃଷକଙ୍କଠାରୁ ସ୍ୱତନ୍ତ୍ର ଭାବେ ସେମାନଙ୍କର ନିଜର ୟୁନିଅନ ଗଠନ କରିବା ଉଚିତ । ଆମେ ପୂର୍ବରୁ ଏହା କହିସାରିଛୁ ଏବଂ ସବୁବେଳେ ତାର ପୁନରାବୃତ୍ତି କରିବୁ ।

 

କିନ୍ତୁ ରୁଷରେ ଧନୀ ଓ ଗରିବ ସବୁ କୃଷକ ବହୁଭାବରେ ଏବେ ବି ଭୂ-ଦାସ; ସେମାନେ ''ନ୍ୟୁନ'', ''କଳା'' ଆଉ ‘‘ମୁଣ୍ଡକର ବା ଜିଜିଆକରଦିଆ ଜମିଦାରୀ’’; ସେମାନେ ସବୁ ହେଉଛନ୍ତି ପୋଲିସ ଅଫିସର ଓ ସରୀଫଙ୍କ ଭୂଦାସ । ଦାସପ୍ରଥା ଲୋପକାଳୀନ ଭୂ-ବଣ୍ଟନ ବେଳେ ଯେଉଁ ଜମିରୁ ସେମାନଙ୍କୁ ବଞ୍ଚିତ କରାଯାଇଥିଲା, ତଥା ଜଳାଧାର ଗୋଚର କିମ୍ବା ଅନାବାଦୀ ଜମି ଵ୍ୟଵହାର ସକାଶେ ସେମାନେ ଜମିଦାର ପାଇଁ ବେଠି କରନ୍ତି, ଠିକ୍ ଯେମିତି ଦାସପ୍ରଥା ସମୟରେ ପ୍ରଭୁମାନଙ୍କ ପାଇଁ ଖଟୁ ଥିଲେ । ସବୁ କୃଷକ ଏଇ ନୂତନ ଭୂଦାସତ୍ୱରୁ ମୁକ୍ତ ହେବାକୁ ଚାହାଁନ୍ତି, ସେମାନେ ସମସ୍ତେ ଚାହାଁନ୍ତି ପୂର୍ଣ୍ଣ ଅଧିକାର, ସେମାନେ ସମସ୍ତେ ଜମିଦାରଙ୍କୁ ଘୃଣା କରନ୍ତି, ଯିଏ ଏବେ ବି ତାଙ୍କୁ ଭୂ-ଦାସର କାମ କରିବାକୁ ବାଧ୍ୟ କରେ; ସଂଭ୍ରାନ୍ତ ବ୍ୟକ୍ତିଙ୍କ ଜମି, ଗୋଚର, ପଡ଼ିଆ ଓ ଜଳାଶୟ ଆଦିର ଵ୍ୟଵହାର ଲାଗି ତାଙ୍କୁ ''ଶ୍ରମ-କର'' ଦେବାକୁ ବାଧ୍ୟ କରେ; ''ଅନଧିକାର ପ୍ରବେଶ ''ଲାଗି କାମ କରିବାକୁ ବାଧ୍ୟ କରେ; ବାଧ୍ୟ କରେ ତାଙ୍କର ସ୍ତ୍ରୀଲୋକଙ୍କୁ ଜମିଦାରଙ୍କ ଜମିରେ କେବଳ ମର୍ଯ୍ୟାଦା ପରିଦର୍ଶନ କରିବା'' ଉଦ୍ଦେଶ୍ୟରେ ''ଫସଲ କାଟିବାକୁ । ଜମିଦାରଙ୍କ ଲାଗି ଏଇସବୁ କାମ ଧନୀ କୃଷକଙ୍କ ଅପେକ୍ଷା ଗରିବ କୃଷକଙ୍କ ଉପରେ ଏକ ଅଧିକ କଠୋର ବୋଝ ହୁଏ । ଅନେକ ସମୟରେ ଧନୀ କୃଷକ ସେ କାମ ନ କରି ତା' ବଦଳରେ ଜମିଦାରକୁ ପଇସା ଦେବାକୁ ସକ୍ଷମ ହୋଇଥାଏ; କିନ୍ତୁ ଧନୀ କୃଷକକୁ ମଧ୍ୟ ଜମିଦାର କଷିକରି ଚିପୁଡ଼ିନିଏ । ତେଣୁ ଗ୍ରାମର ଗରିବ, ଧନୀ କୃଷକଙ୍କ ସହିତ ପାଖାପାଖି ଠିଆ ହୋଇ ସ୍ୱାଧୀକାର-ହୀନତା ବିରୋଧରେ, ସମସ୍ତ ପ୍ରକାରର ଭୂଦାସ-ଶ୍ରମ ଓ ଶ୍ରମ-କର ବିରୁଦ୍ଧରେ ଲଢ଼ିବା ଉଚିତ । (ଧନୀ କୃଷକଙ୍କ ସମେତ ବୁର୍ଜଆଙ୍କୁ ସମଗ୍ରଭାବେ ପରାସ୍ତ କରିପାରିଲେ ହିଁ କେବଳ ଆମେ ସକଳ ବନ୍ଧନ, ସମସ୍ତ ଦାରିଦ୍ର୍ୟ ଲୋପ କରିବାକୁ ସମର୍ଥ ହେବା । କିନ୍ତୁ କେତେକ ପ୍ରକାରର ବନ୍ଧନ ଅଛି, ଯାହାକୁ କି ଆମେ ସେଥି ପୂର୍ବରୁ ମଧ୍ୟ ଲୋପ କରିପାରିବା, ଯେହେତୁ ଧନୀ କୃଷକ ସୁଦ୍ଧା ତଦ୍ୱାରା ବିଶେଷଭାବେ କ୍ଷତିଗ୍ରସ୍ତ ହେଉଛି । ରୁଷରେ ଏବେ ବି ବହୁ ଅଞ୍ଚଳ, ବହୁ ଜିଲା ଅଛି, ଯେଉଁଠାରେ ଅନେକ ସମୟରେ ସବୁ କୃଷକ ଭୂ-ଦାସ ଭଳି ରହିଛନ୍ତି । ସେଇ କାରଣରୁ ରୁଷର ଶ୍ରମିକ ଓ ଗାଁ' ଗରିବଗଣ ଦୁଇ ହାତରେ ବା ଦୁଇ ପକ୍ଷରେ ଲଢ଼ିବା ଉଚିତ । ଏକ ହାତରେ -ସମସ୍ତ ବୁର୍ଜୁଆଙ୍କ ବିରୁଦ୍ଧରେ ସଂଗ୍ରାମ, ଶ୍ରମିକଙ୍କ ସହିତ ମିତ୍ରତା ସ୍ଥାପନ କରି; ଏବଂ ଅନ୍ୟ ହାତରେ-ଗ୍ରାମ୍ୟ ଅଫିସର, ସାମନ୍ତବାଦୀ ଜମିଦାରଙ୍କ ବିରୁଦ୍ଧରେ ସଂଗ୍ରାମ–ସବୁ କୃଷକଙ୍କ ସହିତ ମିତ୍ରତା ସ୍ଥାପନ କରି । ଯଦି ଗାଁ'ର ଗରିବଗଣ ଧନୀ କୃଷକଙ୍କଠାରୁ ସ୍ୱତନ୍ତ୍ର ଭାବେ ନିଜର ଇଉନିଅନ (ସଂଘ) ଗଠନ ନ କରନ୍ତି, ତେବେ ଧନୀ କୃଷକ ସେମାନଙ୍କୁ ଠକି ଦେବେ, ବୋକା ବନେଇଦେବେ; ଧନୀ କୃଷକମାନେ ନିଜେ ଜମିଦାର ପାଲଟିଯିବେ । ଆଉ ଗରିବଗଣ କେବଳ ଗରିବ ହୋଇ ରହିବେ ନାହିଁ, ସେମାନେ ଏକଜୁଟ ହେବାର ଅଧିକାର ବି ପାଇବେ ନାହିଁ । ଯଦି ଗାଁ'ର ଗରିବଗଣ ସାମନ୍ତବାଦୀ ବନ୍ଧନ ବିରୁଦ୍ଧରେ ଧନୀ କୃଷକଙ୍କ ସହିତ ପାଖାପାଖି ନ ଲଢ଼ନ୍ତି, ସେମାନେ ଏକ ସ୍ଥାନରେ ବନ୍ଧା ହୋଇ ପଡ଼ିବେ, ଶୃଙ୍ଖଳିତ ହୋଇ ରହିବେ, ସେମାନେ ସହରର ଶ୍ରମିକମାନଙ୍କ ସହିତ ଏକଜୁଟ ହେବା ଦିଗରେ ପୂର୍ଣ୍ଣ ସ୍ୱାଧୀନତା ଲାଭ କରିବେ ନାହିଁ ।

 

ଶ୍ରାମର ଗରିବଗଣ ପ୍ରଥମେ ଜମିଦାରଙ୍କୁ ଆଘାତ କରିବା ଉଚିତ, ସବୁଠାରୁ ଜଘନ୍ୟ, ସବୁଠାରୁ ମାରାତ୍ମକ ସାମନ୍ତବାଦୀ ବନ୍ଧନ ପ୍ରଥାକୁ ଫିଙ୍ଗିଦେବା ଦରକାର । ଏଇ ଲଢ଼େଇରେ ଅନେକ ଧନୀ କୃଷକ ଓ ବୁର୍ଜୁଆଙ୍କ ଅନୁଗାମୀ ଲୋକ ଗରିବଙ୍କ ପକ୍ଷ ନେବେ, କାରଣ ଜମିଦାରଙ୍କ ହାମବଡ଼ା ଅହମିକା ଦ୍ୱାରା ପ୍ରତ୍ୟେକ ଲୋକ ବ୍ୟତିବ୍ୟସ୍ତ । କିନ୍ତୁ ଆମେ ଜମିଦାରଙ୍କ କ୍ଷମତା ଖର୍ବ କରିବାକ୍ଷଣି, ସଙ୍ଗେ ସଙ୍ଗେ ଧନୀ କୃଷକ ତା'ର ପ୍ରକୃତ ରୂପ ପ୍ରକାଶ କରିବ ଏବଂ ତାର ପଞ୍ଝା ପ୍ରସାରିଦେବ ସବୁ ଗ୍ରାସ କରିବାକୁ । ସେଗୁଡ଼ାକ ହିଂସ୍ର ଲୋଭାତୁର ପଞ୍ଝା, ତାହା ଆଗରୁ ଅନେକ କିଛି ଗ୍ରାସ କରିସାରିଛି । ତେଣୁ ଆମକୁ ସତର୍କ ରହିବାକୁ ହେବ ଏବଂ ସହରର ଶ୍ରମିକମାନଙ୍କ ସହିତ ଏକ ସୁଦୃଢ଼ ଅବିଛେଦ୍ୟ ମିତ୍ରତା ସ୍ଥାପନ କରିବାକୁ ହେବ । ସହରର ଶ୍ରମିକମାନେ ଜମିଦାରଙ୍କ ଅଭିଜାତ୍ୟକୁ, କୁଳୀନ ଅଭ୍ୟାସକୁ ଭାଙ୍ଗିଦେବାର ଓ (ଯେପରି ତାଙ୍କର ମାଲିକ, ଫାକ୍ଟ୍ରିର ଅଧିପତିଙ୍କୁ କିଛି ଅଂଶରେ ନିସ୍ତେଜ କରିସାରିଛନ୍ତି) ସେଇପରି ଧନୀ କୃଷକକୁ ପୋଷା ମନେଇବା ଦିଗରେ ସାହାଯ୍ୟ କରିବେ । ସହରର ଶ୍ରମିକମାନଙ୍କ ସହିତ ମିତ୍ରତା ବିନା ଗାଁ'ର ଗରିବ କେବେହେଲେ ଆପଣାକୁ ବନ୍ଧନରୁ, ଦୁଃଖଦେନ୍ୟ ଅନାହାରରୁ ମୁକ୍ତକରିପାରିବ ନାହିଁ । ସହରର ଶ୍ରମିକକୁ ଛାଡ଼ିଦେଲେ ଗାଁ'ର ଗରିବଙ୍କୁ ସାହାଯ୍ୟ କରିବାକୁ ଆଉ କେହି ନାହିଁ, ସେମାନେ ନିଜ ବ୍ୟତୀତ ଅନ୍ୟ କାହାରି ଉପରେ ଭରସା କରିପାରିବେ ନାହିଁ । କିନ୍ତୁ କେତେକ ଉନ୍ନତି ବିଧାନ ରହିଛି, ଯାହାକି ଆଗରୁ ହାସଲ ହୋଇପାରେ, ଏଇ ବିରାଟ ସଂଗ୍ରାମର ଠିକ୍‍ ଆରମ୍ଭରେ ଆମେ ତାହା ଲାଭ କରିପାରୁ । ରୁଷରେ ଅନେକ ପ୍ରକାରର ଦାସତ୍ୱ ବନ୍ଧନ ରହିଛି, ଯାହାକି ବହୁ କାଳୁ ଅନ୍ୟ ଦେଶରୁ ଲୋପ ପାଇଲାଣି -ଅଫିସରଙ୍କ ପ୍ରତି, ଜମିଦାରଙ୍କ ପ୍ରତି ସେଇ ଦାସତ୍ୱ, ସେଇ ସାମନ୍ତବାଦୀ ଦାସତ୍ୱ, ଯେଉଁଥିରୁକି ରୁଷର କୃଷକଶ୍ରେଣୀ ସମଗ୍ର ଭାବେ ଆପଣାକୁ ତୁରନ୍ତ ମୁକ୍ତ କରିପାରନ୍ତି ।

 

ଏବେ ଆସ ଦେଖିବା ସୋସାଲ ଡିମୋକ୍ରାଟିକ୍ ପାର୍ଟି ଶ୍ରମିକମାନଙ୍କର ସର୍ବପ୍ରଥମେ କି କି ଉନ୍ନତିବିଧାନ ହାସଲ କରିବା ଲାଗି ଲଢ଼ୁଛି, ଯା' ଦ୍ୱାରା ସମଗ୍ର ଭାବେ ରୁଷର କୃଷକଶ୍ରେଣୀକୁ ଅତି ଜଘନ୍ୟ ସାମନ୍ତବାଦୀ ଦାସତ୍ୱ ବନ୍ଧନରୁ ଅନ୍ତତଃ ମୁକ୍ତି ମିଳିବ ଏବଂ ଯା'ଦ୍ୱାରା ସମଗ୍ର ଭାବେ ରୁଷର ବୁର୍ଜୁଆଙ୍କ ବିରୁଦ୍ଧରେ ଗାଁ'ର ଗରିବଙ୍କ ସଂଗ୍ରାମରେ ସେମାନଙ୍କୁ ଏକଜୁଟ କରାଯିବ ।

 

ଶ୍ରମିକମାନଙ୍କ ସୋସାଲ ଡିମୋକ୍ରାଟିକ୍ ପାର୍ଟିର ପ୍ରଥମ ଦାବୀ ହେଲା (ଦାସ ପ୍ରଥାର ବିଲୋପ ବେଳେ ଚାଷୀକୁ ଜମି ଦିଆଯାଇଥିବାରୁ) ଚାଷୀଠାରୁ ଯେଉଁ କ୍ଷତିପୂରଣ ଆଦାୟ ହେଉଛି, ତାକୁ ତୁରନ୍ତ ବନ୍ଦ କର, ସବୁ ଭାଗ ଖଜଣା (Quit rent) ଓ ''ଟିକସ ଦେଉଥିବା'' କୃଷକଙ୍କ ଉପରେ ବସିଥିବା ସମସ୍ତ ବଟି ପାଉଣା ରଦ୍ଦ କର । ସାମନ୍ତମାନଙ୍କ କମିଟି ତଥା ସାମନ୍ତମାନଙ୍କୁ ଘେନି ଗଠିତ ଜାର ସରକାର ଯେତେବେଳେ ଭୂ-ଦାସତ୍ୱରୁ କୃଷକମାନଙ୍କୁ ''ମୁକ୍ତ କଲେ'' ସେତେବେଳେ କୃଷକମାନଙ୍କୁ ତାଙ୍କର ନିଜର ଜମି ନିଜେ କିଣିବାକୁ ବାଧ୍ୟ କରାଗଲେ । ଯେଉଁ ଜମିକୁ ସେମାନେ ଯୁଗ ଯୁଗ ହେଲା ଚଷୁଥିଲେ ତାକୁ ପୁଣି କିଣିଲେ । ତାହା ପୁରାପୁରି ଲୁଣ୍ଠନ । ସାମନ୍ତମାନଙ୍କ କମିଟି ଜାର ସରକାର ସାହାଯ୍ୟରେ କୃଷକକୁ ସିଧାସଳକ 'ଲୁଟ' କଲା । ଜାର ସରକାର କୃଷକଙ୍କ ଉପରେ ବଳପୂର୍ବକ ସରକାରୀ ସନନ୍ଦ ଲଦି ଦେବା ଲାଗି ବହୁ ସ୍ଥଳକୁ ସୈନ୍ୟ ପଠାଇଲା; ଯେଉଁ କୃଷକମାନେ କାଟଛାଣ୍ଟ ପରେ ରହିଯାଇଥିବା ''ଖଇରାତୀ'' ଜମିଖଣ୍ଡଟିମାନ ନେବାକୁ ରାଜି ହେଲା ନାହିଁ, ସେମାନଙ୍କ ବିରୁଦ୍ଧରେ ସାମରିକ ପୀଟୁଣି ବ୍ୟବସ୍ଥା ନେବା ପାଇଁ ସୈନ୍ୟ ପ୍ରେରଣ କରାଗଲା । ସଂଭ୍ରାନ୍ତଙ୍କ କମିଟି କୃଷକମାନଙ୍କୁ ଭୂ-ଦାସ ବନ୍ଧନରୁ ମୁକ୍ତ ହେବା କାଳରେ ଯେପରି ନିର୍ଲଜ ଭାବେ ଲୁଟ କଲା, ସାମରିକ ଫୌଜର ସାହାଯ୍ୟ ନ ନେଇ, ହତ୍ୟା ଓ ନିର୍ଯ୍ୟାତନା ବିନା ତାହା କଦାପି କରିପାରି ନ ଥାନ୍ତା । କୃଷକମାନେ ସଦାସର୍ବଦା ସ୍ମରଣ କରିବା ଉଚିତ ଯେ ସେମାନେ ସେହି ସବୁ ସଂଭ୍ରାନ୍ତ ଜମିଦାରଙ୍କ କମିଟି ଦ୍ୱାରା ଲୁଣ୍ଠିତ ଓ ପ୍ରଚାରିତ ହେଇଥିଲେ, କାରଣ ଏପରିକି ଆଜି ଯେତେବେଳେ କୃଷକଙ୍କ ସମ୍ପର୍କରେ କିଛି ନୂତନ ପ୍ରଣୟନର ପ୍ରଶ୍ନ ଉଠେ, ଜାର ସରକାର ସେଇପରି ସାମନ୍ତ ଓ ଅଫିସରଙ୍କ କମିଟି ବସାଏ । (ନିକଟରେ ଫେବୃଆରୀ ୨୬, ୧୯୦୩) ଜାର ଏକ ଇସ୍ତାହାର ଘୋଷଣା କରିଛି, ଯେଉଁଥିରେ କି ସେ କୃଷକମାନଙ୍କ ସମ୍ପର୍କୀୟ ଆଇନଗୁଡ଼ିକର ସଂଶୋଧନ ଓ ଉନ୍ନତି କରିବାର ପ୍ରତିଶ୍ରୁତି ଦେଇଛି । ସଂଶୋଧନ କରିବ କିଏ ? ଉନ୍ନତି କରିବ କିଏ ? ପୁଣି ସେଇ ସଂଭ୍ରାନ୍ତ ବ୍ୟକ୍ତିଗଣ, ପୁଣି ସେଇ ଅଫିସରମାନେ । କୃଷକମାନେ ସେମାନଙ୍କ ଜୀବନ ବ୍ୟବସ୍ଥାରେ ଉନ୍ନତି ଆଣିବା ଲାଗି କୃଷକ କମିଟିମାନ ଗଠନ କରିବା ପର୍ଯ୍ୟନ୍ତ ସେମାନେ ସଦାସର୍ବଦା ପ୍ରତାରିତ ହେଉଥିବେ ।

 

କୃଷକଙ୍କ ଉପରେ ଜମିଦାର, ସରିଫ୍ ଓ ସମସ୍ତ ଅଫିସରଙ୍କ ପ୍ରଭୁତ୍ୱ, ଆଧିପତ୍ୟ ଲୋପ କରିବାର ଏବେ ସମୟ ଆସିଛି । ପ୍ରତ୍ୟେକ ପୁଲିସ ଅଫିସର, ମଦରେ ବୁଡ଼ିରହିଥିବା ପ୍ରତ୍ୟେକ ସଂଭ୍ରାନ୍ତଦଳ ଯାହାକୁ ସରିଫ୍ କୁହାଯାଏ, ପୋଲିସ କ୍ୟାପଟେନ ବା ରାଜ୍ୟପାଳ, ଏମାନଙ୍କ ଉପରୁ କୃଷକର ସାମନ୍ତବାଦୀ ନିର୍ଭରଶୀଳତା ଲୋପ କରିବାର ବେଳ ଆସିଛି । କୃଷକମାନେ ନିଜେ ନିଜେ ଆପଣା ବିଷୟ ବ୍ୟାପାର ସବୁ ପରିଚାଳନା କରିବାର ଅଧିକାର ଦାବୀ କରିବା ଉଚିତ, ନିଜେ ନିଜେ ନୂତନ ଆଇନ ସବୁ ଚିନ୍ତା କରିବା, ପ୍ରଣୟନ କରିବା ଓ କାର୍ଯ୍ୟକାରୀ କରିବାର ଅଧିକାର ଦାବୀ କରିବା ଉଚିତ । କୃଷକମାନେ ସ୍ୱାଧୀନ ନିର୍ବାଚିତ କୃଷକ କମିଟିମାନ ପ୍ରତିଷ୍ଠା ଲାଗି ଦାବୀ କରିବା ଉଚିତ । ଏହା ହାସଲ ନ କଲା ପର୍ଯ୍ୟନ୍ତ ସେମାନେ ସଂଭ୍ରାନ୍ତ ସମ୍ପ୍ରଦାୟ ଓ ଅଫିସରଙ୍କ ଦ୍ୱାରା ପ୍ରତାରିତ ଓ ଲୁଣ୍ଠିତ ହେଉଥିବେ । ଯଦି କୃଷକମାନେ ଆପଣାକୁ ଅଫିସରଙ୍କ ଶୋଷଣରୁ ନିଜେ ନିଜେ ମୁକ୍ତ ନ କରନ୍ତି, ସେମାନେ ଯଦି ଏକଜୁଟ ନ ହୁଅନ୍ତି ଓ ନିଜର ଭାଗ୍ୟ ନିଜେ ଗଠନ ନ କରନ୍ତି, ତେବେ ଅନ୍ୟ କେହି ସେମାନଙ୍କୁ ମୁକ୍ତ କରିବ ନାହିଁ, ସ୍ୱାଧୀନତା ଦେବ ନାହିଁ ।

 

ସୋସାଲ-ଡିମୋକ୍ରାଟମାନେ ଜମି କ୍ଷତିପୂରଣ ବାବଦ ଦେୟ, ଭାଗ ଖଜଣା, ସମସ୍ତ ପ୍ରକାର ଆମଦାନୀ ଶୁଳ୍କର ତୁରନ୍ତ ଅବସାନ କେବଳ ଦାବୀ କରନ୍ତି ନାହିଁ, ସେମାନେ ମଧ୍ୟ ଦାବୀ କରନ୍ତି ଯେ ଜମି କ୍ଷତିପୂରଣ ଦେୟ ଯାହା ଲୋକଙ୍କଠାରୁ ଆଦାୟ କରାଯାଇଛି, ତାହା ତାଙ୍କୁ ଫେରସ୍ତ ଦିଆଯାଉ । ରୁଷର ଚାରିଆଡ଼େ କୃଷକମାନେ ସଂଭ୍ରାନ୍ତମାନଙ୍କ କମିଟି ଦ୍ୱାରା ଭୂ-ଦାସତ୍ୱରୁ ମୁକ୍ତ ହେଲା ପରେ କୋଟି କୋଟି ରୁବଲ ଦେଇଛନ୍ତି । ସେମାନଙ୍କୁ ସେ ଅର୍ଥ ଫେରସ୍ତ ଦେବାଲାଗି କୃଷକମାନେ ଦାବୀ କରିବା ଉଚିତ । ସରକାର ବଡ଼ ବଡ଼ ଜମିମାଲିକ ସଂଭ୍ରାନ୍ତଙ୍କ ଉପରେ ଏକ ସ୍ଵତନ୍ତ୍ର ଟିକିସ ବସାଉ, ମଠମାନଙ୍କଠାରୁ ଓ ରାଜପରିବାରର ଆପାନେଜେନ୍‍ସ ଡିପାର୍ଟମେଣ୍ଟଠାରୁ ସେମାନଙ୍କ ଜମିସବୁ କାଢ଼ି ନିଆଯାଉ । ଜାତୀୟ ବିଧାନସଭାର ପ୍ରତିନିଧିଗଣ ଏଇ ଅର୍ଥକୁ କୃଷକମାନଙ୍କ ହିତ ଦିଗରେ ବ୍ୟୟ କରନ୍ତୁ, ରୁଷ ଭଳି ଅନ୍ୟ କେଉଁଠାରେ କୃଷକମାନେ ଏତେ ନିସ୍ୱ, ନିର୍ଯାତିତ ପଦଦଳିତ ନୁହନ୍ତି । ରୁଷର କୃଷକ ମାନଙ୍କ ଉପରେ ଭୋକ ଅନାହାର ଲଦି ଦିଆଯାଇଛି, କାରଣ ବହୁଦିନ ହେଲା ସେମାନେ ସାମନ୍ତଙ୍କ କମିଟି ଦ୍ୱାରା ଲୁଣ୍ଠିତ ହୋଇ ଆସିଛନ୍ତି ଆଉ ସାମନ୍ତବାଦୀ ଜମିଦାରଙ୍କ ଉତ୍ତରାଧିକାରୀ ବର୍ଗକୁ ସେମାନେ ପ୍ରତିବର୍ଷ କ୍ଷତିପୂରଣ ଦେୟ ଓ ଭାଗ ଖଜଣା, ଭେଟି ଆକାରରେ ଦେବାକୁ ବାଧ୍ୟ ହେଉଛନ୍ତି । ଏଇ ଲୁଣ୍ଠନକାରୀଙ୍କୁ ତାଙ୍କର ଅପରାଧର ଜବାବ ଦେବାକୁ ହେବ । ଦୁର୍ଭିକ୍ଷ ପ୍ରପୀଡ଼ିତ ଲୋକଙ୍କୁ ସାହାଯ୍ୟ ଦେବାଲାଗି ଏଇ ବଡ଼ ବଡ଼ ଜମିମାଲିକ ସଂଭ୍ରାନ୍ତଙ୍କ ଠାରୁ ଧନ ସମ୍ପଦ କାଢ଼ି ନିଆଯାଉ । ଅନାହାରଗ୍ରସ୍ଥ କୃଷକମାନେ ଦାନ ସାହାଯ୍ୟ ଚାହାନ୍ତି ନାହିଁ, ମୁଠି ଭିକ୍ଷା ମାଗନ୍ତି ନାହିଁ । ସେମାନେ ଦାବୀ କରନ୍ତି, ବର୍ଷ ବର୍ଷ ଧରି ଜମିଦାର ଓ ରାଷ୍ଟ୍ରକୁ ସେମାନେ ଯେଉଁ ଅର୍ଥ ଦେଇଛନ୍ତି, ତାହା ତାଙ୍କୁ ଫେରସ୍ତ ଦିଆଯାଉ । ତାହାହେଲେ ଜାତୀୟ ବିଧାନ ସଭାର ପ୍ରତିନିଧି ଓ କୃଷକ କମିଟି ସବୁ ଅନାହାରଗ୍ରସ୍ଥ ଲୋକଙ୍କୁ ପ୍ରକୃତ ଫଳପ୍ରଦ ସାହାଯ୍ୟ ଦେବାକୁ ସମର୍ଥ ହେବେ ।

 

ଆଉ ମଧ୍ୟ ସୋସାଲ ଡିମୋକ୍ରାଟିକ୍ ଲେବର ପାର୍ଟି ଦାବୀ କରେ, ଯେ ତୁରନ୍ତ ସାମୁହିକ ଦାୟିତ୍ୱର *ଅବସାନ ହେଉ ଏବଂ ଯେଉଁ ସବୁ ଆଇନ କୃଷକକୁ ଅବାଧରେ ଜମି ହସ୍ତାନ୍ତର କରିବାରେ ବାଧା ଦିଏ ତା'ର ଅବସାନ ହେଉ । ଫେବୃଆରୀ ୨୬ ତାରିଖ ୧୯୦୩ ରେ ଜାରଙ୍କ ଇସ୍ତାହାର ଏଇ ସାମୁହିକ ଦାୟିତ୍ୱ ବିଲୋପର ପ୍ରତିଶ୍ରୁତି ଦିଏ । ସେ ସମ୍ପର୍କରେ ଏକ ଆଇନ ପାସ ହେଇସାରିଛି । କିନ୍ତୁ ତାହା ଯଥେଷ୍ଟ ନୁହେଁ । ସମସ୍ତ ଆଇନ ଯାହା କୃଷକକୁ ଅବାଧରେ ଜମି ହସ୍ତାନ୍ତର କରିବାରେ ବାଧା ଦିଏ, ତାହା ତୁରନ୍ତ ଲୋପ ହେବା ଉଚିତ । ତା' ନ ହେଲେ, ଏପରିକି ସାମୁହିକ ଦାୟୀତ୍ୱ ଗଲେ ବି କୃଷକ ସ୍ୱାଧୀନ ହେବ ନାହିଁ, ଅର୍ଦ୍ଧ ଭୂ-ଦାସ ହେଇ ରହିବ । ଜମି ହସ୍ତାନ୍ତର କରିବା ଦିଗରେ କୃଷକର ପୂର୍ଣ୍ଣ ସ୍ୱାଧୀନତା ରହିବା ଦରକାର: କାହାରିଠୁ ଅନୁମତି ନ ନେଇ ଯେ କୌଣସି ଲୋକକୁ ସେ ନିଜ ଖୁସିରେ ତାହା ପଟ୍ଟା ଦେଇ ପାରିବ ବା ବିକ୍ରି କରିପାରିବ; କିନ୍ତୁ ଜାରର ନିର୍ଦ୍ଦେଶନାମା ତାହା ମଞ୍ଜୁର କରେ ନାହିଁ । ସଂଭ୍ରାନ୍ତ ବ୍ୟକ୍ତି, ବ୍ୟବସାୟୀ, ନଗରବାସୀଙ୍କର ନିଜ ଜମି ବିକାକିଣା ହସ୍ତାନ୍ତର କରିବାରେ ସ୍ୱାଧୀନତା ରହିଛି, କିନ୍ତୁ କୃଷକର ନାହିଁ । କୃଷକକୁ ସାନ ପିଲା ଭଳି ବ୍ୟବହାର କରାଯାଏ । ଧାଇମା ଭଳି ତାକୁ ଦେଖିବାପାଇଁ ତାର ଜଣେ ସରିଫ୍ ଦରକାର । କୃଷକ ତା’ର ଆର୍ଲଟମେଣ୍ଟ ଜମି ବିକ୍ରି କରିପାରିବ ନାହିଁ, କାରଣ ସେ ପଇସା କୁ ଉଡ଼ାଇଦେବ; ସାମନ୍ତବାଦୀ ଜାଠମାନେ ଏଇପରି ଯୁକ୍ତି ବାଢ଼ନ୍ତି । ନିର୍ବୋଧ ଲୋକେ ତାଙ୍କ କଥାକୁ ବିଶ୍ୱାସ କରନ୍ତି, ଆଉ କହନ୍ତି ଯେ କୃଷକର ନିଜ ମଙ୍ଗଳ ଦୃଷ୍ଟିରୁ ଜମି ବିକ୍ରି କରିବାର ଅନୁମତି ତାକୁ ଦେବା ଉଚିତ ନୁହେଁ । ଏପରିକି ନାରୋଦ୍‍ନିକ୍‍ (ଯାହାଙ୍କ ବିଷୟରେ ଆମେ ଆଗରୁ କହିସାରିଛୁ) ଏବଂ ଯେଉଁ ଲୋକେ ଆପଣାକୁ ''ସୋସାଲିଷ୍ଟ ରିଭଲ୍ୟୁସନାରୀ'' ବୋଲି କହନ୍ତି, ସେମାନେ ବି ଏଇ ଯୁକ୍ତି ପାଖରେ ଆତ୍ମସମର୍ପଣ କରନ୍ତି ଏବଂ ମାନିନିଅନ୍ତି ଯେ, କୃଷକକୁ ଜମି ବିକ୍ରି କାରବାରର ଅଧିକାର ପ୍ରଦାନ କରିବା ଅପେକ୍ଷା ବରଂ ସେ ଟିକେ ଭୂ-ଦାସ ହୋଇ ରହିବା ଶ୍ରେୟସ୍କର ।

 

*

ରାଷ୍ଟ୍ର ଓ ଜମିଦାରମାନେ କୃଷକମାନଙ୍କଠାରୁ ସେମାନଙ୍କ ଖଜଣା ଆଦି ଯେପରି ଠିକ୍‍ ସମୟରେ ଓ ପୁରା ମାତ୍ରାରେ ପାଇବେ ସେଥିଲାଗି ସମଗ୍ର ଗ୍ରାମଗୋଷ୍ଠୀର ମିଳିତ ଦାୟିତ୍ୱ ରହିଥିଲା ।

 

ସୋସାଲ-ଡିମୋକ୍ରାଟମାନେ କହନ୍ତି, ଏହା ନିପଟ ପ୍ରତାରଣା, ଜମିଦାରିଆ କଥା, କେବଳ ମଧୁର ବଚନ । ଯେତେବେଳେ ଆମେ ସମାଜବାଦ ଲାଭ କରିବୁ, ଶ୍ରମିକଶ୍ରେଣୀ ବୁର୍ଜୁଆମାନଙ୍କୁ ପରାସ୍ତ କରିବେ, ସେତେବେଳେ ଜମି କୋଠରେ ସମସ୍ତଙ୍କର ହେବ, ଜମି ବିକ୍ରି କରିବାରେ ତା'ର ଅଧିକାର ରହିବ ନାହିଁ । କିନ୍ତୁ ଏଇ ସମୟ ଭିତରେ କ'ଣ ହେବ ? ସଂଭ୍ରାନ୍ତ ବ୍ୟକ୍ତି ଓ ବ୍ୟବସାୟୀମାନେ ତାଙ୍କ ଜମି ବିକ୍ରି କରୁଥିବେ, ଆଉ କୃଷକମାନଙ୍କୁ ଅନୁମତି ମିଳିବ ନାହିଁ-? ସଂଭ୍ରାନ୍ତ ବ୍ୟକ୍ତି ଓ ବ୍ୟବସାୟୀଗଣ ସ୍ୱାଧୀନ ହୋଇ ରହିଥିଲା ବେଳେ କୃଷକମାନେ ଅର୍ଦ୍ଧ ଭୂ-ଦାସ ହୋଇ ପଡ଼ିଥିବେ ? କୃଷକମାନେ କର୍ତ୍ତୃପକ୍ଷଙ୍କ ଠାରୁ ବରାବର ଅନୁମତି ପ୍ରାର୍ଥନା କରିଚାଲିଥିବେ ?

 

ମଧୁର ବଚନର ଆବରଣ ତଳେ ଏସବୁ କେବଳ ଶଠତା, ପ୍ରତାରଣା ଭିନ୍ନ ଆଉ କିଛି ନୁହେଁ ।

 

ଯେ ପର୍ଯ୍ୟନ୍ତ ସଂଭ୍ରାନ୍ତ ବ୍ୟକ୍ତି ଓ ବ୍ୟବସାୟୀଙ୍କର ଜମି ବିକ୍ରୟ କରିବାର ଅଧିକାର ରହିଛି, କୃଷକମାନଙ୍କର ଠିକ ତାଙ୍କରି ଭଳି ଜମି ବିକ୍ରୟ ଓ ହସ୍ତାନ୍ତର କରିବାର ପୂର୍ଣ୍ଣ ସ୍ୱାଧୀନତା ରହିବା ଉଚିତ ।

 

ଯେତେବେଳେ ଶ୍ରମିକଶ୍ରେଣୀ ସମଗ୍ର ବୁର୍ଜୁଆଙ୍କୁ ପରାସ୍ତ କରିଦେବେ, ସେତେବେଳେ ସେମାନେ ବଡ଼ ବଡ଼ ମାଲିକଙ୍କଠାରୁ ଜମିବାଡ଼ି ଆଣିବେ, ବଡ଼ ବଡ଼ ଜମିଦାରୀରେ କୋଅପରେଟିଭ ଫାର୍ମ ପ୍ରତିଷ୍ଠା କରିବେ । ତା'ହେଲେ ଶ୍ରମିକମାନେ କୋଠରେ, ଏକାଠି ହୋଇ ଜମି ଚାଷ କରିବେ ଏବଂ ଫର୍ମର ପରିଚାଳନା ଲାଗି ବିଶ୍ୱସ୍ତ ଲୋକଙ୍କୁ ସ୍ୱାଧୀନ ଭାବେ ବାଛିବେ । ସେମାନଙ୍କର ସମସ୍ତ ପ୍ରକାରର ଶ୍ରମ-ହ୍ରାସକାରୀ ମେସିନ ରହିବ । ସେମାନେ ସିଫ୍ଟରେ କାମ କରିବେ ଓ ଦିନକୁ ଆଠ ଘଣ୍ଟା (ଏପରିକି ୬ ଘଣ୍ଟା) ରୁ ଅଧିକ କାମ କରିବେ ନାହିଁ । ସେତେବେଳେ ଛୋଟ ଛୋଟ କୃଷକ, ଯେଉଁମାନେ ବ୍ୟକ୍ତିଗତ ଭାବରେ ପୁରୁଣା ଢଙ୍ଗରେ ଚାଷବନ୍ଦୀ କରିବାକୁ ପସନ୍ଦ କରିବେ, ବଜାର ଉଦ୍ଦେଶ୍ୟରେ, ପ୍ରଥମ ଅଗନ୍ତୁକକୁ ବିକ୍ରୟ କରିବା ଲାଗି ଉତ୍ପାଦନ କରିବେ ନାହିଁ ଶ୍ରମିକ କୋଅପରେଟିଭ ଲାଗି ଉତ୍ପାଦନ କରିବେ । ଛୋଟ କୃଷକଗଣ ଶ୍ରମିକ କୋଅପରେଟିଭକୁ ଖାଦ୍ୟଶସ୍ୟ, ମାଂସ, ପନିପରିବା ଆଦି ଯୋଗାଇବେ, ତା' ବଦଳରେ ଶ୍ରମିକମାନେ ବିନା ପଇସାରେ ତାଙ୍କୁ ମେସିନ, ସାର, ଲୁଗା, ଗୋରୁଘୋଡ଼ା ଓ ଯାହା କିଛି ସେ ଚାହେଁ, ତା ଯୋଗେଇ ଦେବେ । ବଡ଼ ଓ ଛୋଟ ଚାଷକାରୀଙ୍କ ଭିତରେ ଆଉ ଅର୍ଥ ପାଇଁ ଲଢ଼େଇ ହେବ ନାହିଁ । ଅନ୍ୟ ଲାଗି ମୂଲ ଲାଗିବା ବା ଭଡ଼ାରେ କାମ କରିବା ରହିବ ନାହିଁ । ସବୁ ଶ୍ରମିକ ନିଜ ଲାଗି କାମ କରିବେ । ଉତ୍ପାଦନ ପ୍ରଣାଳୀରେ ଯାବତୀୟ ଉନ୍ନତି ଏବଂ ମେସିନ ଯନ୍ତ୍ରପାତିଗୁଡ଼ିକ ଶ୍ରମିକଙ୍କ ଉପକାରରେ ଲାଗିବ, ସେମାନଙ୍କର କାମକୁ ଲାଘବ କରିବାରେ ସାହାଯ୍ୟ କରିବେ, ପୁଣି ସେମାନଙ୍କର ଜୀବନଧାରଣର ମାନ ଉନ୍ନତି କରିବେ ।

 

କିନ୍ତୁ ପ୍ରତ୍ୟେକ ବିଚାରବନ୍ତ ଲୋକ ନିଶ୍ଚୟ ବୁଝିବ ଯେ ହଠାତ୍ ସମାଜବାଦ ଆସିଯିବ ନାହିଁ । ତାକୁ ଲାଭ କରିବା ପାଇଁ ସମଗ୍ର ବୁର୍ଜୁଆଶ୍ରେଣୀ ଓ ସବୁ ସରକାରଙ୍କ ବିରୁଦ୍ଧରେ ଭୀଷଣ ସଂଗ୍ରାମ ଚଳାଇବାକୁ ହେବ, ସମଗ୍ର ରୁଷର ସମସ୍ତ ସହରର ଶ୍ରମିକଙ୍କୁ ମଫସଲର ଗରିବଙ୍କ ସହିତ ସୁଦୃଢ଼ ଅବିଛେଦ୍ୟ ମିତ୍ରତାରେ ଅବଶ୍ୟ ଏକଜୁଟ ହେବାକୁ ହେବ । ତାହା ଏକ ମହାନ ଆଦର୍ଶ ଏବଂ ସେଇ ଆଦର୍ଶ ପୂରଣ କାର୍ଯ୍ୟରେ ମଣିଷ ତାର ସମସ୍ତ ଜୀବନ ଅର୍ପଣ କରିବା ଯଥାର୍ଥ ହେବ-। କିନ୍ତୁ ଆମେ ସମାଜବାଦ ଲାଭକରିବା ପର୍ଯ୍ୟନ୍ତ ବଡ଼ ଜମି ମାଲିକମାନେ ପଇସାଲାଗି ସଦାସର୍ବଦା ଛୋଟ ଜମି ମାଲିକଙ୍କୁ ଆକ୍ରମଣ କରିଚାଲୁଥିବେ । ବଡ଼ ଜମି ମାଲିକ ତାର ଜମି ବିକ୍ରି କରିବାର ସ୍ୱାଧୀନତା ପାଇବ, କିନ୍ତୁ ଛୋଟ କୃଷକ ପାଇବ ନାହିଁ ? ଆମେ ପୁଣି କହୁ କୃଷକମାନେ ସାନ ଶିଶୁ ନୁହନ୍ତି, ସେମାନେ ତାଙ୍କ ଉପରେ ପ୍ରଭୁତ୍ୱ କରିବା ଲାଗି କାହାକୁ ଛାଡ଼ି ଦେବେ ନାହିଁ । ସଂଭ୍ରାନ୍ତ ବ୍ୟକ୍ତି ଓ ବ୍ୟବସାୟୀମାନେ ଉପଭୋଗ କରୁଥିବା ସମସ୍ତ ଅଧିକାର ବିନା ବିଧାରେ କୃଷକମାନେ ନିଶ୍ଚୟ ଲାଭ କରିବା ଉଚିତ ।

 

ଆଉ ମଧ୍ୟ କୁହାଯାଏ, କୃଷକର ଜମି ତାର ନୁହେଁ, ତାର ଗ୍ରାମ୍ୟ ଗୋଷ୍ଠୀର ଜମି, ପ୍ରତ୍ୟେକ ଲୋକଙ୍କୁ ଗୋଷ୍ଠୀ ଜମି ବିକ୍ରୟ କରିବାର ଅନୁମତି ଦିଆଯାଇ ନ ପାରେ । ଏହା ମଧ୍ୟ ଏକ ଶଠତା ସଂଭ୍ରାନ୍ତ ବ୍ୟକ୍ତି ଓ ବ୍ୟବସାୟୀମାନଙ୍କର କଣ ଆପଣା ଆପଣା କମିଟି ନାହିଁ ? ଜମି, ଫାକ୍ଟ୍ରି କିମ୍ବା ଅନ୍ୟ ଜିନିଷ କୋଠରେ କିଣିବାକୁ ସଂଭ୍ରାନ୍ତ ବ୍ୟକ୍ତି ଓ ବ୍ୟବସାୟୀମାନେ ଏକାଠି ମିଶି କମ୍ପାନୀ ଗଢ଼ନ୍ତି ନାହିଁ ? ସଂଭ୍ରାନ୍ତ ବ୍ୟକ୍ତିଙ୍କ ସଂଘ କମିଟି ଲାଗି କାହିଁତ କୌଣସି ବାଧା ପ୍ରତିବନ୍ଧକ ତିଆରି ହେଇନାହିଁ, ଅଥଚ ପୁଲିସ ସୈତାନମାନେ କୃଷକ ଲାଗି ସବୁ ବାଧା, ସବୁ ନିଷେଧାଜ୍ଞା ଉଦ୍ଭାବନ କରିବାପାଇଁ ବଡ଼ ବ୍ୟଗ୍ର ? ଅଫିସରଙ୍କ ପାଖରୁ କୃଷକ କେବେହେଲେ କୌଣସି ଭଲ ଜିନଷ ପାଇଁ ନାହିଁ, ପାଇଛି କେବଳ ମାଡ଼ ଧମକ ପ୍ରହାର ଉତ୍ପୀଡ଼ନ ଓ ବଳାତ୍କାର । କୃଷକମାନେ ନିଜେ ନିଜର କର୍ତ୍ତା ନ ହେଲାଯାଏଁ, ସେମାନେ ପୂର୍ଣ୍ଣ ସାମ୍ୟ ପୂର୍ଣ୍ଣ ସ୍ୱାଧୀନତା ହାସଲ ନ କଲାଯାଏଁ, କୌଣସି ଭଲ ଜିନିଷ ପାଇପାରିବେ ନାହିଁ । ଯଦି କୃଷକମାନେ ଚାହିଁବେ ଯେ ତାଙ୍କର ଜମି ଗୋଷ୍ଠୀଗତ ହେବ ସେଥିରେ ହସ୍ତକ୍ଷେପ କରିବାକୁ କେହି ସାହସ କରିବେ ନାହିଁ; ସେମାନେ ସ୍ୱେଛାରେ ଏପରି ଏକ ଗୋଷ୍ଠୀ ଗଠନ କରିବେ ଯେଉଁଥିରେ ଯାହାକୁ ଇଚ୍ଛା ଓ ଯେ କୌଣସି ସର୍ତ୍ତରେ ଲୋକେ ନେଇ ପାରିବେ; ସେମାନେ ଯେକୌଣସି ରୂପରେ ଚାହିଁବେ, ଅବାଧରେ ଏକ ଗୋଷ୍ଠୀଗତ ଚୁକ୍ତି ତିଆରି କରି ପାରିବେ । କୌଣସି ଅଫିସର, କୃଷକଙ୍କ ଗୋଷ୍ଠୀଗତ ବ୍ୟାପାରରେ ତାର ଘୃନ୍ୟ ହସ୍ତକ୍ଷେପ କରିବାକୁ ସାହସ ନ କରୁ । କୃଷକର କାମରେ ବାଧା ପ୍ରତିବନ୍ଧକ ସୃଷ୍ଟି କରିବାକୁ, ନିଷେଧାଜ୍ଞା ଜାରି କରିବାକୁ, ନୂଆ ନୂଆ ପେଞ୍ଚସବୁ କୌଣସି ଅଫିସର ବାହାର ନ କରୁ-

 

ଶେଷରେ ଆଉ ଗୋଟିଏ ଗୁରୁତ୍ଵପୂର୍ଣ୍ଣ ଉନ୍ନତି ବିଧାନ ରହିଛି, ଯାହାକି ସୋସାଲ ଡେମୋକ୍ରାଟମାନେ କୃଷକଙ୍କନିମନ୍ତେ ଲାଭ କରିବାକୁ ଲଢ଼ୁଛନ୍ତି । ସେମାନେ ଚାହାନ୍ତି ସଂଭ୍ରାନ୍ତମାନଙ୍କ ପ୍ରତି କୃଷକର ଦାସତ୍ୱ ବନ୍ଧନ ଉପରେ, ସେମାନଙ୍କର ସାମନ୍ତବାଦି ଦାସତ୍ୱ ଉପରେ, ତୁରନ୍ତ କଟକଣା ଜାରି ହେଉ । ଅବଶ୍ୟ ଯେତେଦିନଯାଏଁ ଦାରିଦ୍ର ରହିଛି ସେ ପର୍ଯ୍ୟନ୍ତ ଦାସତ୍ୱ ବନ୍ଧନର ସମ୍ପୂର୍ଣ ବିଲୋପ ଅସମ୍ଭବ । ଦାରିଦ୍ର ଲୋପ ହେବନାହିଁ ଯେତେଦିନ ପର୍ଯ୍ୟନ୍ତ ଜମି ଓ ଫାକ୍ଟ୍ରି ସବୁ ବୁର୍ଜୁଆଙ୍କ ହାତରେ ରହିଛି, ଯେପର୍ଯ୍ୟନ୍ତ ଅର୍ଥ ପୃଥିବୀରେ ପ୍ରଧାନ ଶକ୍ତି ହୋଇ ରହିଛି, ଏବଂ ଯେ ଯାଏଁ ସମାଜବାଦୀ ସମାଜ ପ୍ରତିଷ୍ଠା ନ ହୋଇଛି । କିନ୍ତୁ ରୁଷର ଗ୍ରାମାଞ୍ଚଳରେ ଏକ ପ୍ରକାର ଅତି ଜଘନ୍ୟ ଦାସତ୍ୱ ବନ୍ଧନ ଏବେ ବି ତିଷ୍ଠି ରହିଛି ଯାହାକି ଅନ୍ୟ ଦେଶମାନଙ୍କରେ ନାହିଁ, ଯଦିଓ ସେସବୁ ଦେଶରେ ଏପର୍ଯ୍ୟନ୍ତ ସମାଜବାଦ ପ୍ରତିଷ୍ଠା ହୋଇନାହିଁ । ଏବେ ବି ରୁଷ ଦେଶରେ ସାମନ୍ତ ବାଦି ଦାସତ୍ୱ ବନ୍ଧନ ବହୁମାତ୍ରାରେ ରହିଛି, ଯାହାକି ସବୁ ଜମିଦାରଙ୍କ ପକ୍ଷରେ ଖୁବ ଲାଭଜନକ, ସବୁ କୃଷକକୁ ଭୀଷଣ ଜୋରରେ ଚିପି ଦେଇଛି । ସବା ଆଗ, ଏସବୁକୁ ତୁରନ୍ତ ଲୋପ କରାଯାଇ ପାରିବ ଏବଂ ତାହା କରିବାକୁ ହିଁ ପଡ଼ିବ ।

 

ଏବେ ଆମେ ଯେଉଁ ଧରଣର ଦାସତ୍ୱକୁ ସାମନ୍ତବାଦୀ ଦାସତ୍ୱ ବନ୍ଧନ ବୋଲି କହୁ, ତାହା ବୁଝାଇବା ।

 

ପ୍ରତ୍ୟେକ ଲୋକ ଯିଏ ଏ ଦେଶରେ ବାସ କରେ ସେ ତଳ ଲିଖିତ ଘଟଣା ଭଳି ଘଟଣା ସହିତ ପରିଚିତ । ଜମିଦାରର ଜମି ପାଖକୁ ଲାଗିକରି କୃଷକଙ୍କ ଜମି । (ଭୂ-ଦାସ ପ୍ରଥାରୁ) ମୁକ୍ତି ସମୟରେ ଜମିଦାରଙ୍କ ଲାଗି ଯେଉଁ ଜମି ଅତି ଆବଶ୍ୟକ ସେଥିରୁ କୃଷକଙ୍କୁ ବଞ୍ଚିତ କରାଗଲା । ଗୋଚର ଜଙ୍ଗଲ, ପଶୁଙ୍କ ଲାଗି ଜଳପାନ ସ୍ଥାନଗୁଡ଼ିକୁ କାଟି ଦିଆଗଲା ବା କାଢ଼ି ନିଆହେଲା । କୃଷକମାନେ ଏଇ କଟାଣ ଜମି ବିନା, ଗୋଚର, ଜଳାଶୟ ବିନା ଚଳି ନ ପାରନ୍ତି । ସେମାନେ ଚାହାନ୍ତୁ ବା ନ ଚାହାନ୍ତୁ, ତାଙ୍କର ଗୋରୁଘୋଡ଼ାଙ୍କ ଲାଗି ଜଳାଶୟ, ଗୋଚର ଇତ୍ୟାଦି ବ୍ୟବହାର ଲାଗି ଜମିଦାରଙ୍କ ପାଖକୁ ଅନୁମତି ଭିକ୍ଷା କରି ଯିବାକୁ ସେ ବାଧ୍ୟ ହେବ । ଜମିଦାର ନିଜେ କୌଣସି ଜମି ଚାଷ କରେ ନାହିଁ, ବୋଧହୁଏ ସେଥିନିମନ୍ତେ ତା ହାତରେ ପଇସାବି ନାହିଁ, କେବଳ କୃଷକଙ୍କ ଦାସତ୍ୱ ଉପରେ ହିଁ ସେ ବଞ୍ଚେ, ସେଇ କଟାଣ ଜମିର ବ୍ୟବହାର ପାଇଁ କୃଷକମାନେ ତାଙ୍କ ପାଇଁ ବେଠିରେ କାମ କରନ୍ତି । ସେମାନେ ଆପଣାର ଘୋଡ଼ା ନେଇ ଜମିଦାରଙ୍କ ଜମି ଚଷନ୍ତି, ସେମାନଙ୍କ ଫସଲ କାଟନ୍ତି, ତାଙ୍କ ପାଇଁ ଘାସ କାଟନ୍ତି, ଶସ୍ୟ ଅମଳ କରନ୍ତି । କେତେକ ସ୍ଥାନରେ ଆପଣାରେ ଖତ ପଡ଼ିଆ ଆଦିକୁ ସୁଦ୍ଧା ସେମାନେ ଜମିଦାରଙ୍କ ଜମିକୁ ନିଜ ଗାଡ଼ିରେ ବୁହାନ୍ତି, ତାଙ୍କ ପାଇଁ ନିଜ ଘର ବୁଣା ଲୁଗା ଓ ଅଣ୍ଡା କୁକୁଡ଼ା ପ୍ରଭୃତି ଆଣି ଦିଅନ୍ତି; ଠିକ ଯେପରି ଥିଲା ଭୂ-ଦାସ ଅମଳର । ଭୂ-ଦାସ ପ୍ରଥା ଅମଳରେ କୃଷକ ଯେଉଁ ଜମିଦାରରେ ବାସକରୁଥିଲା ସେଠି ବିନା ମୂଲ୍ୟରେ ଜମିଦାର ଲାଗି ତାକୁ କାର୍ଯ୍ୟ କରିବାକୁ ହେଉଥିଲା । ଆଜି ଅନେକ ସମୟରେ ସେମାନଙ୍କୁ ସେଇ ଜମି ଜମିଦାରଙ୍କ ଲାଗି ବିନା ମୂଲ୍ୟରେ କାମ କରିବାକୁ ପଡ଼ୁଛି, ଯେଉଁ ଜମିକୁ କି ସାମନ୍ତ କମିଟି ମୁକ୍ତି ସମୟରେ ତାଙ୍କଠାରୁ ଲୁଟକରି ନେଇଛନ୍ତି । ଏହା ସେଇ ‘ବାରସ୍ ଚିନା ଭଳି (ରୁଷ ଭାଷାରେ ଭୂ-ଦାସ ଶ୍ରମ, ଅନୁବାଦକ) କେତେକ ଗୁବେରିନାରେ କୃଷକ, ପ୍ରକୃତରେ ଏହାକୁ କହନ୍ତି ‘ବାରସଚିନା’ ବା ‘ଗାନାସଚିନା’ ଏହାକୁ ହିଁ ଆମେ କହୁ ସାମନ୍ତବାଦୀ ଦାସତ୍ୱ ବନ୍ଧନ, ଭୂ-ଦାସତ୍ୱରୁ ମୁକ୍ତି କାଳରେ ସଂଭ୍ରାନ୍ତ ଜମିଦାରଙ୍କ କମିଟି ସବୁ ଏପରି ବ୍ୟବସ୍ଥା ପକାଇ ଦେଲା ଯେପରିକି କୃଷକମାନଙ୍କୁ ପୁରୁଣା ଭାବରେ ଦାସତ୍ୱ ବନ୍ଧନରେ ରଖିହେବ । ସେମାନେ ଜାଣିଶୁଣି କୃଷକଙ୍କ ଆର୍ଲଟମେଣ୍ଟ ଜମି କାଟି ଦେଲେ, ସେମାନେ ଜାଣିଶୁଣି କୃଷକଙ୍କ ଜମି ଭିତରେ ଜମିଦାର ଜମିରୁ ଖଣ୍ଡେ ଖଣ୍ଡେ ଅଂଶ ପୂରାଇ ଦେଲେ ଯେପରିକି କୃଷକ ଅନଧିକାର ପ୍ରବେଶ ନ କରି ତାର ତୁକୁଡ଼ା ଛାଡ଼ି ପାରିବନାହିଁ । ସେମାନେ ଜାଣିଶୁଣି କୃଷକକୁ ଖରାପ ଜମି ହସ୍ତାନ୍ତର କଲେ, ମଝିରେ ଖଣ୍ଡେ ଜମିଦାର ଜମି ରଖିଦେଇ ତାର ପାଣିକୁ ଯିବାର ବାଟ ବନ୍ଦ କରିଦେଲେ, ସଂକ୍ଷେପରେ କହିଲେ ସେମାନେ ଏପରି ଭାବରେ ବ୍ୟବସ୍ଥା ଖଞ୍ଜିଦେଲେ ଯେ କୃଷକମାନେ ଦେଖିଲେ ସେମାନେ ଏକ ଯନ୍ତାରେ ପଡ଼ିଛନ୍ତି, ସହଜରେ ତାଙ୍କୁ ବନ୍ଦକରି ଦେଇହେବ-। ଏବେ ବି ଅସଂଖ୍ୟ ଗ୍ରାମ ରହିଛି ଯେଉଁଠି କୃଷକମାନେ ସ୍ଥାନୀୟ ଜମିଦାରଙ୍କ ବନ୍ଧନ କବଳରେ ପଡ଼ିଛନ୍ତି, ଠିକ ଯେପରି କି ସେମାନେ ଭୂ-ଦାସ ଅମଳରେ ଥିଲେ । ଏଇଭଳି ଗ୍ରାମମାନଙ୍କରେ ଧନୀ ଓ ଗରିବ କୃଷକ ଉଭୟଙ୍କର ହାତଗୋଡ଼ ବନ୍ଧା, ସେମାନେ ଜମିଦାରଙ୍କ ମର୍ଜୀ ଓ ଦୟା ଉପରେ ଅଛନ୍ତି । ଏଇପରି ସ୍ଥଳରେ ଧନୀ କୃଷକଙ୍କ ଅପେକ୍ଷା ଗରିବ କୃଷକର ଅବସ୍ଥା ଅଧିକ ଶୋଚନୀୟ ହୁଏ । ଧନୀ କୃଷକ ବେଳେବେଳେ କେତକ ଜମିର ମାଲିକ ହୋଇଥାଏ, ତେଣୁ ନିଜେ ଜମିଦାର ଜମିରେ କାମ କରିବାକୁ ଯିବା ପରିବର୍ତ୍ତେ ତାର ମୂଲିଆଙ୍କୁ ଜମିଦାରଙ୍କ ପାଇଁ ବିଲ କାମପାଇଁ ପଥେ । କିନ୍ତୁ ଗରିବ କୃଷକର କୌଣସି ବାଟନାହିଁ, ଜମିଦାରର ଯାହା ଇଛା ତା ପ୍ରତି ତାହା କରେ । ଏଇ ଦାସତ୍ୱ ବନ୍ଧନ ଭିତରେ ଅନେକ ସମୟରେ ଗରିବ କୃଷକ ପକ୍ଷରେ ନିଃଶ୍ୱାସ ମାରିବାକୁ ମୁହୂର୍ତ୍ତେ ଫୁରସତ ନ ଥାଏ । ସେ ଅନ୍ୟଠାରେ କାମ ଖୋଜିବାକୁ ଯାଇପାରେ ନାହିଁ, କାରଣ ଜମିଦାରଙ୍କ ପାଇଁ କାମ କରିବାକୁ ହେବ । ସବୁ ଗ୍ରାମ ଗରିବ ଓ ସହରର ଶ୍ରମିକଙ୍କ ସହିତ ଏକ ୟୁନିଅନରେ, ଏକ ପାର୍ଟିରେ, ଅବାଧରେ ଏକତାବଦ୍ଧ ହେବା ପାଇଁ ଚିନ୍ତା କରିବାକୁ ତାର ସମୟ ନାହିଁ ।

 

ଆସ ଏବେ ବିଚାର କରିବା, ଏଇ ପ୍ରକାର ଦାସତ୍ୱ ବନ୍ଧନକୁ ହଠାତ୍, ଏକାଥରକେ, ତୁରନ୍ତ ଲୋପ କରିବା କେତେଦୂର ସମ୍ଭବପର । ଏଇ ଲକ୍ଷ୍ୟ ଦିଗରେ ସୋସାଲ ଡିମେକ୍ରାଟିକ୍ ଲେବର ପାର୍ଟି କୃଷକଙ୍କ ଆଗରେ ଦୁଇଟି ପନ୍ଥା ଉପସ୍ଥାପିତ କରେ । ଆମେ ପୁଣି ଦୃଢ଼ଭାବେ କହିବୁ ଯେ ସମାଜବାଦହିଁ କେବଳ, ସମସ୍ତ ଗରିବଙ୍କୁ ସମସ୍ତ ପ୍ରକାର ଦାସତ୍ୱ ବନ୍ଧନରୁ ମୁକ୍ତ କରିପାରେ, କାରଣ ଯେପର୍ଯ୍ୟନ୍ତ ଧନୀଙ୍କ ହାତରେ କ୍ଷମତା ରହିଛି ସେମାନେ କୌଣସି ନା କୌଣସି ବାଟରେ ସବୁବେଳେ ଗରିବଙ୍କ ଉପରେ ଗରିବଙ୍କ ଉପରେ ଅତ୍ୟାଚାର କରିବେ । ସବୁ ଦାସତ୍ୱ ବନ୍ଧନକୁ ହଠାତ ଲୋପ କରିବା ଅସମ୍ଭବ । କିନ୍ତୁ ସବୁଠାରୁ ଜଘନ୍ୟ, ସବୁଠାରୁ ଘୃଣ୍ୟ ଦାସତ୍ୱ ପ୍ରଥା, ସାମନ୍ତବାଦୀ ଦାସତ୍ୱବନ୍ଧନ, ଯାହାକି ଗରିବ, ମଧ୍ୟବିତ୍ତ ଓ ଏପରିକି ଧନୀ କୃଷକକୁ ବି ଜୋରରେ ଚାପିଦେଉଚି ତାକୁ ବହୁ ପରିମାଣରେ ସୀମିତ କରିଦେବା ସମ୍ଭବ, କୃଷକର ଯନ୍ତ୍ରଣାକୁ କେତେକାଂଶରେ ତୁରନ୍ତ ଉପଶମ କରିବାପର । ଏଇ ଲକ୍ଷ୍ୟ ଲାଭ ଲାଗି ଦୁଇଟି ଉପାୟ ଅଛି । ପ୍ରଥମ ଉପାୟ କ୍ଷେତମୁଲିଆ, ଗରିବ କୃଷକ ଆଉ ସେଥିସହିତ ଧନୀ କୃଷକ ଓ ଜମିଦାରଙ୍କ ପ୍ରତିନିଧିମାନଙ୍କୁ ଘେନି ସ୍ୱାଧୀନ ନିର୍ବାଚନ ମାଧ୍ୟମରେ ବିଚାରାଳୟ ପ୍ରତିଷ୍ଠା କରିବାକୁ ହେବ ।

 

ଦ୍ଵିତୀୟ ଉପାୟ, ସ୍ଵାଧୀନଭାବେ ନିର୍ବାଚିତ କୃଷକ କମିଟିମାନ । ବାର୍‍ସଚିନାର ବିଲୋପ, ଭୂଦାସତ୍ୱର ଅବଶେଷର ବିଲୋପ ଲାଗି ଆଲୋଚନା ଓ ବ୍ୟବସ୍ଥା ଗ୍ରହଣ ଏ କୃଷକ କମିଟିମାନଙ୍କ ଅଧିକାର ଅନ୍ତର୍ଭୁକ୍ତ ରହିବ । କେବଳ ସେତିକି ନୁହେଁ, କଟାଣ ଜମି ବାଜ୍ୟାପ୍ତ କରିନେଇ କୃଷକମାନଙ୍କୁ ତାହା ଫେରସ୍ତ ଦେବାର ଅଧିକାର ବି ତାଙ୍କର ରହିବ ।

 

ଆଉ ଟିକିଏ ଅଧିକ ବିଶଦଭାବେ ଏହାକୁ ବିଚାର କରିବା । ସ୍ଵାଧୀନଭାବେ ନିର୍ବାଚିତ ଏ ପ୍ରତିନିଧି ଅଦାଲତସବୁ ଦାସତ୍ୱ ବିରୁଦ୍ଧରେ କୃଷକମାନଙ୍କ ଅଭିଯୋଗ ମକଦ୍ଦମାମାନ ବିଚାର କରିବ । କୃଷକଙ୍କ ଦାରିଦ୍ର୍ୟର ସୁଯୋଗ ନେଇ ଯଦି ଜମିଦାରମାନେ ଚଢ଼ା ହାରରେ ଖଜଣା ସ୍ଥିର କରିଥାନ୍ତି, ତେବେ ତାକୁ କମାଇଦେବାର ଅଧିକାର ଉକ୍ତ ଅଦାଲତର ରହିବ । ଅତ୍ୟଧିକ ଡେୟାରୁ କୃଷକଙ୍କୁ ମୁକ୍ତି ଦେବାର ଅଧିକାର ମଧ୍ୟ ଅଦାଲତର ରହିବ । ଉଦାହରଣ ସ୍ୱରୂପ, ଯଦି ଜମିଦାର ଗ୍ରୀଷ୍ମକାଳୀନ କାମ ଲାଗି କୃଷକଙ୍କୁ ଶୀତକାଳରେ ଅତ୍ୟନ୍ତ କମ ମଜୁରିରେ ଖଟାଏ, ତବେ ଉକ୍ତ ଅଦାଲତ ମକଦ୍ଦମା ବିଚାର କରି ଉଚିତ ମଜୁରୀ ସ୍ଥିର କରିଦେବ । ଅବଶ୍ୟ ସେଭଳି ଅଦାଲତ ଅଫିସରଙ୍କୁ ନେଇ ଗଠିତ ହେବ ନାହିଁ, ସ୍ଵାଧୀନଭାବେ ନିର୍ବାଚିତ ପ୍ରତିନିଧିଙ୍କୁ ନେଇ ଗଢ଼ାହେବ । କ୍ଷେତମୁଲିଆ ଓ ଗାଁ’ର ଗରିବଙ୍କ ପ୍ରତିନିଧି ନିଶ୍ଚିତଭାବେ ସେଠାକୁ ତାଙ୍କର ପ୍ରତିନିଧି ନିର୍ବାଚିନା କରିବେ, କିନ୍ତୁ ସେମାନଙ୍କ ସଂଖ୍ୟା ଧନୀ କୃଷକ ଓ ଜମିଦାରଙ୍କ ଦ୍ୱାରା ନିର୍ବାଚିତ ହେଉଥିବା ଲୋକଙ୍କ ସଂଖ୍ୟାଠାରୁ କୌଣସିମତେ ଉଣା ହେବ ନାହିଁ । ସେ ଅଦାଲତ ମୁଲିଆ ଓ ମାଲିକ ମଧ୍ୟରେ ବିବାଦକୁ ମଧ୍ୟ ବିଚାର କରିବ । ଯେତେବେଳେ ସେପରି ଅଦାଲତ ପ୍ରତିଷ୍ଠିତ ହେବ, ସେତେବେଳେ ମୁଲିଆ ଓ ସମସ୍ତ ଗାଁ'ର ଗରିବଙ୍କ ପକ୍ଷରେ ତାଙ୍କର ଦାବୀ ରକ୍ଷା କରିବା, ଏକଯୁଟ ହେବା ଏବଂ ଗରିବ ଓ ମୂଲିଆଙ୍କ ପାଇଁ ବାସ୍ତବିକ କେଉଁମାନେ ବିଶ୍ୱସ୍ତଭାବେ ଛିଡ଼ାହେବେ ବୋଲି ଭରସା କରାଯାଇପାରେ, ତା’ ଦେଖିବା ସହଜ ହେବ ।

 

ଅନ୍ୟ ଉପାୟଟି ଆହୁରି ଅଧିକ ଗୁରୁତ୍ୱପୂର୍ଣ୍ଣ : ପ୍ରତ୍ୟେକ ଯୁଏଜେଡରେ କ୍ଷେତମୁଲିଆ, ଗରିବ, ମଧ୍ୟବିତ୍ତ ଓ ଧନୀ କୃଷକଙ୍କ ଦ୍ୱାରା ନିର୍ବାଚିତ ପ୍ରତିନିଧିଙ୍କୁ ଘେନି ଗଠିତ ସ୍ୱାଧୀନ କୃଷକ କମିଟିଗୁଡ଼ିକର ପ୍ରତିଷ୍ଠା, (ଅଥବା, କୃଷକମାନେ ଯଦି ଠିକ୍ ମଣିବେ ତେବେ ସେମାନେ ପ୍ରତ୍ୟେକ ଯୁଏଜେଡରେ ଅନେକଗୁଡ଼ିଏ କମିଟି ନିର୍ବାଚନ କରିପାରନ୍ତି । ବୋଧହୁଏ ସେମାନେ ପ୍ରତ୍ୟେକ ଭୋଲୋଷ୍ଟ ଓ ପ୍ରତ୍ୟେକ ବଡ଼ ବଡ଼ ଗାଁ'ରେ ଏକ କୃଷକ କମିଟି ରହିବାକୁ ବି ପସନ୍ଦ କରିବେ) । କେଉଁ ଦାସତ୍ୱ ବନ୍ଧନରେ ସେମାନ ଅତ୍ୟାଚାରିତ, ତାହା ନିଜେ କୃଷକ ଅପେକ୍ଷା ଅନ୍ୟ କେହି ବେଶୀ ଜାଣେ ନାହିଁ । ଯେଉଁ ଜମିଦାରମାନେ ଆଜି ପର୍ଯ୍ୟନ୍ତ ଦାସତ୍ୱ ବନ୍ଧନରେ ଆବଦ୍ଧ ଥିବା କୃଷକ ଉପରେ ବଞ୍ଚିଅଛନ୍ତି, ସେମାନଙ୍କ ମୁଖା ନିଜେ କୃଷକ ଅପେକ୍ଷା ଅନ୍ୟ କେହି ବେଶି ଖୋଲି ଦେଇପାରିବ ନାହିଁ । କୃଷକ କମିଟି ସ୍ଥିର କରିବ କେଉଁସବୁ କଟାଣ ଜମି, ଗୋଚର, ପଡ଼ିଆ ଇତ୍ୟାଦି କୃଷକଠାରୁ ଅନ୍ୟର କାଢ଼ି ନିଆହୋଇଛି, ସେମାନେ ସ୍ଥିର କରିବେ ସେଇସବୁ ଜମି ବିନା କ୍ଷତିପୂରଣରେ ନିଆଯିବ କି ନା, କିମ୍ବା ସେ ଜମି ଯେଉଁମାନେ କିଣିଛନ୍ତି ସେମାନଙ୍କୁ ଉଚ୍ଚ ସମ୍ଭ୍ରାନ୍ତଙ୍କ ଖର୍ଚ୍ଚରେ କ୍ଷତିପୂରଣ ଦିଆଯିବ କି ନା । କିନ୍ତୁ ସେଇସବୁ ଜମିଦାର ସାମନ୍ତଙ୍କ କମିଟି ଦ୍ୱାରା ଚାଳିତ ହୋଇ ଯେଉଁଠି କୃଷକ ଯନ୍ତାରେ ପଡ଼ିଛି, ସେସବୁ ସ୍ଥଳରେ କୃଷକ କମିଟି ସେଥିରୁ ସେମାନଙ୍କୁ ମୁକ୍ତ କରିଦେବ । କୃଷକ କମିଟି କୃଷକଙ୍କୁ ଅଫିସରବର୍ଗଙ୍କ ହସ୍ତକ୍ଷେପରୁ ମୁକ୍ତି କରିବ, ତାହା ଦେଖାଇଦେବ ଯେ କୃଷକସବୁ ନିଜର ସଂସାର ନିଜେ ପରିଚାଳନା କରିବାକୁ ଚାହାନ୍ତି ଓ କରିପାରନ୍ତି । ଏ କମିଟି କୃଷକମାନଙ୍କୁ ଆପଣାର ଆବଶ୍ୟକତା ସମ୍ବନ୍ଧରେ ଏକ ସାଧାରଣ ବୁଝାମଣା ପାଇଁ ସାହାଯ୍ୟ କରିବ, ଆଉ ଯେଉଁମାନେ ଗାଁ’ର ଗରିବଙ୍କ ସପକ୍ଷରେ ଅଛନ୍ତି ତଥା ସହରର ଶ୍ରମିକମାନଙ୍କ ସହିତ ମିତ୍ରତାକୁ ବାସ୍ତବକ୍ଷେତ୍ରରେ ସାହାଯ୍ୟ କରନ୍ତି, ତାହା ଜାଣିବାରେ ଏହା କୃଷକମାନଙ୍କୁ ସାହାଯ୍ୟ କରିବ । ଅତି ସୁଦୂର ଗାଁ’ରେ ସୁଦ୍ଧା କୃଷକଙ୍କୁ ନିଜ ଗୋଡ଼ରେ ଛିଡ଼ା କରାଇବା ଏବଂ ନିଜର ଭାଗ୍ୟ ନିଜ ହାତକୁ ନେବାଲାଗି ସେମାନଙ୍କୁ ସମର୍ଥ କରିବା ଦିଗରେ ଏଇ କୃଷକ କମିଟି ହେବ ପ୍ରଥମ ପଦକ୍ଷେପ ।

 

ସେଇ କାରଣରୁ ସୋସାଲ ଡିମୋକ୍ରାଟିକ ଶ୍ରମିକମାନେ କୃଷକଙ୍କୁ ସତର୍କ କରିଦିଅନ୍ତି :

 

ସାମନ୍ତମାନଙ୍କର କୌଣସି କମିଟି, କିମ୍ବା ଅଫିସରଙ୍କୁ ନେଇ ଗଠିତ କୌଣସି କମିସନକୁ ବିଶ୍ୱାସ କର ନାହିଁ ।

 

ଏକ ପ୍ରତିନିଧିମୂଳକ ଜାତୀୟ ବିଧାନ ସଭା ଦାବୀକର ।

 

କୃଷକ କମିଟିଗୁଡ଼ିକର ପ୍ରତିଷ୍ଠା ଦାବୀକର ।

 

ସମସ୍ତ ପ୍ରକାରର ସମ୍ବାଦପତ୍ର ଓ ପୁସ୍ତିକା ପ୍ରକାଶନର ପୂର୍ଣ୍ଣ ସ୍ୱାଧୀନତା ଦାବୀକର ।

 

ଯେତେବେଳେ ପ୍ରତିନିଧିମୂଳକ ଜାତୀୟ ବିଧାନସଭାରେ, କୃଷକ କମିଟିମାନଙ୍କରେ ଏବଂ ସମ୍ବାଦପତ୍ରରେ ସମସ୍ତଙ୍କର ସ୍ୱାଧୀନ ଓ ନିର୍ଭୀକଭାବେ ଆପଣାର ଇଚ୍ଛା ଓ ମତ ପ୍ରକାଶ କରିବାର ଅଧିକାର ରହିବ, ସେତେବେଳେ କେଉଁମାନେ ଶ୍ରମିକଶ୍ରେଣୀ ପକ୍ଷରେ ଓ କେଉଁମାନେ ବୁର୍ଜୁଆଙ୍କ ପକ୍ଷରେ ଅଛନ୍ତି, ଏହା ଜାଣିବାରେ ବିଳମ୍ବ ହେବ ନାହିଁ । ଆଜି ବହୁ ବେଶୀ ସଂଖ୍ୟକ ଲୋକେ ଏସବୁ ବିଷୟରେ ଆଦୌ ଚିନ୍ତା କରନ୍ତି ନାହିଁ । କେତେକ ତାଙ୍କର ପ୍ରକୃତ ମତକୁ ଲୁଚାନ୍ତି, କେତେକ ଏପର୍ଯ୍ୟନ୍ତ ତାଙ୍କ ନିଜ ମନକଥା ଜାଣନ୍ତି ନାହିଁ, କେତେକ ଜାଣିଶୁଣି ମିଛ କହନ୍ତି । କିନ୍ତୁ ଯେତେବେଳେ ପ୍ରତ୍ୟେକେ ଏ ବିଷୟରେ ଚିନ୍ତା କରିବାକୁ ଆରମ୍ଭ କରିବେ, କୌଣସି ବିଷୟ ଲୁଚାଇବା ଲାଗି କୌଣସି କାରଣ ରହିବ ନାହିଁ, ପ୍ରତ୍ୟେକ ବିଷୟ ଅତି ଶୀଘ୍ର ପୁରିସ୍କାର ହୋଇଯିବ-। ଆମେ ପୂର୍ବରୁ କହିସାରିଛୁ, ବୁର୍ଜୁଆମାନେ ଧନୀ କୃଷକଙ୍କୁ ତାଙ୍କ ପକ୍ଷକୁ ଟାଣିବେ । ଯେତେ ଶୀଘ୍ର ଓ ଯେତେ ସମ୍ପୂର୍ଣ୍ଣଭାବେ ଆମେ ଭୂ-ଦାସ ଦାସତ୍ୱ ଲୋପ କରିବାରେ ସଫଳ ହେବ ଓ କୃଷକମାନେ ନିଜ ଲାଗି ଅଧିକ ପ୍ରକୃତ ସ୍ୱାଧୀନତା ଲାଭ କରିବେ, ସେତେ ଶୀଘ୍ର ଗାଁର ଗରିବଗଣ ସେମାନଙ୍କ ମଧ୍ୟରେ ଏକଯୁଟ ହେବେ ଏବଂ ସେତେ ଶୀଘ୍ର ଧନୀ କୃଷକ ଅବଶିଷ୍ଟ ବୁର୍ଜୁଆଙ୍କୁ ସହିତ ଏକଯୁଟ ହେବ । ସେମାନେ ଏକାଠି ହୁଅନ୍ତୁ, ସେଥିରେ ଆମେ ଭୟଭୀତ ନୋହୁଁ, ଯଦିଓ ଆମେ ଭଲ କରି ଜାଣୁ ତାହା ଧନୀ କୃଷକକୁ ଶକ୍ତିଶାଳୀ କରିବ । କିନ୍ତୁ ଆମେମାନେ ମଧ୍ୟ ଏକଯୁଟ ହେବୁ; ଆମର ଏକତା ଆଉରି ବୃଦ୍ଧି ପାଇବ, ଗାଁ’ର ଗରିବ ଓ ସହରର ଶ୍ରମୀକଙ୍କର ମେଣ୍ଟ ଭିତରକୁ ଆହୁରି ଅଧିକ ଲୋକେ ଆସିଯିବେ । ହଜାର ହଜାର ଲୋକଙ୍କ ଏକତା ବିରୁଦ୍ଧରେ ତାହା ହେବ କୋଟି କୋଟି ଲୋକଙ୍କର ଏକତା । ଆମେ ମଧ୍ୟ ଜାଣୁ, ବୁର୍ଜୁଆମାନେ ମଧ୍ୟବିତ୍ତ, ଏପରିକି ଛୋଟ କୃଷକଙ୍କୁ ଆକୃଷ୍ଟ କରିବାକୁ, ସେମାନଙ୍କୁ ଠକିବାକୁ, ପ୍ରଲୋଭିତ କରିବାକୁ ଏବଂ ସେମାନଙ୍କ ଭିତରୁ ପ୍ରତ୍ୟେକଙ୍କୁ ଧନିଶ୍ରେଣୀକୁ ଓଟାରି ଆଣିବାର ପ୍ରତିଶ୍ରୁତି ଦେଇ ସେମାନଙ୍କ ଭିତରେ ବିଭେଦ ବୁଣିବାର ଚେଷ୍ଟା କରିବେ (ଏବେ ବି ସେ ଚେଷ୍ଟା ଚଳାଇଛନ୍ତି) ମଧ୍ୟବିତ୍ତ କୃଷକକୁ ନିଜ ପକ୍ଷକୁ ଘେନି ଆସିବା ଦିଗରେ ବୁର୍ଜୁଆମାନେ ଯେଉଁ କୌଶଳ, ଯେଉଁ ଶଠତା ଆଚରଣ କରନ୍ତି, ତାହା ଆମେ ଦେଖିସାରିଛୁ । ତେଣୁ ଆମେ ପୂର୍ବରୁ ଗାଁ’ର ଗରିବକୁ ସତର୍କ କରିଦେବା ଉଚିତ ଓ ସମଗ୍ର ବୁର୍ଜୁଆଙ୍କ ବିରୁଦ୍ଧରେ ସହରର ଶ୍ରମିକଙ୍କ ସହିତ ତାଙ୍କର ସ୍ୱତନ୍ତ୍ର ମେଣ୍ଟ ବା ଇଉନିଅନ ଗଠନକୁ ତା' ଆଗରୁ ଦୃଢ଼ୀଭୁତ କରିବା ଉଚିତ ।

 

ପ୍ରତ୍ୟେକ ଗ୍ରାମବାସୀ ଚାରିଆଡ଼କୁ ସାବଧାନ ହୋଇ ଆଖି ପକାଉ । ସାମନ୍ତମାନଙ୍କ ବିରୋଧରେ, ଜମିଦାରଙ୍କ ବିରୁଦ୍ଧରେ ଧନୀ କୃଷକର ବିଷୋଦ୍‍ଗାର ଆମେ କେତେବା ନ ଶୁଣିଛେ-! ଲୋକେ ଅତ୍ୟାଚାରରେ ପ୍ରପୀଡ଼ିତ ହେଉଥିବା ବିଷୟରେ ଅଥବା ଜମିଦାରର ଜମି ପଡ଼ିଆ ପଡ଼ିଛି ବୋଲି ସେମାନେ କେତେ ବା ଅଭିଯୋଗ ନ କରିଛନ୍ତି ! ଯଦି କୃଷକମାନେ ଜମି ଦଖଲ କରନ୍ତି, ତାହା କିପରି ଗୋଟାଏ ଭଲ କାମ ହେବ, ତାହା ଚର୍ଚ୍ଚା କରିବାକୁ (ବ୍ୟକ୍ତିଗତ କଥାବାର୍ତ୍ତାରେ) ସେମାନେ କେତେ ସୁଖ ପାଆନ୍ତି !

 

ଧନୀ ଯାହା କହନ୍ତି ଆମେ କଣ ତାହା ବିଶ୍ୱାସ କରିବା ? ନା, କରିବା ନାହିଁ । ସେମାନେ ଲୋକଙ୍କ ଲାଗି ଜମି ଚାହାନ୍ତି ନାହିଁ, ସେମାନେ ତାହା ନିଜ ପାଇଁ ଚାହାଁନ୍ତି । ସେମାନେ ବହୁ ଜମି କରଗତ କରିସାରିଛନ୍ତି । ସିଧାସଳଖ କିଣିଛନ୍ତି, ପଟ୍ଟାକୁ ଆଣିଛନ୍ତି । ତଥାପି ସେମାନେ ସନ୍ତୁଷ୍ଟ ନୁହନ୍ତି, ତେଣୁ ଗାଁ’ର ଗରିବଙ୍କୁ ଜମିଦାରଙ୍କ ବିରୁଦ୍ଧରେ ଧନୀଙ୍କ ସହିତ ଏକ ସଙ୍ଗରେ ବେଶୀ ସମୟ ଆଗେଇବାକୁ ହେବାକୁ ହେବ ନାହିଁ, ସେମାନଙ୍କ ସହିତ କେବଳ ପ୍ରଥମ ପଦକ୍ଷେପ ନେବାକୁ ପଡ଼ିବ, ତା'ପରେ ସେମାନେ ଭିନ୍ନ ରାସ୍ତା ଧରିବେ ।

 

ସେଇ କାରଣରୁ ଆମକୁ ପ୍ରଥମ ପଦକ୍ଷେପ, ପରବର୍ତ୍ତୀ ପଦକ୍ଷେପ ଓ ଆମର ଶେଷ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭିତରେ ପରିସ୍କାର ପାର୍ଥକ୍ୟ ଟାଣିନେବାକୁ ହେବ । ଗ୍ରାମାଞ୍ଚଳରେ ପ୍ରଥମ ପଦକ୍ଷେପ ହେବ କୃଷକମାନଙ୍କର ପୂର୍ଣ୍ଣ ମୁକ୍ତି, କଟାଣ ଜମି ଫେରସ୍ତ ପାଇବା ଉଦ୍ଦେଶ୍ୟରେ କୃଷକ କମିଟିମାନ ଗଠନ । କିନ୍ତୁ ଆମର ଶେଷ ପଦକ୍ଷେପ ସହର ଓ ମଫସଲରେ ଉଭୟଠାରେ ସମାନ ହେବ : ଆମେ ଜମିଦାର ବୁର୍ଜୁଆଙ୍କଠାରୁ ସମସ୍ତ ଜମି ଓ ସମସ୍ତ ଫ୍ରାକଟ୍ରି କଳକାରଖାନା କାଢ଼ିନେବୁ ଏବଂ ଏକ ସମାଜବାଦୀ ସମାଜ ପ୍ରତିଷ୍ଠା କରିବୁ । ପ୍ରଥମ ପଦକ୍ଷେପ ଓ ଶେଷ ପଦକ୍ଷେପ ମଧ୍ୟରେ ଆମକୁ ଏକ ବିରାଟ ସଂଗ୍ରାମ ଦେଇ ଗତି କରିବାକୁ ହେବ ଏବଂ ଯିଏ ପ୍ରଥମ ପଦକ୍ଷେପକୁ ଶେଷ ପଦକ୍ଷେପ ସହିତ ଏକାଠି ମିଶାଗୋଳା କରିଦିଏ, ସେ ସଂଗ୍ରାମକୁ ବାଧାଦିଏ ଏବଂ ନିଜ ଅଜାଣତରେ ଗାଁ’ର ଗରିବକୁ ଠକିବାରେ ସାହାଯ୍ୟ କରେ ।

 

ଗାଁ’ର ଗରିବ, ସମସ୍ତ କୃଷକ ସହିତ ମିଶି ଏକସଙ୍ଗରେ ପ୍ରଥମ ପଦକ୍ଷେପ ନେବ । କେତେକ କୁଲାଖ ଅଧବାଟରୁ ଖସିଯାଇ ପାରନ୍ତି, ବୋଧହୁଏ ସହଜେ ଜଣେ କୃଷକ ଯେକୌଣସି ପ୍ରକାର ଦାସତ୍ୱ ବନ୍ଧନରେ ଚଳିଯିବାକୁ ରାଜି । କିନ୍ତୁ ବହୁସଂଖ୍ୟକ କୃଷକ ଜନସାଧାରଣ ଏପର୍ଯ୍ୟନ୍ତ ମେଣ୍ଟବାନ୍ଧି ଗୋଟାଏ ଭଳି ଅଗ୍ରସର ହୋଇଛନ୍ତି । ସମସ୍ତ କୃଷକ ସମାନ ଅଧିକାର ଚାହାନ୍ତି । ଜମିଦାରଙ୍କ ପ୍ରତି ଦାସତ୍ୱ ସମସ୍ତଙ୍କର ହାତଗୋଡ଼ ବାନ୍ଧିଦିଏ । କିନ୍ତୁ ଶେଷ ପଦକ୍ଷେପ ଏକସଙ୍ଗରେ ସମସ୍ତ କୃଷକ କେବେହେଲେ ନେବେ ନାହିଁ । ସେତେବେଳେ ସବୁ ଧନୀ କୃଷକ ମୂଲିଆଙ୍କ ବିରୁଦ୍ଧରେ ଓଲଟି ଠିଆହେବେ । ସେତେବେଳେ ଗାଁ'ର ଗରିବ ଓ ସହରର ସୋସାଲ-ଡିମୋକ୍ରାଟିକ୍ ଶ୍ରମିକଙ୍କର ଏକ ଶକ୍ତିଶାଳୀ ଇଉନିୟନ ଆମର ଅବଶ୍ୟ ଆବଶ୍ୟକ ହେବ । ଯିଏ କୃଷକଙ୍କୁ କହେ ଯେ ସେମାନେ ପ୍ରଥମ ଓ ଶେଷ ପଦକ୍ଷେପ ଏକସଙ୍ଗରେ, ଏକାବେଳେକେ ନେଇପାରିବେ, ସେ କୃଷକଙ୍କୁ ଠକୁଛି । ସେ ବିରାଟ ସଂଗ୍ରାମ ବିଷୟରେ ଭୁଲିଯାଏ, ଯାହାକି ଖୋଦ କୃଷକମାନଙ୍କ ମଧ୍ୟରେ ଚାଲିଛି, ସେ ସଂଗ୍ରାମ ହେଲା ଗାଁ'ର ଗରିବ ଓ ଧନୀ କୃଷକଙ୍କ ମଧ୍ୟରେ ସଂଗ୍ରାମ ।

 

ସେଥିଯୋଗୁଁ ସୋସାଲ-ଡିମୋକ୍ରାଟମାନେ ହଠାତ୍ ଦେଶରେ ଘିଅମହୁ ବୋହିବ ବୋଲି କୃଷକଙ୍କୁ ପ୍ରତିଶ୍ରୁତି ଦିଅନ୍ତି ନାହିଁ । ସେଥିଯୋଗୁଁ ସୋସାଲ-ଡିମୋକ୍ରାଟମାନେ ସଂଗ୍ରାମ ଲାଗି-ସମଗ୍ର ବୁର୍ଜୁଆଙ୍କ ବିରୁଦ୍ଧରେ ସମଗ୍ର ଶ୍ରମିକଶ୍ରେଣୀର ବିରାଟ ବ୍ୟାପକ ଜନପ୍ରିୟ ସଂଗ୍ରାମ ଲାଗି ପୂର୍ଣ୍ଣ ସ୍ୱାଧୀନତା ସର୍ବପ୍ରଥମେ ଦାବୀ କରନ୍ତି । ସେଥିଯୋଗୁଁ ସୋସାଲ-ଡିମୋକ୍ରାଟମାନେ ଏକ କ୍ଷୁଦ୍ର, ଅଥଚ ସୁନିଶ୍ଚିତ ପ୍ରଥମ ପଦକ୍ଷେପ ଲାଗି ପରାମର୍ଶ ଦେଇଥାନ୍ତି ।

 

କେତେକ ଲୋକେ ଭାବନ୍ତି ଯେ ଦାସତ୍ୱକୁ ବାଧାଦେବା ଓ କଟାଣ ଜମି ଫେରସ୍ତ ପାଇବା ଉଦ୍ଦେଶ୍ୟରେ କୃଷକ କମିଟି ପ୍ରତିଷ୍ଠା ଲାଗି ଆମର ଦାବୀ ଗୋଟାଏ ପ୍ରକାର ବାଡ଼ ବା ସୀମା ଯେପରିକି ଆମେ କହିବାକୁ ଚାହୁଁ, ବନ୍ଦହୁଅ, ରୋକିଯାଅ, ତମେ ଆଉ ଆଗକୁ ଯାଇପାରିବ ନାହିଁ । ସୋସାଲ-ଡିମୋକ୍ରାଟମାନେ କଣ ଚାହାନ୍ତି ସେ ବିଷୟ ଏମାନେ ଯଥେଷ୍ଟ ବିଚାର କରିନାହାନ୍ତି । ଦାସତ୍ୱ ବନ୍ଧନକୁ ଖର୍ବକରିବା ଏବଂ କଟାଣ ଜମିର ଫେରସ୍ତ ଉଦ୍ଦେଶ୍ୟରେ କୃଷକ କମିଟି ପ୍ରତିଷ୍ଠା କାମ ଦାବୀ ଏକ ବାଡ଼ ନୁହେଁ, ତାହା ଏକ ଦ୍ୱାର । ଆହୁରି ଆଗକୁ ଯିବାପାଇଁ, ଏକଦମ ଶେଷ ପର୍ଯ୍ୟନ୍ତ, ପ୍ରସ୍ତ ଉନ୍ମୁକ୍ତ ପଥରେ ଅଗ୍ରସର ହେବାକୁ ଏବଂ ରୁଷର ସମସ୍ତ ମେହନତକାରୀ ଲୋକମାନଙ୍କ ମୁକ୍ତିକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ ଆମକୁ ଏଇ ଦ୍ୱାର ମଧ୍ୟ ଦେଇ ଯିବାକୁ ହେବ । କୃଷକମାନେ ଏଇ ଦ୍ୱାର ମଧ୍ୟ ଦେଇ ଗତି ନ କଲାଯାଏ ସେମାନେ ସମ୍ପୂର୍ଣ୍ଣ ଅଧିକାର ହୀନ, ପୂର୍ଣ୍ଣ ଓ ପ୍ରକୃତ ସ୍ୱାଧିନତାବିହୀନ ଦାସତ୍ୱ ଅନ୍ଧକାର ମଧ୍ୟରେ ପଡ଼ିଥିବେ । ସେମାନେ ତାଙ୍କ ନିଜ ମଧ୍ୟରେ ସୁଦ୍ଧା ଠିକ କରିପାରିବେ ନାହିଁ ଯେ ମେହନତକାରୀ ଲୋକଙ୍କର କିଏ ବନ୍ଧୁ ଓ କିଏ ଶତ୍ରୁ । ସେଇ କାରଣରୁ ସୋସାଲ-ଡିମୋକ୍ରାଟମାନେ ସେହି ଦ୍ୱାର ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶ କରି କହନ୍ତି, ଯେ ସମଗ୍ର ଜନସାଧାରଣ ଏକ ସାଙ୍ଗରେ ଏଇ ଦ୍ୱାରକୁ ଆଗ ବଳପୂର୍ବକ ଆଘାତ କରନ୍ତୁ ଏବଂ ତାକୁ ପୁରାପୁରି ଧୂଳିସାତ କରିଦିଅନ୍ତୁ । କିନ୍ତୁ ଲୋକ ଅଛନ୍ତି, ଯେଉଁମାନେକି ଆପଣାକୁ ନରୋଦନିକ୍ ଓ ସୋସାଲିଷ୍ଟ ରିଭଲ୍ୟୁସନାରୀ ବୋଲି କହନ୍ତି, ଯେଉଁମାନେ ମଧ୍ୟ କୃଷକଙ୍କର ଭଲ ଚାହାନ୍ତି, ଯେଉଁମାନେ ଚିତ୍କାର ଛାଡ଼ନ୍ତି, ଖୁବ ପାଟିତୁଣ୍ଡ କରି ହାତ ହଲାଇ ତାଙ୍କୁ ସାହାଯ୍ୟ କରିବାକୁ ଚାହାନ୍ତି, କିନ୍ତୁ ସେମାନେ ସେ ଦ୍ୱାରା ଦେଖିପାରନ୍ତି ନାହିଁ । ସେ ଲୋକେ ଏତେ ଅନ୍ଧ ଯେ ସେମାନେ ଏମିତିକି କହିଥାନ୍ତି, -ତା'ର ଜମିକୁ ସ୍ଵାଧୀନଭାବେ ହସ୍ତାନ୍ତର କରିବାର କରିବାର ଅଧିକାର କୃଷକକୁ ଦେବାର କୌଣସି ଆବଶ୍ୟକତା ନାହିଁ ! ସେମାନେ କୃଷକଙ୍କର ଭଲ ଚାହାନ୍ତି, ଅଥଚ ଠିକ ସାମନ୍ତବାଦୀ ଜାଠଙ୍କ ଭଳି ଯୁକ୍ତି କରନ୍ତି । ଏପରି ସବୁ ବନ୍ଧୁ କୌଣସି ସାହାଯ୍ୟରେ ଆସିବେ ନାହିଁ । କୃଷକଙ୍କର ମଙ୍ଗଳ କାମନା କରି କି ଲାଭ, ଯଦି ତମେ ପ୍ରଥମ ଦ୍ୱାରକୁ ନ ଦେଖ, ଯାହା କୁକି ଭାଙ୍ଗିବାକୁ ହେବ । ସମାଜବାଦ ଚାହିଁବାରେ ଲାଭକଣ, ଯଦି ମୁକ୍ତିର ମାର୍ଗକୁ ବାହାରି ଆସିବାର ବାଟ ନ ଦେଖ । ସମାଜବାଦ ଲାଗି ଲୋକଙ୍କର ସଂଗ୍ରାମ କେବଳ ସହରରେ ନୁହେ, ମଫସଲରେ ମଧ୍ୟ, କେବଳ ଜମିଦାରଙ୍କ ବିରୁଦ୍ଧରେ ନୁହେଁ, ‘ମିର୍’ରେ, ଗ୍ରାମ୍ୟଗୋଷ୍ଠୀରେ ଧନୀ କୃଷକଙ୍କ ବିରୁଦ୍ଧରେ ମଧ୍ୟ ।

 

ସେଇ କାରଣରୁ ସୋସାଲ-ଡିମୋକ୍ରାଟମାନେ ପ୍ରଥମ ଓ ନିକଟତମ ଦ୍ୱାର ପ୍ରତି ଏତେ ଆଗ୍ରହରେ ଅଙ୍ଗୁଳି ନିର୍ଦ୍ଦେଶ କରିଥାନ୍ତି । ବର୍ତ୍ତମାନର ଏ ସ୍ତରରେ କଷ୍ଟକର ବିଷୟ ହେଲା ଗୁଡ଼ାଏ ଶୁଭେଚ୍ଛା ପ୍ରକାଶ କରିବା ନୁହେଁ, ସଠିକ ମାର୍ଗ ଦର୍ଶାଇବା, ସେଇ ପ୍ରଥମ ପଦକ୍ଷେପ କିପରି ନେବାକୁ ହେବ ତାହା ପରିଷ୍କାରଭାବେ ଉପଲବ୍ଧି କରିବା । କୃଷକଙ୍କର ସବୁ ଶୁଭକାଂକ୍ଷୀ ବନ୍ଧୁ ଗତ ଚାଳିଶ ବର୍ଷ ହେଲା କହିବାରେ ଓ ଲେଖିବାରେ ଲାଗିଛନ୍ତି ଯେ ରୁଷ କୃଷକ ଦାସତ୍ୱରେ ଦଳି ହୋଇଯାଉଛି, ଅର୍ଦ୍ଧ ଭୂ-ଦାସ ହୋଇ ପଡ଼ିରହିଛି । ରୁଷରେ କୌଣସି ସୋସାଲ ଡିମୋକ୍ରାଟର ଜନ୍ମ ହେବାର ବହୁ ପୂର୍ବରୁ, କୃଷକ-ବନ୍ଧୁମାନେ ବହୁ ପୁସ୍ତକ ଲେଖି ବର୍ଣ୍ଣନା କରିଛନ୍ତି ଯେ କିପରି ଜମିଦାରମାନେ ନିଲ୍ଲଜଭାବେ କୃଷକକୁ ବିଭିନ୍ନ ପ୍ରକାର କଟାଣ ଜମି ଦ୍ୱାରା ଲୁଣ୍ଠନ କରନ୍ତି, ଦାସ କରି ରଖନ୍ତି । ଏ ସବୁ ସଚ୍ଚୋଟ ଲୋକେ ଉପଲବ୍ଧି କରନ୍ତି ଯେ ତୁରନ୍ତ କୃଷକଙ୍କୁ ସାହାଯ୍ୟ ଦେବା ଉଚିତ । ସେଇ ଦାସତ୍ୱରୁ ତାକୁ ଅନ୍ତତଃ କିଛିଟା ରିହାତି ମିଳିବା । ସେଇ ଦାସତ୍ୱରୁ ତାକୁ ଅନ୍ତତଃ କିଛିଟା ରିହାତି ମିଳିବା ଦରକାର । ଆମ ପୁଲିସ ସରକାରର ଅଫିସରମାନେ ସୁଦ୍ଧା ସେ ବିଷୟରେ ଚର୍ଚ୍ଚା କରିବାକୁ ଆରମ୍ଭ କଲେଣି । ସମସ୍ତ ପ୍ରଶ୍ନଟି ହେଲା : କିପରି ସେଦିଗରେ ଅଗ୍ରସର ହେବାକୁ ହେବ, କିପରି ପ୍ରଥମ ପଦକ୍ଷେପ ନେବାକୁ ହେବ, କେଉଁ ଦ୍ୱାରକୁ ପ୍ରଥମେ ଭାଙ୍ଗିବାକୁ ପଡ଼ିବ ?

 

ଏଇ ପ୍ରଶ୍ନରେ ବିଭିନ୍ନ ଲୋକେ (ଯେଉଁମାନେ କୃଷକର ଶୁଭ ମନାସନ୍ତି) ଦୁଇଟି ଭିନ୍ନ ଭିନ୍ନ ଉତ୍ତର ଦିଅନ୍ତି । ପ୍ରତ୍ୟେକ ମଫସଲର ଲୋକେ ଯେତେଦୂର ସମ୍ଭବ ପରିଷ୍କାରଭାବେ ଏସବୁ ବୁଝିବା ଓ ସେ ସମ୍ପର୍କରେ ଏକ ନିର୍ଦ୍ଦିଷ୍ଟ ଦୃଢ଼ମତ ଗଠନ କରିବାକୁ ଚେଷ୍ଟା କରିବା ଉଚିତ । ନରୋଦନିକ୍ ଓ ସୋସାଲିଷ୍ଟ ରିଭଲ୍ୟୁସନାରୀମାନେ ଗୋଟିଏ ଉତ୍ତର ଦିଅନ୍ତି । ସେମାନେ କହନ୍ତି, ପ୍ରଥମ କାମ ହେଲା କୃଷକଙ୍କ ମଧ୍ୟରେ ସମସ୍ତ ପ୍ରକାର ସୋସାଇଟ୍ (କୋଅପରେଟିଭ) ବିକାଶ କରାଇବାକୁ ହେବ, ‘ମିର୍‍’ (ଗ୍ରାମ୍ୟଗୋଷ୍ଠୀ)ର ଏକତାକୁ ସୁଦୃଢ଼ କରିବାକୁ ପଡ଼ିବ, କୃଷକକୁ ଅବାଧରେ ଜମି ହସ୍ତାନ୍ତର କରିବାର ଅଧିକାର ଦେବାକୁ ପଡ଼ିବ । 'ମିର୍'ର (ଗ୍ରାମ୍ୟଗୋଷ୍ଠୀର) ଅଧିକାର ବଢ଼ୁ, ରୁଷର ସମସ୍ତ ଜମି ଧୀରେ ଧୀରେ ଗୋଷ୍ଠୀରେ ପରିଣତ ହେଉ । ଜମି କିଣିବାଲାଗି କୃଷକକୁ ସକଳ ସାହାଯ୍ୟ ଦେବାକୁ ହେବ, ତାହାହେଲେ ଜମି ଅତି ସହଜରେ ପୁଞ୍ଜିର ହାତରୁ ଶ୍ରମର ହାତକୁ ଚାଲିଆସିପାରିବ ।

 

ଅନ୍ୟ ଉତ୍ତରଟି ଦିଅନ୍ତି ସୋସାଲ-ଡିମୋକ୍ରାଟମାନେ । ସର୍ବପ୍ରଥମେ, ସମ୍ଭ୍ରାନ୍ତ ଓ ଜମିଦାରଙ୍କର ଯେତେ ଯେତେ ଅଧିକାର ରହିଛି, ସେ ସମସ୍ତ ଅଧିକାର, ବିନା ବ୍ୟତିକ୍ରମରେ କୃଷକର ରହିବା ଉଚିତ, ଅବାଧରେ ଜମି ହସ୍ତାନ୍ତର କରିବାର ପୂର୍ଣ୍ଣ ଅଧିକାର କୃଷକର ରହିବା ଦରକାର । ସବୁଠାରୁ ଘୃଣ୍ୟ ଦାସତ୍ୱକୁ ଲୋପ କରିବା ଦିଗରେ, କଟାଣ ଜମି ଫେରସ୍ତ ଆଣିବା ଉଦ୍ଦେଶ୍ୟରେ କୃଷକ କମିଟିସବୁ ଗଠନ କରିବାକୁ ହେବ । ଆମେ ‘ମିର୍’ର ଏକତା ଦରକାର କରୁ ନା, ଆମେ ଚାହୁଁ, ରୁଷର ଚାରିଆଡ଼େ ବିଭିନ୍ନ ଗ୍ରାମ୍ୟଗୋଷ୍ଠୀମାନଙ୍କରେ ଗାଁ'ର ଗରୀବାଙ୍କର ଏକତା, ସହରର ସର୍ବହରାଙ୍କସହିତ ଗାଁର ସର୍ବହରାଙ୍କ ଏକତା, ସମସ୍ତ ପ୍ରକାର (କୋଅପରେଟିଭ) ସୋସାଇଟି ଓ ଗୋଷ୍ଠୀଗତ ଜମିକିନା ସଦାସର୍ବଦା ଧନୀ କୃଷକଙ୍କୁ ହିଁ ସବୁଠୁଁ ଲାଭବାନ କରିବ ଏବଂ ସବୁବେଳେ ମଧ୍ୟବିତ୍ତ କୃଷକଙ୍କୁ ପ୍ରତାରିତ କରିବ ।

 

ରୁଷ ସରକାର ବୁଝିଛି, କୃଷକଙ୍କୁ କିଛି ରିହାତି ଦେବାକୁ ହେବ । କିନ୍ତୁ ତାହା ଚାହେଁ ଏ ରିହାତି ଅତି ତୁଚ୍ଛ ହେବ, ଆଉ ସବୁ କାମ ଅଫିସରଙ୍କ ଜରିଆରେ ହେବ । କୃଷକଙ୍କୁ ସତର୍କ ରହିବାକୁ ହେବ, କାରଣ ଠିକ୍ ସମ୍ଭ୍ରାନ୍ତ କମିସନ ପରି ଅଫିସରଙ୍କ କମିସନ ମଧ୍ୟ କୃଷକକୁ ଠକିବ । ସ୍ୱାଧୀନ କୃଷକ କମିଟି ନିର୍ବାଚନ, କୃଷକମାନେ ଦାବୀ କରିବା ଉଚିତ । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା, ଅଫିସରଙ୍କଠାରୁ କୌଣସି ପ୍ରକାର ଭିନ୍ନ ବିଧାନ ଆଶା କରିବା ଉଚିତ ନୁହେଁ, କୃଷକମାନେ ନିଜର ଭାଗ୍ୟ ନିଜେ ହାତରେ ଗଠନ କରିବା ଦରକାର । ଆସ, ଆମେ ପ୍ରଥମେ ଗୋଟିଏ ପଦକ୍ଷେପ ନେବା, ପ୍ରଥମେ ସବୁଠାରୁ ଅତି ଜଘନ୍ୟ ଦାସତ୍ୱକୁ ଲୋପ କରିବା-ଯେତେବେଳଯାଏ କୃଷକ ସେମାନଙ୍କ ଶକ୍ତି ବିଷୟରେ ସଚେତନ ନ ହୋଇଛନ୍ତି, ଯେତେବେଳଯାଏ ପରସ୍ପର ଭିତରେ ବୁଝାମଣାରେ ନ ପହଞ୍ଚିଛନ୍ତି ଓ ଏକଯୁଟ ନ ହୋଇଛନ୍ତି, ସେପର୍ଯ୍ୟନ୍ତ ଏଇ କାମଟି ଶେଷ କରିବା । କୌଣସି ସଚ୍ଚୋଟ ବ୍ୟକ୍ତି ଅସ୍ୱୀକାର କରିପାରିବ ନାହିଁ ଯେ ଅନେକ ସମୟରେ କଟାଣ ଜମି ସବୁଠୁଁ ଜଘନ୍ୟତମ ସାମନ୍ତବାଦୀ ଦାସତ୍ୱର ମାଧ୍ୟମ ହୋଇଚି । କୌଣସି ସଚୋଟ ବ୍ୟକ୍ତି ଅସ୍ୱୀକାର କରିପାରିବ ନାହିଁ ଯେ, ଏହା ହେଲା ଆମର ପ୍ରଥମ ଓ ନିମ୍ନତମ ଦାବୀ । କୃଷକମାନେ ଅଫିସରଙ୍କୁ ବାଦଦେଇ, ସମସ୍ତ ସାମନ୍ତବାଦୀ ଦାସତ୍ୱ ଲୋପ କରିବା ଉଦ୍ଦେଶ୍ୟରେ, ସ୍ଵାଧୀନଭାବେ ସେମାନଙ୍କ ନିଜର କମିଟି ବାଛନ୍ତୁ ।

 

ପ୍ରଥମତଃ କୃଷକ କମିଟିରେ (ଠିକ ଯେପରି ପ୍ରତିନିଧିମୂଳକ ନିଖିଳ ରୁଷ ବିଧାନ ସଭାରେ) ସୋସାଲ-ଡିମୋକ୍ରାଟମାନେ ସଙ୍ଗେ ସଙ୍ଗେ ସହରର ସର୍ବହରାଙ୍କ ସହିତ ଗାଁ’ର ସର୍ବହରାଙ୍କ ସ୍ୱତନ୍ତ୍ର ଇଉନିଅନ (ଏକତା)କୁ ସୁଦୃଢ଼ କରିବା ଦିଗରେ ତାଙ୍କର ସମସ୍ତ ଶକ୍ତି ବିନିଯୋଗ କରିବେ । ସୋସାଲ-ଡିମୋକ୍ରାଟମାନେ ଗାଁ'ର ସର୍ବହରାଙ୍କ ସାହାଯ୍ୟ କରିବାଲାଗି ସକଳ ବ୍ୟବସ୍ଥା ଦାବୀ କରିବେ ଏବଂ ଯେତେ ଶୀଘ୍ର ସମ୍ଭବ ଯେତେଦୂର ସର୍ବଦାବୀସମ୍ମତ ହେବ, ସେମାନଙ୍କୁ ପ୍ରଥମ ପଦକ୍ଷେପ ନେବାରେ ସାହାଯ୍ୟ କରିବେ, ଦ୍ଵିତୀୟ ତୃତୀୟ ଓ ପର ପର ପଦକ୍ଷେପ ସହିତ ସବା ଶେଷଯାଏ-ସର୍ବହରାର ବିଜୟକୁ ସମ୍ପୂର୍ଣ୍ଣ କରିବାପାଇଁ । କିନ୍ତୁ ଆମେ କଣ ହଠାତ୍ ଆଜି କହି ପରିବା, ଦ୍ଵିତୀୟ ପଦକ୍ଷେପ ଲାଗି ଆସନ୍ତାକାଲି କି ଦାବୀ ଉଠିବ ? ନା, ଆମେ ତା'କହିପାରିବା ନାହିଁ, କାରଣ ଆମେ ଜାଣୁ ନାହିଁ, ଧନୀ କୃଷକମାନେ କାଲି କି ନୀତି ଗ୍ରହଣ କରିବେ । ବହୁ ଶିକ୍ଷିତ ଲୋକେ, ଯେଉଁମାନେ ସବୁ ପ୍ରକାରର କୋଅପରେଟିଭ ସହିତ ସମ୍ପୃକ୍ତ ଓ ଜମି ପୁଞ୍ଜି ହାତରୁ ଶ୍ରମ ହାତକୁ ଆସିବା ଦିଗରେ ଉଦବିଘ୍ନ, ସେମାନେ କି ନୀତି ଗ୍ରହଣ କରିବେ ।

 

ବୋଧହୁଏ ସେମାନେ କାଲି ଜମିଦାରଙ୍କ ସହିତ ଯୋଗଦେବେ ନାହିଁ, ବୋଧହୁଏ ସେମାନେ ଜମିଦାରଙ୍କ ରାଜୁତି ପୂରାପୂରି ଲୋପ କରିବାକୁ ଚାହିଁବେ । ବେଶ୍ ଉତ୍ତମ କଥା । ଏହା ଯେପରି ଘଟୁ, ସୋସାଲ-ଡିମୋକ୍ରାଟମାନେ ତାହା ଖୁବ ଭଲଭାବେ ଚାହାନ୍ତି, ସେମାନେ ମଫସଲ ଓ ସହରର ସର୍ବହରାଙ୍କୁ ପରାମର୍ଶ ଦେବେ, ସବୁ ଜମି ଜମିଦାରଙ୍କଠାରୁ କାଢ଼ିନେଇ ସ୍ୱାଧୀନ ଜନ ରାଷ୍ଟ୍ରକୁ ହସ୍ତାନ୍ତର କରିବାଲାଗି ଦାବୀ କରିବାକୁ । ସୋସାଲ-ଡିମୋକ୍ରାଟମାନେ ଜାଗତିଆର ରହି ଦେଖିବେ ଯେପରିକି ଗାଁ'ର ସର୍ବହରାମାନେ ସେଇ କାମ ଭିତରେ ପ୍ରତାରିତ ହୁଅନ୍ତି ଏବଂ ସେମାନେ ସର୍ବହରାଙ୍କ ପୂର୍ଣ୍ଣ ମୁକ୍ତି ଦିଗରେ ସଂଗ୍ରାମ ଲାଗି ତାଙ୍କର ଶକ୍ତିକୁ ଆହୁରି ଅଧିକ ସୁସଙ୍ଗଠିତ ଓ ସୁଦୃଢ଼ କରନ୍ତି ।

 

କିନ୍ତୁ ଘଟଣା ଠିକ୍ ଭିନ୍ନଭାବରେ ଘଟିଯାଇପାରେ । କାର୍ଯ୍ୟତଃ ଖୁବ ସମ୍ଭବତଃ ବିଭିନ୍ନଭାବରେ ଘଟିବ । ଠିକ ଯେଉଁଦିନ ଜଘନ୍ୟ ଦାସତ୍ୱ ପ୍ରଥା ଖର୍ବ ଓ ସଂକୁଚିତ ହୋଇଯିବ, ଠିକ୍ ତା' ବାସିଦିନ ହୁଏତ ଧନୀ କୃଷକ, ବହୁ ଶିକ୍ଷିତ ଲୋକେ ଜମିଦାରଙ୍କ ସହିତ ଏକଜୁଟ ହୋଇଯିବେ ଏବଂ ସେତେବେଳେ ସମଗ୍ର ଗ୍ରାମ୍ୟ-ବୁର୍ଜୁଆ ସମଗ୍ର ଗ୍ରାମ୍ୟ-ସର୍ବହରାଙ୍କ ବିରୁଦ୍ଧରେ ଜଗିଉଥିବେ । ତାହା ଘଟିଲାବେଳେ, ଆମ ପକ୍ଷରେ କେବଳ ଜମିଦାରଙ୍କ ବିରୁଦ୍ଧରେ ଲଢ଼ିବା ହାସ୍ୟାସ୍ପଦ ହେବ । ସେ ସମୟରେ ଆମକୁ ସମଗ୍ର ବୁର୍ଜୁଆଙ୍କ ବିରୁଦ୍ଧରେ ଲଢ଼ିବାକୁ ପଡ଼ିବ । ସର୍ବପ୍ରଥମେ, ସମ୍ଭବପର ସର୍ବାଧିକ ସ୍ୱାଧୀନତା ଓ ସେଇ ସଂଗ୍ରାମ ଲାଗି ସୁବିଧାସୁଯୋଗ ଦାବୀ କରିହେବ, ଶ୍ରମିକମାନଙ୍କ ଲାଗି ଉନ୍ନତ ଜୀବନଧାରଣ ବ୍ୟବସ୍ଥା ଦାବୀ କରିବାକୁ ହେବ, ଯେପରିକି ଲଢ଼େଇ କରିବା ସେମାନଙ୍କ ପକ୍ଷରେ ସହଜ ହେବ ।

 

ଘଟଣାବଳୀ ଯେକୌଣସି ଗତି ନେଉ ପଛେ, ଯେକୌଣସି କ୍ଷେତ୍ରରେ ଆମର ପ୍ରଧାନ ଅପରିହାର୍ଯ୍ୟ କର୍ତ୍ତବ୍ୟ ହେବ ଗ୍ରାମର ସର୍ବହରା, ଅର୍ଦ୍ଧ ସର୍ବହରା ଓ ସହରର ସର୍ବହରାଙ୍କ ମଧ୍ୟରେ ମିତ୍ରତାକୁ ସୁଦୃଢ଼ ଓ ଶକ୍ତିଶାଳୀ କରିବା । ଏଇ ମିତ୍ରତା ସ୍ଥାପନ ଲାଗି ଆମେ ତୁରନ୍ତ ଦରକାର କରୁ ଲୋକମାନଙ୍କ ଲାଗି ପୂର୍ଣ୍ଣ ସ୍ୱାଧୀନତା, କୃଷକମାନଙ୍କ ଲାଗି ପୂର୍ଣ୍ଣ ସମାନ ଅଧିକାର ଏବଂ ସାମନ୍ତ ଦାସତ୍ୱର ବିଲୋପ ଯେତେବେଳେ ଉକ୍ତ ମିତ୍ରତା ସ୍ଥାପିତ ଓ ଶକ୍ତିଶାଳୀ ହେବ, ମଧ୍ୟବିତ୍ତ କୃଷକଙ୍କୁ ନିଜ ପଟକୁ ଟାଣି ଆଣିବାଲାଗି ବୁର୍ଜୁଆମାନେ ଯେଉଁସବୁ ଯେଉଁଶସ୍ୟ ନିଜେ ବୁଣି ନିଜେ ଅମଳ କରିଥିଲା, ଅଥଚ ଜମିଦାରମାନେ ଅପହରଣ କରିଥିଲେ, ନିଜର ଭୋକ ଅନାହାରଗ୍ରସ୍ଥ ଲୋକଙ୍କ ମଧ୍ୟରେ ସେସବୁକୁ ବାଣ୍ଟିଦେଲ ଏବଂ ଜମିର ନୂତନ ବଣ୍ଟୁଆରା ଦାବୀ କଲେ । କୃଷକମାନେ ଆଉ ଅସୀମ ଅତ୍ୟାଚାର ସହ୍ୟ କରିପାରିଲେ ନାହିଁ, ତା’ଠାରୁ ଭଲ ଅବସ୍ଥା ପାଇଁ ବ୍ୟାକୁଳ ହୋଇଉଠିଲେ । କୃଷକମାନେ ନିଷ୍ପତ୍ତି କଲେ, ସଠିକ ନିଷ୍ପତ୍ତି କଲେ–ଲଢ଼େଇ ବିନା, ଭୋକ ଉପାସରେ ମାରିବା ଅପେକ୍ଷା ଅତ୍ୟାଚାରୀମାନଙ୍କ ବିରୁଦ୍ଧରେ ଲଢ଼ିକରି ମାରିବା ଶ୍ରେୟସ୍କର । କିନ୍ତୁ ସେମାନେ ନିଜ ଲାଗି ଏକ ଉନ୍ନତ ଜୀବନ ହାସଲ କରିପାରିଲେ ନାହିଁ । ଯାର ସରକାରର ସେମାନଙ୍କୁ (କୃଷକ ନିଜେ ଯେଉଁ ଶସ୍ୟ ବୁଣିଥିଲା ଓ ଅମଳ କରିଥିଲା, ତାହା ଜମିଦାରଙ୍କଠାରୁ ଘେନିଯିବା ଯୋଗୁଁ); ସାଧାରଣ ଦଙ୍ଗାକାରୀ ବୋଲି ଘୋଷଣା କଲା, ଶତ୍ରୁଙ୍କ ବିରୁଦ୍ଧରେ ସୈନ୍ୟ ପ୍ରେରେଣ କଲା ଭଳି ତାଙ୍କ ବିରୁଦ୍ଧରେ ଜାର ସରକାର ସୈନ୍ୟ ପଠାଇଲା ଏବଂ କୃଷକମାନେ ପରାସ୍ତ ହେଲେ; କୃଷକମାନଙ୍କ ଉପରେ ଗୁଳି ଚାଲିଲା, ଅନେକ ଗୁଳିମାଡ଼ରେ ମଲେ, ସେମାନଙ୍କୁ ଅତି ନୃଶଂସଭାବେ ପ୍ରହାର କରାଗଲା, ଅନେକଙ୍କୁ ପିଟିପିଟି ମାରି ଦିଆଗଲା, ତୁର୍କୀଲୋକେ ତାଙ୍କର ଶତ୍ରୁ ଖ୍ରୀଷ୍ଟିଆନଙ୍କୁ ଯେପରି ଅତ୍ୟାଚାର କରିଥିଲେ, ଏମାନଙ୍କ ଉପରେ ତା'ଠାରୁ ଆହୁରି ଜଘନ୍ୟ ଅତ୍ୟାଚାର କରାଗଲା । ଜାରର ପ୍ରତିନିଧି ରାଜ୍ୟପାଳସବୁ ସବୁଠାରୁ ଜଘନ୍ୟ ନିର୍ଯାତନାକାରୀ, ପ୍ରକୃତ ନରଘାତକ । ସୈନ୍ୟମାନେ କୃଷକର ଝିଅବୋହୁଙ୍କ ଉପରେ ପାଶବିକ ଅତ୍ୟାଚାର କଲେ । ଏସବୁ ହେଲା ପରେ ଅଫିସରଙ୍କ ଅଦାଲତରେ କୃଷକମାନଙ୍କର ବିଚାର ହେଲା, ସେମାନେ ଜମିଦାରଙ୍କୁ ୮ଲକ୍ଷ ରୁବଲ ଦେବାକୁ ବାଧ୍ୟ ହେଲେ । ବିଚାରକାଳରେ-ସେଇସବୁ ଘୃଣ୍ୟ ଗୋପନ ନିର୍ଯ୍ୟାତନ, ଅତ୍ୟାଚାର ଗୃହ ମଧ୍ୟରେ ବିଚାରରେ–ଜାରର ପ୍ରତିନିଧି ରାଜ୍ୟପାଳ ଓବୋଲେନସ୍କି ଓ ରାଜ୍ୟର ଅନ୍ୟ କର୍ମଚାରୀମାନେ କୃଷକମାନଙ୍କ ପ୍ରତି କିପରି କଦର୍ଯ୍ୟ ବ୍ୟବହାର ଓ ଅତ୍ୟାଚାର କରିଛନ୍ତି ତାହା (ମୁଦାଲାମାନଙ୍କ ପକ୍ଷରୁ) ପ୍ରତିରକ୍ଷାକାରୀ ଓକିଲଙ୍କୁ କହିବାକୁ ଅନୁମତି ଦିଆଗଲା ନାହିଁ ।

 

କୃଷକମାନେ ନ୍ୟାୟସଙ୍ଗତ ଦାବୀ ଲାଗି ଲଢ଼ିଥିଲେ । ଜାରର କର୍ମଚାରୀଗଣ ଯେଉଁମାନଙ୍କୁ ଗୁଳିରେ ଓ ପ୍ରହାର ଦ୍ୱାରା ହତ୍ୟା କଲେ, ସେଇ ଅମର ଶହୀଦ ସ୍ମୃତି ପ୍ରତି ରୁଷର ଶ୍ରମିକଶ୍ରେଣୀ ସର୍ବଦା ଶ୍ରଦ୍ଧା ସମ୍ମାନ ଜ୍ଞାପନ କରିବ । ସେଇ ଶହୀଦମାନେ ଲୋକଙ୍କର ସୁଖ, ସ୍ୱାଧୀନତା ଲାଗି ଲଢ଼ିଥିଲେ । କୃଷକମାନେ ପରାସ୍ତ ହେଲେ କିନ୍ତୁ ସେମାନେ ଥରକୁ ଥର ପୁଣି ଜାଗି ଉଠିବେ, ଏଇ ପ୍ରଥମ ପରାଜୟରେ ସେମାନେ ହତାଶ ହେବେ ନାହିଁ । ଶ୍ରେଣୀ ସଚେତନ ଶ୍ରମିକ ତାର ସମସ୍ତ ଶକ୍ତି ଦେଇ କୃଷକ ସଂଗ୍ରାମ ସମ୍ବନ୍ଧରେ ସହର ଓ ଗ୍ରାମାଞ୍ଚଳର ଅଧିକ ସଂଖ୍ୟକ ମେହେନତକାରୀ ଲୋକଙ୍କୁ ଅବହିତ କରିବେ ଏବଂ ସେମାନଙ୍କୁ ଆଉ ଏକ ଅଧିକ ସଫଳ ସଂଗ୍ରାମ ଲାଗି ପ୍ରସ୍ତୁତ କରିବେ । ଶ୍ରେଣୀ ସଚେତନ ଶ୍ରମିକମାନେ ସେମାନଙ୍କର ସମସ୍ତ ଶକ୍ତି ନିୟୋଗ କରି କୃଷକମାନଙ୍କୁ ବୁଝାଇବାରେ ସାହାଯ୍ୟ କରିବେ ଯେ କାହିଁକି ପ୍ରଥମ କୃଷକ ବିଦ୍ରୋହ (୧୯୦୨) କୁ ଦମନ କରାଯାଇପାରିଲା, ଆଉ ଜାର କି କର୍ମଚାରୀଙ୍କ ବିଜୟ ପାଇଁ ନୁହେଁ, କୃଷକ ଓ ଶ୍ରମିକମାନଙ୍କ ବିଜୟ ହାସଲ ଦିଗରେ କଣ କରିବାକୁ ହେବ ।

 

କୃଷକ ଅଭ୍ୟୁଥାନ ଦମନ ହୋଇଗଲା, କାରଣ ତାହା ଥିଲା ଅଜ୍ଞ, ଅଶିକ୍ଷିତ, ବୁଦ୍ଧି ବିଚାରହୀନ ଜନସାଧାରଣଙ୍କ ଅଭ୍ୟୁଥାନ । ସେ ଅଭ୍ୟୁଥାନର କୌଣସି ସ୍ପଷ୍ଟ ନିର୍ଦ୍ଦିଷ୍ଟ ରାଜନୈତିକ ଦାବୀ-ଅର୍ଥାତ୍ ରାଜନୈତିକ ବ୍ୟବସ୍ଥାର ପରିବର୍ତ୍ତନର ଦାବୀ ନ ଥିଲା । କୃଷକ ଅଭ୍ୟୁଥାନ ଦମନ ହେଲା, କାରଣ ସେଥିପାଇଁ କୌଣସି ପ୍ରସ୍ତୁତି କରାଯାଇ ନ ଥିଲା । କୃଷକ ଅଭ୍ୟୁଥାନ ଦମନ ହେଲା, କାରଣ ଗାଁ'ର ସର୍ବହରା ଏପର୍ଯ୍ୟନ୍ତ ସହରର ସର୍ବହରାଙ୍କ ସହିତ ମିତ୍ରତା ସ୍ଥାପନ କରି ନ ଥିଲା । କୃଷକଙ୍କ ପ୍ରଥମ ଲଢ଼େଇର ବିଫଳତାର ଏଇ ହେଲା ତିନୋଟି କାରଣ । ସଫଳ ହେବାକୁ ହେଲେ ଅଭ୍ୟୁଥାନର ସଚେତନ ଲକ୍ଷ୍ୟ ରହିବା ଉଚିତ, ପୂର୍ବରୁ ସେଥିଲାଗି ପ୍ରସ୍ତୁତି କରିବାକୁ ହେବ, ତାହା ସାରା ରୁଷର ଚାରିଆଡ଼େ ବ୍ୟାପିଯିବା ଓ ସହରର ଶ୍ରମିକଙ୍କ ମିତ୍ରତାରେ ହେବା ଦରକାର ସହରର ଶ୍ରମିକଙ୍କ ସଂଗ୍ରାମର ପ୍ରତ୍ୟେକଟି ପଦକ୍ଷେପ, ପ୍ରତ୍ୟେକଟି ସୋସାଲ-ଡିମୋକ୍ରାଟିକ ପୁସ୍ତିକା ଓ ସମ୍ବାଦପତ୍ର, ଶ୍ରେଣୀ ସଚେତନ ଶ୍ରମିକଙ୍କର ଗାଁ'ର ସର୍ବହରାଙ୍କ ପ୍ରତି ପ୍ରତ୍ୟେକଟି ବକ୍ତବ୍ୟ, ସେହି ସମୟକୁ ନିକଟତର କରିବ, ଯେତେବେଳେ କି ଅଭ୍ୟୁଥାନ ପୁନର୍ବାର ଜାଗିଉଥିବ ଓ ଶେଷରେ ବିଜୟମଣ୍ଡିତ ହେବ ।

 

କୌଣସି ସଚେତନ ଲକ୍ଷ୍ୟ ବିନା କୃଷକମାନେ ବିଦ୍ରୋହରେ ଜାଗିଉଠିଥିଲେ । କାରଣ ଏହା ଅତି ସୋଜାକଥା ଯେ, ସେମାନେ ଆଉ ଅଧିକ କାଳ ତାଙ୍କର ନିର୍ଯ୍ୟାତନା ସହ୍ୟ କରିପାରିଲେ ନାହିଁ, କାରଣ ମୁକ ପଶୁ ଭଳି ନ ଲଢ଼ି ମରିବାକୁ ପସନ୍ଦ କଲେ ନାହିଁ । କୃଷକମାନେ ଏତେଦୂର ଲୁଣ୍ଠନ, ଅତ୍ୟାଚାର ଓ ନିର୍ଯ୍ୟାତନାରେ ପ୍ରପୀଡ଼ିତ ଥିଲେ ଯେ, ଜାରଙ୍କ କରୁଣା ବିଷୟରେ ଧୂଆଁଳିଆ ଜନରବ ମୁହୂର୍ତ୍ତକ ପାଇଁ ସୁଦ୍ଧା ବିଶ୍ୱାସ କରି ରହି ପାରି ନ ଥିଲେ, 'ସାଆନ୍ତମାନଙ୍କ' ଖମାର ସବୁ ଶସ୍ୟରେ ଫାଟିପଡ଼ୁଥିଲା ବେଳେ, ଯେଉଁମାନେ ସାରା ଜୀବନ ଖଟିଛନ୍ତି, ଯେଉଁମାନେ ବୁଣିଛନ୍ତି ଓ କାଟିଛନ୍ତି, ଏବଂ ଏବେ ଭୋକ ଅନାହାରରେ ମରୁଛନ୍ତି, ସେହି ଅନାହାରଗ୍ରସ୍ଥ ଲୋକଙ୍କ ମଧ୍ୟରେ ଶସ୍ୟସବୁ ବଣ୍ଟନ ହେବା ଯେ ନ୍ୟାୟସଙ୍ଗତ ବୋଲି ପ୍ରତ୍ୟେକ ବିଚାରବନ୍ତ ଲୋକେ ଗ୍ରହଣ କରିବେ, ତାହା ସେମାନେ ବିଶ୍ୱାସ ନ କରି ସହିପାରୁ ନ ଥିଲେ । ସମ୍ପତ୍ତିର ମାଲିକଙ୍କ ପାଇଁ ଅନାହାରକ୍ଳିଷ୍ଟ ଲୋକଙ୍କୁ କାମ କରିବାକୁ ବାଧ୍ୟ କରିବା, ଏଇ ଉଦ୍ଦେଶ୍ୟରେ ଧନୀ, ଜମିଦାର ଓ ବୁର୍ଜୁଆମାନେ ସବୁ ଭଲ ଭଲ ଜମି, ଫ୍ରାକ୍‍ଟ୍ରି କଳକାରଖାନାମାନ ଯେ ମାଡ଼ି ବସିଛନ୍ତି, ଏହା କୃଷକମାନେ ଭୁଲିଗଲା ଭଳି ମନେହେଲା । ଧର୍ମଯାଜକଗଣ ଧନୀକଶ୍ରେଣୀର ସୁରକ୍ଷା ଲାଗି ଧର୍ମବାଣୀ କେବଳ ପ୍ରଚାର କରନ୍ତି ନାହିଁ, ସମଗ୍ର ଜାର ସରକାର ତାର ଅମଲାତାନ୍ତ୍ରିକ ଅଫିସର ଦଳ ଓ ସୈନ୍ୟବାହିନୀକୁ ମଧ୍ୟ ଧରି ଧନୀକମାନଙ୍କ ସୁରକ୍ଷା ଲାଗି ଯେ ବାହାରିପଡ଼େ, ଏହା କୃଷକମାନେ ଭୁଲିଗଲେ । ଜାର ସରକାର ତାର ପାଶବିକ ନୃଶଂସତା ଦ୍ୱାରା କୃଷକମାନଙ୍କୁ ଦେଖାଇଦେଲା, ରାଷ୍ଟ୍ର ଶକ୍ତି କ'ଣ ତା'କା'ର ସେବକ ଓ କାହାକୁ ରକ୍ଷା କରେ । ଆମେ ବାରମ୍ବାର ଏଇ ଶିକ୍ଷା କୃଷକମାନଙ୍କୁ କେବଳ ମନେ ପକାଇଦେବାକୁ ଚାହୁଁ । ସେମାନେ ସହଜରେ ବୁଝିପାରିବେ, ରାଜନୈତିକ ବ୍ୟବସ୍ଥା ପରିବର୍ତ୍ତନ କରିବା କାହିଁକି ଆବଶ୍ୟକ, କାହିଁକି ଆମର ରାଜନୈତିକ ସ୍ୱାଧୀନତା ଦରକାର । ଯେତେବେଳେ ଅଧିକ ଅଧିକ ସଂଖ୍ୟକ ଲୋକେ ତାହା ବୁଝିବେ, ଯେତେବେଳେ ପ୍ରତ୍ୟେକ କୃଷକ, ଯିଏ ଲେଖିପଢ଼ି ପାରେ ଓ ଯିଏ ନିଜ ଚିନ୍ତା କରିପାରେ ଏବଂ ତିନୋଟି ପ୍ରଧାନ ଦାବୀ, ଯାହା ପାଇଁ ସର୍ବପ୍ରଥମେ ଲଢ଼ିବାକୁ ହେବ, ସେଥିସହିତ ପରିଚିତ ହେବ, ସେତେବେଳେ କୃଷକ ଅଭ୍ୟୁଥାନ ଏକ ସଚେତନ ଲକ୍ଷ୍ୟ ଗ୍ରହଣ କରିବ । ପ୍ରଥମ ଦାବୀ-ରୁଷରେ ବର୍ତ୍ତମାନ ସ୍ୱେଚ୍ଛାଚାରୀ ଶାସନ ପରିବର୍ତ୍ତେ ଏକ ଜନପ୍ରିୟ ନିର୍ବାଚିତ ସରକାର ପ୍ରତିଷ୍ଠା ଉଦ୍ଦେଶ୍ୟରେ ପ୍ରତିନିଧିମୂଳକ ଜାତୀୟ ବିଧାନ ସଭା ଆହ୍ୱାନ କରିବା । ଦ୍ଵିତୀୟ ଦାବୀ–ଯେକୌଣସି ପୁସ୍ତକ ଓ ସମ୍ବାଦପତ୍ର ପ୍ରକାଶ କରିବାଲାଗି ସମସ୍ତଙ୍କ ପାଇଁ ସ୍ୱାଧୀନତା । ତୃତୀୟ ଦାବୀ-ସାମନ୍ତବାଦୀ ଦାସତ୍ୱ ପ୍ରଥାର ଲୋପ, ଏଇ ମୁଖ୍ୟ ଲକ୍ଷ୍ୟ ନେଇ ଅନ୍ୟ ସାମାଜିକ ସ୍ତରମାନଙ୍କ ସହିତ କୃଷକମାନଙ୍କର ପୂର୍ଣ୍ଣ ସମାନ ଅଧିକାର ଆଇନତଃ ସ୍ୱୀକାର କରିବା ଓ ନିର୍ବାଚିତ କୃଷକ କମିଟିର ପ୍ରତିଷ୍ଠା କରିବା । ଏଇ ହେଲା ସୋସାଲ ଡିମୋକ୍ରାଟଙ୍କର ପ୍ରଧାନ ମୌଳିକ ଦାବୀ । କୃଷକମାନଙ୍କ ପକ୍ଷରେ ସେସବୁ ବୁଝିବା ଓ ଲୋକଙ୍କ ସ୍ୱାଧୀନତା ଲାଗି କେଉଁଠୁ ଆରମ୍ଭ କରିବାକୁ ହେବ, ତାହା ବୁଝିବା ଏବେ ଅତି ସହଜ ହେବ । ଯେତେବେଳେ କୃଷକମାନେ ଏହାସବୁ ବୁଝିବେ, ସେମାନେ ମଧ୍ୟ ବୁଝିବେ ଯେ ସଂଗ୍ରାମ ଲାଗି ଦୀର୍ଘ, ଅବିଶ୍ରାନ୍ତ, ଲଗାତର ପ୍ରସ୍ତୁତି କରିବାକୁ ହେବ-ଏକାକି କରିବାକୁ ହେବ ନାହିଁ, ସହରର ଶ୍ରମିକମାନଙ୍କ-ସୋସାଲ ଡିମୋକ୍ରାଟମାନଙ୍କ ସହିତ ମିଶି କରିବାକୁ ହେବ ।

 

ପ୍ରତ୍ୟେକ ଶ୍ରେଣୀ ସଚେତନ ଶ୍ରମିକ ଓ କୃଷକ ଆପଣ ପଛରେ ସବୁଠୁ ବୁଦ୍ଧିମାନ, ବିଶ୍ୱସ୍ତ ଓ ନିର୍ଭିକ ସଙ୍ଗୀମାନଙ୍କୁ ଏକାଠି କରୁ । ସେ ସେମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁ, ସୋସାଲ-ଡିମୋକ୍ରାଟମାନେ କଣ ଚାହାନ୍ତି । ତାହାହେଲେ ସେମାନଙ୍କ ମଧ୍ୟରୁ ପ୍ରତ୍ୟେକେ ବୁଝିପାରିବେ କାହିଁକି ସଂଗ୍ରାମ କରିବାକୁ ହେବ ଓ କେଉଁ ଦାବୀ ସବୁ ଉପସ୍ଥାପିତ କରିବାକୁ ପଡ଼ିବ-। ଶ୍ରେଣୀ ସଚେତନ ସୋସାଲ-ଡିମୋକ୍ରାଟମାନେ ଧୀରେ ଧୀରେ ସତର୍କତାର ସହ ଅଥଚ ଅବିଚଳିତ ଭାବେ କୃଷକଙ୍କୁ ସୋସାଲ-ଡିମୋକ୍ରାସିର ମତବାଦ ଶିକ୍ଷା ଦେବା ଆରମ୍ଭ କରନ୍ତୁ, ସେମାନଙ୍କୁ ସୋସାଲ-ଡିମୋକ୍ରାଟିକ ପୁସ୍ତକସବୁ ପଢ଼ିବାକୁ ଦିଅନ୍ତୁ ଏବଂ ବିଶ୍ୱସ୍ତ ଲୋକଙ୍କର ସଭା ଓ ବୈଠକରେ ଉକ୍ତ ପୁସ୍ତକଗୁଡ଼ିକୁ ବୁଝାନ୍ତୁ ।

 

କିନ୍ତୁ କେବଳ ବହିରୁ ସୋସାଲ-ଡିମୋକ୍ରାସିର ମତବାଦ ଶିକ୍ଷା ଦେବାକୁ ହେବ ନାହିଁ; ଆମର ଚତୁର୍ଦ୍ଦିଗରେ ପ୍ରତ୍ୟେକଟି ଦୁଷ୍ଟାନ୍ତ, ଅନ୍ୟାୟ ଅତ୍ୟାଚାରର ପ୍ରତ୍ୟେକଟି ଘଟଣା, ଯାହା ଆମେ ଦେଖୁଛେ, ତାକୁ ସେଦିଗରେ ବ୍ୟବହାର କରିବାକୁ ହେବ । ସମସ୍ତ ଅତ୍ୟାଚାର, ସମସ୍ତ ଲୁଣ୍ଠନ, ସମସ୍ତେ ଅନ୍ୟାୟ ବିରୁଦ୍ଧରେ ସଂଗ୍ରାମର ମତବାଦ ହେଲା ସୋସାଲିଷ୍ଟ ଡିମୋକ୍ରାସି, ଯିଏ ଅତ୍ୟାଚାରର କାରଣ ସବୁ ଜଣେ ଓ ଯିଏ ଅତ୍ୟାଚାରର ପ୍ରତ୍ୟେକଟି କାରଣ ବିରୁଦ୍ଧରେ ଜୀବନସାରା ଲଢ଼େ, ସେହିଁ କେବଳ ଏକ ପ୍ରକୃତ ସୋସାଲ-ଡିମୋକ୍ରାଟ୍ । ଏହା କିପରି କରାଯାଇପାରିବ ? ଶ୍ରେଣୀ ସଚେତନ ସୋସାଲ-ଡିମୋକ୍ରାଟମାନେ ସେମାନଙ୍କ ସହର ଓ ଗାଁରେ ଏକାଠି ହୋଇ ସମଗ୍ର ଶ୍ରମିକଶ୍ରେଣୀଙ୍କ ସର୍ବଶ୍ରେଷ୍ଠ ସ୍ୱାର୍ଥ ଦୁଷ୍ଟିରୁ ତାହା କିପରି କରାଯାଇପାରିବ, ସେ କଥା ନିଜେ ନିଜେ ଠିକ୍ କରିବେ । ଏହା କିପରି କରିବାକୁ ହେବ, ସେ ବିଷୟରେ ମୁ ଗୋଟିଏ ଦୁଇଟି ଉଦାହରଣ ଦେବି । ଧର ଜଣେ ସୋସାଲ-ଡିମୋକ୍ରାଟ୍ ଶ୍ରମିକ ତା'ର ଗାଁ କୁ ବୁଲି ଆସିଛି, ଅଥବା କୌଣସି ଜଣେ ସୋସାଲ-ଡିମୋକ୍ରାଟିକ ଶ୍ରମିକ କୌଣସି ଏକ ଗାଁ କୁ ଯାଇଛି । ବୁଢିଆଣୀ ଜାଲରେ ମାଛି ଭଳି ସମଗ୍ର ଗାଁ'ଟି ପଡ଼ୋଶୀ ଜମିଦାରର କବଳରେ ତାହା ରହିଛି । ଜୀବନ ସାରା ଏପରି ଦାସତ୍ୱ ବନ୍ଧନରେ ଅଛି, ସେଥିରୁ ଉଧୁରି ପାରୁନାହିଁ । ଶ୍ରମିକଟି ସଙ୍ଗେ ସଙ୍ଗେ କୃଷକଙ୍କ ମଧ୍ୟରୁ ସବୁଠାରୁ ବିଚାରଶୀଳ, ବୁଦ୍ଧିମାନ ଓ ବିଶ୍ୱସ୍ତ କୃଷକଙ୍କୁ ବାଛିନେବ, ଯେଉଁମାନେ କି ନ୍ୟାୟ ଲାଗି ଉଦ୍ୟମ କରୁଛନ୍ତି, ଜାରର ଡାହାଳ କୁକୁର -ପୋଲିସ ଆସିଲେ ଯିଏ ଡରିଯିବେ ନାହିଁ, ସେମାନଙ୍କୁ, ସେଭଳି କୃଷକଙ୍କୁ ଶ୍ରମିକଜଣକ ବୁଝାଇବ ଯେ ଜଘନ୍ୟ ଦାସତ୍ୱର କାରଣ ସବୁ କ'ଣ, ଜମିଦାର କିପରି କୃଷକଙ୍କୁ ଠକୁଛି, ସାମନ୍ତଙ୍କ କମିଟି ଦ୍ୱାରା କିପରି ସେମାନଙ୍କୁ ଲୁଣ୍ଠନ କରୁଛି, ସେ ସବୁ କହିବ । ଆହୁରି, ଧନୀମାନେ କିପରି ଶକ୍ତିଶାଳୀ ଓ ସରକାର କିପରି ସେମାନଙ୍କୁ ସମର୍ଥନ କରୁଛି, ତାହା ତାଙ୍କୁ ବୁଝାଇବେ । ଆଉ ମଧ୍ୟ ସେମାନଙ୍କୁ ସୋସାଲ-ଡିମୋକ୍ରାଟିକ୍ ଶ୍ରମିକଙ୍କ ଦାବୀ ସମ୍ବନ୍ଧର ବୁଝାଇ କହିବ । ଯେତେବେଳେ ଏଇସବୁ ସରଳ କଥାଗୁଡ଼ିକ କୃଷକମାନେ ବୁଝିବେ, ସେମାନେ ନିଶ୍ଚୟ ଏକାଠି ବସିବେ ଓ ଆଲୋଚନା କରିବେ ସେ ଜମିଦାର ବିରୁଦ୍ଧରେ ମିଳିତ ପ୍ରତିରାଧ କରିବା ସମ୍ଭବ କି ନା, ପ୍ରଥମ ଓ ମୁଖ୍ୟ ଦାଵୀ ସବୁ ଉପସ୍ଥାପିତ କରିବା ସମ୍ଭବ ହେବ କି ନାହିଁ (ଠିକ୍‍ ଯେପରିକି ସହରର ଶ୍ରମିକମାନେ ଫାକ୍‍ଟ୍ରି ମାଲିକ ଆଗରେ ତାଙ୍କର ଦାବୀ ଉପସ୍ଥାପିତ କରିଥାନ୍ତି); ଯଦି ସେ ଜମିଦାର ଗୋଟିଏ ବଡ଼ ଗାଁ 'ଅନେକ ଗୁଡ଼ିଏ ଗାଁ କୁ ନିଜର ଦାସତ୍ୱ କବଳରେ ରଖିଥାଏ, ତେବେ ସବୁଠୁ ଭଲ ହେବ ବିଶ୍ୱସ୍ତ ଲୋକଙ୍କ ଜରିଆରେ ନିକଟତମ ସୋସାଲ-ଡିମୋକ୍ରାଟିକ୍ କମିଟି ପାଖରୁ ଖଣ୍ଡେ ପ୍ରଚାରପତ୍ର ବା ଲିଫଲେଟ ହାସଲ କରିବା । ଉକ୍ତ ପ୍ରଚାରପତ୍ରରେ ସୋସାଲ-ଡିମୋକ୍ରାଟିକ୍ କମିଟି, ଏକଦମ ପ୍ରଥମରୁ କୃଷକମାନେ ଯେଉଁସବୁ ଦାସତ୍ୱରେ ସଢ଼ୁଛନ୍ତି ସେ ସବୁ ନିର୍ଭୁଲ ଭାବେ ବର୍ଣ୍ଣନା କରିବ ଏବଂ ସେମାନଙ୍କର ଦାବୀଗୁଡ଼ିକ ନିର୍ଦ୍ଧାରଣ କରିଦେବ । (କର ଖଜଣା ହ୍ରାସ, ଶୀତକାଳରେ କାମ ଲାଗି ଅଧା ମୁଲ ନାହିଁ ଉପଯୁକ୍ତ ମୂଲ୍ୟ, ଅନଧିକାର ପ୍ରବେଶ ଲାଗି କମ କଠୋର ଦଣ୍ଡ ଓ ଅନ୍ୟାନ ବିଭିନ୍ନ ଦାବୀ) ଯେତେସବୁ କୃଷକ ଲେଖି ପଢ଼ି ଜାଣନ୍ତି, ସେମାନେ ଏଇଭଳି ଏଇ ପ୍ରଚାରପତ୍ରରୁ ବୁଝିବେ ଯେ ସମସ୍ୟା କଣ । ଯେଉଁମାନେ ପଢ଼ିପାରିବେ ନାହିଁ, ସେମାନଙ୍କୁ ବୁଝାଇ ଦେବାକୁ ହେବ । ସେତେବେଳେ କୃଷକମାନେ ଦେଖିବେ ଯେ ସୋସାଲ-ଡିମୋକ୍ରାଟମାନେ ତାଙ୍କର ବନ୍ଧୁ, ମିତ୍ର, ସୋସାଲ-ଡିମୋକ୍ରାଟମାନେ ସମସ୍ତ ଲୁଣ୍ଠନର ନିନ୍ଦା କରନ୍ତି । ସେତେବେଳେ କୃଷକମାନେ ବୁଝିବାକୁ ଆରମ୍ଭ କରିବେ, ଯଦି ସମସ୍ତେ ଏକଜୁଟ ହୋଇ ଛିଡ଼ା ହୁଅନ୍ତି, ତେବେ କେଉଁ ସୁବିଧା-ସୁଯୋଗ -ଅତି ସାମାନ୍ୟ ହେଲେ ବି କେତେକ ରିହାତି, କେତେକ ସୁବିଧା ସୁଯୋଗ ତୁରନ୍ତ ହାସଲ ହୋଇପାରିବ-। ସହରର ସୋସାଲ-ଡିମୋକ୍ରାଟିକ୍ ଶ୍ରମିକମାନଙ୍କ ସହିତ ମିଶି ଲଢ଼ିବା ଦ୍ୱାରା ସମଗ୍ର ଦେଶ ପାଇଁ କି ବିରାଟ ଉନ୍ନତିବିଧାନ ହାସଲ ହୋଇପାରିବ ତାହା ସେମାନେ ଜାଣିପାରିବେ । ସେତେବେଳେ କୃଷକମାନେ ବିରାଟ ସଂଗ୍ରାମ ଲାଗି ଅଧିକ ଅଧିକ ପ୍ରସ୍ତୁତ ହେବେ-। ସେମାନେ ବୁଝିବେ କିପରି ବିଶ୍ୱସ୍ତ ଲୋକ ଖୋଜି ପାଇବାକୁ ହେବ ଓ କିପରି ନିଜର ଦାବୀ ପଛରେ ଏକଜୁଟ ହୋଇ ଛିଡ଼ା ହେବାକୁ ପଡ଼ିବ । ବୋଧହୁଏ, କେତେବେଳେ ସେମାନେ ସହରର ଶ୍ରମିକଙ୍କ କଲା ଭଳି ଧର୍ମଘଟ ସଙ୍ଗଠନ କରିବାରେ ସଫଳ ହେବେ । ସହର ଅପେକ୍ଷା ଗ୍ରାମାଞ୍ଚଳରେ ଏହା କଷ୍ଟକର ସତ୍ୟ, କିନ୍ତୁ ସେ ସବୁ ପାଇଁ କେତେ ସମୟରେ ତାହା ସମ୍ଭବପର; ଅନ୍ୟ ଦେଶମାନଙ୍କରେ ସଫଳ ଧର୍ମଘଟ ହେଉଛି, ଉଦାହରଣସ୍ୱରୂପ, ଖୁବ୍‍ କାମଦାମ ଲାଗିଥିବା ଋତୁରେ ଯେତେବେଳେକି ଜମିଦାର ଓ ଧନୀ କୃଷକମାନେ ଅତି ଆତୁରଭାବେ କ୍ଷେତମୂଲିଆ ଦରକାର କରନ୍ତି, ଯଦି ଗାଁ'ର ଗରିବମାନେ ଧର୍ମଘଟ ଲାଗି ପ୍ରସ୍ତୁତ ହୁଅନ୍ତି, ଯଦି ସାଧାରଣ ଦାବୀ ସମ୍ପର୍କରେ ଏକମତ ହୋଇଥାଏ, ଯଦି ସେ ସବୁ ପ୍ରଚାରପତ୍ର ବା ସଭାସମିତି ଦ୍ୱାରା ଠିକ୍‍ ଠିକ୍‍ ବୁଝାଇ ଦିଆହୋଇଥାଏ । ତେବେ ସମସ୍ତେ ଏକଜୁଟ ହୋଇ ଠିଆହେବେ, ଜମିଦାର ମୁଣ୍ଡ ନୁଆଁଇବାକୁ ବାଧ୍ୟ ହେବ, ଅନ୍ତତଃ ତାର ଲୋଭକୁ ଖର୍ବ କରାଯାଇପାରିବ । ଯଦି ଧର୍ମଘଟ ସମସ୍ତଙ୍କ ସମ୍ମତି ଲାଭ କରେ ଏବଂ କାମ ଦାମ ଲାଗିବା ଋତୁରେ ତାହା କରାଯାଏ, ତେବେ ଜମିଦାର କିଛି କରିପାରିବ ନାହିଁ, ପୋଲିସ ଫୌଜ ଧରି ସରକାର ବି କିଛି କରି ପାରିବନାହିଁ ।-ସମୟ ଗଡ଼ିଯିବ, ଆଉ ସର୍ବନାଶୀ ବିପଦରେ ଭୟରେ ଜମିଦାର ଆଉ ବେରାଜି ହେବ ନାହିଁ । ଅବଶ୍ୟ, ଧର୍ମଘଟ ଗୋଟାଏ ନୂଆ ଜିନିଷ, ନୂଆ ଜିନିଷ ପ୍ରଥମେ ପ୍ରଥମେ ଭଲ ହୁଏନାହିଁ । ସହରର ଶ୍ରମିକମାନେ ମଧ୍ୟ ପ୍ରଥମେ ଜାଣି ନ ଥିଲେ କିପରି ଏକାଠି ଲଢ଼େଇ କରିବାକୁ ହୁଏ, ସେମାନେ ଜାଣି ନ ଥିଲେ କି କି ଦାବୀ ଉପସ୍ଥାପିତ କରିବାକୁ ହେବ, ସେମାନେ ସିଧାସଳଖ ଯାଉଥିଲେ ମେସିନ ଯନ୍ତ୍ରପାତିକୁ ଭାଙ୍ଗିବାଲାଗି, ଫାକ୍‍ଟ୍ରିକୁ ନଷ୍ଟ କରିଦେବା ପାଇଁ । କିନ୍ତୁ ଏବେ ଏକତାବଦ୍ଧ ସଂଗ୍ରାମ ପରିଚାଳନା କରିବାକୁ ଶ୍ରମିକମାନେ ଶିଖିଲେଣି । ପ୍ରତ୍ୟେକ ନୂଆ କାମ ପ୍ରଥମେ ଶିଖିବାକୁ ହୁଏ । ବର୍ତ୍ତମାନ ଶ୍ରମିକମାନେ ବୁଝନ୍ତି କେବଳ ଯଦି ସେମାନେ ଏକଜୁଟ ହୋଇ ଠିଆ ହୁଅନ୍ତି ତେବେ ଆଶୁ ସୁବିଧା ହଠାତ୍ ହାସଲ କରାଯାଇପାରେ । ଇତି ମଧ୍ୟରେ ଲୋକମାନେ ଏକତାବଦ୍ଧ ପ୍ରତିରୋଧ କରିବାପାଇଁ ଶିଖୁଛନ୍ତି ଓ ବିରାଟ ନିଷ୍ପତିମୂଳକ ସଂଗ୍ରାମ ଲାଗି ଅଧିକ ଅଧିକ ପ୍ରସ୍ତୁତ ହେବାରେ ଲାଗିଛନ୍ତି । ସେଇପରି କୃଷକମାନେ ଜଘନ୍ୟ ଦସ୍ୟୁଦଳଙ୍କ ବିରୁଦ୍ଧରେ ଛିଡ଼ା ହେବାକୁ ଶିଖିବେ, କେତେକ ସୁବିଧାଜନକ ବ୍ୟବସ୍ଥାଲାଗି ସେମାନଙ୍କ ପଛରେ ଏକଜୁଟ ହେବେ ଏବଂ ସ୍ୱାଧୀନତାର ବିରାଟ ସଂଗ୍ରାମ ପାଇଁ କ୍ରମଶଃ ଦୃଢ଼ତାର ସହିତ ଓ ସର୍ବତ୍ର ପ୍ରସ୍ତୁତି କରିବେ । ଶ୍ରେଣୀ ସଚେତନ ଶ୍ରମିକ କୃଷକଙ୍କ ସଂଖ୍ୟା ବୃଦ୍ଧି ପାଇବ, ଗ୍ରାମ୍ୟଞ୍ଚଳରେ ସୋସାଲ-ଡିମୋକ୍ରାଟ୍ ସଙ୍ଗରେ ଇଉନିଅନଗୁଡ଼ିକ ଅଧିକ ଶକ୍ତିଶାଳୀ ହେବ । ଜମିଦାରଙ୍କ ଦ୍ୱାରା ପ୍ରତ୍ୟେକଟି ଦାସତ୍ୱର ବନ୍ଧନ, ଧର୍ମଯାଜକଙ୍କର ଜବରଦସ୍ତି ପାଉଣା ଆଦାୟ, ପୋଲିସ ନୃସଂଶତା ଓ ଅମଲାତାନ୍ତ୍ରିକ ଅତ୍ୟାଚାରର ପ୍ରତ୍ୟେକଟି ଘଟଣା ଲୋକଙ୍କ ଆଖି ଖୋଲିଦେବାରେ ସାହାଯ୍ୟ କରିବ । ଏକତାବୋଧ ପ୍ରତିରୋଧ କରିବା ଦିଗରେ ଓ ବଳପ୍ରୟୋଗ ଦ୍ୱାରା ରାଜନୈତିକ ବ୍ୟବସ୍ଥାର ପରିବର୍ତ୍ତନ ଯେ ଆବଶ୍ୟକ ସେଇ ବିଚାର ସହିତ ସେମାନଙ୍କୁ ପରିଚିତ କରିବ ।

 

ଏଇ ପୁସ୍ତିକାର ଆରମ୍ଭରେ ଆମେ କହିଛୁ ଯେ, ସହରର ଶ୍ରମିକ ବିଚ ରାସ୍ତା ଓ ଛକମାନଙ୍କୁ ବାହାରି ଆସନ୍ତୁ ଓ ସର୍ବସାଧାରଣରେ ସ୍ୱାଧୀନତା ଦାବୀ କରନ୍ତୁ । ସେମାନେ ତାଙ୍କର ଧ୍ୱଜାରେ ଲେଖିଦିଅନ୍ତୁ ଓ ଆବାଜ ଉଠନ୍ତି: ''ସ୍ୱେଚ୍ଛାଚାରୀ ଶାସନ ଧ୍ୱଂସ ହେଉ !'' ସେଦିନ ଅତି ଶୀଘ୍ର ଆସୁଛି, ଯେତେବେଳେ କି ସହରର ଶ୍ରମିକମାନେ କେବଳ ପାଟି କରି ରାସ୍ତାରେ ପଟୁଆର କରିବେ ନାହିଁ, ସେଇ ବିରାଟ ଶେଷ ସଂଗ୍ରାମ ଲାଗି ଜାଗିଉଠିବେ, ଗୋଟିଏ ମଣିଷ ଭଳି ଶ୍ରମିକମାନେ ଘୋଷଣା କରିବେ : ''ଆମେ ସ୍ୱାଧୀନତା ହାସଲ କରିବୁ, ନତୁବା ଲଢ଼ି ଲଢ଼ି ମୃତ୍ୟୁ ବରଣ କରିବୁ'' । ସଂଗ୍ରାମ ଭିତରେ ଯେଉଁ ଶହ ଶହ ଲୋକ ଟଳିପଡ଼ିବେ, ଆଉ ହଜାର ହଜାର ସଂଖ୍ୟାରେ ନୂଆ ନୂଆ ଆହୁରି ଅଧିକ ଟାଣ ସଂଗ୍ରାମୀ ବାହାରି ଆସିବେ ତାଙ୍କ ସ୍ଥାନ ପୂରଣ କରିବାପାଇଁ । କୃଷକମାନେ ମଧ୍ୟ ସେତେବେଳେ ଚାରିଆଡ଼େ ସାରା ରୁଷରେ ଜାଗିଉଠିବେ ଏବଂ ସହର ଶ୍ରମିକଙ୍କୁ ସାହାଯ୍ୟ କରିବେ, କୃଷକଙ୍କ ସ୍ୱାଧୀନତା ଲାଗି ଶେଷ ପର୍ଯ୍ୟନ୍ତ ସଂଗ୍ରାମ କରିବେ । ଜାରଙ୍କୁ ବନ୍ଧୁ ବର୍ଗ ସେ ଆକ୍ରମଣରେ ସମୁଖରେ ଛିଡ଼ା ହେବାକୁ ସମର୍ଥ ହେବେନାହିଁ । ମେହେନତକାରୀ ଲୋକେ ବିଜୟମଣ୍ଡିତ ହେବେ, ଅତ୍ୟାଚାରର କବଳରୁ ସମସ୍ତ ଖଟିଖିଆ ଲୋକଙ୍କୁ ମୁକ୍ତକରିବା ଦିଗରେ ଶ୍ରମିକଶ୍ରେଣୀ ବ୍ୟାପକ ଭାବେ ପ୍ରଶସ୍ତ ମାର୍ଗ ଦେଇ ଅଗ୍ରସର ହେବ-। ତେଣିକି ଶ୍ରମିକଶ୍ରେଣୀ ତାର ଏ ସ୍ୱାଧୀନତାକୁ ସମାଜବାଦର ପ୍ରତିଷ୍ଠା ପାଇଁ ସଂଗ୍ରାମ ଦିଗରେ ନିୟୋଜିତ କରିବ ।

Image

 

ଯାରୟାପତ୍ରିକାର ସହଯୋଗରେ ସମ୍ବାଦପତ୍ର ଇସତ୍ରା ଦ୍ୱାରା
ପ୍ରସ୍ତାବିତ ରୁଷର ସୋସାଲ-ଡିମୋକ୍ରାଟିକ୍ ଲେବର ପାର୍ଟିର କାର୍ଯ୍ୟକ୍ରମ

 

ଏକ କାର୍ଯ୍ୟକ୍ରମ କଣ, ତାହା କାହିଁକି ଦରକାର ଓ କାହିଁକି ସୋସାଲ-ଡିମୋକ୍ରାଟିକ୍ ପାର୍ଟି ହେଲା ଏକମାତ୍ର ପାର୍ଟି, ଯିଏକି ଏକ ସ୍ୱଷ୍ଟ ନିଦ୍ଦିଷ୍ଟ କାର୍ଯ୍ୟକ୍ରମ ପ୍ରକାଶ କରିଛି । ଏହା ଆମେ ଆଗରୁ ବୁଝାଇ ସାରିଛୁ । ଆମ ପାର୍ଟି କଂଗ୍ରେସ ଦ୍ୱାରା, ଅର୍ଥାତ ଆମର ସମସ୍ତ ପାର୍ଟି କର୍ମୀଙ୍କ ପ୍ରତିନିଧିମାନଙ୍କ ସମ୍ମିଳନୀ ଦ୍ୱାରା ତାହା ଶେଷରେ ଗୃହୀତ ହେବ । ସେପରି ଏକ କଂଗ୍ରେସ ଲାଗି ବର୍ତ୍ତମାନ ସଂଗଠକ କମିଟି ପ୍ରସ୍ତୁତି ଚଳାଇଛି, କିନ୍ତୁ ଆମର ବହୁ ସଂଖ୍ୟକ ପାର୍ଟି କମିଟି ଇସତ୍ରା ସହିତ ତାଙ୍କର ମତୈକ୍ୟ ଘୋଷଣା କରିସାରିଲେଣି ଆଉ ଇସତ୍ରାକୁ ପାର୍ଟିର ମୁଖ୍ୟ ସମ୍ବାଦପତ୍ର ଭାବେ ଗ୍ରହଣ କରିବା ବିଷୟ ପ୍ରକାଶ୍ୟରେ ଜଣାଇ ସାରିଲେଣି । ଅତଏବ କଂଗ୍ରେସ ପୂର୍ବରୁ ଆମର (ପ୍ରସ୍ତାବିତ) ଚିଠା କାର୍ଯ୍ୟକ୍ରମଟି, ସୋସାଲ ଡିମୋକ୍ରାଟମାନେ କଣ ଚାହାନ୍ତି, ତାର ସଠିକ ସୂଚନା ଦେବାରେ ପୁରା ସହାୟକ ହେବ । ଆମେ ଭାବୁଛୁ, ଉକ୍ତ ପୁରା ଚିଠାଟାକୁ ଆମ ପୁସ୍ତିକାର ପରିଶିଷ୍ଟ ଭାବେ ଯୋଗ କରିବା ଆବଶ୍ୟକ ।

 

ଅବଶ୍ୟ କାର୍ଯ୍ୟକ୍ରମରେ ଯାହା କୁହାଯାଇଛି, ବୁଝାଇ ନ ଦେଲେ ପ୍ରତ୍ୟେକ ଶ୍ରମିକ ଯେ ପ୍ରତ୍ୟେକ ବିଷୟ ବୁଝିପାରିବେ, ତା ନୁହଁ । ମାର୍କସ ଓ ଏଙ୍ଗେଲସଙ୍କ ଦ୍ୱାରା ପୂର୍ଣ୍ଣାଙ୍ଗ ହୋଇଥିବା ସୋସାଲ-ଡିମୋକ୍ରାସିର ଶିକ୍ଷା ସୃଷ୍ଟି କରିବାରେ ବହୁ ମହାନ ସମାଜବାଦୀଙ୍କୁ କାର୍ଯ୍ୟ କରିବାକୁ ପଡ଼ିଛି । ଆମେ ଯେଉଁ ଅଭିଜ୍ଞତା ପ୍ରୟୋଗ କରିବାକୁ ଚାହୁଁ ଏବଂ ଯାହାକୁ ଆମ କାର୍ଯ୍ୟକ୍ରମର ଭିର୍ତ୍ତିଭାବେ ବ୍ୟବହାର କରିବୁ, ଆମର ଇଚ୍ଛା, ତାହା ଲାଭ କରିବା ପାଇଁ ସବୁ ଦେଶର ଶ୍ରମିକଙ୍କୁ ବହୁତ କିଛି ବାଟ ଚାଲିବାକୁ ପଡ଼ିଛି । ତେଣୁ କାର୍ଯ୍ୟକ୍ରମର, ଆପଣା କାର୍ଯ୍ୟକ୍ରମର, ଆପଣା ସଂଗ୍ରାମୀ ନିଶାଣର ପ୍ରତ୍ୟେକଟି ଶବ୍ଦ ଜାଣିବା ଲାଗି ଶ୍ରମିକଙ୍କୁ ସୋସିଲ-ଡିମୋକ୍ରାସିର ଶିକ୍ଷା ନିଶ୍ଚୟ ଗ୍ରହଣ କରିବାକୁ ହେବ । ଶ୍ରମିକମାନେ ବିଶେଷ କରି ଆନ୍ୟୟାସରେ ସୋସିଲିଷ୍ଟ-ଡିମୋକ୍ରାଟିକ କାର୍ଯ୍ୟକ୍ରମ ଶିକ୍ଷା କରୁଛନ୍ତି ଓ ବୁଝିପାରୁଛନ୍ତି । କାରଣ ପ୍ରତ୍ୟେକ ଶ୍ରମିକ ଯାହା ଦେଖିଛି ଓ ଅନୁଭବ କରିଛି ଉକ୍ତ କାର୍ଯ୍ୟକ୍ରମ ତାହା ହିଁ କହେ । କାର୍ଯ୍ୟକ୍ରମ ହଠାତ୍‍ ବୁଝିପାରିବା ଦିଗରେ ''ଅସୁବିଧା'' ଦ୍ୱାରା କୌଣସି ଲୋକ ପଛେଇ ନ ଯାଉ, ପ୍ରତ୍ୟେକ ଶ୍ରମିକ ଯେତେ ପଢ଼ିବ ଓ ଚିନ୍ତା କରିବ, ସଂଗ୍ରାମରେ ଯେତେ ଅଧିକ ଅଭିଜ୍ଞତା ହାସଲ କରିବ, ଅଧିକ ପୂର୍ଣ୍ଣ ଭାବେ ପୁରାପୁରି ସେ ତାକୁ ବୁଝିବ । କିନ୍ତୁ ସୋସାଲ-ଡିମୋକ୍ରାଟ୍ ମାନଙ୍କର ସମସ୍ତ କାର୍ଯ୍ୟକ୍ରମକୁ, ପ୍ରତ୍ୟେକ ଲୋକ ଚିନ୍ତାକରୁ, ଆଉ ଆଲୋଚନା କରୁ, ସୋସାଲ-ଡିମୋକ୍ରାଟମାନେ ଯାହା ସବୁ ଚାହାନ୍ତି ଏବଂ ସମସ୍ତ ମେହନନ୍ତକାରୀ ଲୋକଙ୍କ ମୁକ୍ତି ସମ୍ପର୍କରେ ସେମାନେ ଯାହା ଚିନ୍ତା କରନ୍ତି, ତାହା ପ୍ରତ୍ୟେକ ଲୋକ ସଦାସର୍ବଦା ସ୍ମରଣ ରଖୁ । ସୋସାଲ-ଡିମୋକ୍ରାଟମାନେ ଯାହା ଚାହାନ୍ତି, ସୋସାଲିଷ୍ଟ-ଡିମୋକ୍ରାଟିକ ପାର୍ଟି କଣ ? ସେ ସତ୍ୟକୁ, ସମଗ୍ର ସତ୍ୟକୁ ସେମାନେ ପରିସ୍କାର ଭାବେ ଠିକ ଠିକ ଜାଣନ୍ତି ।

 

ଆମେ ସମସ୍ତ କାର୍ଯ୍ୟକ୍ରମକୁ ଏଠାରେ ବିଷଦ ଭାବେ ବୁଝାଇ ପାରୁନାହିଁ, ସେଥିଲାଗି ଏକ ସ୍ୱତନ୍ତ୍ର ପୁସ୍ତିକା ଦରକାର ହେବ । କାର୍ଯ୍ୟକ୍ରମ କ’ଣ କହେ ସେ ବିଷୟରେ ଆମେ କେବଳ ସଂକ୍ଷେପରେ ସୂଚନା ଦେବୁ ଓ ପାଠକ ମାନଙ୍କୁ ପରାମର୍ଶ ଦେଉ ଯେ ସେମାନେ ସହାୟକ ଭାବେ ଦୁଇଟି ପୁସ୍ତିକା ଧରନ୍ତୁ । ଗୋଟିଏ ହେଲା ଜର୍ମାନୀର ସୋସାଲ-ଡିମୋକ୍ରାଟ୍ କାର୍ଲ କଟ୍‍ସ୍କିଙ୍କକୃତ ତା'ର ନାଁ 'ଦି ଏରଫରଟ୍ ପ୍ରୋଗ୍ରାମ' ତାହା ରୁଷ ଭାଷାରେ ଅନୁବାଦ ହୋଇଛି; ଅନ୍ୟଟି ହେଲା ରୁଷର ସୋସାଲ-ଡିମୋକ୍ରାଟ୍, ଏଲ ମାରଟୋଙ୍କ ଦ୍ୱାରା ଲିଖିତ, ତା'ର ନାଁ, ' ଦି ୱାର୍କସ କଜ ଇନ ରୁଷିଆ 'ଆମର ସମସ୍ତ କାର୍ଯ୍ୟକ୍ରମ ବୁଝିବାରେ ଉକ୍ତ ପୁସ୍ତିକାଗୁଡ଼ିକ ପାଠକମାନଙ୍କୁ ସାହାଯ୍ୟକାରୀ ହେବ ।

 

ବର୍ତ୍ତମାନ ଆମର କାର୍ଯ୍ୟକ୍ରମର ପ୍ରତ୍ୟେକ ଅଂଶକୁ ଏକ ସ୍ୱତନ୍ତ୍ର ବର୍ଣ୍ଣମାଳାରେ ଦର୍ଶାଇବା, (ତଳେ ପ୍ରୋଗ୍ରାମ ଦେଖନ୍ତୁ) ଏବଂ ପ୍ରତ୍ୟେକ ଅଂଶରେ କ'ଣ କୁହାଯାଇଛି ଅର୍ଥ ବୁଝାଇଦେବା ।

 

(କ) ପ୍ରଥମରୁ ତାହା କୁହେ ଯେ, ସଂସାରରେ ସର୍ବତ୍ର ସର୍ବହରା ତା'ର ମୁକ୍ତି ଲାଗି ସଂଗ୍ରାମ କରୁନି, ଏବଂ ରୁଷର ସର୍ବହରା ହେଉଛି ସମଗ୍ର ସଂସାରର ଶ୍ରମିକଶ୍ରେଣୀର, ବିଶ୍ୱସୈନ୍ୟବାହିନୀର, ଏକ ଇଉନିଟ (ବା ଅଂଶ) ବିଶେଷ ।

 

(ଖ) ତା'ପରେ ରୁଷ ସମେତ, ଦୁନିଆର ପ୍ରାୟ ସବୁ ଦେଶରେ ପ୍ରଚଳିତ ବୁର୍ଜୁଆ ବ୍ୟବସ୍ଥାକୁ ତାହା ବୁଝାଇବାକୁ ଯାଇଛି । ଅଧିକାଂଶ ଲୋକେ କିପରି ଜମିଦାର, ପୁଞ୍ଜିପତିଙ୍କ ଲାଗି କାମ କରୁଛନ୍ତି, ଅଭାବ ଦୁଃଖ ଦାରିଦ୍ର୍ୟ ମଧ୍ୟରେ ବାସ କରୁଛନ୍ତି, କିପରି ବଡ଼ ଫାକ୍‍ଟ୍ରି, କଳକାରଖାନା ସବୁ ଆହୁରି ବଡ଼ ବଡ଼ ହୋଇ ଉଠିଲାବେଳେ; ତେଣେ ଛୋଟ କାରିଗର ଓ କୃଷକମାନେ ସର୍ବସ୍ୱାନ୍ତ ହେଉଛନ୍ତି, ଶ୍ରମିକ ତା'ର ସ୍ତ୍ରୀ ଓ ପିଲାମାନଙ୍କୁ ସୁଦ୍ଧା ପୁଞ୍ଜି କିପରି ଚିପି ଦେଉଛି, କିପରି ଶ୍ରମିକଶ୍ରେଣୀର ଅବସ୍ଥା ଶୋଚନୀୟରୁ ଅଧିକ ଶୋଚନୀୟ ହେବାରେ ଲାଗିଛି ଓ ଅଭାବ ଅନାଟନ ବୃଦ୍ଧି ପାଇଛି, ଏ ସମସ୍ତ ଦର୍ଶାଯାଇଛି ।

 

(ଗ) ତା'ପରେ ତାହା ଶ୍ରମିକମାନଙ୍କ ଇଉନିୟନ, ତାଙ୍କର ସଂଗ୍ରାମ, ସେଇ ସଂଗ୍ରାମର ମହାନ ଲକ୍ଷ୍ୟ-ସମସ୍ତ ଅତ୍ୟାଚାରିତମାନଙ୍କୁ ମୁକ୍ତ କରିବା, ଧନୀଙ୍କ ଦ୍ୱାରା ଗରିବର ସମସ୍ତ ଅତ୍ୟାଚାର ସମ୍ପୂର୍ଣ୍ଣ ଲୋପ କରିବା, ବିଷୟ କହିଛି । ଶ୍ରମିକଶ୍ରେଣୀ କାହିଁକି ଅଧିକରୁ ଅଧିକ ଶକ୍ତିଶାଳୀ ହୋଇ ଉଠିଛି, ତାହା କାହିଁକି ତାର ସମସ୍ତ ଶତ୍ରୁଙ୍କୁ, ବୁର୍ଜୁଆଙ୍କର ସମସ୍ତ ରକ୍ଷକ ଗଣକୁ ନିଶ୍ଚୟ ପରାସ୍ତ କରିବ, ସେସବୁ ବିଷୟ ମଧ୍ୟ ସେଇ ଅଂଶରେ ବୁଝାଯାଇଛି ।

 

(ଘ) ତା'ର ତାହା ବୁଝାଇବାକୁ ଯାଇଛି, କାହିଁକି ସୋସାଲ-ଡିମୋକ୍ରାଟିକ୍ ପାର୍ଟି ମାନେ ସବୁ ଦେଶରେ ଗଠିତ ହୋଇଛନ୍ତି, ସେମାନେ କିପରି ଶ୍ରମିକଶ୍ରେଣୀଙ୍କ ତାର ସଂଗ୍ରାମ ଚଳାଇବାରେ, ଶ୍ରମିକକୁ ଏକଜୁଟ ଓ ନେତୃତ୍ୱ ଦେବାରେ ସାହାଯ୍ୟ କରିବେ, କିପରି ସେମାନଙ୍କୁ ଶିକ୍ଷିତ କରିବେ ଓ ବିରାଟ ସଂଗ୍ରାମ ଲାଗି ପ୍ରସ୍ତୁତ କରିବେ ।

 

(ଙ) ଆହୁରି ଆଗକୁ ଯାଇ ତାହା ବୁଝାଇଛି, ରୁଷର ଲୋକଙ୍କ ଅବସ୍ଥା ଅନ୍ୟ ସବୁ ଦେଶ ତୁଳନାରେ କାହିଁକି ଏତେ ଶୋଚନୀୟ, ଜାରର ସ୍ୱୈଚ୍ଛାଚାରୀ ଶାସନ କେମିତି ଏତେ ବେଶୀ ଜଘନ୍ୟ ହୋଇଛି ତାହା ବୁଝାଏ । ସବାଆଗେ ଏ ସ୍ୱୈଚ୍ଛାଚାରୀ ଶାସନକୁ ଧ୍ୱଂସ କରିବା ଏବଂ ରୁଷ ଦେଶରେ ଏକ ଜନପ୍ରିୟ ପ୍ରତିନିଧି ମୂଳକ ସରକାର ପ୍ରତିଷ୍ଠା କାହିଁକି ଦରକାର, ତାହା ଏଠାରେ କୁହାଯାଇଛି ।

 

(ଚ) ଲୋକପ୍ରିୟ, ନିର୍ବାଚିତ ସରକାର ଜନସାଧାରଣଙ୍କ ପାଇଁ କି ଉନ୍ନତି ମୂଳକ କାମ କରିବେ ? ଆମ ପୁସ୍ତିକାରେ, ପୁଣି ପ୍ରୋଗ୍ରାମରେ ମଧ୍ୟ ଆମେ ତାହା ବୁଝାଇଛୁ ।

 

(ଛ) ସମଗ୍ର ଶ୍ରମିକଶ୍ରେଣୀ ପାଇଁ କିଭଳି ଉନ୍ନତି ବିଧାନ କଲେ ତାହା ଜୀବନଧାରଣ ସୁଖକର ହେବ ଏବଂ ସମାଜବାଦ ପାଇଁ ଅଧିକ ନିବିଘ୍ନରେ ସଂଗ୍ରାମ କରିପାରିବ, ତାହାର ସୂଚନା ଏହାପରେ ଦିଆଯାଇଅଛି ।

 

(ଜ) ପ୍ରୋଗ୍ରାମରେ ସେଇସବୁ ଉନ୍ନତି ବିଧାନ ବିଷୟ ବିଶେଷ ରୂପେ ଉଲ୍ଲେଖ କରାଯାଇଅଛି । ଯାହାକୁ ଆମେ ସମଗ୍ର କୃଷକଙ୍କ ଲାଗି ସର୍ବପ୍ରଥମେ ହାସଲ କରିବାକୁ ଉଦ୍ୟମ କରିବା, ତଦ୍ୱାରା ଗାଁ ର ଗରିବ, ସମଗ୍ର ରୁଷ ବୁର୍ଜୁଆଙ୍କ ବିରୁଦ୍ଧରେ ଅଧିକ ସହଜରେ, ଅବାଧରେ ଶ୍ରେଣୀ ସଂଗ୍ରାମ ପରିଚାଳନା କରିବାକୁ ସମର୍ଥ ହୋଇ ପାରିବେ ।

 

(ଝ) ଶେଷରେ, ସୋସାଲ-ଡିମୋକ୍ରାଟିକ୍ ପାର୍ଟି ଲୋକମାନଙ୍କୁ ସାବଧାନ କରିଦେଉଛି ଯେ ସେମାନେ କୌଣସି ପୋଲିସ ବା ଅମଲାତାନ୍ତ୍ରିକ ପ୍ରତିଶ୍ରୁତିକୁ କିମ୍ବା କଅଁଳ ମିଠା କଥାରେ ବିଶ୍ୱାସ କରନ୍ତୁ ନାହିଁ; ଏକ ସ୍ୱାଧୀନ ପ୍ରତିନିଧି ମୂଳକ ଜାତୀୟ ବିଧାନ ସଭା ତୁରନ୍ତ ଆହ୍ୱାନ କରିବା ଲାଗି ଦୃଢ଼ ଭାବରେ ସଂଗ୍ରାମ କରନ୍ତୁ ।

Image

 

ନୋଟ

 

“ଗ୍ରାମର ଗରିବଙ୍କ ପ୍ରତି” ପୁସ୍ତିକା ପ୍ରସ୍ତୁତ କଲାବେଳେ ଲେନିନ ପୁସ୍ତିକାର ବିଭିନ୍ନ ପ୍ରକାରର ଚିଠା-ସଂକ୍ଷିପ୍ତସାରା ତିଆରି କରିଥିଲେ ଏବଂ ପ୍ରଥମ ପ୍ରକାଶନ ଉପରେ କେତେକ ମନ୍ତବ୍ୟ ଲେଖିଥିଲେ । ସେ ମଧ୍ୟ ପୁସ୍ତିକାର ବିଭିନ୍ନ ପରିଛେଦ ଉପରେ ଚିଠା ବିବରଣୀମାନ ପ୍ରସ୍ତୁତ କରିଥିଲେ । (ଲେନିନ ମିସାଲେନି ୧୯ ଖଣ୍ଡ ୩୩୯-୩୫୬ ଦ୍ରଷ୍ଟବ୍ୟ)

 

''ଗ୍ରାମର ଗରିବ ପ୍ରତି ''ପୁସ୍ତିକା ଉଦ୍ଦେଶ୍ୟ ସମ୍ପର୍କରେ ଲେନିନ ମାର୍ଚ୍ଚ ୧୯୦୩ ରେ ପ୍ଲାଖନୋଭକୁ ଏକ ପତ୍ରରେ ଲେଖିଥିଲେ ଯେ, ସେ ଗ୍ରାମାଞ୍ଚଳ ଲୋକୋଙ୍କର ଚାରୋଟି ସ୍ତର (ଜମିଦାର, କୃଷକ-ବୁର୍ଜୁଆ, ମଧ୍ୟବିତ୍ତ ଶ୍ରମିକ, ଏକ ଅର୍ଦ୍ଧ ସର୍ବହରା ଓ ସର୍ବହରା) ସେଇ ନିର୍ଦ୍ଦିଷ୍ଟ ତଥ୍ୟ ଉପରେ ଭିର୍ତ୍ତି କରି ମାର୍କସବାଦୀ ଦୃଷ୍ଟିରୁ ଗ୍ରାମାଞ୍ଚଳର ଶ୍ରେଣୀ ସଂଗ୍ରାମକୁ ବୁଝାଇ, କୃଷି-ପ୍ରୋଗ୍ରାମ ସମ୍ବନ୍ଧରେ ଏକ ଜନପ୍ରିୟ ପୁସ୍ତିକା ଲେଖିଛନ୍ତି ।

 

ଉକ୍ତ ପୁସ୍ତିକା ସହିତ ଲେନିନଙ୍କ ମୁଖବନ୍ଧ ସମେତ, ଆର .ଏସ. ଡି. ଏଲ :ପ:ର ଚିଠା ପ୍ରୋଗ୍ରାମ ଯୋଗ କରଯାଇଥିଲା । ଲେନିନଙ୍କ ପୁସ୍ତିକା ବ୍ୟାପକ ଭାବେ ପ୍ରଚାରିତ ହୋଇଥିଲା, ବିଦେଶରୁ ଗୁପ୍ତରେ ଏଇ ପୁସ୍ତିକା ରୁଷକୁ ଆସିଥିଲା, ବିଭିନ୍ନ ସହରକୁ ପଠା ଯାଇଥିଲା, ସେଠାରୁ ନିଆ ହୋଇଥିଲା ଗାଁମାନକୁ, ଅପର୍ଣ୍ଣାଙ୍ଗ ବିବରଣୀ ଅନୁସାରେ ୧୯୦୩ ମଇ ମାସରୁ ୧୯୦୫ ଡିସେମ୍ବର ମଧ୍ୟରେ, ଏଇ ସମୟ ଭିତରେ କେବଳ ଉକ୍ତ ପୁସ୍ତିକା ୩୫ ଟି ସହର ୧୫ ଟି ରୁବେରୀନାରେ ପହଞ୍ଚି ପାରିଥିଲା । ଲୁଚି ଲୁଚି କାମ କରୁଥିବା ସୋସାଲ-ଡିମୋକ୍ରାଟି ଓ ଶ୍ରମିକମାନଙ୍କୁ ଗୋପନଗୋଷ୍ଠୀରେ ଏହା ପଢ଼ା ହେଉଥିଲା; ଏହା ସୈନ୍ୟବାହିନୀ, ନୌବାହିନୀ ଭିତରେ ପ୍ରବେଶ କଲା ଏବଂ ହାଇସ୍କୁଲର ଓ ବିଶ୍ୱବିଦ୍ୟାଳୟ ଛାତ୍ର ମାନଙ୍କ ହାତରେ ପହଞ୍ଚିଥିଲା ।

 

୧୯୦୪ରେ ଏଇ ପୁସ୍ତିକାର ଏକ ନୂତନ ସଂସ୍କରଣ ବିଦେଶରେ ଥିବା ଆର. ଏସ. ଡି. ଏଲ. ପି. କେନ୍ଦ୍ର କମିଟି ଦ୍ୱାରା ପ୍ରକାଶିତ ହେଲା, ରୁଷରେ ତା'ର ବହୁ ପୁନମୁର୍ଦ୍ରଣ ହୋଇଛି । ଲେନିନଙ୍କର ଅନ୍ୟାନ୍ୟ ଗ୍ରନ୍ଥ ଭଳି ଏ ପୁସ୍ତିକାର ପ୍ରକାଶନ ଓ ପ୍ରଚାର କାର୍ଯ୍ୟ ମଧ୍ୟ ଜେ.ଭି ଷ୍ଟାଲିନଙ୍କ ଦ୍ୱାରା ପରିଚାଳିତ ଟ୍ରାନସକକେସିଆନ ବଲଶେଭିକ ସଂସ୍ଥା ଦ୍ୱାରା, ସମାହିତ ହୋଇଥିଲା । ୧୯୦୪ ମସିହାରେ ଏହା ବାକୁ ସହରରେ ମୁଦ୍ରିତ ହୋଇ ଶ୍ରମିକ ଓ କୃଷକମାନଙ୍କ ମଧ୍ୟରେ ପ୍ରଚାରିତ ହୋଇଥିଲା ।

 

୨) ସନନ୍ଦ, ୧୮୬୧ ସାଲର–ସଂସ୍କାର ଅନୁଯାୟୀ ଭୂ-ଦାସଙ୍କ ''ମୁକ୍ତି'' ଉପରେ ଜମିଦାରଙ୍କ ଦ୍ୱାରା, ରଚିତ ଦଲିଲ । ପ୍ରତ୍ୟେକ କୃଷକ ପାଖରେ, ସଂସ୍କାର ପୂର୍ବରୁ କେତେ ପରିମାଣରେ, ଆଉ ''ମୁକ୍ତି'' ପରେ ସେହି ଲୁଣ୍ଠିତ କୃଷକ ନିକଟରେ କେତେ ତଇଳା ଜମି, ଜଙ୍ଗଲ ଜମି, ଗୋଚର ଆଦି ରହିଲା, ଉକ୍ତ ସନନ୍ଦରେ ତାହା ରେକର୍ଡ଼ଭୁକ୍ତ ହେଲା । ପୂର୍ବରୁ ଭୂ-ଦାସ ଜମିଦାରଙ୍କ ଲାଗି ଯେଉଁ ସବୁ କାମ ବା ସେବା କରୁଥିଲା ତାହା ସବୁ ସନାନ୍ଦରେ ରେକର୍ଡ଼ ଭୁକ୍ତ ହେଲା । କୃଷକମାନଙ୍କଠାରୁ କେତେ ପରିମାଣରେ କ୍ଷତିପୂରଣ ଅଣାଯିବ, ତାହା ହିସାବ କରିବା ପାଇଁ ଏଇ ସନନ୍ଦକୁ ଭିର୍ତ୍ତିଭାବେ ଗ୍ରହଣ କରାଯାଏ ।

 

୩) ସାମୁହିକ ଦାୟୀତ୍ୱ-ପ୍ରତ୍ୟେକ ଗ୍ରାମ୍ୟ ଗୋଷ୍ଠୀର କୃଷକମାନେ, ରାଷ୍ଟ୍ର ଓ ଜମିଦାରଙ୍କୁ ଠିକ ସମୟରେ ତାଙ୍କର ଦେୟ, ପୁରା ପାଉଣା ଦେବା ଓ ସମସ୍ତ କର୍ତ୍ତବ୍ୟ ପାଳନ କରିବା ଲାଗି ସାମୁହିକ ଭାବେ ଦାୟୀ, (ଟିକସ ଦେବା କ୍ଷତିପୂରଣ ଦେବା, ସୈନ୍ୟବାହିନୀ ପାଇଁ ବାଧ୍ୟତାମୂଳକ ଭାବେ ଲୋକ ଯୋଗାଇବା ଇତ୍ୟାଦି) ରୁଷରେ ଭୂ-ଦାସତ୍ୱ ପ୍ରଥାର ଲୋପ ପରେ ସୁଦ୍ଧା କୃଷକଙ୍କ ପାଇଁ ଏହିପରି ଦାସତ୍ୱ ପ୍ରଥା ବଳବତ୍ତର ଥିଲା, ୧୯୦୬ ସାଲରେ ହିଁ କେବଳ ତ ଲୋପ ହେଲା ।

 

୪) ଶୀତକାଳୀନ ମଜୁରୀ-ଗ୍ରୀଷ୍ମ ଋତୁରେ କାମ କରିବା ପାଇଁ, ଶୀତ ଋତୁରେ କୃଷକମାନଙ୍କୁ ଜାଜନ ଦିଆଯାଏ, ଭଡ଼ାରେ ଅଣାଯାଏ, ଏଇ ପ୍ରଥା ଜମିଦାର ଓ କୁଲାଖଙ୍କ ଦ୍ୱାରା ପ୍ରଚଳିତ, କାରଣ ଶୀତ କାଳରେ, କୃଷକମାନଙ୍କ ତିରୋଟ ସମୟ, ପଇସା ନ ଥାଏ, ଏଇ ସୁବିଧାରେ ଜମିଦାର ଓ କୁଲାଖମାନେ ତାଙ୍କର ମୂଲ ହାର କମାଇ ଦିଅନ୍ତି ।

 

୫) ଇସତ୍ର (ସ୍ଫୁଲିଙ୍ଗ), ଲେନିନଙ୍କ ଦ୍ୱାରା ୧୯୦୦ ଡିସେମ୍ବରରେ ପ୍ରତିଷ୍ଠିତ ପ୍ରଥମ ନିଖିଳ ରୁଷ ବେଆଇନ ମାର୍କସବାଦୀ ସମ୍ବାଦପତ୍ର । ଏହା ବିଦେଶରେ ପ୍ରକାଶିତ ହୋଇଥିଲା ଓ ଲୁଚାଛପା ଭାବରେ ରୁଷକୁ ଆସୁଥିଲା ।

 

୬) ଯାରୟା (ଭାଷା -ଇସତ୍ରା ଦ୍ୱାରା ୧୯୦୧-୨ ରେ ପୁଟଗ୍ରାଟରେ ପ୍ରକାଶିତ ଏକ ମାର୍କସବାଦୀ ବୈଜ୍ଞାନିକ, ରାଜନୈତିକି ପତ୍ରିକା ।

Image